ବିଜେପି ରାଲିରେ ଛୋଟ ପିଲା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବିଜେପି ରାଲିରେ ଛୋଟପିଲାଙ୍କୁ ସାମିଲ କରିବା ଘଟଣାକୁ ନିନ୍ଦା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଫେରାଦ ହେଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ବିଜେପି ସମ୍ବେଦନଶୀଳ ଘଟଣାରେ ସବୁବେଳେ ହୀନ ରାଜିନୀତି କରୁଛି । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବା ବେଳେ ଏହାକୁ ନେଇ ମଧ୍ୟ ରାଜନୀତି କରୁଛି ବିଜେପି । ଏହାକୁ ନେଇ ରାଜନୀତି ନକରିବାକୁ ଧର୍ମେନ୍ଦ୍ରଙ୍କ ପରିବାର ଅନୁରୋଧ କରିଥିଲେ । ହେଲେ ଏହାକୁ ମଧ୍ୟ ବିଜେପି ହେୟଜ୍ଞାନ କରି ଗତକାଲି ରାଲି ପ୍ରଦର୍ଶନ କରିଥିଲା ।

କିନ୍ତୁ ବିଜେପି କରୁଥିବା ରାଲିକୁ ଲୋକଙ୍କ ସମର୍ଥନ ମିଳିନଥିଲା । ଶେଷରେ ନିରୁପାୟ ହୋଇ ଛୋଟଛୋଟ ପିଲାଙ୍କୁ ଦଳୀୟ ପତାକା ଧରାଇ ରାଲିରେ ସାମିଲ କରିଥିଲା ବିଜେପି । ବିଜେପିର ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ଏନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ବିଜେଡି ଅଭିଯୋଗ କରିଛି । ପ୍ରମାଣ ମଧ୍ୟ ବିଜେଡି ପକ୍ଷରୁ ହସ୍ତାନ୍ତର କରାଯାଇଛି । ଆୟୋଗ ଅଧ୍ୟକ୍ଷା ଅଭିଯୋଗକୁ ଗ୍ରହଣ କରିଛନ୍ତି । ପିଲା ଦେଶ ଓ ରାଜ୍ୟର ଭବିଷ୍ୟତ । ପିଲାମାନକୁ ଏଭଳି  ବ୍ୟବହାର କରିବା ଠିକ ନୁହେଁ । ତଦନ୍ତ ପରେ ଗାଇଡ ଲାଇନ ଅନୁସାରେ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆୟୋଗ ଅଧ୍ୟକ୍ଷା କହିଛନ୍ତି ।