ବିଏମସିର ମୁଣ୍ଡବିନ୍ଧା ପାଲଟିଛି ଅଳିଆ, ରାଜରାସ୍ତାରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ

1 min read

ଭୁବନେଶ୍ୱର: ବିଏମସିର ମୁଣ୍ଡବିନ୍ଧା ପାଲଟିଛି ଅଳିଆ । ୨ ମାସରେ ଅଳିଆ ଗାଡ଼ି ନେଲାଣି ୨ ଜୀବନ । ଭୁଆଶୁଣିରେ ଡମ୍ପି ବନ୍ଦ, ପୁଣି ଉଛୁଳିଲାଣି TTS । ଭୁବନେଶ୍ବରରେ ଆରମ୍ଭ ହୋଇଥିବା ରାତ୍ରୀକାଳୀନ ସଫେଇକୁ ବିରୋଧ କରିଛନ୍ତି କର୍ମଚାରୀ । ମହିଳା ସଫେଇ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ଅନେକ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି । ନିକଟରେ ରାଜମହଲ ଛକରେ ଦୁର୍ଘଟଣାରେ କାର୍ଯ୍ୟରତ ସାନିଟାରୀ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ଏଣୁ ତୁରନ୍ତ ରାତିରେ ସଫେଇ କାମକୁ ବନ୍ଦ କରିବାକୁ ଦାବି କରିଛି ଭୁବନେଶ୍ବର ସଫେଇ କର୍ମଚାରୀ ମଜଦୁର ସଂଘ । କାର୍ଯ୍ୟବନ୍ଦ ଡାକରା ସହ ବିଏମସି କାର୍ଯ୍ୟାଳୟ ଘେରିଛନ୍ତି କର୍ମଚାରୀ ।

ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମିର ବିକାଶ ପାଇଁ ବିଏମସିକୁ ମିଳିଛି ୯ ମାସର ମହଲତ । ଇତି ମଧ୍ୟରେ ବିତିଗଲାଣି ୨ ମାସ । ଏହି ସମୟରେ ଅଳିଆ ଗାଡି ଧକ୍କାରେ ଗଲାଣି ଦୁଇ ଜୀବନ । ଡମ୍ପିଂୟାର୍ଡ ରାସ୍ତାରେ ବିଦ୍ୟୁତ୍ ଅଭାବ ଓ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଛି । ଯାହାକୁ ନେଇ ଗତ ରବିବାରଠୁ ଡମ୍ପିଂୟାର୍ଡକୁ ବନ୍ଦ ରଖିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ । ଫଳରେ ରାଜରାସ୍ତାରେ ଗଦା ହୋଇଛି କୁଢକୁଢ ଅଳିଆ । ଗାଡକଣ ଟିଟିଏସରେ ସୃଷ୍ଟି ହେଲାଣି ଅଳିଆ ପାହାଡ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉଥିବା କହିଛନ୍ତି ବିଏମସି କମିଶନର । ନିର୍ଦ୍ଧାରିତ ସମୟ ମଧ୍ୟରେ ଭିତ୍ତିଭୂମିର ବିକାଶ ଶେଷ ହେବ । ଏହା ଏକ ସାମୁହିକ କାର୍ଯ୍ୟ, ଏଥିପାଇଁ ସମସ୍ତଙ୍କର ଦାୟିତ୍ବ ରହିଛି ବୋଲି କହିଛନ୍ତି କମିଶନର ।