ଆଜି ପ୍ରଥମା ଅଷ୍ଟମୀ, ମହାପ୍ରଭୁଙ୍କ ମାମୁଁଘରୁ ଆସିଲା ପୋଢୁଆଁ ଭାର

ପୁରୀ: ଆଜି ପ୍ରଥମା ଅଷ୍ଟମୀ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କ ପୂଜା କରାଯିବ । ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଙ୍କ ଶୁଭ ମନାସାଯିବ । ସେପେଟ ଶ୍ରୀମନ୍ଦିରରେ ବି ପୋଢୁଆଁ ହେବେ ମହାପ୍ରଭୁ ।

ଏଥିପାଇଁ ଗତକାଲି ମହାପ୍ରଭୁଙ୍କ ମାମୁଁଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ପାଳିଆ ପୁଷ୍ପାଳକଙ୍କ ଦ୍ବାରା ଶ୍ରୀବିଗ୍ରହମାନଙ୍କୁ ନୂଆବସ୍ତ୍ର ଲାଗି କରାଯିବାର ପରମ୍ପରା ରହିଛି ।