ନୂଆଦିଲ୍ଲୀ: ଭେଣ୍ଟିଲେଟରରେ କମେଡିଆନ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଚାଲିଛି ଚିକିତ୍ସା । ତେବେ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅପଡେଟ ନେଇ କୌଣସି ସୂଚନା ଦିଆଯାଇନାହିଁ । ଗତ ମଙ୍ଗଳବାର ଜିମ୍ ଓ୍ୱାର୍କଆଉଟରେ କରୁଥିବାବେଳେ ସେ ହୃଦଘାତର ସମ୍ମୁଖୀନ ହୋଇଥିଲେ । ପରେ ତାଙ୍କୁ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଡାକ୍ତରମାନେ ରାଜୁଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ଚିକିତ୍ସା ଜାରି ରଖିଛନ୍ତି । ବଲିଉଡ ଅଭିନେତା ଓ ରାଜନେତାଙ୍କ ନକଲ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ରାଜୁ । ଦି ଗ୍ରେଟ ଇଣ୍ଡିଆନ ଲଫର ଚାଲେଞ୍ଜ, କମେଡି କା ମହା ମୁକାବିଲା, କମେଡି ସର୍କସ, କମେଡି ନାଇଟ୍ସ ଓ୍ୱିଥ କପିଲ ଆଦି କାର୍ଯ୍ୟକ୍ରମରେ ସେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି ।
ଆଇଟି ରେଡର ଫିଲ୍ମି କାହାଣୀ, ୧୨୦ ଗାଡ଼ିରେ ଲାଗିଥିଲା ଦୁଲହନ୍ ହମ୍ ଲେ ଜାୟେଙ୍ଗେର ଷ୍ଟିକର
ମୁମ୍ବାଇ: ୨୬୦ ବରଯାତ୍ରୀ, ୧୨୦ ଗାଡ଼ିରେ ଦୁଲହନ୍ ହମ୍ ଲେ ଜାୟେଙ୍ଗେର ଷ୍ଟିକର । ମହାରାଷ୍ଟ୍ର ଜଲନାରେ ବ୍ୟବସାୟୀଙ୍କ ଘରେ ଆୟକର ରେଡର କାହାଣୀ ବେଶ୍ ଫିଲ୍ମି । ବ୍ୟବସାୟୀଙ୍କ ଘରେ ବେନାମୀ ସଂପତ୍ତିର ପାହାଡ଼ ଥିବା ନେଇ ପକ୍କା ଖବର ପାଇବା ପରେ, ରେଡ୍ ପାଇଁ ପ୍ଲାନିଂ ଆରମ୍ଭ କରିଥିଲା ଆୟକର ବିଭାଗ । ନାସିକ, ପୁନେ, ଥାନେ ଓ ମୁମ୍ବାଇର ୨୬୦ ଅଧିକାରୀଙ୍କୁ ରେଡରେ ସାମିଲ କରାଯାଇଥିଲା । ରେଡର ଖବର ଯେପରି ଲିକ୍ ନ ହେବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିଲା ।
ରେଡରେ ବ୍ୟବହାର ହେବାକୁ ଥିବା ସବୁ ଗାଡ଼ିରେ ଲାଗିଥିଲା ସମାନ ପ୍ରକାରର ଷ୍ଟିକର । ଆୟକର ବିଭାଗର କର୍ମଚାରୀ ଓ ଅଧିକାରୀ ରେଡ୍ ନୁହେଁ ବରଂ କାହା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ଭଳି ଯେପରି ଲାଗିବ, ସେଥିପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା । ସବୁ ଗାଡ଼ିର କୋଡ୍ ଓ୍ୱାର୍ଡ ଥିଲା ଦୁଲହନ୍ ହମ୍ ଲେ ଜାୟେଙ୍ଗେ । ଜଲାନା ପହଞ୍ଚିବା ପରେ ବ୍ୟବସାୟୀଙ୍କ ଘର, ଅଫିସ୍, କାରଖାନାରେ ରେଡ୍ ଆରମ୍ଭ କରିଥିଲେ ଆୟକର ଅଧିକାରୀ ଓ କର୍ମଚାରୀ । ଅଗଷ୍ଟ ୧ରୁ ୮ ତାରିଖ ମଧ୍ୟରେ ହୋଇଥିବା ରେଡରେ ୩୯୦ କୋଟିର ବେନାମୀ ସଂପତ୍ତିର ଖୁଲାସା ହୋଇଛି । ଟଙ୍କା ଗଣିବାକୁ ୧୩ ଘଣ୍ଟା ସମୟ ଲାଗିଥିଲା ।
ହନିଟ୍ରାପରେ ଫସିଲେ ବାଲେଶ୍ବରର ସରକାରୀ ଅଧିକାରୀ, ଫେସବୁକରେ ଚାଟ୍ କରି ହରାଇଲେ ୩୦ ଲକ୍ଷ
ବାଲେଶ୍ୱର: ବାଲେଶ୍ୱର ପୋଲିସ ହାତରେ ନାଇଜେରିଆ ସାଇବର ଠକ । ଫେସବୁକରେ ଚାଟକରି ହନିଟ୍ରାପ ମାଧ୍ୟମରେ ଠକେଇ କରିଥିବା ଯୁବକକୁ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଠକ ନିକଟରୁ ୨ଟି ନକଲି ପାସପୋର୍ଟ, ଲାପଟପ୍, ମୋବାଇଲ ଜବତ ହୋଇଛି । ଠକ ନାଇଜେରିଆ ନାଗରିକ ସାମସଙ୍ଗର ଦୁଇଟି ଫେକ୍ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରିଛି ପୋଲିସ । ସେହି ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଥିବା ପୋଲିସ ସୂଚନା ଦେଇଛି ।
ଅଭିଯୋଗକାରୀ ଜଣେ ସରକାରୀ କର୍ମଚାରୀ । ତାଙ୍କୁ ଫେସବୁକ ମାଧ୍ୟମରେ ଚାଟ୍ କରି ଜଣେ ଯୁବତୀ ବନ୍ଧୁତା କରିଥିଲେ । ପରେ ଉପହାର ପଠାଇବା ବାହାନାରେ ଯୁବତୀ ଜଣକ ସରକାରୀ ଅଧିକାରୀଙ୍କଠାରୁ ପର୍ଯ୍ୟାୟ କ୍ରମେ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ । ଅଭିଯୋଗକାରୀ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସର ୩ ଜଣିଆ ଟିମ୍ ଦିଲ୍ଲୀ ଯାଇ କିଶନନଗରରୁ ସାମସଙ୍ଗକୁ ଗିରଫ କରିଛି ।
ହୀରାକୁଦରେ ବଢ଼ୁଛି ଜଳସ୍ତର, ଖୋଲିବ ୧୦ ଗେଟ୍
ସମ୍ବଲପୁର: ଛତିଶଗଡ଼ରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ବଢ଼ୁଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୬ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦରେ ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଆଜି ଦିନ ସାଢ଼େ ୧୧ଟାରେ ପର୍ଯ୍ୟାୟ କ୍ରମେ ୧୦ଟି ସ୍ଲୁଇସ ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ । ବର୍ତ୍ତମାନ ୬୧୨ ଫୁଟରେ ଜଳସ୍ତର ଥିବା ବେଳେ, ୬୩୦ ଫୁଟ ରହିଛି ସର୍ବାଧିକ ଜଳଧାରଣ କ୍ଷମତା ରହିଛି । ତେଣୁ ଆବଶ୍ୟକ ହେଲେ ଅଧିକ ଗେଟ ଖୋଲାଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
ଗୋଟିଏ ଛାତ ତଳେ ରହିବ ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟାଳୟ, ବିଜେବିନଗରରେ ହେବ ରାଜସ୍ୱ ଭବନ
ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ଛକରୁ ହଟିବ ଟ୍ରାଫିକ ସମସ୍ୟା । ଏଥିପାଇଁ ସରକାରୀସ୍ତରରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଗୋଟିଏ ଛାତ ତଳେ ରହିବ ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟାଳୟ । କୃଷି ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସଦୃଶ ନିର୍ମାଣ ହେବ ରାଜସ୍ୱ ଭବନ । ଗୋଟିଏ କୋଠାରେ ରହିବ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କ୍ୟାମ୍ପ କୋର୍ଟ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ହୋଇଛି ଚୂଡ଼ାନ୍ତ ନିଷ୍ପତ୍ତି ।
ବିଜେବି ନଗରରେ ଚିହ୍ନଟ ହୋଇଛି ୪ ଏକର ୯୩୩ ଡେସିମିଲ ସରକାରୀ ଜମି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସରିଛି କ୍ଷେତ୍ର ପରିଦର୍ଶନ । କ୍ଷତିଗ୍ରସ୍ତ ହେବାକୁ ଥିବା ବସ୍ତିର ୧୨୦ ପରିବାର ଓ ଉଠା ଦୋକାନୀଙ୍କ ଥଇଥାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ବିଏମସିକୁ ଦିଆଯାଇଛି ନିର୍ଦ୍ଦେଶ । ସେହିପରି ଉଚ୍ଛେଦ ହେବ ସାଧାରଣ ପ୍ରଶାସନ ବିଭାଗର ପୁରୁଣା କ୍ୱାର୍ଟର ।

