ଶୀତ ଦିନରେ କୁହୁଡ଼ି ଓ ଧୂଆଁ ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଶୀତ ଦିନରେ କୁହୁଡ଼ି ଓ ଧୂଆଁ ଯୋଗୁଁ ଦୃଶ୍ୟମାନ ହ୍ରାସ ପାଇଥାଏ । ଏଥିପାଇଁ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ନଭେମ୍ବରରୁ ଫେବ୍ରୁଆରୀରେ ଦୁର୍ଘଟଣା ଶତକଡା ୩୦ ଭାଗ ଅଧିକ ହେଉଥିବା ସମୀକ୍ଷାରୁ ଜଣାପଡ଼ିଛି । ରାଜ୍ୟରେ ଦୁର୍ଘଟଣା ଓ ଏହି ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ କରାଯାଇଛି ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍ ଦୁଇ ମାସ ଧରି ନଭେମ୍ବର ଓ ଡିସେମ୍ବର ମାସ ତମାମ୍ ଚାଲିବ । ନଭେମ୍ବର ଓ ଡିସେମ୍ବର ମାସରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ଓ ମଦ୍ୟାପାନ କରି ଦ୍ରୁତ ଗାଡିଚାଳନା ଅଧିକ ହେଉଥିବାରୁ ସଡକ ଦୁର୍ଘଟଣା ବଢୁଥିବା ଲକ୍ଷ୍ୟ କରାଯାଇଛି । ଏନଫୋର୍ସମେଣ୍ଟ ସମୟରେ ହେଲମେଟ୍ ଓ ସିଟ ବେଲ୍ଟ ବିନା ଡ୍ରାଇଭିଂ, ମଦ୍ୟପାନ କରି ଡ୍ରାଇଭିଂ, ଦ୍ରୁତ ଗାଡି ଚାଳନା, ମୋବାଇଲ ଧରି ଗାଡି ଚଳାଇବା ଆଦି ସମସ୍ତ ବିଷୟ ଉପରେ ଧ୍ୟାନ ଦିଆଯିବ ବୋଲି ପରିବହନ ବିଭାଗ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।