spot_img
Home Blog Page 3939

ତୃପ୍ତିଙ୍କ ବିରୋଧରେ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାନହାନୀ ମକଦ୍ଦମା କରିବେ ପ୍ରକୃତି

ଭୁବନେଶ୍ୱର: ପୁଣି ଲେଉଟିଲା ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦ ମାମଲା । ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କରିବେ ମାନହାନୀ ମକଦ୍ଦମା । ଯେଉଁଭଳି ଭାବେ ବାବୁସାନଙ୍କ ପତ୍ନୀ ତୃପ୍ତି ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ, ତାକୁ ନେଇ ବେଶ କ୍ଷୁବ୍ଧ ହୋଇଛନ୍ତି ପ୍ରକୃତି । ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ଭୁବନେଶ୍ବର କୋର୍ଟରେ ମାନହାନୀ ମକଦ୍ଦମା କରିବାକୁ ପହଞ୍ଚିଛନ୍ତି ପ୍ରକୃତି । ୫ କୋଟି  ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା କରିବେ ବୋଲି ସୂଚନା ମିଳିଛି ।

 

ଫ୍ଲୋର୍ ଟେଷ୍ଟ ପୂର୍ବରୁ ବିହାରରେ ସିବିଆଇ ରେଡ୍, ରାଡ଼ାରରେ RJD ନେତା

ପାଟଣା: ବିହାରରେ ଚାଲିଛି ହାଇଭୋଲଟେଜ ପଲିଟିକାଲ ଡ୍ରାମା। ମହାମେଣ୍ଟ ସରକାର ଗଠନର ଦୁଇ ସପ୍ତାହ ନପୁରୁଣୁ ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ। ଏପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଘରେ ରେଡ୍ କରିଛି ସିବିଆଇ। ନିଯୁକ୍ତି ନାଁରେ ଦୁର୍ନୀତି ଅଭଯୋଗରେ ଆରଜେଡି ଏମଏଲସି ସୁନିଲ ସିଂଙ୍କ ଘରେ ରେଡ୍ କରିଛି କେନ୍ଦ୍ରୀୟ ଏଜେନ୍ସି ।

ଆରଜେଡି ଏମଏଲସି ସୁନିଲ ସିଂଙ୍କ ବ୍ୟତୀତ ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରଏ, ରାଜ୍ୟସଭା ସାଂସଦ ଅଶଫାକ୍ କରିମ୍ ଓ ଫୈୟାଜ୍ ଅହମଦଙ୍କ ଘରେ ସିବିଆଇ ଚଢାଉ କରିଛି ।  ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହି ରେଡ୍‌ କରାଯାଇଥିବା ଆରଜେଡି ନେତା ସୁନିଲ କହିଛନ୍ତି ।

ଏପଟେ ଆରଜେଡି ସାଂସଦ ମନୋଜ ଝା ମଧ୍ୟ କହିଛନ୍ତି ଯେ, ବୁଧବାର ଦିନ ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ । ଆଉ ଏଭଳି ସମୟରେ ବିଜେପି ଡ଼ରାଇବା ପାଇଁ ସିବିଆଇ ରେଡ୍ କରାଉଛି । ଆପଣ ଏହାକୁ ଇଡ଼ି, ସିବିଆଇ ରେଡ୍ ନୁହଁ ବରଂ ବିଜେପିର ରେଡ୍ କହିପାରିବେ । ଏହି ସଙ୍ଗଠନ ବିଜେପି ପାଇଁ କାମ କରୁଛି ।

ସିବିଆଇର ଏଭଳି ରେଡକୁ ନେଇ ବର୍ଷିଛନ୍ତି ଆରଜେଡି ଏମଏଲସି ସୁନିଲ ସିଂଙ୍କ ସମର୍ଥକ ମାନେ ।

 

ବାଲେଶ୍ୱର ଖଇରା ବ୍ଲକ ବାରିଙ୍ଗିଆ ଗାଁରେ ଚାଞ୍ଚଲ୍ୟ, ପ୍ରେତାତ୍ମା କହୁଛି ମୃତ୍ୟୁର ରହସ୍ୟ

ବାଲେଶ୍ୱର: ମୁଁ ପ୍ରେତାତ୍ମା କହୁଛି…। ପ୍ରେତାତ୍ମା କହୁଛି ହତ୍ୟା ରହସ୍ୟ । ଆଜିର ବିଜ୍ଞାନ ଯୁଗରେ ବି ବଞ୍ଚିଛି ଭୌତିକ କାଣ୍ଡ । ସ୍ପିରିଟ୍ କହୁଛି କେମିତି ହୋଇଥିଲା ନୃଶଂସ ହତ୍ୟା । ଏ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗାଁରେ । ଗତ ଜୁଲାଇ ୨୪ ତାରିଖରେ ଜଣେ ନାବାଳିକାଙ୍କୁ ପୋଡି ମାରି ଦେଇଥିଲା ସଇତାନ ସମ୍ପର୍କୀୟ ଦାଦା । ହତ୍ୟାକାରୀ ଦୟାନିଧି ଜେନାକୁ ପୋଲିସ କୋର୍ଟ ଚାଲାଣ କରିସାରିଛି । ଦୟାନିଧିର ସ୍ତ୍ରୀକୁ ଗିରଫ କରି ସୁଧାର ଗୃହରେ ରଖାଯାଇଛି । ହେଲେ ମାସେ ପରେ ପୁଣି ଗାଁରେ ମୃତ ନାବାଳିକାକୁ ନେଇ ହଇଚଇ । ପଡ଼ୋଶୀ ଘର ଝିଅ ଦେହରେ ଲାଗିଛି ମୃତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମା । କଣ୍ଠଫଠେଇ କାନ୍ଦି କାନ୍ଦି ଝିଅଟି କହୁଛି, ସେଦିନର ସେ ଲୋମହର୍ଷକ ଘଟଣା । କେମିତି ସ୍ବାମୀ ସ୍ତ୍ରୀ କରିଥିଲେ ନୃଶଂସ ହତ୍ୟା ।

ସ୍ତ୍ରୀ ଘରକୁ ଡ଼ାକି ଗୋଡ଼ହାତ ବାନ୍ଧି ମୁହଁରେ ଗାମୁଛା ବାନ୍ଧି ଦେଇଥିଲା । ତାପରେ ତଣ୍ଟି ଚିପିଦେବା ପରେ ଆଉ କିଛି ଜାଣିନଥିବା କହିଛି ପ୍ରେତାତ୍ମା । ଆଉ କୋହଭରା କଣ୍ଠରେ ମା’କୁ ଦେଖା କରିବାକୁ ଆସିଥିବା କହୁଛି । କାନ୍ଦି କାନ୍ଦି ମା’କୁ ଦେଖିବାକୁ ଅଳି କରୁଛି । ସେଦିନ କେହି ତାକୁ ବଞ୍ଚେଇ ପାରିଲନି ବୋଲି କହି ଜୋରରେ କାନ୍ଦୁଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଦୀର୍ଘ ଦେଢ଼ ଘଣ୍ଟା ଧରି ସ୍ପିରିଟ୍ ସମ୍ପୃକ୍ତ ଝିଅ ଦେହରେ ସବାର ହେବାରୁ କଲେଜ ଛାତ୍ରୀ ଅସୁସ୍ଥ ଥିବା ସୂଚନା ମିଳିଛି ।

କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଏବେ ବି ଅନେକ ଗାଁ ଜଳବନ୍ଦୀ

ବାଲେଶ୍ୱର: ଛାଡ଼ୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା । ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବରେ କମିବାରେ ଲାଗିଛି । କିନ୍ତୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେବି ଜମି ରହିଛି ପାଣି । ଏବେବି ଜଳବନ୍ଦୀ ରହିଛି ଅନେକ ଗାଁ । ନଷ୍ଟ ହୋଇଯାଇଛି ହଜାର ହଜାର ହେକ୍ଟର ଜମିର ଫସଲ । ବାଲିଆପାଳ ଅଞ୍ଚଳରେ ସ୍ଥିତି ଏକଦମ ସଂଗୀନ ହୋଇପଡ଼ିଛି । ବନ୍ୟା ପାଣିରେ ଗାଁରେ ମାଡ଼ିଯାଇଛି ପଟୁ ମାଟି । ଘରେ ପଶିଛି କାଦୁଅ । ଭସାଇନେଇଛି ଆସବାବପତ୍ର ଭାଙ୍ଗିଯାଇଛି ଘର ।

ତେବେ ଏହାରି ମଧ୍ୟରେ ପାଣି ଅଳ୍ପ ଛାଡ଼ିବା ପରେ ଆଶ୍ରୟସ୍ଥଳୀରୁ ଘର ମୁହାଁ ହୋଇଛନ୍ତି ଲୋକ । କିଏ ଡଙ୍ଗା ଭିତରୁ ଘରକୁ ଫେରୁଛି ଆଉ କିଏ ବନ୍ଧ ଉପରୁ । ଘରକୁ ଯାଇ ବଢିପାଣିରେ ଭିଜିଥିବା ସମ୍ପତ୍ତିକୁ ସଜାଡ଼ିବାରେ ଲାଗିଛନ୍ତି ବନ୍ୟା ବିପନ୍ନ । ଅନ୍ୟପକ୍ଷରେ ଲୋକମାନଙ୍କ ପାଖରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦେଉଛି ପ୍ରଶାସନ । ବିପନ୍ନଙ୍କୁ ରନ୍ଧାଖାଦ୍ୟ ସହିତ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଛତ୍ରପୁର ଥାନା ସମ୍ମୁଖରେ ଅଭାବନୀୟ ଘଟଣା, ପାରିବାରିକ କଳହକୁ ନେଇ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସମ୍ମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀରନଗରର ଏମ. ମୁନା ପାତ୍ରଙ୍କ ସ୍ତ୍ରୀ ଏମ. ଝିଲି ପାତ୍ର । ଝିଲିକୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ପ୍ରେମ ବିବାହ କରିଥିବା ବେଳେ ଶ୍ୱଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ଥାନାରେ ଝିଲିଙ୍କ ପରିବାର ପକ୍ଷରୁ ୨ ତାରିଖରେ ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଥାନା ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ବିଫଳ ହେବା ପରେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

ଆଜି ବିହାରର ମେଣ୍ଟ ସରକାର ଦେବ ସଂଖ୍ୟା ଗରିଷ୍ଠତା ପ୍ରମାଣ

ପାଟନା: ଆଜି ବିହାରର ମହାଗଠବନ୍ଧନ ସରକାର ଦେବ ସଂଖ୍ୟା ଗରିଷ୍ଠତା ପ୍ରମାଣ । ଦୁଇ ସପ୍ତାହ ତଳେ ବିଜେପି ସହ ସମ୍ପର୍କ ଛିନ୍ନ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟ ସହଯୋଗୀ ଆରଜେଡି ସହ ମିଶି ଗଠନ କରିଥିଲେ ସରକାର । ସରକାରରେ ରହିଛନ୍ତି କଂଗ୍ରେସ ଓ ବାମପନ୍ଥୀ ଦଳ । ତେବେ ସହଜ ସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତୀଶ ରହିଛନ୍ତି । ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୩୧ ଜଣିଆ ମନ୍ତ୍ରିମଣ୍ଡଳ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ମହାଗଠବନ୍ଧନରେ ଅଛନ୍ତି ୧୬୪ ସଦସ୍ୟ । ଆରଜେଡିର ୭୯, ଜେଜିୟୁର ୪୫, କଂଗ୍ରେସର ୧୯, ସିପିଆଇଏମଏଲର ୧୨, ହାମର ୪, ସିପିଆଇର ୨, ସିପିଏମର ୨ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି ।

ସେହିପରି ବିରୋଧୀ ବିଜେପିର ସଦସ୍ୟ ସଂଖ୍ୟା ରହିଛି ୭୭ । ମନ୍ତ୍ରିମଣ୍ଡଳରେ ଆରଜେଡିରୁ ୧୬ ଜଣ ଥିବାବେଳେ ଜେଡିୟୁର ୧୧ ଜଣ ଅଛନ୍ତି । ନୀତୀଶ ନିଜ ହାତରେ ଗୃହ ବିଭାଗ ରଖିଥିବାବେଳେ ତେଜସ୍ୱୀଙ୍କ ହାତରେ ରହିଛି ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ସହରାଞ୍ଚଳ ବିକାଶ, ଗୃହନିର୍ମାଣ ଓ ଗ୍ରାମୀଣ ବିକାଶ । ତେଜସ୍ୱୀଙ୍କ ଭାଇ ତେଜପ୍ରତାପଙ୍କ ହାତରେ ରହିଛି ପରିବେଶ ବିଭାଗ । ସେପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଘରେ ରେଡ୍ କରିଛି ସିବିଆଇ । ନିଯୁକ୍ତି ନାଁରେ ଦୁର୍ନୀତି ଅଭଯୋଗରେ ଆରଜେଡି ଏମଏଲସି ସୁନିଲ ସିଂଙ୍କ ଘରେ ରେଡ୍ କରିଛି କେନ୍ଦ୍ରୀୟ ଏଜେନ୍ସି । ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହି ରେଡ୍‌ କରାଯାଇଥିବା ଆରଜେଡି ନେତା ସୁନିଲ କହିଛନ୍ତି ।

ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା, ଆଜି ଥାନାରେ ହାଜର ହୋଇପାରନ୍ତି ବୟଫ୍ରେଣ୍ଡ ସୌମ୍ୟଜିତ୍

ଭୁବନେଶ୍ୱର: ରାଜଧାନୀରେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା । ଆଜି ଥାନାରେ ହାଜର ହୋଇପାରନ୍ତି ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ । ପୂର୍ବରୁ ସୌମ୍ୟଙ୍କୁ ପୋଲିସ ନୋଟିସ କରିଥିଲେ ବି ଏପର୍ଯ୍ୟନ୍ତ ସେ ଥାନାରେ ହାଜର ହୋଇନାହାନ୍ତି । ସିଡିଆର ରିପୋର୍ଟ ଆସିବା ପରେ ଆଜି ଥାନାରେ ହାଜର ହୋଇପାରନ୍ତି ସୌମ୍ୟଜିତ୍ । ତେବେ ସୋମବାର ରାତିରେ ଏକ ବାଇକରେ ସୌମ୍ୟଜିତ୍ ଘରୁ କେଉଁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି । ଏହାରି ମଧ୍ୟରେ ସୌମ୍ୟଜିତ୍ ଆଜି ଥାନାରେ ହାଜର ହେଉଛନ୍ତି ନା ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ଶ୍ୱେତାଙ୍କ ସୁଇସାଇଡ ସସପେନ୍ସରେ କଲ ଡିଟେଲ୍ସରେ ଆସିଛି ସାଂଘାତିକ ତଥ୍ୟ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମିକଙ୍କୁ ୧୫ ଥର ଫୋନ୍ କରିଥିଲେ ଶ୍ୱେତା । ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଫୋନ୍ କଲା ପରେ ବି ରିସିଭ କରିନଥିଲେ ସୌମ୍ୟଜିତ୍ । ପରେ ଶେଷ ନିଷ୍ପତ୍ତି ନେଇଥିଲେ ଶ୍ବେତା । କଲ ଡିଟେଲ୍ସ ରିପୋର୍ଟ ନେଇ ସୌମ୍ୟଜିତଙ୍କୁ ଜେରା କରିବ ପୋଲିସ୍ ।

ପୁଣି କରୋନାରେ ଆକ୍ରାନ୍ତ ହେଲେ ଅମିତାଭ୍ ବଚ୍ଚନ

ମୁମ୍ବାଇ: ପୁଣି ଥରେ କରୋନାରେ ଆକ୍ରାନ୍ତ ହେଲେ ବିଗ୍ ବି ଅମିତାଭ୍ ବଚ୍ଚନ । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗ୍ ବି । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଅମିତାଭ୍ ବଚ୍ଚନ । ଅମିତାଭ୍ ବଚ୍ଚନ ଟ୍ୱିଟ୍‌ କରି କହିଛନ୍ତି ଯେ, ମୋ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରନ୍ତୁ ଏବଂ ତୁରନ୍ତୁ କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ବୋଲି କହିଛନ୍ତି ଅମିତାଭ୍ ବଚ୍ଚନ । ବିଗ୍ ବିଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ଆଇସୋଲେସନରେ ଅଛନ୍ତି ।

ଏହା ପୂର୍ବରୁ ୨୦୨୦ରେ କରୋନା ପଜିଟିଭ୍ ହୋଇଥିଲେ ଅମିତାଭ୍ । କରୋନାରେ ଆକ୍ରାନ୍ତ ହେବା ସହ ମେଡିକାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟାଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା ।

 

ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା, ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ବଢ଼ିବ ବର୍ଷାର ପରିମାଣ । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ରହିବ ପ୍ରଭାବ । ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ଅରେଞ୍ଜ ଚେତାବନୀ ଜାରି ହୋଇଛି । ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ପାରାଦ୍ୱୀପ ରାଡାରରୁ ମିଳୁଥିବା ତଥ୍ୟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ଆଉ କିଛି ଉପକୂଳ ଅଞ୍ଚଳକୁ ଏହି ବର୍ଷା ବିସ୍ତାର କରିବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହୋଇଛି । ଚଳିତବର୍ଷ ଜୁନ୍ ପହିଲାରୁ ୨୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୯୪୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ । ଏହି ସମୟ ମଧ୍ୟରେ କନ୍ଧମାଳରେ ସ୍ୱାଭାବିକଠାରୁ ୭୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ସ୍ୱାଧୀନତାକୁ ପୁରିଲା ୩୨ ବର୍ଷ, ଆଜି ୟୁକ୍ରେନ ଉପରେ ବଡ଼ ଆକ୍ରମଣ କରିପାରେ ଋଷ

କିଭ୍: ଆଜି ୟୁକ୍ରେନ ସ୍ୱାଧୀନତାକୁ ପୁରିଲା ୩୨ ବର୍ଷ । ୩୩ ବର୍ଷରେ ପାଦ ଦେବ ୟୁକ୍ରେନ । ହେଲେ ସ୍ୱାଧୀନତା ପାଇବି ଏବେ ପରାଧୀନ ଅବସ୍ଥାରେ ୟୁକ୍ରେନ । ଆଧିପତ୍ୟ ଓ ବିସ୍ତାରବାଦରେ ୟୁକ୍ରେନ ସତ୍ତା ହରାଇ ବସିଛି । ୫ ମାସରୁ ଅଧିକ ଦିନ ହେଲା ଗୋଳାବାରୁଦ ଭିତରେ ଜୀବନ ବିତାଉଛନ୍ତି ୟୁକ୍ରେନବାସୀ । ଏତିକିରେ ବି ସରିନି ଦଃଖ । ଆଜି ସ୍ୱାଧୀନତା ଦିବସରେ ୟୁକ୍ରେନ ଉପରେ ଅଧିକ ଆକ୍ରମଣ କରିବାକୁ ଯୋଜନା କରିଛି ଋଷ । ତେଣୁ ଦେଶବାସୀ ସତର୍କ ରହିବା ଲାଗି ପୁଣି ଥରେ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସେପଟେ ଜେପୋରିଜିୟା ଆଣବିକ ପ୍ଲାଣ୍ଟର ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ସେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ, ଜର୍ମାନୀ ଚାନସେଲର ଓଲାଫ ସ୍କଜ୍ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଆଲୋଚନା କରିଛନ୍ତି । ଆଣବିକ ପ୍ଲାଣ୍ଟ ପରିସରକୁ ଯାଞ୍ଚ ଲାଗି ଉନ୍ମୁକ୍ତ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ଜେଲେନସ୍କି । ତେଣେ ଯୁଦ୍ଧ ଆରମ୍ଭ ପରଠାରୁ ୟୁକ୍ରେନର ୯ ହଜାରରୁ ଅଧିକ ସୈନିକ୍ ପ୍ରାଣ ହରାଇଲେଣି ବୋଲି ସୂଚନା ଦେଇଛନ୍ତି ୟୁକ୍ରେନ କମାଣ୍ଡର-ଇନ-ଚିଫ ଭାଲେରୁ ଜାଲୁଜିନି ।