ଭୁବନେଶ୍ବର: ଆରମ୍ଭ ହେଲା ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୦ ଦିନରେ ଅନ୍ତର୍ଭୁକ୍ତ ହେବ ୧୦୦ ଶିକ୍ଷାନୁଷ୍ଠାନ । ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ । ୩୦ ଜିଲ୍ଲାର ୬୦ ଶିକ୍ଷାନୁଷ୍ଠାନରେ ହେବ ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା । ୨୦୨୫ ସୁଦ୍ଧା ୫ ହଜାର ଷ୍ଟାର୍ଟଅପ୍ ପାଇଁ ମିଶନ । ରାଜ୍ୟରେ ଏବେ ୧୩ ଶହ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛି । ୧୦ ହଜାର ଚାକିରି ଯୋଗାଉଛନ୍ତି ଷ୍ଟାର୍ଟଅପ୍ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପଦ ରଦ୍ଦ
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ସୂଚନା । ଅଫିସ ଅଫ୍ ପ୍ରଫିଟ୍ ବିବାଦରେ ଫସିଥିବା ସୋରେନଙ୍କୁ ନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଇସିଙ୍କ ନିଷ୍ପତ୍ତି ନେଇ ବିଧିବଦ୍ଧ ଘୋଷଣା କରିବେ ରାଜ୍ୟପାଳ ।
ଆଜି ସକାଳେ ରାଞ୍ଚି ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୟୁପିଏର ବୈଠକ ଡାକିଥିଲେ । ସେପଟେ ମେଣ୍ଟ ସରକାର ପ୍ରତି କୌଣସି ବିପଦ ନଥିବା କହିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଇସିଙ୍କ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଯିବାକୁ ଧମକ ଦେଇଛି ଜେଏମଏମ । ୮୨ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମର ୩୦ ବିଧାୟକ ଥିବାବେଳେ କଂଗ୍ରେସର ୧୭ ବିଧାୟକ ଅଛନ୍ତି । ବିଜେପିର ଅଛନ୍ତି ୨୫ ବିଧାୟକ । ମୁଖ୍ୟମନ୍ତ୍ରୀ ହେମନ୍ତ ନିଜ ନାମରେ ମାଇନିଂ ଲିଜ୍ ହାସଲ କରିଥିବା ନେଇ ଅଭିଯୋଗ ମାମଲାର ଶୁଣାଣି ଗତ ସୋମବାର ନିର୍ବାଚନ କମିଶନ ଶେଷ କରିଥିଲେ । ମଙ୍ଗଳବାର ଦିନ ରାଜ୍ୟପାଳ ରମେଶ ବ୍ୟାସଙ୍କ ନିକଟକୁ ଇସି ଏ ସମ୍ପର୍କରେ ପତ୍ର ଲେଖିଥିଲେ । ଗତ ଅଗଷ୍ଟ ୧୮ ତାରିଖରେ ଉଭୟ ବିଜେପି ଓ ଜେଏମଏମ ନିର୍ବାଚନ କମିଶନ ନିକଟରେ ପକ୍ଷ ରଖିଥିଲେ । ପୂର୍ବରୁ ରାଜ୍ୟରେ ଜେଏମଏମ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲେ ଜେଏମଏମ ଓ କଂଗ୍ରେସ ।
ଋଷ ବିରୋଧରେ ଭୋଟ ଦେଲା ଭାରତ
ନ୍ୟୁୟର୍କ: ବନ୍ଧୁ ଋଷ ବିରୋଧରେ ଗଲା ଭାରତ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ କଲା ସମର୍ଥନ । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ବିରୋଧରେ ଭୋଟ ଦେଲା ଭାରତ ।
ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ପରଠୁ ପ୍ରଥମ ଥର ପାଇଁ ଭାରତ ଋଷ ବିରୋଧରେ ଭୋଟ୍ ଦେଇଛି । ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସଂକ୍ରାନ୍ତୀୟ ଏକ ପ୍ରକ୍ରିୟାଗତ ମତଦାନ ସମୟରେ ଭାରତ ଋଷ ବିରୋଧରେ ଭୋଟ୍ ଦେଇଛି ।
ଜାତିସଂଘ ସୁରକ୍ଷା ପରିଷଦକୁ ଟେଲି କନଫରେନ୍ସ ଜରିଆରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ସମ୍ବୋଧନ କରିଥିବା ବେଳେ ଜେଲେନସ୍କିଙ୍କ ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯାଇଥିଲା । ଏଥିରେ ଭାରତ ସମେତ ୧୩ଟି ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରିଥିବା ବେଳେ ଚୀନ ଭୋଟଦାନରୁ ଦୂରେଇ ରହିଥିଲା । ଫେବୃୟାରୀ ୨୪ରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଯୁଦ୍ଧକୁ ୬ମାସ ପୂରିଥିଲେ ବି ଯୁଦ୍ଧର ନିଷ୍କର୍ସ ବାହାରିପାରିନି । ଏବେ ବି ଗୁଳିଗୋଳା ବର୍ଷା, ମିଜାଇଲ ମାଡ଼ରେ କମ୍ପୁଛି ୟୁକ୍ରେନର ଅଧିକାଂଶ ସହର ।
ଏଲଓସିରେ ପାକିସ୍ତାନର ମେଗା ପ୍ଲାନ୍
ଜମ୍ମୁ ଓ କାଶ୍ମୀର: ସତ ହେଲା ଗୁଇନ୍ଦା ବିଭାଗର ସତର୍କ ସୂଚନା । ଭାରତ ବିରୋଧରେ ପାକିସ୍ତାନ ଚଳାଇଛି ମେଗା ପ୍ଲାନ୍ । ସୀମାରେ ୩ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ଏନକାଉଣ୍ଟର କରିବା ପରେ ଗୁଇନ୍ଦା ବିଭାଗର ତଥ୍ୟ ସତ ହେଉଛି ।
ସୂଚନାଯୋଗ୍ୟ, ଜାମ୍ମୁ ଓ କାଶ୍ମୀରର ଉରି ନିକଟ୍ ଏଲଓସିରେ ୩ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଯାହା ଭାରତୀୟ ସୀମାରେ ଲାଗିଥିବା ଇଲେକ୍ଟ୍ରୋନିକ ସର୍ଭେଲାନ୍ସ ମେସିନ ଜରିଆରେ ଜଣାପଡ଼ି ଯାଇଥିଲା । ଏହାପରେ ଭାରତୀୟ ସୁରକ୍ଷାବାହିନୀ ଆକ୍ସନରେ ଆସିଥିଲେ ଓ ଏନକାଉଣ୍ଟରରେ ସମସ୍ତଙ୍କ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀମାନେ ଉରି ସେକ୍ଟରର କାମଲକୋଟ ଅଞ୍ଚଳସ୍ଥିତ ମାଦିଆନ ନାନକ ପୋଷ୍ଟ ନିକଟରେ ଅନୁପ୍ରବେଶ କରୁଥିବା ଠାବ କରାଯାଇଥିଲା ।
ତେଣେ ଜାମ୍ମୁ ଓ କାଶ୍ମୀର ବାରମୁଲ୍ଲାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପାକିସ୍ତାନ ନିଜ ଦେଶରେ ଥିବା ଅନେକ ଆତଙ୍କବାଦୀ ଶିବିର ଓ ଲଞ୍ଚ ପ୍ୟାଡକୁ ଏଲଓସି ନିକଟକୁ ପଠାଇବାରେ ଲାଗିଛି । ସୀମାରୁ ଅଳ୍ପ କିଛି ଦୂରରେ ଏହି କ୍ୟାମ୍ପ ଓ ଲଞ୍ଚ ପ୍ୟାଡ ପ୍ରତିଷ୍ଠା କରାଯାଇଥିବା ଗୁଇନ୍ଦା ସୂତ୍ରରୁ ତଥ୍ୟ ମିଳିଛି । ଭାରତରେ ଅନୁପ୍ରବେଶ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନ କରିଛି ଏହି ଯୋଜନା । ଆତଙ୍କବାଦୀ ସଂଗଠନ ଲସକର-ଏ- ତଏବା, ଜୈସ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବିଭିନ୍ନ ଶିବିର ଏଲଓସିରେ ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ କୁହାଯାଇଛି, ଭାରତରେ ପ୍ରବେଶ କରିବା ଲାଗି ତିଆରି କରାଯାଇଛି ଏକାଧିକ ଏଣ୍ଟ୍ରି ପଏଣ୍ଟ । ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆଇଏସଆଇ ତାଲିମପ୍ରାପ୍ତ ଆତଙ୍କବାଦୀ ଅଛନ୍ତି । ଏପରିକି ପାକିସ୍ତାନ ୩୦୦ରୁ ଅଧିକ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଡ୍ରୋନ ଜରିଆରେ ଶ୍ରୀନଗର ଆଖପାଖରେ ପକାଇଥିବା ସୂଚନା ମିଳିଛି । ଶ୍ରୀନଗରରେ ଲସକର ଓ ଜୈସର ୫୦ ବିଦେଶୀ ଆତଙ୍କବାଦୀ ପ୍ରବେଶ କରିସାରିଥିବା କୁହାଯାଇଛି ।
ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ
ଅମ୍ବାଲା: ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରୁ ଜବତ ହୋଇଛି ସୁଇସାଇଡ ନୋଟ । ହରିଆଣା ଅମ୍ବାଲାରେ ଘଟିଛି ଏଭଳି ଲୋମହର୍ଷକ ଘଟଣା । ଅମ୍ବାଲାର ବାଲାନା ଗାଁରେ ୬ ଜଣଙ୍କ ମୃତଦେହ ଠାବ ହେବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେମାନଙ୍କ ମଧ୍ୟରେ ଘରର ମୁଖ୍ୟ ସଙ୍ଗତ ରାମ ଓ ତାଙ୍କ ପତ୍ନୀ ମହିନ୍ଦ୍ରା କୌର ଥିବାବେଳେ ଦୁଇ ଶିଶୁ ମଧ୍ୟ ଅଛନ୍ତି । ଅମ୍ବାଲା ଡିଏସପି ଯୋଗୀନ୍ଦର ଶର୍ମା କହିଛନ୍ତି, ମୃତକଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ଫରେନସିକ ଟିମ୍ ଘଟଣାର ଯାଞ୍ଚ କରୁଛି । କିଛିଦିନ ତଳେ ଜାମ୍ମୁର ସିଧ୍ରାରେ ଗୋଟିଏ ପରିବାରର ୬ ଜଣ ଆତ୍ମହତ୍ୟା କରିଥିଲେ।

