spot_img
Home Blog Page 3931

ଝାଡୁ ଧରିଲେ ମେୟର କମିଶନର କର୍ପୋରେଟର, କ୍ଲିନ୍‌ସିଟି ହେବ ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ଜୋରଦାର ମିଶନ ସଫେଇ । ସ୍ମାର୍ଟସିଟିକୁ ସଫା ରଖିବାକୁ ନିଜେ ସଫେଇ କରିବାକୁ ଅଣ୍ଟା ଭିଡିଛନ୍ତି ମେୟର, କମିଶନର ଓ କର୍ପୋରେଟର ମାନେ । ତେଣୁ ମାସର ଦ୍ବିତୀୟ ଓ ଶେଷ ଶନିବାର ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ସ୍ବେଚ୍ଛାକୃତ ଭାବେ ସଫେଇରେ ସାମିଲ ହୋଇଛନ୍ତି ରାଜଧାନୀବାସୀ । ଆଜି ଖଣ୍ଡଗିରି ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଚାଲିଛି ।

ରାଜଧାନୀର ସ୍ବଚ୍ଛତା ପାଇଁ ମେୟର ଓ କର୍ପୋରେଟର ମାନେ ମାସର ଶେଷ ରବିବାର ବିଭିନ୍ନ ସ୍ଥାନରେ ସଫେଇ କରିବା ନେଇ ନିଷ୍ପତ୍ତି ନେଇଥିଲା ବିଏମସି । ଲୋକଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ସହରର ଆହ୍ବାନ ଦେଇ ଆଜିଠୁ ଏଭଳି ନୂଆ ଅଭିଯାନ ଆରମ୍ଭ କରିଛି ବିଏମସି ।

ପୂର୍ବରୁ ବି ସକାଳ ୬ଟାରୁ ରସୁଲଗଡ଼ ଓଭରବ୍ରିଜ ତଳୁ ଆରମ୍ଭ ହୋଇଛି ସଫେଇ ଅଭିଯାନ । ସଫେଇ ଅଭିଯାନରେ ସାମିଲ ହୋଇଥିଲେ କର୍ପୋରେଟର ଓ ମେୟର । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ଭୁବନେଶ୍ବରକୁ କ୍ଲିନ ଓ ଗ୍ରୀନ ସହରରେ ପରିଣତ କରିବାକୁ ଲୋକଙ୍କ ସହଯୋଗ କାମନା କରିଛି ବିଏମସି ।

ସହରର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ରାତ୍ରକାଳୀନ ସଫେଇ ଆରମ୍ଭ ହୋଇଛି । ବ୍ୟବସାୟିକ ପ୍ରତିଷ୍ଠାନକୁ ଅନ୍ୟୁନ ୫ ମିଟର ପରିଧିର ପରିମଳ ଦାୟିତ୍ବ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଫାଇନ ଆଦାୟ ହେଉଛି । ଏଥିରେ ଭୁବନେଶ୍ବରବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ମେୟର ସୁଲୋଚନା ଦାସ ।

 

ଶପଥ ନେଲେ ଦେଶର ୪୯ତମ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ । ରାଷ୍ଟ୍ରପତି ଭବନରେ ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ସୁପ୍ରିମକୋର୍ଟ ଜଷ୍ଟିସ ଉପସ୍ଥିତ ଥିଲେ ।

ଆସନ୍ତା ୭୪ ଦିନ ପାଇଁ ସିଜେଆଇ ଭାବେ ଦାୟିତ୍ବରେ ରହିବେ ଜଷ୍ଟିସ ଲଳିତ । ମୁଖ୍ୟ ବିଚାରପତି ଭାବେ କିଛି କ୍ଷେତ୍ରକୁ ସେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଛନ୍ତି ୟୁୟୁ ଲଳିତ । ଶୁଣାଣିରେ ପ୍ରାଧାନ୍ୟ ଥିବା ମାମଲାକୁ ଲିଷ୍ଟିଂ କରାଯିବ ।  ଗୁରୁତ୍ବପୂର୍ଣ୍ଣ ମାମଲାରେ କିପରି ଶିଘ୍ର ଶୁଣାଣି ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ୨୦୧୪ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ ଲଳିତଙ୍କ ନାଁକୁ ସୁପାରିସ କରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ।

ନଭେମ୍ବର ୮ ତାରିଖରେ ସେ ସିଜେଆଇ ପଦରୁ ଅବସର ନେବେ । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ନିଯୁକ୍ତି ଦିଆଯାଇଛି ।

 

ଆଜି ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦାଖଲର ଶେଷ ଦିନ

ଭୁବନେଶ୍ବର: ରାଜ୍ୟରେ କେତେ କ୍ଷୟକ୍ଷତି କରିଛି ବନ୍ୟା । ଭାଙ୍ଗିଛି କେତେ ଘର ? ନଷ୍ଟ ହୋଇଛି କେତେ ଫସଲ ? ଏନେଇ ଆଜି ରାଜସ୍ବ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବେ ଜିଲ୍ଲା ପ୍ରଶାସନ  । ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା  । ଆଜି ହେଉଛି ରିପୋର୍ଟ ଦାଖଲର ଶେଷ ଦିନ  ।

ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୫ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇଥିଲେ । ଏକର ଏକର ଜମିରେ ଫସଲ ନଷ୍ଟ ହୋଇଛି ।  ଫସଲ କ୍ଷୟକ୍ଷତି ରିପୋର୍ଟ ଆଜି ସୁଦ୍ଧା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଥିଲା । ସେହିପରି ମତ୍ସ୍ୟ ଓ ପ୍ରାଣୀଧନ ସୁରକ୍ଷା ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଅନୁଧ୍ୟାନ କରି ତୁରନ୍ତ ରିଲିଫ କୋଡ୍ ଅନୁସାରେ ସହାୟତା ରାଶି ଯୋଗାଇ ଦିଆଯିବ।

କୌଣସି ବନ୍ୟା ବିପନ୍ନ ଯେମିତି ସରକାରୀ ସହାୟତାରୁ ବଞ୍ଚିତ ନହେବେ ତା ଉପରେ ଗୁରୁତ୍ବ ଦିଆଯାଉଛି  । ସେପ୍ଟେମ୍ବର ସୁଦ୍ଧା ବନ୍ୟା ଯୋଗୁ ସୃଷ୍ଟି ହୋଇଥିବା ୭ଟି ଘାଇର ସ୍ଥାୟୀ ମରାମତି କରାଯିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ଅନୁଧ୍ୟାନ କରି ପାଣି ଛାଡ଼ିବାର ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ଓ ୧୫ ଦିନ ଭିତରେ ଲୋକଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୭୯୬ ଏଏସଓ ପଦବୀ ପାଇଁ ପରୀକ୍ଷା ଦେଉଛନ୍ତି ୨ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ

ଭୁବନେଶ୍ବର: ଆଜି ଏଏସଓ ଲିଖିତ ପରୀକ୍ଷା । ରାଜ୍ୟର 33ଟି ଜୋନର 482 ସେଣ୍ଟରରେ ପରୀକ୍ଷା ଦେବେ 2 ଲକ୍ଷ 6 ହଜାରରୁ ଅଧିକ ପରୀକ୍ଷାର୍ଥୀ । ସକାଳ ୯ଟାରୁ ଅପରାହ୍ମ ୫ଟା ୧୦ ପର୍ଯ୍ୟନ୍ତ 3ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ବିତୀୟ ପର୍ଯ୍ୟାୟରେ ମେଣ୍ଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି ।

ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ । ସିସିଟିଭି ନଜରରେ ରହିଛି ସମସ୍ତ ପରୀକ୍ଷା କେନ୍ଦ୍ର  । ଆଇନଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ପୋଲିସ ମୁତୟନ ହୋଇଛନ୍ତି  । ରାଜ୍ୟରେ 796 ଏଏସଓ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ଏଥିପାଇଁ ଲିଖିତ ପରୀକ୍ଷା ଗତ 21 ତାରିଖରେ ହେବାର ଥିଲା ।

ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଆଜିକୁ ଘୁଞ୍ଚାଯାଇଥିଲା । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍ କାର୍ଡରେ ପରୀକ୍ଷା ଦେଇପାରିବେ ।

ପତ୍ନୀଙ୍କୁ ଭିଡିଓ କଲ୍ କଲେ, ପୁଅ ସହ ଖେଳିଲେ ବାବୁସାନ୍

ଭୁବନେଶ୍ୱର: ବାବୁସାନ ଓ ପତ୍ନୀ ମଧ୍ୟରେ କମୁଛି ଦୁରତା । ସମ୍ପର୍କରେ ଆସୁଛି ସୁଧାର । ଭିଡିଓ କଲରେ ପୁଅ ସହ କଥା ହେଲେ ବାବୁସାନ୍ । ରାଜରାସ୍ତାରେ ବାବୁସାନ, ତୃପ୍ତି ଓ ପ୍ରକୃତି ମଧ୍ୟରେ ହଙ୍ଗାମା ପରେ ପ୍ରଥମ ଥର ପୁଅ ଗୋଆନ ସହ କଥା ହେଲେ ବାବୁସାନ । ଭିଡିଓ କଲ୍ରେ ନିଜ ପୁଅକୁ ଗେହ୍ଲ କରୁଥିବା ଦେଖିବାକୁ ମିଳିଛି । ପତ୍ନୀ ତୃପ୍ତିଙ୍କ କୋଳରେ ତାଙ୍କ ପୁଅ ଥିବା ଦେଖିବାକୁ ମିଳିଛି ।

କିଛି ଦିନ ତଳେ ଭିଡିଓ କରି ନିଜ ସ୍ତ୍ରୀ ଓ ଶ୍ବଶୁରଙ୍କୁ ଭୁଲ୍ ମାଗିଥିଲେ ବାବୁସାନ୍ । ଆଉ ଏମିତି ଭୁଲହେବନି ବୋଲି କହିଥିଲେ । ସେପଟେ ପ୍ରକୃତି ମାନହାନି ମକଦ୍ଦମା କରିଥିବା ବେଳେ ବାବୁସାନଙ୍କର ଭିଡିଓ କଲ ଭାଇରାଲ ହେଉଛି । ଯେଉଁଥିରେ ବାବୁସାନ ଓ ତୃପ୍ତିଙ୍କ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଥିବା ଚର୍ଚ୍ଚା ହେଉଛି ।

ଦଶମ ଶ୍ରେଣୀ ପୁସ୍ତକରେ ତ୍ରୁଟି: ୪ ବର୍ଷ ହେଲା ଚାଲିଛି ତ୍ରୁଟିପୂର୍ଣ୍ଣ ପାଠପଢ଼ା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନ ଦଶମ ଶ୍ରେଣୀ ପୁସ୍ତକରେ ତ୍ରୁଟି । କୋରାପୁଟର ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ର ପ୍ରଦେଶରେ ଥିବା ରହିଛି ଉଲ୍ଲେଖ । ଭୂଗୋଳ ଓ ଅର୍ଥନୀତି ପୁସ୍ତକରେ ରହିଛି ଏଭଳି ତ୍ରୁଟି । କିନ୍ତୁ ଜୀବ ବିଜ୍ଞାନ ବହିରେ ଥିବା ତଥ୍ୟ ଠକ୍‌ ଅଛି । ଏନେଇ ଛାତ୍ରଛାତ୍ରୀ, ଶିକ୍ଷକ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ବର୍ଷେ ନୁହେଁ, ଚାରି ବର୍ଷ ଧରି ଏହି ତ୍ରୁଟି ରହି ଆସୁଛି । ଏପରି ସ୍ଥିତିରେ ଦାୟିତ୍ବରେ ଥିବା ଅଧିକାରୀଙ୍କ କାମ ନେଇ ଉଠିବାରେ ଲାଗିଛି ପ୍ରଶ୍ନ ।

୨୦୧୮, ୨୦୧୯ ଓ ୨୦୨୦ ପରେ ୨୦୨୧ ମସିହାର ସଂସ୍କରଣରେ ମଧ୍ୟ ତ୍ରୁଟି ସଂଶୋଧନ ହୋଇନାହିଁ । ହେଲେ ସେହି ଦଶମ ଶ୍ରେଣୀର ଜୀବ ବିଜ୍ଞାନ ବହିରେ ମାଛକୁଣ୍ଡ ଓଡ଼ିଶାର ବୋଲି ଉଲ୍ଲେଖ ଅଛି । ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ଯାହାକୁ ନେଇ ଅଭିଭାବକ ମହାସଂଘ ପ୍ରତିବାଦ କରିଛି । ବାରମ୍ବାର ଏଭଳି ଭୁଲ ତଥ୍ୟ ପିଲାଙ୍କୁ ପଢାଯାଉଥିଲେ ମଧ୍ୟ କାହିଁକି ସଂଶୋଧନ କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି ।

୧୯୫୫ରେ କୋରାପୁଟ ଜିଲ୍ଲା ଅନକାଡେଲୀରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହା ସୀମାନ୍ତରେ ଥିଲେ ମଧ୍ୟ ଆନ୍ଧ୍ରରେ ନୁହେଁ, ଓଡ଼ିଶାର । କିନ୍ତୁ ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରରେ ବୋଲି ଉଲ୍ଲେଖ ଅଛି । ଏହାକୁ ଠକ୍‌ କରି ପଢ଼ାଉଥିବା ଶିକ୍ଷକମାନେ କହୁଛନ୍ତି । ତେବେ ୪ ବର୍ଷ ଧରି ଭୁଲ ହେବା ମୁଦ୍ରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାକୁ ଦର୍ଶାଉଛି ।

ଖୋଲୁଛି ବିଜେପି ନେତ୍ରୀ ସୋନାଲିଙ୍କ ମୃତ୍ୟୁ ରହସ୍ୟ

ଗୋଆ: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁକୁ ନେଇ ଆସିବାରେ ଲାଗିଛି ସତ । ସୋନାଲିଙ୍କ ଦୁଇ ସହଯୋଗୀ ତାଙ୍କୁ ଏମଡିଏମଏ ମିଶ୍ରିତ ପାଣି ପିଇବାକୁ ଦେବାରୁ ସୋନାଲିଙ୍କ ମୃତ୍ୟୁ ଘଟିଥିବା ନେଇ କହିଛି ଗୋଆ ପୋଲିସ । ଗୋଆର ଏକ ନାଇଟ କ୍ଲବ ତଥା ଏକ ରେଷ୍ଟୁରାଣ୍ଟରେ ସୋନାଲିଙ୍କୁ ଏହା ପିଇବାକୁ ଦିଆଯାଇଥିବାର ସିସିଟିଭି ଫୁଟେଜ ରହିଛି । ସେଠାରେ ସେ ଅସୁସ୍ଥ ହେବା ପରେ ତାଙ୍କ ରୁମକୁ ଦୁଇ ସହଯୋଗୀ ନେଇଯାଇଥିଲେ । ପରଦିନ ସକାଳେ ସୋନାଲିଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା ବୋଲି କହିଛି ପୋଲିସ ।

ସୋନାଲିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ତାଙ୍କ ଦୁଇ ସହଯୋଗୀ ସୁଧୀର ସଙ୍ଗଓ୍ବାନ ଓ ସୁଖବିନ୍ଦର ସିଂଙ୍କୁ ଗିରଫ କରାଯାଇଥିଲା । ସେପଟେ ଚଣ୍ଡୀଗଡ଼ସ୍ଥିତ ଏକ ଫରେନସିକ ଲାବରେଟୋରୀରେ ସୋନାଲିଙ୍କ ଭିସେରା ପରୀକ୍ଷା କରାଯିବ ବୋଲି କହିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ।

ଆଜି ଅପରାହ୍ଣରେ ସୋନାଲିଙ୍କ ଶେଷକୃତ୍ୟ ହିସାରରେ କରାଯାଇଛି । ଶେଷକୃତ୍ୟ ବେଳେ ବହୁ ସଂଖ୍ୟକ ଶୁଭେଚ୍ଛୁ ଯୋଗ ଦେଇଥିଲେ ।

ନରମିଲା କେନ୍ଦ୍ର: ଜମି ନଥିବା ଗରିବ ଚାଷୀ ପାଇବେ ପିଏ କିଷାନ ସହାୟତା

ନୂଆଦିଲ୍ଲୀ: ନରମିଲେ କେନ୍ଦ୍ର ସରକାର । ଏଣିକି ଜମି ନଥିବା ଗରିବ ଚାଷୀଙ୍କୁ ମିଳିବ ପିଏମ୍ କିଷାନ୍ ସହାୟତା । ୧୧ଟି କିସ୍ତି ପରେ ୧୨ତମ କିସ୍ତି ଦେଲା ବେଳକୁ କେନ୍ଦ୍ର ସରକାର ପୂରାଇଥିଲେ କେଁ । ଜୁନ୍ ମାସରେ ମୁଖ୍ୟ ଶାସନ ସଚିବଙ୍କୁ  ଚିଠି ଲେଖି ଜଣାଇଲେ ଜମି ନଥିବା ଚାଷୀଙ୍କୁ ଆଉ ମିଳିବନି ପିଏମ୍ କିଷାନ ସହାୟତା । ୪୦ ଲକ୍ଷ ଗରିବ ଚାଷୀଙ୍କୁ ସହାୟତା ନ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା । ରାଜ୍ୟ ସରକାରଙ୍କ ଆପତ୍ତି ପରେ ପୁଣି ଥରେ ୟୁ-ଟର୍ଣ୍ଣ ମାରିଛି କେନ୍ଦ୍ର ।

ଅନ୍ନଦାତାଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଉଥିବା ନେଇ ଡିଣ୍ଡିମ ପିଟୁଥିବା କେନ୍ଦ୍ରର ଅଜବ ନୀତି । ଚାଷୀର ଜମି ଥାଉକି ନ ଥାଉ ୨ ହଜାର ଟଙ୍କା ଲେଖାଏଁ ପିଏମ୍ କିଷାନ୍ ସହାୟତା ନିଧିର ୧୧ଟି କିସ୍ତି ଦେଇ ସାରିଛନ୍ତି । ୧୨ତମ ବେଳକୁ ମନେ ପଡ଼ିଲା ଜମି ମାଲିକାନା । ନୂଆ ନିୟମ କାଢି ୨୦୧୯ ଫେବ୍ରୁଆରୀ ପହିଲା ପୂର୍ବରୁ ଯେଉଁମାନେ ଜମିର ମାଲିକ ହୋଇଥିବେ ସେମାନଙ୍କୁ ହିଁ ମିଳିବ ପରବର୍ତ୍ତୀ ପିଏମ୍ କିଷାନ ସହାୟତା ବୋଲି ଶୁଣାଇ ଦେଲା କେନ୍ଦ୍ର । ଜୁଲାଇ ୩୧ ସୁଦ୍ଧା ଏପରି ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ଦେବାକୁ ଦିଆଯାଇଥିଲା କଣ୍ଟ । ଫଳରେ ରାଜ୍ୟର ୪୦ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ନ ମିଳିବା ନେଇ ଆଶଙ୍କା ଉପୁଜିଥିଲା ।

ଏ ନେଇ ଖବର ପ୍ରସାରଣ ହେବା ପରେ ରାଜ୍ୟ ସରକାର ବି ଆପତ୍ତି ଉଠାଇଲେ । ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ଏହି ଉପହାସକୁ ନେଇ ସବୁ ମହଲରେ ନିନ୍ଦା ହେଲା ।  ଏବେ ନିୟମ ବଦଳାଇ କହିଲେଣି ସେପ୍ଟେମ୍ବର ୫ ତାରିଖ ଭିତରେ ପୂର୍ବ ତାଲିକା ଅନୁଯାୟୀ ଚାଷୀଙ୍କୁ ମିଳିବ ସହାୟତା ଅର୍ଥ ।

ଚାଷୀଙ୍କ ପ୍ରତି କେନ୍ଦ୍ର ଏପରି ନୀତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ନିର୍ବାଚନ ଥିବାରୁ ଚାଷୀଙ୍କୁ ମନାଇବାକୁ ଏହି ଯୋଜନା ପ୍ରଣୟନ କରିଦେଲେ । ନିର୍ବାଚନ ସରିବା ପରେ ନୀତି ନିୟମ ଦେଖାଇଲେ । ଏବେ ପୁଣି ଥରେ ନିର୍ବାଚନ ଆସିବାରୁ ଚାଷୀଙ୍କ ପ୍ରତି ଦରଦ ଦେଖାଇବା ଆରମ୍ଭ କରିଛନ୍ତି । କୌଣସି କଣ୍ଟ ନ ରଖି ରାଜ୍ୟର ସମସ୍ତ ଚାଷୀ ଯେପରି ଏହି ସହାୟତା ପାଇବେ ସେ ନେଇ କେନ୍ଦ୍ର ପଦକ୍ଷେପ ନିଆଯାଉ । ନଚେତ୍ ଆଗାମୀ ନିର୍ବାଚନରେ ଚାଷୀମାନେ କେନ୍ଦ୍ରକୁ ଜବାବ ଦେବେ ।

ପିଏମ୍ କିଷାନ୍ ସହାୟତା ପ୍ରଦାନ ନେଇ ପ୍ରତି ଶୁକ୍ରବାର କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ହିସାବ ନେଉଛନ୍ତି । ନିୟମ କୋହଳ ପରେ ଏବେ ସୁଦ୍ଧା ରାଜ୍ୟ ସରକାର ୧୦ ଲକ୍ଷ ୧୫ ହଜାର ଚାଷୀଙ୍କୁ ପିଏମ୍ କିଷାନ୍ ସହାୟତା ୧୨ତମ କିସ୍ତି ପ୍ରଦାନ କରିସାରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତୀୟ ଲ’ ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଜାତୀୟ ଲ’ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଭେଦ କୁମାରୀ । ନବୀନ ନିବାସ ଯାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

କଡ଼ାକଡ଼ି ଭାବେ ଲାଗୁ ହେବ ପ୍ଲାଷ୍ଟିକ ନିଷିଦ୍ଧ ନିୟମ

ଭୁବନେଶ୍ବର: ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ କଡ଼ାକଡ଼ି ଭାବେ ସାରା ରାଜ୍ୟରେ  ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା  ଭବନରୁ  ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଓ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ  ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରି ଆଇନ କଡାକଡି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ, ଡିଏଫଓ ଓ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ୍ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ୍ ଦେବା ପାଇଁ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀମାନଙ୍କୁ କୁହାଯାଇଥିଲା ।

ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷଭାବେ ଆଲୋଚନା ହୋଇଥିଲା । ଏଥିପାଇଁ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ିଭୁତ ଓ ସୁଗମ କରାଯିବ ।