ପୋଲାଣ୍ଡରେ ହିଟ୍‌ କଲା ଋଷ କ୍ଷେପଣାସ୍ତ୍ର, ତାତିଲା ନାଟୋ

1 min read

କିଭ୍‌: ଘନେଇଲା ଋଷ ଉପରେ ନାଟୋ ସଦସ୍ୟଙ୍କ ଆକ୍ରମଣ ଆଶଙ୍କା । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ଋଷୀୟ କ୍ଷେପଣାସ୍ତ୍ର ହିଟ୍ କଲା ନାଟୋ ସଦସ୍ୟ ରାଷ୍ଟ୍ରରେ । ଋଷର କ୍ଷେପଣାସ୍ତ୍ର ମାଡରେ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛି ନାଟୋ । ସେପଟେ ଗ୍ରୁପ-20 ବୈଠକରେ ଯୋଗ ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବାଲି ସମ୍ମିଳନୀ ସ୍ଥଳରେ ଗ୍ରୁପ-7 ଓ ନାଟୋ ସଦସ୍ୟଙ୍କ ଏକ ଜରୁରୀ ବୈଠକରେ ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି ।

ୟୁକ୍ରେନ ସୀମା ନିକଟ ପୋଲାଣ୍ଡର ପ୍ରେଜୋଦୋରେ କ୍ଷେପଣାସ୍ତ୍ର ପଡିବା କାରଣରୁ ବିସ୍ଫୋରଣ ଘଟିଥିବା ଅଭିଯୋଗ କରିଛି ନାଟୋ । ଆମେରିକାର କିଛି ବରିଷ୍ଠ ଗୁଇନ୍ଦା ଅଧିକାରୀ ମଧ୍ୟ କ୍ଷେପଣାସ୍ତ୍ର ମାଡ ନେଇ ଋଷକୁ ଦାୟୀ କରିଛନ୍ତି । ସେପଟେ କୌଣସି କ୍ଷେପଣାସ୍ତ୍ର ପୋଲାଣ୍ଡ ସୀମା ଅତିକ୍ରମ କରିନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । କ୍ଷେପଣାସ୍ତ୍ର ଆକ୍ରମଣ ପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାତେସୁ ମୋରଓ୍ବିକି ଜରୁରୀ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ବ୍ୟାପାର କମିଟି ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି ।

କ୍ଷେପଣାସ୍ତ୍ର ପ୍ରୟୋଗକୁ ମଧ୍ୟ ବିରୋଧ କରିଛନ୍ତି ଲାଟଭିଆ ଉପପ୍ରଧାନମନ୍ତ୍ରୀ ଆର୍ତିସ ପାବ୍ରିକସ୍ । ଆକ୍ରମଣର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନା ଲାଗି ନାଟୋ ସଦସ୍ୟ ନରଓ୍ବେ, ଲିଥୁଆନିଆ ଓ ଏସ୍ତୋନିଆ ବୈଠକରେ ଉପନୀତ ହୋଇଛନ୍ତି । ଲିଥୁଆନିଆ ରାଷ୍ଟ୍ରପତି ଗୀତନାସ ନୌସେଦା କହିଛନ୍ତି ନାଟୋର ପ୍ରତିଟି ସୀମାର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ । ଏସ୍ତୋନିଆ ବି କହିଛି, ନାଟୋ ଶକ୍ତି ମିଳିତ ଭାବେ ଏନେଇ ନିଷ୍ପତ୍ତି ନେବେ । ଗତକାଲି ୟୁକ୍ରେନର ଲିବିବ୍ ଓ ତେର୍ଣ୍ଣୋପିଲ୍ ସମେତ ଅନ୍ୟ କେତେକ ସୀମାନ୍ତ ସହରରେ ଋଷର ମିସାଇଲ ବର୍ଷା ହୋଇଥିବା ନେଇ କିଭ୍‌ ଅଭିଯୋଗ କରିଛି ।

ସେପଟେ ଋଷର ଜୋରଦାର ମିସାଇଲ ଷ୍ଟ୍ରାଇକରେ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଗଭୀର କ୍ଷତିଗ୍ରସ୍ତ ହୋଇଛି । ଧ୍ବଂସ ହୋଇଛି ଅନେକ ଗ୍ରୀଡ । ପ୍ରାୟ ୭୦ ଲକ୍ଷ ଘର ଅନ୍ଧାରରେ ରହିଥିବା ସୂଚନା ମିଳିଛି । ଏପରିକି ୟୁକ୍ରେନ ପଡୋଶୀ ମୋଲଡୋଭାର ବି ଲକ୍ଷାଧିକ ଘରକୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ଖେରସନରୁ ଋଷ ସୈନ୍ୟ ପ୍ରତ୍ୟାହାର ଏବଂ ଗ୍ରୁପ-20 ସମ୍ମିଳନୀ ଚାଲିଥିବାବେଳେ ଏହି ହାମଲା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ।