ଚାକିରିରୁ ଛଟେଇ ପରେ ପୁଣି କର୍ମଚାରୀଙ୍କୁ ଡାକିଲା ଟୁଇଟର

ନୂଆଦିଲ୍ଲୀ:  ମନ ବଦଳାଇଲେ ଏଲନ ମସ୍କ । ଚାକିରିରୁ ଛଟେଇ ପରେ ପୁଣି କର୍ମଚାରୀଙ୍କୁ ଡାକିଛି ଟୁଇଟର । ସ୍ମଲ ବ୍ଲଗିଂ ସାଇଟ୍‌ ଟୁଇଟର  ଏଲନ ମସ୍କଙ୍କ ହାତକୁ ଯିବା ପରେ କମ୍ପାନୀରେ ଅନେକ ପରିବର୍ତ୍ତନ କରାଯାଇଛି । ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ବେଳେ ଏବେ ପୁଣି ସେମାନଙ୍କୁ କମ୍ପାନୀ ଡକାଇଥିବା ଜଣାପଡ଼ିଛି । ଛଟେଇ ପରେ ଅନ୍ୟ କର୍ମଚାରୀମାନଙ୍କ କାମ ଚାପ ବଢ଼ିଥିବା ବେଳେ ଅନେକ କମ୍ପାନୀରେ ରାତି ସାରା କାମ କରୁଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ, ନିଜର ଭୂଲ ବୁଝିବା ସହ ଛଟେଇ କର୍ମଚାରୀ ଫେରି ଆସିବାକୁ କମ୍ପାନୀ ଅପିଲ କରିଛି ବୋଲି ଜଣାପଡ଼ିଛି । କମ୍ପାନୀରେ ଏତେ ସଂଖ୍ୟାକ କର୍ମଚାରୀଙ୍କ ଛଟେଇକୁ ନେଇ ପୂର୍ବତନ ମାଲିକ ଜ୍ୟାକ୍ ଡର୍ସି ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲେ । ଅନ୍ୟପଟେ ମସ୍କ ଟୁଇଟରକୁ ନେଇ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପରିଚୟ ବଦଳାଇ ଆକାଉଣ୍ଟ ଖୋଲିଥିବା ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି। ସେମାନଙ୍କ ଆକାଉଣ୍ଟକୁ ବିନା ଆଗୁଆ ସୂଚନାରେ ସସ୍‌ପେଣ୍ଡ କରିଦିଆଯିବ ବୋଲି ମସ୍କ ଟ୍ୱିଟ୍ କରି କହିଛନ୍ତି। ଯଦି କିଛି ପାରୋଡି ଆକାଉଣ୍ଟ ବା ଫ୍ୟାନ୍ ଆକାଉଣ୍ଟ ଥିବ ତେବେ ତାହା ଉପରେ ଏ ନେଇ ସ୍ପଷ୍ଟ ଲେଖାଯିବା ଉଚିତ । ଅନ୍ୟର ନାମ ଓ ଫଟୋ ବ୍ୟବହାର କରୁଥିବା ଆକାଉଣ୍ଟକୁ ବନ୍ଦ କରିଦିଆଯିବ।