ସ୍କୁଲ ପିଲାଙ୍କୁ ଶ୍ରମିକ କାର୍ଯ୍ୟରେ ଲଗାଇଲେ ଶିକ୍ଷକ, ଭାଇରଲ ହେଲା ଭିଡିଓ

ଢେଙ୍କାନାଳ : ଦଣ୍ଡମୁକ୍ତ ଅଞ୍ଚଳରେ ସ୍କୁଲ ପିଲାଙ୍କୁ ଶ୍ରମିକ କାର୍ଯ୍ୟରେ ଲଗାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଭିଡିଓ ହେଲା ଭାଇରଲ। ଭିଡିଓଟି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜଟିଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଏଥିରେ ସ୍କୁଲ ଘର କାମ ଚାଲିଥିବା ବେଳେ କିଛି ଛାତ୍ର କାମ କରୁଥିବା ଦେଖିବାକୁ ମିଳିଛି । ମିସ୍ତ୍ରୀଙ୍କ ସହ ଶ୍ରମିକ କାମ କରୁଛନ୍ତି ପିଲା । ୬ ଜଣ ଛାତ୍ର ଇଟା ବୋହୁଛନ୍ତି । ଦୁଇ ଜଣ ଛାତ୍ର ସ୍କୁଲ ଘର ଛାତ ଉପରେ ଚଢ଼ି କାମ କରୁଥିବା ବେଳେ, ୪ ଜଣ ଛାତ୍ର ତଳେ ରହି ଇଟା ବଢ଼ାଉଛନ୍ତି। ଯାହାର ଭିଜୁଆଲ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ।

ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ସ୍କୁଲ ପିଲାଙ୍କୁ କାମରେ ଲଗାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ମାତ୍ର ସେ କେଉଁଆଡ଼େ ଚାଲି ଯାଇଥିଲେ । ସ୍ଥାନୀୟ ସିଆରସିସି ଏ ବିଷୟରେ ଅବଗତ ନଥିବା କହିଥିବା ବେଳେ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବି ଜାଣିନାହାନ୍ତି । ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବ୍ଲକ୍ ଶିକ୍ଷାଧିକାରୀ । ଏଠି ପ୍ରଶ୍ନ ଉଠୁଛି, ଦଣ୍ଡମୁକ୍ତ ଅଞ୍ଚଳରେ ଶିଶୁଙ୍କୁ ଶ୍ରମିକ କାର୍ଯ୍ୟରେ କିଏ ଲଗାଇଲା ? ବିପଦସଙ୍କୁଳ ଛାତ ଉପରେ ଚଢ଼ି କାର୍ଯ୍ୟରେ ଲଗାଇବା କେତେ ଦୂର ଠିକ୍ ? କିଛି ଅଘଟଣ ଘଟିଥିଲେ ଦାୟୀ କିଏ ହୋଇଥାନ୍ତା ? ସ୍କୁଲ କାମ ପାଇଁ ପିଲାଙ୍କ ଜୀବନକୁ ବିପଦରେ ପକାଇବା କ’ଣ ଠିକ୍ ।…