spot_img
Home Blog Page 3974

ମାଓମୁକ୍ତ ହେବ ଓଡ଼ିଶା ! ୧୦ବର୍ଷରେ ମାଓ ଉପଦ୍ରୁତ ଜିଲ୍ଲା ୧୯ରୁ ୫ରେ ପହଞ୍ଚିଛି

ଭୁବନେଶ୍ୱର(ନନ୍ଦିଘୋଷ ବ୍ୟୁରୋ): ରାଜ୍ୟରେ କମୁଛି ମାଓ ଉପଦ୍ରବ। ଗତ ୧୦ବର୍ଷରେ ମାଓ ପ୍ରଭାବିତ ଜିଲ୍ଲା ୧୯ରୁ ୫କୁ ଖସିଛି। ଆଦିବାସୀଙ୍କ ଯେଉଁ ଅଧିକାର କଥା କହି ନକ୍ସଲ ସେମାନଙ୍କୁ ବିଦ୍ରୋହୀ ସଜାଉଥିଲେ, ସେସବୁ ଦାବି ସରକାର ପୂରଣ କରୁଥିବାରୁ ମାଓ ସମର୍ଥକ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ରାଜ୍ୟ ସରକାରଙ୍କ ସଫଳ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ସାଙ୍ଗକୁ ମାଓ ମୁକାବିଲାରେ ନିୟୋଜିତ ଫୋର୍ସଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ମାଓ କାର୍ଯ୍ୟକଳାପ ହ୍ରାସ ପାଉଛି। ଏହା ମଧ୍ୟରେ ପ୍ରାୟ ୪୩୨ମାଓ ସମର୍ଥକ ମୁଖ୍ୟସ୍ରୋତକୁ ଆସିଥିବା ବେଳେ ୨୨୪ଜଣ ସରକାରୀ ଯୋଜନାରେ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

୨୦୧୨ରେ ୧୯ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ବେଳେ ୨୦୧୮ରେ ୬, ୨୦୧୯ରେ ୩ ଏବଂ ୨୦୨୦ରେ ୫ଟି ଜିଲ୍ଲାରେ ସୀମିତ ହୋଇଛି। ଜମି ଅଧିକାର ପ୍ରସଙ୍ଗରେ ଆଦିବାସୀଙ୍କୁ ବିଦ୍ରୋହୀ ସଜାଇ ସରକାରଙ୍କ ବିରୋଧରେ ଅସ୍ତ୍ର ଧରିବାକୁ ମାଓବାଦୀ ପ୍ରବର୍ତ୍ତାଉଥିଲେ । ଏବେ ଜମି ଅଧିକାର ଦିଗରେ ସରକାର ଭଲ କାମ କରୁଛନ୍ତି। ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ସହ ମିଳିଛି ଜଙ୍ଗଲ ଉପରେ ଅଧିକାର। ସରକାର ସ୍ଥାନୀୟ ଅଧିବାସୀଙ୍କ ସହ ସୁସମ୍ପର୍କ ରକ୍ଷା କରି ସେମାନଙ୍କ ସୁବିଧା ଅସୁବିଧାରେ ସାମିଲ ହୋଇଛନ୍ତି। ଫଳରେ ମୁଖ୍ୟସ୍ରୋତକୁ ଆସିବା ସହ ମାଓବାଦୀଙ୍କୁ ସମର୍ଥନ ବଦଳରେ ବିରୋଧ କରିବା ଆରମ୍ଭ କରିଛନ୍ତି ଆଦିବାସୀ।

 

ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା; ଖବର ପ୍ରସାରଣ ପରେ ମାଲିକ ଏବଂ ସହଯୋଗୀ ଗିରଫ

ମୟୁରଭଞ୍ଜ: ବାରିପଦାର ନିଶା ନିବାରଣ କେନ୍ଦ୍ରରେ ବର୍ବର ଘଟଣା। ଖବର ପ୍ରସାରଣ ପରେ ନିଶା ନିବାରଣ କେନ୍ଦ୍ରରେ ପୋଲିସର ତନାଘନା । ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ‘ପ୍ରତିଜ୍ଞା’ ନିଶା ନିବାରଣ କେନ୍ଦ୍ର ମୁଖ୍ୟ ଅବନୀ ପତି ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି ପୋଲିସ। ଅବନି ପତିକୁ ପୋଲିସ ଥାନାକୁ ନେବା ପରେ ଗିରଫ କରିଛି। ଘଟଣାରେ ସଂପୃକ୍ତ ଥିବା ପୀତବାସ ରାଉଳକୁ ମଧ୍ୟ କରଞ୍ଜିଆ ପୋଲିସ ସହାୟତାରେ ଗିରଫ କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ସେପଟେ ନିଶା ନିବାରଣ କେନ୍ଦ୍ରକୁ ଖାଲିକରିଛି ପୋଲିସ। ସେଠାରେ ଥିବା ୫୦ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ କହିଛନ୍ତି । ବାରିପଦାର ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ପାଇପରେ ମାଡ଼ ମାରୁଥିଲେ କେନ୍ଦ୍ରର ମୁଖ୍ୟ ଅବନି ପତି। ଏହାସହ କେନ୍ଦ୍ରର ସହଯୋଗୀ ପୀତବାସ ରାଉଳ ତାଙ୍କୁ ପାଦ ଚାଟିବାକୁ ବାଧ୍ୟ କରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ସମସ୍ତ ଅନ୍ତେବାସୀଙ୍କୁ ଭୟଭୀତ କରିବା ପାଇଁ ସର୍ବ ସମ୍ମୁଖରେ ପ୍ଲାଷ୍ଟିକ ପାଇପରେ ମାଡ଼ ମାରୁଥିଲେ କେନ୍ଦ୍ରର ମୁଖ୍ୟ। ବିଭିନ୍ନ ସମୟରେ ନିଶା ନିବାରଣ କେନ୍ଦ୍ରରେ ମାଡ ମରାଯାଉଥିବା ଅଭିଯୋଗ ଆସୁଥିଲା । ପୂର୍ବରୁ ମାଡ଼ ଭୟରେ ୪୯ ଜଣ ଅନ୍ତେବାସୀ ନିଶା ନିବାରଣ କେନ୍ଦ୍ର ଛାଡି ପଳାଇଥିଲେ। ଅବନୀଙ୍କ ନାଁରେ ପୂର୍ବରୁ ହତ୍ୟା ମାମଲା ସହିତ ଚାରିଟି ମାମଲା କୋର୍ଟରେ ବିଚାର ଚାଲିଛି । ସେପଟେ ଏଭଳି ନିଶା ନିବାରଣ କେନ୍ଦ୍ରକୁ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।

ମହଙ୍ଗା ହେବ ବିମାନ ଯାତ୍ରା, ଅଗଷ୍ଟ ୩୧ରୁ ବଢ଼ିବ ଭଡ଼ା

ନୂଆଦିଲ୍ଲୀ: ମହଙ୍ଗା ହେବ ବିମାନ ଯାତ୍ରା। ବଢ଼ିବ ବିମାନ ଭଡ଼ା। ବିମାନ କମ୍ପାନୀ ଗୁଡ଼ିକୁ ସ୍ୱାଧୀନ ଭାବେ ଭଡ଼ା ଧାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ଅଗଷ୍ଟ ୩୧ରୁ ବିମାନ କମ୍ପାନୀ ଗୁଡ଼ିକ ମୁକ୍ତ ଭାବେ ଭଡ଼ା ଧାର୍ଯ୍ୟ କରିପାରିବେ। ପୂର୍ବରୁ ଦେଶ ଭିତରେ ଚଳାଚଳ କରୁଥିବା ବିମାନଗୁଡ଼ିକର ଟିକଟର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା। ଏବେ ଏହି କଟଣାକୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏୟାର ଟର୍ବାଇନ୍‌ ଫ୍ୟୁଏଲ ପ୍ରାଇସ ବୃଦ୍ଧି ଯୋଗୁ ବିମାନ କମ୍ପାନୀ ଗୁଡ଼ିକ ବହୁ ପରିମାଣରେ କ୍ଷତି ସହୁଛନ୍ତି। ସେମାନଙ୍କ ଦାବିକୁ ଅନୁଧ୍ୟାନ କରିବା ପରେ ଟିକଟ ମୂଲ୍ୟ କଟକଣା ହଟାଇ ଦେବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଆଭିଏସନ ଟର୍ବାଇନ ଫ୍ୟୁଏଲର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଏହାର ପ୍ରଭାବ ବିମାନ କମ୍ପାନୀ ଗୁଡ଼ିକ ଉପରେ ପଡ଼ିଛି। ଏଥପାଇଁ ବିମାନ ଭଡ଼ା ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି । ଜୁନ ୨୦୨୧ ପରଠୁ ଇନ୍ଧନ ମୂଲ୍ୟରେ ଯଥେଷ୍ଟ ଅଧିକ ବୃଦ୍ଧି ହେଲାଣି।

୨୮୭ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକାଠି ଯୋଡ଼ୁଛି ‘ଭର୍ଚୁଆଲ କ୍ଲାସ୍’; ଏକାଠି ପଢ଼ୁଛନ୍ତି ୪୦ ହଜାର ପିଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି ‘ଭର୍ଚୁଆଲ କ୍ଲାସ’ । ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବି ପଢ଼ାଇ ପାରନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଚଲାଇଥିବା ‘ଭର୍ଚୁଆଲ କ୍ଲାସ’ ଏହାର ଏକ ଉଦାହରଣ। ଏହି ‘ଭର୍ଚୁଆଲ କ୍ଲାସ’ ମାଧ୍ୟମରେ ଏକାଥରକେ ୨୮୭ଟି ସ୍କୁଲର ଫିଲାମାନେ ଏକାଠି ପାଠ ପଢ଼ିପାରୁଛନ୍ତି ।

୨୦୧୯ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରି ଏହି ‘ଭର୍ଚୁଆଲ କ୍ଲାସ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଅଧୀନରେ ଭି-ସାଟ୍ ଲିଙ୍କ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା। ଆଜି ସେହି ସଂଖ୍ୟା ୨୮୭ଟି ସ୍କୁଲର ୫୭୨ଟି କ୍ଲାସରୁମକୁ ସଂପ୍ରସାରିତ ହୋଇପାରିଛି। ଏହା ଫଳରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେଉଛନ୍ତି।

ଭର୍ଚୁଆଲ କ୍ଲାସ ମାଧ୍ୟମରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଷ୍ଟୁଡିଓରେ ଥାଇ ଭଲଭାବେ ପାଠ ବୁଝାଉଛନ୍ତି। ସେମାନେ ବିଭିନ୍ନ ଚିତ୍ର ଏବଂ ଭିଡିଓ ଦେଖାଇ ପାଠ ପଢ଼ାଉଥିବାରୁ ଛାତ୍ତଛାତ୍ରୀମାନେ ଏଥିପ୍ରତି ଅଧିକ ଆଗ୍ରହ ଦେଉଛନ୍ତି। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏବେ ବିଜ୍ଞାନ, ଗଣିତ ଏବଂ ଭୂଗୋଳ ଆଦି ବିଷୟକୁ ପାୱାରପଏଣ୍ଟ ବ୍ୟବହାର କରି ପଢ଼ା ଯାଉଛି। ଏହି ନୂଆ ଧାରା ଫଳରେ ସେମାନଙ୍କ ମଧ୍ୟରେ ପାଠ ପ୍ରତି ଆଗ୍ରହ ବଢ଼ି ପାରିଛି ବୋଲି କହନ୍ତି ବଡ଼ଗାଁ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁନିତା ଲାକ୍ରା।

ଏହି ଭର୍ଚୁଆଲ କ୍ଲାସ ବର୍ତ୍ତମାନ ସପ୍ତାହରେ ୫ ଦିନ – ସୋମବାରଠାରୁ ଶୁକ୍ରବାର ଯାଏଁ ଚାଲୁଛି। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ଦୁଇଟି ଲେଖାଏଁ ପିରିୟଡରେ ପାଠପଢ଼ା ଯାଉଛି। ସେହିପରି ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିୟମିତ ବ୍ୟବଧାନରେ ପାଳିକରି ବିଭିନ୍ନ ବିଷୟରେ ଶିକ୍ଷାଦାନ କରାଯାଉଛି। ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ଫଳରେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ଥିବା ସ୍ମାର୍ଟ କ୍ଲାସରୁମକୁ ଏବେ ଭର୍ଚୁଆଲ କ୍ଲାସ ପାଇଁ ସହଜରେ ବ୍ୟବହାର କରାଯାଇପାରୁଛି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ବିଜ୍ଞାନାଗାର କରାଯାଇଛି। ସେଠାରେ ବିଭିନ୍ନ ଆଧୁନିକ ବୈଜ୍ଞାନିକ ପ୍ରୟୋଗ ଲାଗି ସୁବିଧା ରହିଛି। ଭର୍ଚୁଆଲ କ୍ଲାସ ମାଧ୍ୟମରେ ଜିଲ୍ଲାର ଦକ୍ଷ ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସୁନ୍ଦରଗଡ଼ ଷ୍ଟୁଡିଓରେ ରହି ବିଜ୍ଞାନର ବିଭିନ୍ନ ପ୍ରକାର ପ୍ରୟୋଗ କରି ଦେଖାଉଛନ୍ତି। ଏହା ଫଳରେ ଏକ ସମୟରେ ଜିଲ୍ଲାର ଶତାଧିକ ସ୍କୁଲର ଛାତ୍ରଛାତ୍ରୀମାନେ ତାହା ଦେଖି ଶିଖିପାରୁଛନ୍ତି। ତା’ଛଡ଼ା ସଂପୃକ୍ତ ସ୍କୁଲର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏଥିରୁ ଶିଖି ନିଜ ନିଜ ସ୍କୁଲରେ ପିଲାଙ୍କୁ ସେଗୁଡ଼ିକର ପ୍ରୟୋଗ କରି ଦେଖାଉଛନ୍ତି।

 

୭୫ ହଜାର କୋଟିର ନିବେଶ ପ୍ରସ୍ତାବକୁ ମଂଜୁରୀ, ୨୪ ହଜାରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ବଢ଼ିବ ନିବେଶ। ଦୌଡ଼ିବ ଶିଳ୍ପାୟନ। ରାଜ୍ୟରେ ଅଧିକ ପୁଂଜି ନିବେଶ ବଢ଼ାଇବା ସହ ଯୁବକ ଯୁବତୀଙ୍କୁ କାମଧନ୍ଦା ଯୋଗାଇବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ୭୪ ହଜାର ୬୨୦ କୋଟି ୨୦ ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବରେ ମୋହର ମାରିଛି । ଏହି ନିବେଶ ଦ୍ୱାରା ରାଜ୍ୟରେ ୨୪ ହଜାର ୪୭ ଜଣଙ୍କୁ ମିଳିବ ନିଯୁକ୍ତି।
ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଥିବା ନିବେଶ ପ୍ରସ୍ତାବ ମଧ୍ୟରେ ମୁଖ୍ୟତଃ ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ସହ ଧାତବ ଓ ଆନୁଷଙ୍ଗିକ ଡାଉନଷ୍ଟ୍ରିମ ଶିଳ୍ପକୁ ମିଳିଛି ସବୁଜ ସଂକେତ। ରିନ୍ୟୁ ଇ ଫୁଏଲ୍ସ ସଂସ୍ଥାର ଗ୍ରୀନ ହାଇଡ୍ରୋଜେନ (ବାର୍ଷିକ କ୍ଷମତା ୨୦ କିଲୋ ଟନ) ଏବଂ ଗ୍ରୀନ ଆମୋନିଆ ପ୍ଲାଣ୍ଟ (ବାର୍ଷିକ୧୦୦ କିଲୋଟନ) ପାରାଦୀପରେ ପ୍ରତିଷ୍ଠା କରିବ। ଏଥିରେ ସଂସ୍ଥା ୨ ହଜାର କୋଟି ନିବେଶ କରିବ। ୨ ହଜାର ଲୋକଙ୍କୁ ଏ ପ୍ଳାଣ୍ଟରେ ମିଳିବ ନିଯୁକ୍ତି। ଅଣପାରମ୍ପରିକ ଶକ୍ତି ଉତ୍ସକୁ ବ୍ୟବହାର କରି ଏ ୟୁନିଟ୍ ରାଜ୍ୟରେ ଇସ୍ପାତ ଓ ସାର କ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହେବ।
ସେହିଭଳି ଟାଟା ଷ୍ଟିଲ ପକ୍ଷରୁ ୬୦ ହଜାର ନିୟୁତ ଟନର ଶିଳ୍ପ ଭିତ୍ତିଭୂମି ସହ ୬ ହଜାର ନିୟୁତ ଟନର ଇସ୍ପାତ କାରଖାନା ଉପକରଣ ସାମଗ୍ରୀର ଏକ ୟୁନିଟ ପ୍ରତିଷ୍ଠା ହେବ। ଏଥିରେ ଟାଟା ଷ୍ଟିଲ ୧ ହଜାର କୋଟି ନିବେଶ କରିବ। ୨୪୫୧ ଜଣଙ୍କୁ ମିଳିବ ନିଯୁକ୍ତି ସୁବିଧା।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ରାୟଗଡ଼ାର କାଶୀପୁରରେ ବାର୍ଷିକ ୪ ନିୟୁତ ଟନ ଆଲୁମିନା ବିଶୋଧନାଗାର ଓ ପ୍ଳାଣ୍ଟକୁ ହଁ ମାରିଛି। ଆଦାନି ଏଣ୍ଟର ପ୍ରାଇଜେସ ଲିମିଟେଡ ପକ୍ଷରୁ ଏ ଶିଳ୍ପରେ ୪୧ ହଜାର ୬୫୩ କୋଟି ନିବେଶ କରାଯିବ । ଏହି କାରଖାନାରେ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି ଓଡ଼ିଶା ଆଲୟ ଷ୍ଟିଲ ପକ୍ଷରୁ ୮ ହଜାର କୋଟି ନିବେଶରେ ୨.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ୟୁନିଟ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ। ଏଥିରେ ୫ ହଜାର ଜଣଙ୍କୁ ନିଯୁକ୍ତି ମିଳିବ। ସୋମପୁରୀ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ୭୮୧୧ କୋଟିର ଧାମରାରରେ ପେଲେଟ ପ୍ଳାଣ୍ଟ, ଦେଓଝରରେ ବେନିଫିକେସନ ଓ ସ୍ଲରି ପ୍ଳାଣ୍ଟ ପ୍ରତିଷ୍ଠା ହେବ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଏନଭି ରମନ୍ନାଙ୍କ ଉତ୍ତରାଧିକାରୀ ହେବେ ଉଦୟ ଉମେଶ। ଆସନ୍ତା ଅଗଷ୍ଟ ୨୬ରେ ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଆସନ୍ତା ଅଗଷ୍ଟ ୨୭ରେ ଜଷ୍ଟିସ ଲଳିତ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ।

ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର ପଠାଯାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କରିବାକୁ କୁହାଯାଇଥିଲା । ଏହାର ଉତ୍ତରରେ ପ୍ରଧାନ ବିଚାରପତି ଏନଭି ରମନ୍ନା ଜଷ୍ଟିସ ଲଳିତଙ୍କ ନାଁ ସୁପାରିଶ କରିଥିଲେ। ତେବ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ତାଙ୍କ ନାଁରେ ମୋହର ମାରିଛନ୍ତି।

ଜଷ୍ଟିସ ଲଳିତଙ୍କ କାର୍ଯ୍ୟକାଳ ମାତ୍ର ୭୪ଦିନର ରହିବ। ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ନେବେ। ଜଣାଇଦେବାତୁ ଚାହୁଁ ଯେ ୨୦୦୪ରେ ଲଳିତଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା।  ସିବିଆଇ ପକ୍ଷରୁ ଲଳିତ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି।  ପରେ ସୁପ୍ରିମକୋର୍ଟ ବାର ପକ୍ଷରୁ ତାଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୪ ଅଗଷ୍ଟ ୧୩ ତାରିଖରେ ଲଲିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।

ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି; ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ

ନୂପୁର ଶର୍ମା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫଶିଥିବା ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ନୂପୁରଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବ। ନୂପୁରଙ୍କ ବିରୁଦ୍ଧରେ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ହୋଇଥିବା ୧୦ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ନୂପୁରୁ ତାଙ୍କ ଉପରେ ଦାୟର ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୂପୂର ଅନୁରୋଧ କରିଥିଲେ । ତେବେ ନୂପୁରଙ୍କ ଏହି ଆବେଦନକୁ ବେଙ୍ଗଲ ସରକାର ବିରୋଧ କରିଥିଲେ। ପୂର୍ବରୁ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କହିଥିଲେ । ତେବେ ବର୍ତ୍ତମାନ ସବୁ ମାମଲାକୁ ଏକାଠି କରି ସୁପ୍ରିମକୋର୍ଟ ଦିଲ୍ଲୀକୁ ଟ୍ରାନ୍ସଫର କରିଛନ୍ତି । ଏଥିସହିତ ନୁପୂରଙ୍କ ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ବଢ଼ାଇଛନ୍ତି।

ସୂଚନାଯୋଗ୍ୟ,  ନୂପୁର ଗତ ମେ ମାସରେ ଏକ ଟିଭି ବିତର୍କରେ ଇସଲାମ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ମୁସଲିମ ସମ୍ପ୍ରଦାୟ ତୀବ୍ର ବିରୋଧ କରିଥିଲା । ବିଶ୍ୱର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିବା ସହ ଏହାକୁ ନେଇ ଭାରତ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ। ପରେ ଭାରତରେ ମଧ୍ୟ ମୁସଲିମମାନେ ବି ଆନ୍ଦୋଳନ କରିଥିଲେ।  ଫଳସ୍ୱରୂପ ବିଜେପି ପକ୍ଷରୁ ନୂପୁରଙ୍କୁ ନିଲମ୍ବିତ କରିବା ସହ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଥିଲା

ବୁଲିଲା 5T ଛାଟ; ବିଦା ହେଲେ ଆଉ ୯ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭୁବନେଶ୍ୱର: ପୁଣି ବୁଲିଲା ଫାଇଭ-ଟି ଛାଟ । ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ ବହିଷ୍କାର କରିାଯିବା ସହ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ବନ୍ଦ କରାଯାଇଛି । ଏମାନଙ୍କ ଭିତରେ ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିଅର ଇଞ୍ଜିନିୟର, ଜଣେ ଓ.ଏ.ଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ସଂଗଠକ ଅଛନ୍ତି ।

ଏହି ୯ ଜଣଙ୍କୁ ମିଶାଇ ଏପର୍ଯ୍ୟନ୍ତ ସମୁଦାୟ ୧୭୩ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଧିକାରୀଙ୍କ ଭିତରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଆଶିଷ କୁମାର ଦାଶ । ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ମାନସ ରଂଜନ ମହାନ୍ତି । କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ମନୋଜ କୁମାର ବେହେରା ସେହିପରି କେନ୍ଦୁଝର ଜିଲ୍ଲା ସାଳପଡାସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଉମେଶ କୁମାର ଶାଶିନୀ ଅଛନ୍ତି । ଉମରକୋଟ ସଡକ ଓ କୋଠାବାଡି ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଶୁଦ୍ଧାନନ୍ଦ ବେହେରା । ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଜଳଧର ମଲ୍ଲିକ ଏବଂ ବାଲେଶ୍ବର ଜିଲ୍ଲାରେ ଡେପୁଟି କଲେକ୍ଟର ସବିତା ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ ପ୍ରଭାସିନୀ ବାବୁ ଏବଂ ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଜୁନିଅର ଇଞ୍ଜିନିୟର ତ୍ରିନାଥ ସେଠୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରକ୍ଷା ବନ୍ଧନର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ନବୀନ ନିବାସକୁ ନ ଆସିବାକୁ କଲେ ଅନୁରୋଧ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣିମା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହିତ, କାଲି ରକ୍ଷା ବନ୍ଧନ ପାଇଁ ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

୧କୋଟି ୬୮ଲକ୍ଷ ଲୋକଙ୍କୁ ଦିଆଯିବ କୃମିନାଶକ ଔଷଧ, ୧୨ରୁ ଆରମ୍ଭ ଅଭିଯାନ

ଭୁବନେଶ୍ୱର: ଅଗଷ୍ଟ ୧୨ ତାରିଖରେ ପାଳନ କରାଯିବ ଜାତୀୟ କୃମିନାଶକ ଦିବସ। ପରିବାର ନିର୍ଦ୍ଦେଶାଳୟ ଦ୍ୱାରା ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପାଳନ କରାଯିବ ଏହି ଦିବସ । ଏହି ଦିନ ୧ ବର୍ଷରୁ ୧୯ ବର୍ଷ ପର୍ୟନ୍ତ ସମସ୍ତ ପିଲାମାନଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯିବାକୁ ଲକ୍ଷ ରଖାଯାଇଛି । ତେବେ ଯେଉଁମାନେ ଅଗଷ୍ଟ ୧୨ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇ ପାରି ନଥିବେ ସେମାନେ ଅଗଷ୍ଟ ୧୯ ତାରିଖରେ ଏହି ଔଷଧ ଖାଇପାରିବେ। ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହି ଅବସରରେ ରାଜ୍ୟର ୧କୋଟି ୬୮ଲକ୍ଷ ୩୧ହଜାର ୬୭୯ ଜଣ ହିତାଧିକାରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ଏହି ଔଷଧ ଖାଇବା ଦ୍ୱାରା ପିଲା ମାନଙ୍କର ରକ୍ତ ହୀନତା ନିୟନ୍ତ୍ରଣ, ପୃଷ୍ଟିହୀନତାରୁ ରକ୍ଷା, ଶିକ୍ଷା ଦକ୍ଷତା ବୃଦ୍ଧି, ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥାନ ବୃଦ୍ଧି କାର୍ଯ୍ୟ ଦକ୍ଷତା ଓ ଜୀବିକା ସୁଯୋଗ ସୃଷ୍ଟିରେ ସହାୟକ ହେବା ସହିତ କୃମି ସଂକ୍ରମଣ ହ୍ରାସ କରିବାରେ ସହାୟକ ହୋଇଥାଏ। । ତେବେ କୃମିନାଶକ ଔଷଧ ବିତରଣରେ ୫୫ ହଜାର ୫ ଶହ ସ୍କୁଲକୁ ସାମିଲ କରାଯାଇଛି ।  ଏବଂ ଏଥିରେ ୬୯ ହଜାର ଶିକ୍ଷକ , ୭୨ ହଜାର ଅଙ୍ଗନବାଡି କର୍ମୀ, ୪୮ ହଜାର ଅଶକର୍ମୀ ସହ ୭ ହଜାର ୮ ଶହ ଏଏନଏମ କର୍ମୀ ସହଯୋଗ କରିବେ। ଏହା ସହିତ ଅଗଷ୍ଟ ମାସର ସମସ୍ତ ବୁଧବାର ଦିନ ଟୀକାକରଣ ଦିବସରେ ୯ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ A ଦ୍ରବଣ ଖାଇବାକୁ ଦିଆଯାଉଅଛି । ସମସ୍ତ କୋଭିଡ କଟକଣା ସହ ସ୍କୁଲ ଓ ଅଙ୍ଗନବାଡ଼ିରେ ଏହି ଔଷଧ ପିଲାମାନଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।