ମିଛ ଖବର ପ୍ରସାରଣ କରି ବିବାଦରେ ‘ଓଡିଶା ରିପୋର୍ଟର’, ନୋଟିସ ପଠାଇଲେ ମନ୍ତ୍ରୀଙ୍କ ଓକିଲ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବଦନାମ କରିବା ପାଇଁ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପରିବେଷଣ । ଏହି ଧରଣର ଅସତ୍ୟ ଖବର ପ୍ରସାରିତ କରିଥିବା ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ସମ୍ପାଦକଙ୍କୁ ୭ ଦିନ ଭିତରେ ନିଃସର୍ତ୍ତ କ୍ଷମା ମାଗି ସ୍ପଷ୍ଟୀକରଣ ଦେବା ପାଇଁ ମନ୍ତ୍ରୀଙ୍କ ଓକିଲ ନୋଟିସ ପଠାଇଛନ୍ତି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫଟୋ ସହିତ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଫଟୋ ଲଗାଇ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଗତ ଅକ୍ଟୋବର ୧୨ ତାରିଖରେ ଏକ କଦର୍ଥ ଖବର ପ୍ରସାରଣ କରିଥିଲା । ଏଭଳି ଖବରର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଜଣେ ସୁପ୍ରତିଷ୍ଠିତ ଜନପ୍ରତିନିଧି ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ଲୋକଲୋଚନରେ ବଦନାମ କରିବା ପାଇଁ କପୋଳକଳ୍ପିତ ଖବର ପ୍ରସାରଣ କରାଯାଇଛି । ଏହା ଆଇନ ବିରୁଦ୍ଧ । ଇଣ୍ଡିଆନ ଏକ୍ସପ୍ରେସ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି ।

ଏହାସହିତ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆଇନର ଧାରା ୭୮ ଓ ଅଧିନିୟମ ୭୯ ଅନୁଯାୟୀ ସଂପୃକ୍ତ ଓ୍ବେବ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ମନ୍ତ୍ରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ୭ଦିନ ଭିତରେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଏଭଳି କଦର୍ଥ ସମ୍ବାଦ ପରିବେଷଣ ନେଇ ଯଦି ନିଃସର୍ତ୍ତ କ୍ଷମା ନମାଗେ ଓ ସ୍ପଷ୍ଟୀକରଣ ନଦିଏ, ତେବେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ବିରୁଦ୍ଧରେ କୋର୍ଟ ଓ ପ୍ରେସ କାଉନସିଲ ଇଣ୍ଡିଆରେ ମାମଲା ଦାୟର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯିବ ।