ଟୁଇଟର ପରେ ମେଟାରେ ଛଟେଇ ଛନକା, ୯ରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଟୁଇଟର ପରେ ମେଟାରେ ଛଟେଇ ଛନକା । ଏଇ ସପ୍ତାହରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବ ଫେସବୁକ ପ୍ୟାରେଣ୍ଟ କମ୍ପାନୀ ମେଟା । ଏ ନେଇ ମ୍ୟାନେଜମେଣ୍ଟ ପକ୍ଷରୁ ଯୋଜନା କରାଯାଉଛି । ଟୁଇଟର ତୁଳନାରେ ଏହି ଛଟେଇ କମ୍ ହେବ ବୋଲି ୱାଶିଂଟନ୍ ପୋଷ୍ଟ ରିପୋର୍ଟ କରିଛି । ଏ ନେଇ ନଭେମ୍ବର ୯ ତାରିଖରେ କମ୍ପାନୀ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ ।

ଏବେ କମ୍ପାନୀର ପ୍ରାୟ ୮୭ ହଜାର କର୍ମଚାରୀ ଅଛନ୍ତି । ଆଗାମୀ ତ୍ରୈମାସିକରେ କମ୍ପାନୀର ଅଭିବୃଦ୍ଧି ହ୍ରାସ ଆଶଙ୍କା ରହିଥିବାରୁ ଷ୍ଟକ୍ ମାର୍କେଟ ଭ୍ୟାଲ୍ୟୁ ୬୭ ଆରବ ଡଲାର କମ୍ ହୋଇପାରେ । ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ଧିମା ଗତି ଯୋଗୁ କମ୍ପାନୀକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ଆପଲ ଦ୍ୱାରା ପ୍ରାଇଭେସି ପଲିସିରେ ପରିବର୍ତ୍ତନ, ମେଟାଭର୍ସ ପାଇଁ କମ୍ପାନୀ ମିଲିଅନ ଡଲାର ଖର୍ଚ୍ଚ କରୁଥିବାରୁ ଖର୍ଚ୍ଚ କାଟ ପାଇଁ ଯୋଜନା କରୁଛି କମ୍ପାନୀ । ତେଣୁ ମେଟା ନିଯୁକ୍ତି ବନ୍ଦ ଓ କର୍ମଚାରୀ ଛଟେଇ କରିବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।