ଗ୍ରାହକ ନେଉଛନ୍ତି ଅଧିକ ଋଣ, ଚିନ୍ତା ପ୍ରକଟ କଲା ଆରବିଆଇ

ଭୁବନେଶ୍ବର: ବ୍ୟାଙ୍କରେ କମୁଛି ସେଭିଂ । ବଢୁଛି ଋଣ ଦେବା ହାର । ଗ୍ରାହକ ନିଜ ଆକାଉଣ୍ଟରେ ଆଉ ପୂର୍ବପରି ସେଭିଂ କରୁନାହାନ୍ତି । ବରଂ ଲୋନ ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ ଲଗାଉଛନ୍ତି । ଘରୋଇ ବ୍ୟାଙ୍କରେ ସ୍ଲୋ ଡିପୋଜିଟ୍ ଗ୍ରୋଥ ହେଉଥିବାରୁ ଚିନ୍ତା ପ୍ରକଟ କରିଛି ଆରବିଆଇ । ଏହାକୁ ନେଇ ଆଜି ଘରୋଇ ବ୍ୟାଙ୍କର ସିଇଓଙ୍କ ସହ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ।

ଆରବିଆଇର ରେକର୍ଡ ଅନୁସାରେ ବ୍ୟାଙ୍କରେ ସଞ୍ଚୟ ରାଶି ବାର୍ଷିକ ୧୦.୨ ପ୍ରତିଶତ ଆଧାର ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ୯.୬ ପ୍ରତିଶତ ରହିଛି । ଏପଟେ ଋଣ ନେବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି । ପ୍ରତିବର୍ଷ ୬.୫ ପ୍ରତିଶତ ଆଧାର ତୁଳନାରେ ଏବେ ଋଣନେବା ହାର ୧୭.୯ ପ୍ରତିଶତ ବଢିଛି । ଆଜି ହେବାକୁ ଥିବା ବୈଠକରେ ସଞ୍ଚୟ ହାରକୁ ସ୍ଥିର ରଖିବା ପାଇଁ ଆଲୋଚନା ହେବ ।

ଏଥିସହ ଏମଏସଏମଇ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବିଚାରବିମର୍ଷ ହେବ । ଏତଦବ୍ୟତିତ ଡିଜିଟାଲ ବ୍ୟାଙ୍କିଙ୍ଗର ସଫଳତା ନେଇ ଆଲୋଚନା ହେବ । ଦେଶରେ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ହେଲେ ବ୍ୟାଙ୍କିଙ୍ଗ ପ୍ରଣାଳୀକୁ କିପରି ମଜଭୁତ କରିହେବ ସେନେଇ ଆଲୋଚନା କରାଯିବ ।