ବାତ୍ୟା ମୁକାବିଲା ପାଇଁ ନୂଆ ମାଷ୍ଟର ପ୍ଲାନ୍, ଆସନ୍ତା ଜାନୁଆରୀରୁ ନିର୍ମାଣ ହେବ ପ୍ରତିରୋଧକ ଲୁଣାବନ୍ଧ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ମାଷ୍ଟର ପ୍ଲାନ । ଆସନ୍ତା ଜାନୁଆରୀ ମାସରୁ ନିର୍ମାଣ ଆରମ୍ଭ ହେବ ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପ । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବାତ୍ୟା ମୁକାବିଲା ପାଇଁ ଗୋଟିକ ପରେ ଗୋଟିଏ ସଫଳ ପଦକ୍ଷେପ ନେଇ ଚାଲିଛି ଓଡ଼ିଶା । ଏହି ଯୋଜନାରେ ୩୬ଟି ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ୨୦୨୫ ସୁଦ୍ଧା ଖର୍ଚ୍ଚ ହେବ ୭୬୩.୪୮ କୋଟି ଟଙ୍କା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀର ଲୁଣା ବନ୍ଧଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିବାକୁ ୧୯୮.୮୧ କିଲୋମିଟର ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ପ୍ରଥମ ବର୍ଷ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଷ୍ଟିୟରିଂ କମିଟି ଗଠନ କରି କ୍ଷେତ୍ରାଞ୍ଚଳରେ ହିଁ ପ୍ରକଳ୍ପ ସମ୍ପର୍କିତ ସମସ୍ୟା ସମାଧାନ କରାଯିବ । ଚଳିତ ସପ୍ତାହରେ ବସିବ ଷ୍ଟିୟରିଂ କମିଟି ବୈଠକ ।

ଲୁଣାବନ୍ଧ, ଏହାର ପଥର ପ୍ୟାକିଂ, ହେନ୍ତାଳ ବଣ ଓ ଛୋଟ ଛୋଟ ଘାସ ବାତ୍ୟା ସମୟରେ ଲୁଣାପାଣି ମାଡ଼ ପ୍ରତିରୋଧ କରିବାରେ ସହାୟକ ହୁଅନ୍ତି । ବାତ୍ୟା ସମୟରେ ସମୁଦ୍ରର ଜୁଆର ୮ରୁ ୧୫ ଫୁଟ୍ ଉଚ୍ଚ ରହିବାର ଆଶଙ୍କା ରହୁଥିବାରୁ ୧୫ରୁ ୨୦ ଫୁଟ ଉଚ୍ଚ ବନ୍ଧ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ପ୍ରତି ତିନି ମାସରେ ଷ୍ଟିୟରିଂ କମିଟି ବୈଠକ ବସିବ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟର ସମୀକ୍ଷା କରିବେ । ଏନେଇ ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିର ପରାମର୍ଶ ନିଆଯିବ ।