ଗୋପାଳପୁରରେ ପ୍ରିନ୍ସ ଡ୍ୟାନ୍ସ ଷ୍ଟୁଡିଓ ଉଦଘାଟିତ, ମାଗଣାରେ ମିଳିବ ପ୍ରଶିକ୍ଷଣ

ବ୍ରହ୍ମପୁର: ଥକି ଯିବନି ପାଦ, ମଉଳିବନି ପ୍ରତିଭା । ଅର୍ଥାଭାବରୁ ନିରାଶ ହେବେନି ନୃତ୍ୟାଭିଳାସୀ । କଳାକାରଙ୍କୁ ମାଗଣାରେ ନାଚ ଶିଖାଇବ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ । ରାଜ୍ୟ ସରକାରଙ୍କ ପ୍ରୟାସରେ ଗୋପାଳପୁର ବେଳାଭୂମି ନିକଟରେ ଉଦଘାଟିତ ହୋଇଛି ପ୍ରିନ୍ସ ଡ୍ୟାନ୍ସ ଷ୍ଟୁଡିଓ । ୪ ଏକର ଜାଗାରେ ନିର୍ମିତ ଷ୍ଟୁଡିଓରେ ରହିଛି ହରି ମଣ୍ଡପ, କୃଷ୍ଣା ହଲ୍, ସୁଦର୍ଶନ ହଲ୍ ଏବଂ ଓପନ ଗ୍ୟାଲେରି । ଏଠାରେ ଆଧୁନିକଠାରୁ ଲୋକକଳା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନୃତ୍ୟ ଶିକ୍ଷା ପ୍ରଦାନ କରାଯିବ । ଦେଶର ନାମିଦାମୀ ତଥା ଓଡ଼ିଶାର ଗର୍ବ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପକୁ ଏହାର ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି ।

୨୦୦୯ରେ ପ୍ରିନ୍ସ ଡ୍ୟାନ୍ସ ଷ୍ଟୁଡିଓର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇରେ ଆୟୋଜିତ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟରେ ଭାଗନେଇ ସୁନାମ ଆଣିଥିଲା ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ । ଦିନ ମଜୁରିଆଙ୍କୁ ନେଇ ଗଠିତ ଏହି ଡ୍ୟାନ୍ସ ଗ୍ରୁପକୁ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ନୃତ୍ୟ ଅଭ୍ୟାସ ପାଇଁ ବେଳାଭୂମୀରେ ୪ ଏକର ଯାଗା ଦେବା ସହିତ କୋଠା ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏଠାରୁ ନୃତ୍ୟ କଳା ବିକଶିତ ହେବ ବୋଲି ଆଶା ରଖାଯାଇଛି । ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ସାଂସଦଙ୍କ ସମତେ ବିଧାୟକ ଓ ମେୟର ଉପସ୍ଥିତ ଥିଲେ  । ପ୍ରମୁଖ ଆକର୍ଷଣ ସାଜିଥିଲେ ବଲିଉଡ ଅଭିନେତା ରଜନିସ୍ ଦୁଗଲ୍ ।