ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ଖଣ୍ଡନ

1 min read

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତ ଯୁବକ ହେଲେ ରାଜୀବ ଶ୍ରୀଚନ୍ଦନ । ତାଙ୍କ ଘର ଡୁମୁଡୁମା ଫେଜ-୨ ଅଞ୍ଚଳରେ । ରାଜୀବ ଟ୍ରେଜେରୀ ଅଫିସରେ ଚାକିରି କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ମାରିଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଜୀବଙ୍କ ସାଙ୍ଗ  ଓ କଲୋନୀ ବାସିନ୍ଦା । ଗତ ୨୪ ତାରିଖରେ କୋଳଥିଆର ନିଷ୍ଠା ନିଶା ନିବାରଣ କେଦ୍ରରେ ଭର୍ତ୍ତି ହୋଇଥିଲେ ରାଜୀବ । ଆଜି ଅପରାହ୍ନରେ  ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିବା ନେଇ ତାଙ୍କ ସାଙ୍ଗଙ୍କୁ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା  । ରାଜୀବଙ୍କୁ ଅଟୋରେ କ୍ୟାପିଟାଲ ହସପିଟାଲ ନେଇଥିଲେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ । ସେଠାର ଡାକ୍ତର ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ନିଶାନିବାରଣ କେନ୍ଦ୍ରରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପରିବାର ଓ ସାଙ୍ଗ । ପାଖରେ ଦୁଇ ଦୁଇଟି ହସ୍ପିଟାଲ ଥାଇ ମଧ୍ୟ କାହିଁକି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଗଲା ବୋଲି ପ୍ରଶ୍ନ ଉଠିଛି । ଏହାଛଡ଼ା ଆମ୍ବୁଲାନ୍ସ ବଦଳରେ ଏକ ଅଟୋରେ ନେବା ମଧ୍ୟ କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଆଣିଛି । ମାମଲାର ତଦନ୍ତ କରି ନିଶା ନିବାରଣ କେନ୍ଦ୍ରର ପରିଚାଳକଙ୍କୁ ଗିରଫ ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ଆସନ୍ତାକାଲି ପୋଲିସ ନିଶା ନିବାରଣକୁ ଯାଇ ତଦନ୍ତ କରିବ । ସେପଟେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଶା ନିବାରଣ କର୍ତ୍ତୃପକ୍ଷ ।