ରେକର୍ଡ ସୃଷ୍ଟି କଲା ’ମୋ ସ୍କୁଲ ଅଭିଯାନ’, ୫ ବର୍ଷରେ ୫୦ ହଜାର ସ୍କୁଲ ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ପୁରତାନ ଛାତ୍ରଛାତ୍ରୀ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତି କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୭ ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଆରମ୍ଭ ହୋଇଥିବା ’ମୋ ସ୍କୁଲ ଅଭିଯାନ’ ଇତିମଧ୍ୟରେ ୫ ବର୍ଷ ପୂର୍ତ୍ତି କରିଛି । ମାତ୍ର ୫ ବର୍ଷ ମଧ୍ୟରେ ରାଜ୍ୟରେ ୫୦ ହଜାର ବିଦ୍ୟାଳୟରେ ପହଞ୍ଚି ’ମୋ ସ୍କୁଲ’ ବିଶ୍ୱର ଅନ୍ୟତମ ସର୍ବବୃହତ ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମରେ ପରିଣତ ହେବାର ରେକର୍ଡ ସୃଷ୍ଟି କରିଛି । ଏଥିସହ ୨୦୨୨ ଶେଷ ସୁଦ୍ଧା ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ପହଞ୍ଚିବାର ଲକ୍ଷ୍ୟକୁ ହାସଲ କରିଛି ’ମୋ ସ୍କୁଲ’ । ଓଡ଼ିଶାର ସରକାରୀ ଓ ସରାକରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ିଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲ୍ ସହ ଯୋଡ଼ିହୋଇ ତାହାର ସର୍ବାଙ୍ଗୀନ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ’ମୋ ସ୍କୁଲ ଅଭିଯାନ’ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ, କ୍ରୀଡା, କଳା, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଉତ୍ସାହିତ କରୁଛି ।

’ମୋ ସ୍କୁଲ’ ସହ ଯୋଡ଼ି ହୋଇଥିବା ପୁରାତନ ଛାତ୍ରଛାତ୍ରୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ସାଧାରଣ ଜନତା ସ୍କୁଲଗୁଡ଼ିକର ବିକାଶ ପାଇଁ କେବଳ ଆର୍ଥିକ ସହାୟତା ଯୋଗାଇ ଦେଇନାହାନ୍ତି, ପିଲାମାନଙ୍କୁ ପଢ଼ାଇବା , କ୍ରୀଡା ଓ ଶିକ୍ଷା ଉପକରଣ ଆଦି ଦାନ କରିବା, ସ୍କୁଲର ବିଭିନ୍ନ କାର୍ଯ୍ୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିବା ସହ ନିଜ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟୁଛନ୍ତି । ରାଜ୍ୟରେ ପ୍ରତି ଦୁଇଜଣରେ ଜଣେ ପିଲା ଏହାଦ୍ୱାରା ଉପକୃତ ହୋଇଛନ୍ତି । ’ମୋ ସ୍କୁଲ ଅଭିଯାନ’ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି ।

’ମୋ ସ୍କୁଲ’ ଅଭିଯାନ ମାଧ୍ୟମରେ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସ୍କୁଲଗୁଡ଼ିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି । ଯାହାମଧ୍ୟରେ ଶ୍ରେଣୀଗୃହ ନିର୍ମାଣ, ନବୀକରଣ, ସ୍ମାର୍ଟ କ୍ଲାସରୁମ, ପାଠାଗାର, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ପାରିପାର୍ଶ୍ୱିକ ପରିବେଶର ବିକାଶ ଆଦି ରହିଛି । ଏହା ସହ ସ୍କୁଲ ଗୁଡ଼ିକରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ସହ ମିଳିତ ଭାବରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କର ଦକ୍ଷତା ବିକାଶ ଦିଗରେ ମଧ୍ୟ ’ମୋ ସ୍କୁଲ’ କାର୍ଯ୍ୟକରୁଛି ।