spot_img
Home Blog Page 3961

ପରେଡ୍‌ କାର୍ଯ୍ୟକ୍ରମରେ ନାଚିଲେ ଦିଦି, ହତବାକ୍‌ ଦେଖଣାହାରୀ

କୋଲକତା: ଲୋକଗୀତରେ ପାଦକୁ ପାଦ ମିଶାଇ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ କଳାକାରଙ୍କ ସହ ମନଖୋଲି ନାଚିଛନ୍ତି ମମତା ଦିଦି  । ସବୁ ପ୍ରୋଟୋକଲକୁ ପଛରେ ପକାଇ ତାଳରେ ତାଳ ମିଶାଇଛନ୍ତି ଦିଦି  । ନିଜ ସୁରକ୍ଷା କଥା ବି ଭୁଲି ଯାଇଛନ୍ତି ମମତା  ।

ଆଜି ରାଜ୍ୟସ୍ତରୀୟ ପରେଡରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା  । ଏହି କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳର ଅନେକ କଳାକାର ସାମିଲ ହୋଇଥିଲେ  । ଲୋକଗୀତରେ ନିଜ କଳା ପ୍ରଦର୍ଶନ କରିଥିଲେ ପୂର୍ବାଞ୍ଚଳ କଳାକାର  । ଯାହାକୁ ପ୍ରଶଂସା କରିବା ସହ ସେମାନଙ୍କର ଉତ୍ସାହ ବଢାଇଥିଲେ ଦିଦି  । କେବଳ ସେତିକି ନୁହେଁ ପାରମ୍ପାରିକ ନୃତ୍ୟଗୀତ ଦେଖି ନିଜକୁ ଅଟକାଇ ପାରିନଥିଲେ ମମତା  । କଳାକାରଙ୍କ ସହ ପାଦରେ ପାଦ ଛନ୍ଦି ନାଚିଥିଲେ ଦିଦି  । ଯାହା ଦେଖି ହତବାକ୍‌ ହୋଇଯାଇଥିଲେ ଦେଖଣାହାରୀ  ।

ପୂର୍ବରୁ ମଧ୍ୟ ଏପରି ଅନେକ କାର୍ଯ୍ୟକ୍ରମରେ ନାଚିଛନ୍ତି ମମତା ଦିଦି । ସେପଟେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମମତା ବାନାର୍ଜୀ  । ଟ୍ବିଟ କରି ଦିଦି କହିଛନ୍ତି ‘‘ସମସ୍ତ ଭାରତୀୟଙ୍କୁ ହୃଦୟରୁ ଶୁଭେଚ୍ଛା  । ଜୟ ହିନ୍ଦ୍‌  ।’’  ସ୍ବାଧନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ଆଜାଦିର ଅମୃତ ମହୋତ୍ସବ ପାଳୁଛି  । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି  । ପ୍ରତି ଘରେ ତ୍ରିରଙ୍ଗା ଉଡିଥିବା ଦେଖିବାକୁ ମିଳିଛି  ।

୮ ଥର ଫୋନ କରି ଅମ୍ବାନୀ ପରିବାରକୁ ହତ୍ୟା ଧମକ, ଉଠାଇ ନେଲା ପୋଲିସ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ମିଳିଲା ହତ୍ୟା ଧମକ । ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ନମ୍ବରକୁ ୮ ଥର ଫୋନ କରି ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ  । ପୁରା ପରିବାରକୁ ତିନି ଘଣ୍ଟାରେ ହତ୍ୟା କରିବ ବୋଲି ଚେତାବନୀ ଦିଆଯାଇଛି  । ତେବେ ଏହି ମାମଲାରେ ମୁମ୍ବାଇର ଦହିସରରୁ ଜଣଙ୍କୁ ଉଠାଇ ନେଇଛି ପୋଲିସ  ।

ଫୋନ କରିଥିବା ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  । ତଥାପି ପୋଲିସ ତାକୁ ପଚରାଉଚୁରା ଜାରି ରଖିଛି  । ଧମକ ଅଭିଯୋଗ ହେବା ପରେ ମୁମ୍ବାଇ ପୋଲିସ ଆଲର୍ଟ ହୋଇଯାଇଥିଲା  । ଅମ୍ବାନୀ ପରିବାର ଓ ଆଣ୍ଟାଲିଆର ସୁରକ୍ଷାକୁ କଡାକଡି କରିଦିଆଯାଇଛି  ।

ଧମକ ମିଳିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି  । ମୁମ୍ବାଇ ପୋଲିସ ତିନୋଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା  । ଜଣେ ହି ଦୁର୍ବୃତ୍ତ ଏକାଧିକ ଥର ଫୋନ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି  । ଫୋନ୍‌ କରିଥିବା ବ୍ୟକ୍ତିର ଲୋକେସନ ଟ୍ରେସ କରି ପୋଲିସ ତାକୁ ଉଠାଇ ନେଇଛି  ।

ରିଲାଏନ୍ସ ହସ୍ପିଟାଲକୁ ଫୋନ କରି ଦୁର୍ବୃତ୍ତ ପ୍ରଥମେ ଏହାର ଚେୟାରମ୍ୟାନ୍‌ଙ୍କୁ ହତ୍ୟା ଧମକ ଦେଇଥିଲା  । ଏହାପରେ ସକାଳ ୧୦ଟା ୪୫ ରୁ ଦିନ ୧୨ଟା ଯାଏଁ ଆଠରୁ ନଅ ଥର ଫୋନ କରି ମୁକେଶ ଅମ୍ବାନୀଙ୍କ ପରିବାରକୁ ହତ୍ୟା ଧମକ ଦେଇଥିଲା ଦୁର୍ବୃତ୍ତ  ।

 

ଚୀନ ଗୁପ୍ତଚର ଜାହଜ ପହଞ୍ଚିବାର ଦିନକ ପୂର୍ବରୁ ଶ୍ରୀଲଙ୍କା ନୌସେନାକୁ ଭାରତର ଉପହାର

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ଭାରତର ଉପହାର । ସିଂହଳୀ ନୌସେନାକୁ ଏକ ଡୋର୍ନିଅର ବିମାନ ପ୍ରଦାନ କରିଛି ଭାରତ । ଏହା ଦ୍ୱାରା ଭାରତ ମହାସାଗରରେ ଶ୍ରୀଲଙ୍କା ନୌସେନା ପର୍ଯ୍ୟବେକ୍ଷଣ କ୍ଷମତା ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାକୁ ଏହି ବିମାନ ପ୍ରଦାନ କରାଯାଇଥିବା ଭାରତ ପକ୍ଷରୁ କୁହାଯାଇଛି ।

କଲମ୍ବୋ ଏୟାରପୋର୍ଟ ନିକଟସ୍ଥ କାଟୁନାୟକେ ଠାରେ ଥିବା ଶ୍ରୀଲଙ୍କା ବାୟୁସେନା ଘାଟିଠାରେ ଅନୁଷ୍ଠିତ ଏକ ସମାରୋହରେ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଏସଏନ ଘୋରମେଡ୍ ଶ୍ରୀଲଙ୍କା ନୌସେନାକୁ ଏହି ବିମାନ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୋପାଲ ବାଗଲେ ଉପସ୍ଥିତ ଥିଲେ । ଭାରତର ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ଅବସରରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଏହି ଉପହାର ପ୍ରଦାନ କରାଯାଇଛି । ଏହା ଦ୍ୱାରା ଦୁଇ ଦେଶମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବା ଆଶା କରାଯାଉଛି ।

ତେବେ ଭାରତର ବାରଣ ସତ୍ତ୍ୱେ ନିକଟ ଅତୀତରେ  ଶ୍ରୀଲଙ୍କା ସରକାର ଚୀନର ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେଇଛନ୍ତି ।  ଏହି ଜାହାଜ ଆସନ୍ତା ମଙ୍ଗଳବାର (ଅଗଷ୍ଟ ୧୬)ରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବ । ଏହି ଜାହାଜରେ ବିଭିନ୍ନ ଗୁପ୍ତଚର ଉପକରଣ ଓ ମିସାଇଲ ଟ୍ରାକିଂ ବ୍ୟବସ୍ଥାଥିବାରୁ ତାହା ଭାରତ ପାଇଁ ଚିନ୍ତା ବଢ଼ିଛି ।

ଏଥିସହିତ ପଢ଼ନ୍ତୁ: ଅମୀରଙ୍କୁ ଘାରିଛି ଲାଲ ସିଂ ଚଡା ଚିନ୍ତା, ଏବେ ଗଣିବେ କ୍ଷତିପୂରଣ

କଟକରେ ପଶିଲା ବନ୍ୟାଜଳ, ବୁଡିଲାଣି ଘଣ୍ଟେଶ୍ବରୀ

କଟକ: ସହର ଉପକଣ୍ଠରେ ପଶିଲା ବନ୍ୟାଜଳ । କହ୍ନେଇପୁର, ଭଦିମୂଳ, ଗତିରାଉତପାଟଣା ତଳି ଅଞ୍ଚଳରେ ମାଡ଼ିଗଲା ପାଣି । ଜନବସତିରେ ପଶିଛି ବଢିପାଣି । ଜଳବନ୍ଦୀ ଅବସ୍ଥାରେ ଶହଶହ ପରିବାର । ବେଳକୁ ବେଳ ପାଣି ବଢୁଥିବା ସହିତ ସମସ୍ୟା ଭୟ ବଢିବାରେ ଲାଗିଛି  ।

ସେହିପରି ଯାଜପୁର ଜିଲ୍ଲାରେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି । କସପା ପଞ୍ଚାୟତ ବ୍ରହ୍ମଚାରୀପାଟଣା ସ୍ଥିତ କାଣୀ ନଦୀରେ ୧୫୦ ଫୁଟର ଘାଇ ଯୋଗୁଁ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି  । ଗାଁ ଗାଁରେ ପଶିଛି ପାଣି ।  ୩୦ରୁ ଅଧିକ ପଞ୍ଚାୟତକୁ ମାଡ଼ି ଯାଇିଛି ବନ୍ୟା ପାଣି  । ହଜାର ହଜାର ହେକ୍ଟର ଜମି ହୋଇଛି ଜଳମଗ୍ନ  ।

ବୈତରଣୀ ଓ ସାଳନ୍ଦୀ ନଦୀରେ ବି ବନ୍ୟା ପରିସ୍ଥିତି ଜଟିଳ । କୂଳ ଲଙ୍ଘି ଜନବସତିକୁ ମାଡୁଛି ବନ୍ୟାଜଳ । ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଓ ଆରଡି ତଳିଆ ଅଞ୍ଚଳରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ୪ଟି ପଞ୍ଚାୟତର ୨୦ଟି ଗାଁ ଏବେ ପାଣି ଘେରରେ ରହିଛି । ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ୨ଦିନ ହେବ ଆଣ୍ଠୁଏ  ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ଯାପାଣି। ଫଳରେ ନଦୀକୂଳିଆଙ୍କ ଯାତାୟତରେ ଡଙ୍ଗା ସାହାଭରଷା ସାଜିଛି।

ସେପଟେ ସମ୍ବଲପୁରର ମା ଘଣ୍ଟେଶ୍ବରୀ ମନ୍ଦିରରେ ପାଣି ପଶିଛି । ଜଳବନ୍ଦୀ ହୋଇଛି ଘଣ୍ଟେଶ୍ବରୀ ମନ୍ଦିର  । ବନ୍ୟାପାଣି ଘେରରେ ରହିଥିବାରୁ ଦର୍ଶନ ବାଧାପ୍ରାପ୍ତ ହୋଇଛି । ହୀରାକୁଦର ଗେଟ୍ ଖୋଲାଥିବାବେଳେ ଜଳସ୍ତର ବଢି ମନ୍ଦିରକୁ ପଶିବା ସହ ମନ୍ଦିର ଜଳମଗ୍ନ ହୋଇଛି  । ତେବେ ମନ୍ଦିର ନୀତିକାନ୍ତିରେ ବର୍ତ୍ତମାନ ସୁଦ୍ଧା ସମସ୍ୟା ସୃଷ୍ଟି ହୋଇନଥିବାବେଳେ ଆଗକୁ ଆହୁରି ବର୍ଷା ହେଲେ କି ଗେଟ୍ ଖୋଲିଲେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପୂଜକ କହିଛନ୍ତି ।

ବିଗ୍‌ ବିଙ୍କ ସ୍ବର ଶୁଣି ଉଠିବେ ରାଜୁ, ଅଡିଓ କ୍ଲିପ ପଠାଇଲେ ଅମିତାଭ୍‌

ମୁମ୍ବାଇ: ଉଠ ରାଜୁ, ବହୁତ ହେଲା, ଆହୁରି ବହୁତ କାମ କରିବାର ଅଛି  । ଏମିତି ଶୁଣି କାଳେ ରାଜୁ ହସ୍ପିଟାଲ ବେଡ୍‌ରୁ ଉଠିଯିବେ କି ? ପୁଣିଥରେ ଷ୍ଟେଜରେ ଚଢି ଦର୍ଶକଙ୍କୁ ହସାଇ ହସାଇ ଲୋଟ୍‌ପୋଟ୍‌ କରିବେ କି ? କିଛି ଏମିତି ଢଙ୍ଗରେ ଗୁରୁଗମ୍ଭୀର ସ୍ବରରୁ ରାଜୁଙ୍କ ପାଇଁ ଆସିଛି ଏକ ଭାବପ୍ରବଣ ଅଡିଓ କ୍ଲିପ୍‌  । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା  । ହଁ ଆଜ୍ଞା କମେଡି କିଙ୍ଗ ରାଜୁଙ୍କ ପାଖକୁ ଏହି ଅଡିଓ କ୍ଲିପ ପଠାଇଛନ୍ତି ବିଗ ବି ଅମିତାଭ ବଚ୍ଚନ   ।

କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ  । ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ  । ଷ୍ଟେଜ ସୋ ହେଉକି ବଡ ପ୍ରୋଗାମ ସବୁଠି ଅମିତାଭଙ୍କ ଡାଇଲଗ କହି ତାଳିର ହକଦାର ହୋଇଛନ୍ତି ରାଜୁ  । କିନ୍ତୁ ନା ଏବେ ରାଜୁ ଷ୍ଟେଜକୁ ଯିବା ସ୍ଥିତିରେ ଅଛନ୍ତି ନା ଶୁଣିବାକୁ ମିଳୁଛି ରାଜୁଙ୍କ ମଜାଦାର୍‌ ଜୋକ୍ସ  । ଜିମ୍‌ରେ ୱାର୍କଆଉଟ କରିବା ସମୟରେ ହୃଦଘାତର ଶିକାର ହୋଇ ଏବେ ଭେଣ୍ଟିଲେଟରରେ ରାଜୁ  ।

ଯାହା ଶୁଣିବା ପରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ବିଗ ବି  । ତିନି ଦିନ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଥର ମେସେଜ କରିଛନ୍ତି ଅମିତାଭ । କିନ୍ତୁ ରାଜୁଙ୍କ ଫୋନ ବନ୍ଦ ଥିବାରୁ ବିଗ୍‌ ବିଙ୍କ ବାର୍ତ୍ତା ତାଙ୍କ ପରିବାର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା  । ଠିକ୍‌ ଏହାରି ମଧ୍ୟରେ ରାଜୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ପରିବାରକୁ ଛୋଟିଆ ନିବେଦନ କରିଥିଲେ  । ରାଜୁ ଚେତାଶୂନ୍ୟ ଅଛନ୍ତି ସତ କିନ୍ତୁ ହୁଏତ ସେ ଆମ ସମସ୍ତଙ୍କୁ ଶୁଣିଥାଇ ପାରୁଥାନ୍ତି  ।  ଯଦି ରାଜୁଙ୍କୁ ତାଙ୍କ ପ୍ରିୟ ମଣିଷର ସ୍ବର ଶୁଣାଯାଇପାରନ୍ତା ହୁଏତ ତାଙ୍କ ବ୍ରେନ ପୁଣି କାର୍ଯ୍ୟକ୍ଷମ ହୋଇପାରେ  । ରାଜୁ ଶୀଘ୍ର ସୁସ୍ଥ ହେବା ପାଇଁ ଏହା ହୁଏତ ସହାୟକ ହେବ  ।

ଡାକ୍ତରଙ୍କ ପରାମର୍ଶ ଶୁଣି ପରିବାର ଲୋକେ ଅମିତାଭ ବଚ୍ଚନଙ୍କ ସହ ଯୋଗାଯୋଗ କରିବାକୁ ମନସ୍ଥ କରିଥିଲେ  । କାରଣ ଅମିତାଭଙ୍କୁ ରାଜୁ ନିଜ ଆଦର୍ଶ ମାନୁଥିବା ତାଙ୍କ ପରିବାର ଠୁ ଅଧିକ ବା କିଏ ଜାଣିବ  । ରାଜୁଙ୍କ ଘରୁ ଅମିତାଭଙ୍କ ଅଫିସକୁ ଲାଗିଥିଲା ଫୋନ  । ତାଙ୍କ ଅସୁସ୍ଥତା ଶୁଣିବା କ୍ଷଣି ହିଁ ଅମିତାଭ ଅନେକ ମେସେଜ କରିଥିବା ରାଜୁଙ୍କ ପରିବାରକୁ ଜଣାଇଥିଲା ବିଗ ବିଙ୍କ ଅଫିସ  । ତଥାପି ରାଜୁଙ୍କ ସୁସ୍ଥତା କାମନା କରି ପୁଣିଥରେ ଅମିତାଭଙ୍କ ଅଡିଓ କ୍ଲିପ୍‌ ରାଜୁଙ୍କ ପାଖକୁ ପଠାଯାଇଛି  । ଖୁବଶୀଘ୍ର ରାଜୁ ସୁସ୍ଥ ହୋଇ ଷ୍ଟେଜକୁ ଫେରନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ କାମନା  ।

ଅମୀରଙ୍କୁ ଘାରିଛି ଲାଲ ସିଂ ଚଡା ଚିନ୍ତା, ଏବେ ଗଣିବେ କ୍ଷତିପୂରଣ

ମୁମ୍ବାଇ: ଫିଲ୍ମ ଡିଷ୍ଟ୍ରିବ୍ୟୁଟରଙ୍କୁ କ୍ଷତିପୂରଣ ଦେବେ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ୍‌ । ଫିଲ୍ମ ଲାଲ ସିଂ ଚଡା ଫ୍ଲପ୍‌ ପରେ ଫିଲ୍ମ ବିତରକଙ୍କୁ କ୍ଷତି ସହିବାକୁ ପଡିଛି  । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫିଲ୍ମ ବିତରକ । ଯେଉଁଥିପାଇଁ ଅମୀରଙ୍କୁ ଘାରିଛି ଚିନ୍ତା । ଫିଲ୍ମର ସହ ପ୍ରଯୋଜକ ଥିବା ଅମୀର ଖାନଙ୍କୁ କ୍ଷତିପୂରଣ ଦେବାକୁ ଏବେ ଅଡି ବସିଛନ୍ତି ବିତରକ  । ମିଡିଆ ରିପୋର୍ଟ ଅନୁସାରେ ଅମୀରଙ୍କ ଜଣେ ବନ୍ଧୁ କହିଛନ୍ତି ଯେ ଲାଲ ସିଂ ଚଡା ପାଇଁ ଅମୀର ବହୁ ପରିଶ୍ରମ କରିଥିଲେ  ।

ଫରେଷ୍ଟ ଗମ୍ପ ରିମେକର ବେଷ୍ଟ ଭର୍ସନ ଆଣିବା ପାଇଁ ଅମୀର ଦିନରାତି ଏକାଠି କରି ଦେଇଥିଲେ  । କିନ୍ତୁ ଏଥର ଦର୍ଶକଙ୍କୁ ନିରାଶ କରିଛନ୍ତି ଅମୀର  । ଯାହାର ସିଧା ପ୍ରଭାବ ଏବେ ମେକର୍ସଙ୍କ ପକେଟ୍‌ ଉପରେ ପଡିଛି  । ଫିଲ୍ମ ନିର୍ମାତା ବିତରକଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରୟାସ ଆରମ୍ଭ କଲେଣି  ।

 

ବହୁ ପ୍ରତିକ୍ଷିତ ଲାଲ ସିଂ ଚଡା ପାଇଁ ଦୀର୍ଘଦିନରୁ ସୋସିଆଲ  ମିଡିଆରେ ବଏକଟ ନାରା ଦେଖିବାକୁ ମିଳୁଛି  । ଏହାର ସିଧା ପ୍ରଭାବ ବକ୍ସ ଅଫିସ୍‌ରେ ପଡିଛି  । ୧୮୦ କୋଟି ବଜେଟରେ ନିର୍ମିତ ଫିଲ୍ମ ପ୍ରଥମ ସପ୍ତାହରେ ମାତ୍ର ୩୮.୨୧ କୋଟି ଟଙ୍କା ଆୟ କରିଛି  । ଯେତେବେଳେ କି ଅମୀରଙ୍କ ଅନ୍ୟ ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ରେକର୍ଡଛୁଆଁ ରୋଜଗାର କରିଥାଏ  ।

 

ଏବେ ଲଗାତାର ଛୁଟିଦିନ ଥିବା ସତ୍ତ୍ବେ ଫିଲ୍ମ ସେତେଟା ଆଶାନୁରୁପ ଇନକମ୍‌ କରିପାରିନାହିଁ  । କେବଳ ଯେ କମ ଆୟ ନୁହେଁ ବିବାଦକୁ ବି ଜାବୁଡି ଧରିଛି ଲାଲ ସିଂ ଚଡା  । ଦିଲ୍ଲୀର ଜଣେ ଆଇନଜୀବୀ ଅମୀର ଖାନ, ପାରାମାଉଣ୍ଟ ପିକ୍ଚର୍ସ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି  । ଭାରତୀୟ ସେନାକୁ ଅପମାନ କରିବା ସହ ହିନ୍ଦୁ ସମାଜର ଭାବନାକୁ ଅମୀର ଆଘାତ ପହଞ୍ଚାଇଥିବା ଆଇନଜୀବୀ ତାଙ୍କ ଅଭିୟୋଗ ପତ୍ରରେ ଦର୍ଶାଇଛନ୍ତି  । ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ମଧ୍ୟ ରହିଛି  । ଯେଉଁଥିପାଇଁ ଅମୀର, ପପାରାମାଉଣ୍ଟ ପିକ୍ଚର୍ସ, ନିର୍ଦ୍ଦେଶକ ଅଦ୍ବୈତ ଚନ୍ଦନଙ୍କ ବିରୁଦ୍ଧରେ ଧାରା ୧୫୩, ୧୫୩ଏ, ୨୯୮ ଓ ୫୦୫ ଧାରା ଲାଗୁ କରିବା ପାଇଁ ଆଇନଜୀବୀ ଦାବି କରିଛନ୍ତି  ।

 

ତେଜସ୍ୱୀଙ୍କ ପ୍ରତିଶ୍ରୁତିକୁ ପୂରା କରିବା ନେଇ ନୀତୀଶଙ୍କ ଘୋଷଣା; ମିଳିବ ୧୦ଲକ୍ଷ ସରକାରୀ ଚାକିରି

ପାଟଣା: ସ୍ୱାଧୀନତା ଦିବସ ପାଳନ ଅବସରରେ ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ଘୋଷଣା ‘୧୦ ଲକ୍ଷ ଚାକିରି’କୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାର ଆହୁରି ୧୦ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି ନେଇ ସ୍ୱାଧୀନତା ଦିବସ ପାଳନ ଅବସରରେ ଘୋଷଣା କରିଛନ୍ତି ।

ସୋମବାର ପାଟଣାର ଗନ୍ଧୀ ମୈଦାନରେ ରାଜ୍ୟସ୍ତରୀୟ ସ୍ୱାଧୀନତାର ଦିବସ ପାଳିତ ହୋଇଥିଲା । ଏହି ଅବସରରେ ରାଜ୍ୟର ୧୦ ଲକ୍ଷ ସରକାରୀ ଚାକିରି ଆଶାୟୀ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ନୀତୀଶ କୁମାର ଘୋଷଣା କରିଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାରେ  ଆଉ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହି ଲକ୍ଷ୍ୟକୁ ୨୦ ଲକ୍ଷରେ ପହଞ୍ଚାଯିବ ବୋଲି ସେ କହିଛନ୍ତି । ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଉପଯୁକ୍ତ ଜବାବ ଦେଇଛନ୍ତି, ଯେଉଁମାନେ ଗତ ଏକ ସପ୍ତାହ ଧରି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣାକୁ ନେଇ ଜବାବ ମାଗିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକାଠି ହୋଇଛୁ ଏବଂ ଚାହୁଁଛୁ ଯେ ରାଜ୍ୟର ଯୁବକଯୁବତୀମାନଙ୍କୁ ସର୍ବାଧିକ ସରକାରୀ ଚାକିରି ଦିଆଯାଉ। ଆମେ ଏବେ ଏକାଠି ହେବା ସହ ଆମର ଚିନ୍ତାଧାରା ମଧ୍ୟ ବର୍ତ୍ତମାନ ଗୋଟିଏ। ନୀତୀଶଙ୍କ ଏଭଳି ଘୋଷଣା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ସମ୍ମାନିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ୭୬ତମ ସ୍ୱାଧୀନତା ଦିବସ ଅବସରରେ ପାଟଣାର ଗାନ୍ଧୀ ମୈଦାନରୁ ଐତିହାସିକ ଘୋଷଣା: ୧୦ଲକ୍ଷ ଚାକିରି ପରେ ଅନ୍ୟାନ୍ୟ ବ୍ୟବସ୍ଥାରେ ୧୦ ଲକ୍ଷ ଅତିରିକ୍ତ ଚାକିରି ମଧ୍ୟ ଦିଆଯିବ।

ଏଥିସହିତ ପଢ଼ନ୍ତୁ: ସ୍ୱାଧୀନ ଭାରତର ୭୫ ବର୍ଷ: କଳାଧଳାରୁ ରଙ୍ଗୀନ ଯୁଗ ଆଉ ବିକାଶଶୀଳ ରାଷ୍ଟ୍ର ହେବାର ଯାତ୍ରା

ସ୍ୱାଧୀନ ଭାରତର ୭୫ ବର୍ଷ: କଳାଧଳାରୁ ରଙ୍ଗୀନ ଯୁଗ ଆଉ ବିକାଶଶୀଳ ରାଷ୍ଟ୍ର ହେବାର ଯାତ୍ରା

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଭାରତ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହି ୭୫ ବର୍ଷରେ ଭାରତର ଚିତ୍ର ଓ ଭାଗ୍ୟ ବଦଳିଯାଇଛି । ସ୍ୱାଧୀନ ଭାରତରୁ ଆଜି ପର୍ଯ୍ୟନ୍ତ ବିକାଶ ଯାତ୍ରାରେ ଲାଗିନି ବ୍ରେକ୍ । କଳାଧଳା ସମୟରୁ ରଙ୍ଗୀନ ଯାତ୍ରା ଥିଲା ଚମତ୍କାର । କୃଷିଠୁ ଆରମ୍ଭ କରି ମହାକାଶ ଯାତ୍ରାରେ ମିଳିଛି ଅଜଶ୍ର ସଫଳତା । କ୍ରିକେଟ ହେଉ ବା ହକି ଭାରତୀୟ ବିଶ୍ୱ ସ୍ତରରେ ରଚିଛନ୍ତି ସ୍ୱର୍ଣ୍ଣିମ ଅଧ୍ୟାୟ । ୧୯୪୭ ରୁ ୨୦୨୨ ପର୍ଯ୍ୟନ୍ତ ୭୫ ବର୍ଷର ଭାରତର ଯାତ୍ରା ସମ୍ପର୍କରେ ଜାଣିବା ଓ ଇତିହାସକୁ ପୁଣିଥରେ ମନେପକାଇବା ।

ସ୍ୱାଧୀନତାର ୨୨ ଦିନ ପୂର୍ବେ ଅର୍ଥାତ ୨୨ ଜୁଲାଇ ୧୯୪୭ରେ ଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ସମ୍ବିଧାନ ସଭା ବୈଠକ ହୋଇଥିଲା । ଜବାହାରଲାଲ ନେହେରୁ ତ୍ରିରଙ୍ଗାକୁ ଜାତୀୟ ପତାକା ରୂପରେ ଆପଣାଇବା ପାଇଁ ପ୍ରସ୍ତାବ ରଖିଥିଲେ, ଯାହାକି ଗ୍ରହଣ କରାଯାଇଥିଲା । ଲାଲକିଲାରେ ପ୍ରଥମଥର ୧୬ ଅଗଷ୍ଟ ୧୯୪୭ ସକାଳ ୮ଟା ୩୦ରେ ପ୍ରଧାନମନ୍ତ୍ରୀ ନେହେରୁ ତ୍ରିରଙ୍ଗା ଉଡାଇଥିଲେ । ଲାଲକିଲାରେ ସବୁଠୁ ଅଧିକ ୧୭ ଥର ଜବାହାରଲାଲ ନେହେରୁ ଏବଂ ୧୬ଥର ଇନ୍ଦିରା ଗାନ୍ଧି ପତାକା ଉତ୍ତୋଳନ କରିଛନ୍ତି ।

୧୯୪୮ରେ ଦେଶର ପ୍ରଥମ ଷ୍ଟିମ ଶିପ୍ ଲଞ୍ଚ ହୋଇଥିଲା । ଏହାର ନାଁ ଜଳଉଷା ରଖାଯାଇଥିଲା । ୧୯୪୮ ଲଣ୍ଡନ ଅଲିମ୍ପିକରେ ଭାରତୀୟ ହକି ଟିମ ଆମକୁ ୨୦୦ ବର୍ଷ ଶାସନ କରିଥିବା ବ୍ରିଟେନକୁ ୪-୦ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । ସ୍ୱାଧିନତା ପରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଥିଲା । ଏହା ପୂର୍ବରୁ ପରାଧୀନ ଭାରତ ୩ଥର ସ୍ୱର୍ଣ୍ଣ ଜିତିସାରିଥିଲା । ୧୩ ଡିସେମ୍ବର ୧୯୪୮ରେ ଭାରତୀୟ ସେନା ହାଇଦ୍ରାବାଦ ଉପରେ ଆକ୍ରମଣ କରିଥିଲା । ଅପରେସନ ପୋଲୋ ଆଧାରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିଲା । ୧୭ ଡିସେମ୍ବର ସନ୍ଧ୍ୟାରେ ହାଇଦ୍ରାବାଦ ସୈନ୍ୟ ଆତ୍ମସମର୍ପଣ କରିଥିଲେ ।

 ୨୬ ଜାନୁଆରୀ ୧୯୫୦ରେ ଭାରତର ସମ୍ବିଧାନ ପ୍ରଣୟନ ହୋଇଥିଲା । ପ୍ରଥମ ରିପବ୍ଲିକ ପରେଡ ରଜପଥରେ ନୁହେଁ ବରଂ ଦିଲ୍ଲୀର ଇରୱିନ ଏମ୍ଫିଥିଏଟରରୁ ବାହାରିଥିଲା । ୧୯୫୦ରେ ସୁପ୍ରିମକୋର୍ଟ ଅସ୍ତିତ୍ୱକୁ ଆସିଥିଲା । ସଂସଦ ଭବନର ଚାମ୍ବର ଅଫ ପ୍ରିନ୍ସେଜରେ ପ୍ରଥମଥର ସୁପ୍ରିମକୋର୍ଟର ଖଣ୍ଡପୀଠ ବସିଥିଲା । ସେ ସମୟରେ ପ୍ରଥମ ପ୍ରଧାନ ବିଚାରପତି ଥିଲେ ହୀରାଲାଲ ଜେ କାନିୟା । ସେହିପରି ପ୍ରଥମ ମହିଳା ପ୍ରଧାନବିଚାରପତି ହେଉଛନ୍ତି ଜଷ୍ଟିସ ବିବି ଫତିମା । ୧୯୫୧ରେ ଦିଲ୍ଲୀରେ ପ୍ରଥମଥର ଏସିଆନ ଗେମ୍ସ ଆୟୋଜିତ ହୋଇଥିଲା ।

ଏଥିରେ ଭାରତ ସର୍ବାଧିକ ୧୫ ସ୍ୱର୍ଣ୍ଣ ସହ ମୋଟ ୫୧ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ୧୯୫୧-୫୨ରେ ଭାରତର ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା । ସେ ସମୟରେ ୩୫ କୋଟି ଜନସଂଖ୍ୟାରେ ୮୫ ପ୍ରତିଶତ ଲୋକ ଅଶିକ୍ଷିତ ଥିଲେ । ଏହି ନିର୍ବାଚନରେ କଂଗ୍ରେସ ୩୬୪ ଆସନ ଜିତିଥିଲା । ମହିଳାମାନେ ମଧ୍ୟ ଏହି ନିର୍ବାଚନରେ ଭାଗ ନେଇଥିଲେ ।

 ୧୯୫୩ ମସିହାରେ ଏୟାର ଇଣ୍ଡିଆର ଜାତୀୟକରଣ ହୋଇଥିଲା । ୧୯୫୫ ମସିହାରେ ଭାରତକୁ ପ୍ରଥମ ନିଜସ୍ୱ ବ୍ୟାଙ୍କ ମିଳିଥିଲା । ଏହାର ନାଁ ଥିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରଖାଯାଇଥିଲା । ଏହା ପୂର୍ବରୁ ଏହା ଇମ୍ପେରିଆଲ ବ୍ୟାଙ୍କ ଅଫ ଇଣ୍ଡିଆ ଭାବେ ଜଣାଯାଉଥିଲା । ୧୯୫୭ରେ ବିଶ୍ୱର ସବୁଠୁ ଦୀର୍ଘତମ ଡ୍ୟାମ ହୀରାକୁଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଡ୍ୟାମ ଓଡିଶାର ମହାନଦୀ ଉପରେ ନିର୍ମିତ ହୋଇଛି । ୧୯୫୮ରେ ଭାରତୀୟ ଧାବକ ମିଲଖା ସିଂହ ଟୋକିଓ ଏସିଆନ ଗେମ୍ସରେ ପାକିସ୍ତାନର ଅବ୍ଦୁଲ ଖାଲିକଙ୍କୁ ହରାଇ ୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୧୯୬୦ରେ ଏପିଜି ଅବଦୁଲ କଲାମ ଦେଶର ପ୍ରଥମ ସାଉଣ୍ଡିଙ୍ଗ ରକେଟ ଆସେମ୍ବଲ କରିଥିଲେ । ଯାହାର ପରୀକ୍ଷଣ ୧୯୬୩ରେ କେରଳର ଥୁମ୍ବାରେ ହୋଇଥିଲା । ଏହିଠାରୁ ହିଁ ଭାରତରେ ସ୍ପେସ ପ୍ରୋଗ୍ରାମର ଶୁଭାରମ୍ଭ ହୋଇଥିଲା । ୧୯୬୧ରେ ଭାରତୀୟ ନୌସେନାରେ ପ୍ରଥମ ବିମାନବାହକ ପୋତ ଆଇଏନଏସ ଭିକ୍ରାନ୍ତ ସାମିଲ ହୋଇଥିଲା । ସେ ସମୟରେ କୌଣସି ଏସିଆନ ଦେଶର ଏହା ପ୍ରଥମ ବିମାନବାହକ ପୋତ ଥିଲା ।

୧୯୬୧ରେ ଗୋଆକୁ ପର୍ତ୍ତୃଗାଲିଙ୍କ କବଜାରୁ ମୁକୁଳାଇଥିଲା ଭାରତୀୟ ସେନା । ଅପରେସନ ବିଜୟ ଆଧାରରେ ମାତ୍ର ୩୬ ଘଣ୍ଟାରେ ପର୍ତ୍ତୁଗାଲ ସେନା ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲା । ୧୯୬୨ରେ ଚୀନ ସହ ଭାରତର ଯୁଦ୍ଧ ହୋଇଥିଲା । ଅବଶ୍ୟ ଭାରତ ଏହି ଯୁଦ୍ଧରେ ପରାଜିତ ହୋଇଥିଲା । ଭାରତର ପରାଜୟ ପରେ ୧୯୬୩ରେ ୨୭ ଜାନୁଆରୀରେ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ଲତା ମଙ୍ଗେଶକର ‘ଏ ମେରେ ବତନ କେ ଲୋଗୋଁ’ ଗୀତ ଗାଇଥିଲେ । ଏହି ଗୀତ ଶୁଣି ପ୍ରତ୍ୟେକ ଭାରତୀୟଙ୍କ ଆଖିରୁ ଲୁହ ଝରିଥିଲା ।

୨ ନଭେମ୍ବର ୧୯୬୪ରେ ଭାରତ ଟୋକିଓ ଅଲିମ୍ପିକରେ ପାକିସ୍ତାନକୁ ୧-୦ରେ ପରାଜିତ କରି ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୬୫ ଯୁଦ୍ଧରେ ପାକିସ୍ତାନ ଶୋଚନୀୟ ପରାଜିତ ହୋଇଥିଲା । ପରାଜୟ ପରେ ୧୯୬୬ରେ ପାକିସ୍ତାନ ତାସକେଣ୍ଡ ଚୁକ୍ତି କରିବାକୁ ବିବସ ହୋଇଥିଲା । ୧୯ ଜାନୁଆରୀ ୧୯୬୬ରେ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ରୂପରେ ଇନ୍ଦିରା ଗାନ୍ଧି ମିଳିଥିଲେ ।

୨୦ ନଭେମ୍ବର ୧୯୬୭ରେ ଭାରତ ନିଜର ପ୍ରଥମ ରକେଟ ରୋହଣୀ-୭୫ ଲଞ୍ଚ କରିଥିଲା । ଏହାକୁ ଥୁମ୍ବା ଇକ୍ୱେଟୋରିଆଲ ରକେଟ ଲଞ୍ଚିଙ୍ଗ ଷ୍ଟେସନ (ଟିଇଆରଏଲଏସ)ରୁ ଲଞ୍ଚ କରାଯାଇଥିଲା । ୧୯୬୭ରେ ଏମଏସ ସ୍ୱାମୀନାଥନ ଗ୍ରୀନ ରିଭଲ୍ୟୁସନ ଅର୍ଥାତ ସବୁଜ କ୍ରାନ୍ତର ଆରମ୍ବ କରିଥିଲେ । ଏହାଫଳରେ ଭାରତ ଖାଦ୍ୟଶସ୍ୟରେ ଆତ୍ମନିର୍ଭର ହୋଇଥିଲା ।

୧୯୬୯ରେ ଭାରତୀୟ ସ୍ପେସ ରିସର୍ଚ୍ଚ ସେଣ୍ଟର (ଇସ୍ରୋ)ର ସ୍ଥାପନା ହୋଇଥିଲା । ୧୩ ଜାନୁଆରୀ ୧୯୭୦ରେ ଦେଶରେ ଅପରେସନ ଫ୍ଲଡ ଅର୍ଥାତ ସ୍ୱେତ ବିପ୍ଲବ ଆରମ୍ଭ ହୋଇଥିଲା । ଏହା ଦ୍ୱାରା ଭାରତ ଦୁଗ୍ଧ ଉତ୍ପାଦନରେ ବିଶ୍ୱର ସବୁଠ ବଡ଼ ଦେଶ ଭାବେ ଉଭା ହୋଇଥିଲା  । ୧୬ ଡିସେମ୍ବର ୧୯୭୧ ବାଂଲାଦେଶ ଯୁଦ୍ଧରେ ପାକିସ୍ତାନ ୧୩ ଦିନ ଭିତରେ ଆଣ୍ଠୁମାଡ଼ି ପଡ଼ିଥିଲା । ପାକିସ୍ତାନୀ ଜେନେରାଲ ଏକେ ନିୟାଜି ଲେପ୍ଟନାଣ୍ଟ ଜେନେରାଲ ଜଏସ୍ ଅରୋଡା ୯୩ ହଜାର ସୈନିକଙ୍କ ସହ ନିଜର ପିସ୍ତଲ ହସ୍ତାନ୍ତର କରି ଆତ୍ମସମର୍ପଣ କରିଥିଲେ ।

୧୯୭୨ରେ କିରଣ ବେଦୀ ଦେଶର ପ୍ରଥମ ମହିଳା ଆଇପିଏସ୍ ଅଫିସର ହୋଇଥିଲେ । ୧୯୭୪ରେ ଭାରତ ନିଜର ପ୍ରଥମ ପରମାଣୁ ପରୀକ୍ଷଣ ରାଜସ୍ଥାନର ପୋଖରଣରେ କରିଥିଲେ । ୧୯ ଏପ୍ରିଲ ୧୯୭୫ରେ ପ୍ରଥମ ସ୍ୱଦେଶୀ ଉପଗ୍ରହ ଆର୍ଯ୍ୟଭଟ୍ଟକୁ ରୁଷ ରକେଟ ଜରିଆରେ ସଫଳତାର ସହ ମହାକାଶରେ ପହଞ୍ଚାଯାଇଥିଲା । ୧୯୭୯ରେ ମଦର ଟେରେସାଙ୍କୁ ମନୁଷ୍ୟ ସମାଜକୁ ସହାୟତା କରିବାର କାର୍ଯ୍ୟ କରିଥିବାରୁ ନବେଲ ଶାନ୍ତି ପୁରସ୍କାର ମିଳିଥିଲା । ୧୫ ଅଗଷ୍ଟ ୧୯୮୨ରେ ପ୍ରଥମଥର ଦୂରଦର୍ଶନ କଲର ଲାଇଭ ଟେଲିକାଷ୍ଟ କରିଥିଲା । ଏଥିସହିତ ଦେଶରେ ରଙ୍ଗୀନ ଟେଲିଭିଜନର ଆରମ୍ଭ ହୋଇଥିଲା ।

 ୧୯୮୩ରେ ଭାରତ ପ୍ରଥମଥର ୪୩ ରନରେ ୱେଷ୍ଟଇଣ୍ଡିଜକୁ ପରାଜିତ କରି ଦିନିକିଆ ବିଶ୍ୱକପ ଜିତିଥିଲା । ୩ ଏପ୍ରିଲ ୧୯୮୪ରେ ବାୟୁସେନାର କ୍ୟାପ୍ଟେନ ରାକେଶ ଶର୍ମା ମହାକାଶରେ ପହଞ୍ଚିଥିବା ପ୍ରଥମ ଭାରତୀୟ ଭାବେ ସଫଲତା ହାସଲ କରିଥିଲେ । ମହାକାଶରେ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ସହ କଥା ହୋଇଥିଲେ । ମହାକାଶରୁ ହିନ୍ଦୁସ୍ତାନ କିପରୁ ଦେଖାଯାଉଛି ବୋଲି ଇନ୍ଦିରା ପ୍ରଶ୍ନ କରିଥିଲେ, ରାକେଶ ଶର୍ମା ଜବାବରେ କହିଥିଲେ-ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାଁ ହମାରା । ୨୪ ଅକ୍ଟୋବର ୧୯୮୪ରେ ଭାରତର ପ୍ରଥମ ମେଟ୍ରୋ କୋଲକାତାରେ ଚାଲିଥିଲା ।

୧୯୮୫ରେ ପ୍ରଥମଥର ଭାରତରେ ଇଣ୍ଟରନ୍ୟାସନାଲ ସବସ୍କ୍ରାଇବର ଡାଏଲିଙ୍ଗ (ଆଇଏସଡି) ସର୍ଭିସ ଆରମ୍ଭ ହୋଇଥିଲା । ୨୨ ମଇ ୧୯୮୯ରେ ଦେଶର ପ୍ରଥମ ମିସାଇଲ ଅଗ୍ନୀ-୧ ଚାନ୍ଦିପୁର ରେଞ୍ଜରୁ ସଫଳ ପରୀକ୍ଷଣ ହୋଇଥିଲା । ୧୯୯୨ରେ ସତ୍ୟଜିତ ପ୍ରଥମ ଭାରତୀୟ ଭାବେ ସତ୍ୟଜିତ ରେ ଓକ୍ସାର ପୁରସ୍କାର ପାଇଥିଲେ ।୧୯୯୪ରେ ଐଶ୍ୱର୍ଯ୍ୟା ରାୟ ମିସ୍ ୱାର୍ଲଡର ଟାଇଟଲ ଜିତିଥିଲେ । ୧୯୯୪ରେ ସୁସ୍ମିତା ସେନ ମିସ୍ ୟୁନିଭର୍ସ ଟାଇଟଲ ଜିତିଥିଲେ । ପ୍ରଥମଥର ଭାରତ ପାଇଁ ସେ ଏହି ଟାଇଟଲ ଜିତିଥିଲେ । ୧୫ ଅଗଷ୍ଟ ୧୯୯୫ରେ ବିଦେଶ ସଞ୍ଚାର ନିଗମ ଲିମିଟେଡ ପ୍ରଥମଥର ଦେଶରେ ଇଣ୍ଟରନେଟ୍ ଲଞ୍ଚ କରିଥିଲେ ।

 ୧୯୯୮ରେ ଘରୋଇ ଅପରେଟରଙ୍କୁ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବାର ଅନୁମତି ଦେଇଥିଲେ । ୧୯୯୭ ମସିହାରେ କଳ୍ପନା ଚାୱଲା ମହାକାଶକୁ ପ୍ରଥମ ମହିଳା ଭାବେ ଯାଇଥିଲେ । ଅବଶ୍ୟ ଦ୍ୱିତୀୟଥର ୨୦୦୩ ମସିହାରେ ଯାଇ ଫେରିବା ସମୟରେ ସ୍ପେସ୍ ସଟଲ କ୍ରାସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ୧୯୯୮ ମସିହାରେ ଭାରତକୁ ଆଉ ଏକ ସଫଳତା ମିଳିଥିଲା । ରାଜସ୍ଥାନର ପୋଖରଣରେ ତିନୋଟି ପରମାଣୁ ପରୀକ୍ଷଣ କରିଥିଲା । ୧୯୯୯ କାରଗିଲ ଯୁଦ୍ଧରେ ପାରମ୍ପରିକ ଶତ୍ରୁ ଦେଶ ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ସେନା । ଏହି ବିଜୟକୁ ଭାରତୀୟ ସେନା ଅପରେସନ ବିଜୟର ନାଁ ଦେଇଥିଲେ ।

୨୦୦୭ ମସିହାରେ ମହିନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମଥର ଟି-୨୦ କ୍ରିକେଟ ବିଶ୍ୱକପ୍ ଜିତିଥିଲା । ୨୨ ଅକ୍ଟୋବର ୨୦୦୮ରେ ଭାରତ ନିଜର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୧ର ସଫଳ ପ୍ରକ୍ଷେପଣ କରିଥିଲା । ଏହି ଅଭିଯାନ ମାନବ ରହିତ ଥିଲା । ଭାରତ ଚନ୍ଦ୍ରରେ ପତକା ଲଗାଇଥିବା ଚତୁର୍ଥ ଦେଶ ଭାବେ ଜଣାଯାଇଥିଲା । 2୦୦୮ ବେଜିଙ୍ଗ ଅଲିମ୍ପିକରେ ଅଭିନବ ବିନ୍ଦ୍ରାଙ୍କୁ ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣ ମିଳିଥିଲା । ୨୦୦୯ରେ ଭାରତ ପ୍ରଥମ ସ୍ୱଦେଶୀ ପଣ୍ଡୁବୀ ଲ଼ଞ୍ଚ କରିଥିଲେ । ଏହାର ନାଁ ଆଇଏନଏସ୍ ଭିକ୍ରାନ୍ତ ରଖାଯାଇଥିଲା । ୨୦୦୮ରେ ଭାରତୀୟ ଗୀତିକାର ଏଆର ରେହମାନଙ୍କୁ ଫିଲ୍ମ ସ୍ଲମଡଗ ମିଲେନିୟର ପାଇଁ ସର୍ବଶ୍ରେଷ୍ଠ ସଂଗୀତକାରର ଓସ୍କାର ପୁରସ୍କାର ମିଳିଥିଲା ।

୨୦୧୦ରେ ଭାରତ ପ୍ରଥମଥର କମନୱେଲ୍ଥ ଗେମ୍ସର ଆୟୋଜନ କରିଥିଲା । ଏଥିରେ ଭାରତ ୧୦୧ ମେଡାଲ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ୨୦୧୧ ଏପ୍ରିଲ ୨ରେ ଭାରତୀୟ କ୍ରିକେଟ ଦଳ ୨୮ ବର୍ଷ ପରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ ଜିତିଥିଲା । ୧୯ ଏପ୍ରିଲ ୨୦୧୨ରେ ଦେଶକୁ ପ୍ରଥମ ଇଣ୍ଟର କଣ୍ଟିନେଣ୍ଟାଲ ମିସାଇଲ ଅଗ୍ନି-୫ ମିଳିଥିଲା । ଏହାର ମାରକ କ୍ଷମତା ୫୫୦୦ ରୁ ୮୦୦୦ କିମି ପର୍ଯ୍ୟନ୍ତ ରହିଛି । ଅର୍ଥାତ ସମ୍ପୂର୍ଣ୍ଣ ଚୀନକୁ ଏହା ଟାର୍ଗେଟ କରିପାରିବ । ଓଡିଶାର ହ୍ୱିଲର ଆଇଲାଣ୍ଡରୁ ଏହାର ପରୀକ୍ଷଣ କରାଯାଇଥିଲା । ୨୦୧୩ରେ ମଙ୍ଗଳକୁ ମହାକାଶ ଯାନ ପଠାଇଥିବା ଏସିଆର ପ୍ରଥମ ଦେଶ ଭାବେ ସଫଳତା ଅର୍ଜନ କରିଥିଲା । ଇସ୍ରୋ ଏହି ସଫଳତା ହାସଲ କରିଥିବା ବିଶ୍ୱର ଚତୁର୍ଥ ସ୍ପେସ ଏଜେନ୍ସି ଭାବେ ଜଣାଯାଇଥିଲା ।

୧୧ ଡିସେମ୍ବର ୨୦୧୪ରେ ୟୁଏନ ୨୧ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବା ପାଇଁ ଘୋଷଣା କରିଥିଲା । ୨୦୧୬ ସେପ୍ଟେମ୍ବର ୨୮-୨୯ରେ ଭାରତୀୟ ସେନାର ସ୍ପେସାଲ ଫୋର୍ସ ଏଲଓସି ପାର କରି ପିଓକିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ୪୫ ଆତଙ୍କବାଦୀ ସହ ୬ ଲଞ୍ଚପାଡ୍ ଧ୍ୱଂସ କରିଥିଲା ଭାରତୀୟ ସେନା । ୧୫ ଫେବ୍ରୁଆରୀ ୨୦୧୭ରେ ଇସ୍ରୋ ବିଶ୍ୱ ରେକର୍ଡ କରିଥିଲା । ଏକାସାଙ୍ଗରେ ୧୦୪ ସାଟେଲାଇଟ ଲଞ୍ଚ କରିଥିଲା । ଏହା ପୂର୍ବରୁ ସିଙ୍ଗଲ ମିସନରେ ସବୁଠୁ ଅଧିକ ସାଟେଲାଇଟ୍ ପଠାଇବାର ବିଶ୍ୱ ରେକର୍ଡ ରୁଷ୍ ପାଖରେ ଥିଲା ।

୨୦୧୮ରେ ବିଶ୍ୱର ସବୁଠୁ ଉଚ୍ଚ ଷ୍ଟାଚୁ , ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମିତ ହୋଇଥିଲା । ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତ ପାଇଁ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆଥଲେଟିକ୍ସରେ ୧୦୦ ବର୍ଷରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଥିଲା । ୨୦୨୦ରେ ଭାରତରେ କୋରନାର ମହାମାରୀର ସବୁଠୁ ଅଧିକ ପ୍ରକୋପ ରହିଥିଲା । ଏହାପରେ ପୁଣିଥରେ ଦେଶବାସୀ ଅଣ୍ଟାସଳଖି ଜିଇଁବାର ବାଟ ଖୋଜିଥିଲେ । ବର୍ତ୍ତାମାନ ସୁଦ୍ଧା ୨୦୮ କୋଟି ଦେଶବାସୀଙ୍କ ଟୀକାକରଣ ସରିଛି । ସମସ୍ତଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା । ଭାରତର ବିକାଶ ଗାଥା ରହୁ ଅବ୍ୟାହତ ।

ଦୁର୍ନୀତିଖୋରଙ୍କ ବିରୋଧରେ କେନ୍ଦ୍ର ସରକାର କ’ଣ ଖୋଲୁଛନ୍ତି ନୂଆ ମୋର୍ଚ୍ଚା ?

ନୂଆଦିଲ୍ଲୀ: ୭୬ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଦୁର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୩ମିନିଟର ସମ୍ବୋଧନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ କରି ଦେଶର ବିକାଶର ଗାଥା କହିଥିଲେ । କୃଷିଠୁ ଆରମ୍ଭ କରି ବିଜ୍ଞାନ ସବୁ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଉଲ୍ଲେଖନୀୟ । ଏଥିସହ ସେ ୨୫ ବର୍ଷରେ ବିକାଶ ଯାତ୍ରାକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିଲେ ।

ଏହି ଅସବରରେ ସେ ଦୁର୍ନିତି ଏବଂ ପରିବାର ବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବା ପାଇଁ ଆହ୍ୱାନ ଦେଇଥିଲେ । କହିଥିଲେ, ଦୁର୍ନିତି ବିରଧରେ ଯେପର୍ଯ୍ୟନ୍ତ ସୁଦ୍ଧା ଘୃଣା ଭାବନା ସୃଷ୍ଟି ନହୋଇଛି ବା ସାମାଜିକ ରୂପରେ ତାକୁ ନିଚ୍ଚ ଦେଖାଇବା ପାଇଁ ବାଧ୍ୟ କରାନଯାଇଛି ସେପର୍ଯ୍ୟନ୍ତ ଏହି ମାନସିକତା ସମାପ୍ତ ହେବ ନାହିଁ । ସେ ଏହାକୁ ସାମ୍ବିଧାନକି ଏବଂ ଲୋକତାନ୍ତ୍ରିକ ଦାୟିତ୍ୱ ବୋଲି କହିବା ସହ ଏହି ଯୁଦ୍ଧରେ ଦେଶବାସୀଙ୍କ ସମର୍ଥନ ମାଗିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ କା ଦିନରେ ବିକୃତ ମାନସିକତାର ଯଦି ସମୟ ପୂର୍ବରୁ ସମାଧାନ ନକରାଗଲା ତେବେ ଏହା ଭୟଙ୍କର ରୂପ ନେଇପାରେ ।

ପ୍ରଧାନମନ୍ତ୍ରୀ ଆଗକୁ କହିଥିଲେ, ଭାରତ ଭଳି ଗଣତନ୍ତ୍ରରେ ଗୋଟିଏ ପଟେ ଲୋକମାନେ ଗରିବୀ ସହ ଜୁଝୁଛନ୍ତି, ସେମାନଙ୍କ ପାଖରେ ରହିବା ପାଇଁ ଘର ନାହିଁ ସେହିପରି ଅନ୍ୟପକ୍ଷରେ କିଛି ଦୁର୍ନୀତିଖୋର ଲୋକଙ୍କ ପାଖରେ ଚୋରି କରିଥିବା ପଇସା ରଖିବା ପାଇଁ ସ୍ଥାନ ନାହିଁ । ଏପରି ସ୍ଥିତି ଭଲ ନୁହେଁ । ଏଥିପାଇଁ ଆମକୁ ଦୁର୍ନିତି ବିରୋଧରେ ଲଢ଼ିବାକୁ ହେବ । ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ପାଇଁ ଆମ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଗତ ୮ ବର୍ଷରେ ଡାଇରେକ୍ଟ ଟ୍ରାନ୍ସଫର ସ୍କିମର ଉପଯୋଗ କରି ୨୦ ଲକ୍ଷ କୋଟି ଟଙ୍କା ଭୁଲ ହାତକୁ ଯିବାରୁ ରକ୍ଷା କରିଛୁ ।

ଏହାକୁ ଦେଶର ଉନ୍ନତି କାର୍ଯ୍ୟରେ ଲଗାଇବାରେ ସରକାର ସଫଳ ହୋଇଛନ୍ତି । ଯେଉଁମାନେ ଗତ ସରକାରରରେ ବ୍ୟାଙ୍କ ଲୁଟି ଦେଶ ଛାଡିଦେଇଛନ୍ତି, ସେମାନଙ୍କ ସମ୍ପତ୍ତି ଜବତ କରି ସରକାରୀ ଅର୍ଥ ଫେରାଇଆଣିବାକୁ ଉଦ୍ୟମ ଜାରି ରହିଛି । ଅନେକ ଦୁର୍ନୀତିଖୋର ଲୋକଙ୍କୁ ଜେଲ ଯିବା ପାଇଁ  ବାଧ୍ୟ କରି ରଖାଯାଇଛି । ଯେଉଁମାନେ ଦେଶକୁ ଲୁଟିଛନ୍ତି, ସେମାନଙ୍କୁ ଫେରିବାକୁ ପଡିବ । ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆମେ ସ୍ଥିତି ସୃଷ୍ଟି କରିବୁ । ଏବେ ଦୁର୍ନୀତିଖୋର ରକ୍ଷା ପାଇପାରିବେ ନାହିଁ । ଦୁର୍ନୀତି ବିରୋଧରେ ହିନ୍ଦୁସ୍ତାନ ନିର୍ଣ୍ଣାୟକ ଲଢ଼େଇ ଆଡ଼କୁ ପାଦ ବଢାଇଛି ।

ଡ୍ରୋନ ଆକ୍ରମଣର ମୁକାବିଲା ନେଇ ଲାଲକିଲ୍ଲାରେ ମୁତୟନ ହୋଇଥିଲା ଲେଜର ସିଷ୍ଟମ; ଜାଣନ୍ତୁ କ’ଣ ଏହି ବ୍ୟବସ୍ଥା

ନୂଆଦିଲ୍ଲୀ: ଲାଲକିଲ୍ଲାରେ ଆଜି ସ୍ୱାଧୀନତା ଦିବସ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ଏଠାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ଏଠାରେ ବହୁ ସଂଖ୍ୟାରେ ଭିଭିଆଇପି ମଧ୍ୟ ଉପସ୍ଥିତ ଥିବା ବେଳେ ହଜାର ହଜାର ସଂଖ୍ୟାରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଯାହାଙ୍କ ସୁରକ୍ଷା ଦାୟିତ୍ୱ ଆମ ଦେଶର ସୈନିକଙ୍କ ଏବଂ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବୈଜ୍ଞାନିକ ସଂସ୍ଥାମାନଙ୍କ ଉପରେ ନ୍ୟସ୍ତ ଥିଲା । ଲାଲକିଲ୍ଲା ନିକଟରେ ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ କରାଯାଇଥିଲା ।

ଏହି ଡ୍ରୋନ ସିଷ୍ଟମକୁ ଦେଶର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ କରାଯାଇଛି ।  ଏଥିରେ ଦୁଇ ପ୍ରକାର ଟେକ୍ନୋଲୋଜି କାମ କରେ । ପ୍ରଥମ ସଫ୍ଟ ସ୍କିଲ୍ । ଯାହା ଦ୍ୱାରା କୌଣସି ବି ପ୍ରକାରର ଡ୍ରୋନ୍‌କୁ କଣ୍ଟ୍ରୋଲ କରାଯାଉଥିବା ଲିଙ୍କ୍‌କୁ ବିଚ୍ଛେଦ କରିବା । ଯାହା ଦ୍ୱାରା ଡ୍ରୋନ୍ ଦିଗହରା ହେବା ସହ ତଳେ ପଡ଼ିଯାଏ ।

ଦ୍ୱିତୀୟ ଟକ୍ନୋଲୋଜି ହେଉଛି ହାର୍ଡ କିଲ୍ । ଏହା ହେଉଛି କାଉଣ୍ଟର ଡ୍ରୋନ ସିଷ୍ଟମ । ଏହା ଦ୍ୱାରା ଲେଜର ସିଷ୍ଟମ ରେଞ୍ଜ ମଧ୍ୟକୁ ଡ୍ରୋନ୍ ଆସିବା ପରେ ଏହାକୁ ବିଭିନ୍ନ ଲେଜର ଅସ୍ତ୍ର ଦ୍ୱାରା ଆକ୍ରମଣ କରି ଧ୍ୱଂସ କରିଦିଆଯାଏ । ଅର୍ଥାତ ଏହି ରେଞ୍ଜକୁ ଆସିବା ପରେ ଡ୍ରୋନ୍‌କୁ ଖସିଯିବ ଅବା ଖସାଇଦିଆଯିବ ।