spot_img
Home Blog Page 3915

ନକଲି ଶିକ୍ଷକ ସାବଧାନ: ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ପଢ଼ାଉଛନ୍ତି ମାଳମାଳ ନକଲି ଶିକ୍ଷକ । ସେମାନଙ୍କୁ ପୁଣି ଥରେ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ନକଲି ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ବର୍ଷ ତମାମ ଚାଲିଛି ନକଲି ଶିକ୍ଷକ ଧରପଗଡ଼ ଅଭିଯାନ । କାମକୁ ସରଳ କରିବା ପାଇଁ ଡିଜିଟାଇଜେସନ୍ ହେଉଛି ଶିକ୍ଷକଙ୍କ ସମସ୍ତ ଦସ୍ତାବିଜ ।

କିଏ ଜାଲ ଶିକ୍ଷାଗତ ଯୋଗ୍ୟତା ତ କିଏ ମିଛ ଜାତିଗତ ପ୍ରମାଣପତ୍ର ଦେଇ ହାତେଇଛନ୍ତି ଶିକ୍ଷକ ପଦ । ପୁଣି କିଏ ନକଲି ବା କଳା ତାଲିକା ଭୁକ୍ତ ବିଶ୍ବବିଦ୍ୟାଳୟରୁ ଆଣିଛନ୍ତି ବିଏଡ୍ ସାର୍ଟିଫିକେଟ୍ । ଜାଲ୍ ପ୍ରମାଣପତ୍ର ଦେଖାଇ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କଠାରୁ ଦରମା ବି ନେଉଛନ୍ତି । ସେମାନଙ୍କର ଏହି ଚଞ୍ଚକତା ଉପରେ ଲାଗିବ ଲଗାମ୍ । ଘନ ଘନ ଯାଞ୍ଚ ଚଲାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ୨୬ ଜିଲ୍ଲାର ୧୩୦ ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ । ଆବଶ୍ୟକ ପଡ଼ିଲେ ଜେଲ୍ ଯିବେ ନକଲି ଶିକ୍ଷକ । ପୂର୍ବରୁ ମଧ୍ୟ ରାଜ୍ୟର ୨୩ଟି ଜିଲ୍ଲାରେ ଏପରି ୮୯ ଜଣ ଜାଲ୍ ଶିକ୍ଷକଙ୍କ ତଥ୍ୟ ଦେଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ଜଣେ ଗିରଫ ହୋଇଥିବା ବେଳେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୧୧ ଜଣ ଜାଲ୍ ଶିକ୍ଷକ ବହିଷ୍କାର ହୋଇଛନ୍ତି । ସେ ସମୟରେ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ଦିନକୁ ଦିନ ବଢ଼ିବାରେ ଲାଗିଛି ନକଲି ଶିକ୍ଷକଙ୍କ ସଂଖ୍ୟା । ସେମାନେ ଅସାଧୁ ଉପାୟରେ ଚାକିରି ପାଉଥିବାରୁ ଯୋଗ୍ୟ ଶିକ୍ଷକ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ନକଲି ଶିକ୍ଷକ ନିଜେ ପ୍ରଶିକ୍ଷିତ ହୋଇନଥିବାରୁ ଠିକ୍ ଭାବେ ଶିକ୍ଷାଦାନ କରି ପାରୁନାହାନ୍ତି । ଯାହା ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ବାତାବରଣଠାରୁ ଦୂରେଇ ରଖିବା ସହ ପଢିବା ଆଗ୍ରହ କମାଉଛି ।

ଶିକ୍ଷକଙ୍କ ସାର୍ଟିଫିକେଟ୍ ଓ ପ୍ରମାଣପତ୍ରର ଯାଞ୍ଚ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବିଶ୍ବବିଦ୍ୟାଳୟ, ସଂପୃକ୍ତ ଶିକ୍ଷା ଅନୁଷ୍ଠାନ ସହ ଯୋଗାଯୋଗ କରାଯାଉଛି । ଗତବର୍ଷ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଇଓ, ଡିଇଓ ଓ ଡିପିସିଙ୍କ ଅବହେଳା ନେଇ କ୍ଷୁବ୍ଧ ହୋଇ କାର୍ଯ୍ୟାନୁଷ୍ଠାନର ଷ୍ଟାଟସ୍ ରିପୋର୍ଟ ମାଗିଥିଲେ ହାଇକୋର୍ଟ ।

ସହଜ ଓ ସୁବିଧା ଋଣ ପାଇଁ ‘ସଫଳ’ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଣିକି ଋଣ ପାଇଁ ବ୍ୟାଙ୍କକୁ ଧାଇଁବେନି ଚାଷୀ । ଆଙ୍ଗୁଠି ଟିପରେ ମିଳିବ ସୁବିଧା । ସହଜରେ ଋଣ ଆବେଦନ କରିବାକୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  WWW.safal.odisha.gov.in ରେ ଚାଷୀ ଋଣ ପାଇଁ ଆବେଦନ କରିପାରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସଫଳ’ ଆପ ସମସ୍ତ କୃଷି ସମସ୍ୟାର ଏକକ ସମାଧାନ । ଏହାଦ୍ବାରା ଚାଷୀ, କୃଷି ଉଦ୍ୟୋଗୀଙ୍କୁ ସୁବିଧାରେ ଘରୋଇ, ଆଞ୍ଚଳିକ, ସମବାୟ ସମିତି, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ । କୃଷକ ଓଡ଼ିଶା ଡାଟାବେଶ ସହ ପୋର୍ଟାଲ ସଂଯୁକ୍ତ ହୋଇଛି । ଏଥିରେ ୪୦ରୁ ଅଧିକ ବ୍ୟାଙ୍କ ଯୋଡ଼ି ହୋଇଛନ୍ତି । ପୋର୍ଟାଲରେ ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଆବେଦନ ସୁବିଧା ରହିଛି । ଏଥିରେ ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା, ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲପ ଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ ।

ଉପନିର୍ବାଚନ ଗାଇଡଲାଇନ: ନିର୍ବାଚନ ଆଚରଣ ବିଧି ଲାଗୁ କଲେ ନିର୍ବାଚନ କମିଶନ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଚରଣ ବିଧି । ଏନେଇ ଗାଇଡଲାଇନ ଜାରି କଲେ ନିର୍ବାଚନ କମିଶନ । ଏହାସହ ନାଗରିକଙ୍କ ପାଇଁ ମୁଖ୍ୟ ନିର୍ବାଚନ କମିଶନ ଏକ ଅନଲାଇନ ଆପ୍ଲିକେଶନ ଲଞ୍ଚ କରିଛନ୍ତି । ଏଥିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ସାଧାରଣ ଜନତା ଅଭିଯୋଗ କରିପାରିବେ । ଏହାର ନାଁ ‘cVIGIL’ ରଖାଯାଇଛି । ଏହାଦ୍ବାରା ସାଧାରଣ ଜନତା ସ୍ବତନ୍ତ୍ର ହୋଇ ନିରପେକ୍ଷ ନିର୍ବାଚନ ପରିଚାଳନାରେ ସହଯୋଗ କରିପାରିବେ । ଆଖି ଆଗରେ ଦେଖୁଥିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଲାଇଭ ରିପୋର୍ଟ କରିବା ପାଇଁ ଏଥିରେ ଅନୁମତି ଦିଆଯାଇଛି । ଏଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ୧୦୦ ମିନିଟର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହି ୧୦୦ ମିନିଟ ମଧ୍ୟରେ ଅଭିଯୋଗର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯାଇଛି ।

ସମସ୍ତ ଦଳ ଓ ପ୍ରାର୍ଥୀଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବା ଭଳି ଆଚରଣରୁ ବିରତ ରହିବାକୁ କୁହାଯାଇଛି । ଯେମିତି କି ଭୋଟରଙ୍କୁ ଟଙ୍କା ଦେବା, ଭୋଟରଙ୍କୁ ଡରାଇବା, ଭୋଟ ଗ୍ରହଣ କେନ୍ଦ୍ରଠାରୁ ୧୦୦ ମିଟର ଭିତରେ ସଭା ଓ ପ୍ରଚାର କରିବା, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସାଧାରଣ ସଭା କରିବା ଓ ଭୋଟରଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଗାଡ଼ି ବ୍ୟବସ୍ଥା କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି କୁହାଯାଇଛି ।

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଲାଞ୍ଚ ଦେବା ଓ ଭୋଟରଙ୍କୁ ପ୍ରଭାବିତ କରିବା ମୁକ୍ତ ନିର୍ବାଚନର ପରିପନ୍ଥି ନୁହେଁ । ଦେଖିବାକୁ ମିଳୁଛି କିଛି ସ୍ଥାନରେ ପ୍ରାର୍ଥୀ ଓ ଦଳ ପକ୍ଷରୁ ଲାଞ୍ଚ ଦିଆଯିବା ସହ ଭୋଟରଙ୍କୁ ପ୍ରଭାବିତ କରାଯାଉଛି । ଉପନିର୍ବାଚନରେ ସାମିଲ ଦଳ ଓ ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ବାଚନ କମିଶନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଏସଏଚଜି ମହିଳା ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗର ଦୃଢ଼ ଜବାବ ଦେଇଛି ବିଜେଡି । ଏହାସହ ଏହାକୁ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଭିଡ଼ିଓର ଫରେନସିକ୍ ଯାଞ୍ଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି ।

ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ବାଭିମାନୀ ଧାମନଗର ମାଟିର ଏସଏଚଜି ମହିଳାଙ୍କୁ ବଦନାମ କରିବାକୁ ଏହି ଷଡଯନ୍ତ୍ର ରଚାଯାଇଛି । ସତସାହାସ ଥିଲେ ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ କିଏ ତାହା ପ୍ରମାଣିତ କରିବାକୁ ବିଜେପିକୁ ଖୋଲା ଚ୍ୟାଲେଞ୍ଜ କରିଛି ବିଜେଡି ।

ନିର୍ବାଚନ ଆସିଲେ ବିଜେପି ଚିରାଚରିତ ଢଙ୍ଗରେ ଯେଉଁ ଭଳି ଆକ୍ଷେପ ରାଜନୀତି କରିଥାଏ ଏଥର ଧାମନଗର ଉପନିର୍ବାଚନରେ ମଧ୍ୟ ସେହି ପନ୍ଥା ଆପଣେଇଛି । ମୁହଁରେ ଓଢଣି ଘୋଡାଇ ଜଣେ ମହିଳା ଟଙ୍କା ବାଣ୍ଟୁଥିବାର ଏକ ଭିଡ଼ିଓ ଦେଖାଇ ଧାମନଗରରେ ବିଜେଡି ପାଇଁ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ବିଜେପିର ଅଭିଯୋଗ ଏକ ଭିତ୍ତିହୀନ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

5T ଉପକ୍ରମରେ ୩୮ ବିଦ୍ୟାଳୟ ରୂପାନ୍ତର

ପଦ୍ମପୁର: ବଦଳୁଛି ସରକାରୀ ସ୍କୁଲର ରୂପରେଖ । ରୂପାନ୍ତରିତ ହେଉଛି ହାଇସ୍କୁଲ  । ତୃତୀୟ ପର୍ଯ୍ୟାୟରେ ପଦ୍ମପୁର  ନିର୍ବାଚନ ମଣ୍ଡଳୀର ୩୮ ଉଚ୍ଚ ବିଦ୍ୟାଳୟ 5T ଉପକ୍ରମରେ ରୂପାନ୍ତରିତ ହୋଇଛି । ୩ଟି ବ୍ଲକରେ ୬ ଜଣ ମନ୍ତ୍ରୀ ରୂପାନ୍ତରିତ ବିଦ୍ୟାଳୟର ଉଦଘାଟନ କରିଛନ୍ତି ।

ପଦ୍ମପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ବିଦ୍ୟାଳୟର ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତାଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ, ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ବିଦ୍ୟାଳୟ ରୂପାନ୍ତରିତ ହେବା ପରେ ଏବେ ସରକାରୀ ସ୍କୁଲରେ ମିଳୁଛି ବେସରକାରୀ ସ୍କୁଲ ସୁବିଧା । ଅତ୍ୟାଧୁନିକ ବିଜ୍ଞାନଗାର ସହିତ କମ୍ପ୍ୟୁଟର, ଇଣ୍ଟରନେଟ, ଡିଜିଟାଲ କ୍ଲାସରୁମ, ପାରିପାର୍ଶ୍ବିକ ଉନ୍ନତ ଭିତ୍ତିଭୂମିର ସୁବିଧା ପାଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାରଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି ।

ବିଦ୍ରୋହୀ ପ୍ରାର୍ଥୀ ବିଜେଡି ଗ୍ରହଣୀୟତାକୁ ପ୍ରଭାବିତ କରିପାରିବେ ନାହିଁ: ମାନସ ମଙ୍ଗରାଜ

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ବିଜେଡିର ଗ୍ରହଣୀୟତାକୁ ପ୍ରଭାବିତ କରିପାରିବେ ନାହିଁ । ଏପରି କହି ବିଦ୍ରୋହୀ ପ୍ରାର୍ଥୀ ତଥା ବିଜେଡିରୁ ବହିସ୍କୃତ

ରାଜେନ୍ଦ୍ର ଦାସଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି, ‘ଗତ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର ଧାରା ଚାଲିଛି । ତେଣୁ ନିର୍ବାଚନରେ ବିକାଶ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ତାଙ୍କ ଭାବମୂର୍ତ୍ତି ଲୋକଙ୍କୁ ପ୍ରଭାବିତ କରୁଛି । ପୂର୍ବରୁ ମଧ୍ୟ ଅନେକ ନିର୍ବାଚନରେ ଅନୁକମ୍ପା କଥା ଉଠିଛି । କିନ୍ତୁ ରାଜ୍ୟବାସୀ ବିକାଶକୁ ଭରସା କରିଛନ୍ତି । ବିଜେଡି ଲୋକଙ୍କ ସହ ରହିଛି ଆଉ ଲୋକଙ୍କ ପାଇଁ କାମ କରୁଛି ।’

ଆଗକୁ ସେ କହିଛନ୍ତି, ‘ବିଦ୍ରୋହୀ ପ୍ରାର୍ଥୀ ବିଜେଡି ବିଜୟରେ କୌଣସି ପ୍ରଭାବ ପକାଇବ ନାହିଁ । ଧାମନଗରରେ ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିବ । ବାଲେଶ୍ବର ଉପନିର୍ବାଚନରେ ବି ଅନୁକମ୍ପା କଥା ଉଠିଥିଲା । ହେଲେ ରେଜଲ୍ଟ କ’ଣ ହେଲା ସମସ୍ତେ ଦେଖିଲେ । ୬ ତାରିଖ ରେଜଲ୍ଟକୁ ଅପେକ୍ଷା କରନ୍ତୁ । ଏଠି ବିକାଶର ପ୍ରଭାବ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍କଳଙ୍କ ଭାବମୂର୍ତ୍ତିର ପ୍ରଭାବ ରହିଛି ।’

ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିବେକି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ’୩୧ ତାରିଖରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯୋଡ଼ି ହେବେ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆମେ ନିର୍ବାଚନ ସଭା ଅପେକ୍ଷା ଲୋକଙ୍କ ପାଖକୁ ଯାଇ ପ୍ରଚାର କରିବା ଉପରେ ଅଧିକ ଧ୍ୟାନ ଦେଉଛୁ ।’

ସେହିପରି ବିଜେପି ମହିଳାଙ୍କୁ ଅପମାନିତ କରୁଥିବା ଅଭିଯୋଗ ଆଣି ବର୍ଷିଛନ୍ତି ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ସେ କହିଛନ୍ତି, ‘ଧାମନଗର ଉପନିର୍ବାଚନରେ ଭୋଟ ହାତେଇବାକୁ ସୋସିଆଲ ମିଡିଆରେ ସ୍ବୟଂ ସହାୟିକା ମହିଳାଙ୍କୁ ନେଇ ମିଛ ଅପପ୍ରଚାର କରାଯାଉଛି । ସ୍ବୟଂ ସହାୟିକା ମହିଳାମାନେ ଟଙ୍କା ବାଣ୍ଟୁଥିବାର ମିଛ ଭିଡିଓକୁ ଭାଇରାଲ କରୁଛନ୍ତି ବିଜେପିର ନେତା । ନିର୍ବାଚନରେ ମା’ ମାନେ ଏହାର ଜବାବ ଦେବେ ।’

କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଭୁବନେଶ୍ବର: ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବ୍ଲାକମେଲିଂ ମାମଲାରେ କୋର୍ଟରେ ହାଜର କଲା ପୋଲିସ । ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ବଳୟରେ ନିଆଯାଇ କୋର୍ଟରେ ହାଜର କରାଯାଇଛି ।

ଅର୍ଚ୍ଚନା ଜଣେ ପ୍ରଯୋଜକଙ୍କୁ ୩ କୋଟି ଟଙ୍କା ମାଗି ବ୍ଲାକମେଲ କରୁଥିବା ନେଇ ନୟାପଲ୍ଲୀ ଥାନାରେ ହୋଇଥିଲା । ଅକ୍ଟୋବର ୬ ତାରିଖରେ ବ୍ଲାକମେଲ୍ ନେଇ ପ୍ରୟୋଜକ ଅଭିଯୋଗ କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା ।

ସେହିପରି ତାଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ଖଣ୍ଡଗିରି ପୋଲିସ । ତେବେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପକ୍ଷ ରଖିଛନ୍ତି ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତାଙ୍କ କହିବା ଅନୁଯାୟୀ କୋର୍ଟର ନିର୍ଦ୍ଦେଶ ମୁତାବକ ସେ ଆଜି କୋର୍ଟରେ ହାଜର ହୋଇଛନ୍ତି । ସମସ୍ତ କାଗଜପତ୍ର କୋର୍ଟରେ ଦାଖଲ କରାଯାଇଛି ।

ଟି-ଟ୍ବେଣ୍ଟି ବିଶ୍ବକପ୍: ଇଂଲଣ୍ଡକୁ ହରାଇ ଆର୍ୟଲାଣ୍ଡ ସୃଷ୍ଟି କଲା ବଡ଼ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଟି-ଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ । ବର୍ଷା ବାଧାପ୍ରାପ୍ତ ଏକ ମ୍ୟାଚରେ ଡକଓ୍ବର୍ଥ ଲୁଇସ୍ ନିୟମରେ ୫ ରନରେ ଇଂଲଣ୍ଡକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ଆର୍ୟଲାଣ୍ଡ । ଆର୍ୟଲାଣ୍ଡ ୧୯.୨ ଓଭର ବୋଲିଂ କରି ସମସ୍ତ ଓ୍ବିକେଟ ହରାଇ ୧୫୭ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୧୪.୩ ଓଭରରେ ୫ ଓ୍ବିକେଟ ହରାଇ ୧୦୫ ରନ୍ କରିଥିଲା । ଏହାପରେ ବର୍ଷା ହେବାରୁ ଖେଳ ଆଗକୁ ହୋଇ ପାରିନଥିଲା । ଫଳରେ ଡକଓ୍ବର୍ଥ ଲୁଇସ୍ ନିୟମରେ ଆର୍ୟଲାଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା ।

ଟସ୍ ଜିତି ଇଂଲଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଆର୍ୟଲାଣ୍ଡର ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ । ବିଶେଷ କରି ଅଧିନାକୟ ଏ. ବାଲବ୍ରିନି ୪୭ ବଲର ଧୂଆଁଧାର ଇଂନିସ୍ ଖେଳି ୫ ଚୌକା ଓ ୨ ଛକା ସହାୟତାରେ ୬୨ ରନ୍ କରିଥିଲେ । ଅନ୍ୟତମ ଓପନର  ପାଉଲ ଷ୍ଟ୍ରିଲିଂ ୮ ବଲରେ ୧୪ ରନ୍ କରି ଏକ ଛୋଟ ଇଂନିସ୍ ଖେଳିଥିଲେ । ଫାଷ୍ଟ ଡାଇନରେ ଆସିଥିବା ଏଲ. ଟୁକର୍ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୩୪ ରନ୍ କରିଥିଲେ । ତେବେ ଇଂଲଣ୍ଡ ବୋଲିଂ ଆଗରେ ଆର୍ୟଲାଣ୍ଡର ୫ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ଏବଂ ଏଲ. ଲିଭିଂଷ୍ଟୋନ୍ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ସାମ୍ କର୍ଣ୍ଣ ୨ଟି ଏବଂ ବେନ୍ ଷ୍ଟୋକସ ଗୋଟିଏ ଓ୍ବିକେଟ ନେଇଥିଲେ ।

୧୫୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡ ଆରମ୍ଭ ଭଲ ହୋଇ ନଥିଲା । ଦଳୀୟ ସ୍କୋର ୧ ହୋଇଥିବା ବେଳେ ଅଧିନାୟକ ଜେ. ବୁଟଲର୍ ଜିରୋରେ ଆଉଟ୍ ହୋଇଯାଇଥିଲେ । ଅନ୍ୟତମ ଓପନର ଆଲେକ୍ସ ହେଲ୍ସ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ଡି. ମାଲନ ୩୭ ବଲରେ ୨ ଚୌକା ସହାୟତାରେ ୩୫ ରନ୍ କରି ଦଳକୁ କିଛିଟା ଆଗକୁ ନେଇଥିଲେ ବି ଅନ୍ୟ ପକ୍ଷରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ପଡ଼ିବାରେ ଲାଗିଥିଲା ।

ଆର୍ୟଲାଣ୍ଡ ପକ୍ଷରୁ ଜୋଷ ଲିଟଲ ୨ଟି ଓ୍ବିକେଟ୍ ନେଇଥିବା ବେଳେ ବାରି ମାକକାର୍ଥି, ଏଫ. ହ୍ୟାଣ୍ଡ ଏବଂ ଜି. ଡକରିଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ହେତୁବାଦୀଙ୍କ ବିରୁଦ୍ଧରେ ସିଂହଦ୍ବାର ଥାନାରେ ମାମଲା

ପୁରୀ: ହେତୁବାଦୀଙ୍କ ବିରୁଦ୍ଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା। ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ମାମଲା ରୁଜୁ ହୋଇଛି। ଧାର୍ମିକ ଓ ପାରମ୍ପରିକ ପରମ୍ପରାକୁ ଗଣମାଧ୍ୟମରେ ନିନ୍ଦା ଓ ଅପମାନିତ କରିଥିବା ହେତୁବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସୂର୍ଯ୍ୟପରାଗକୁ ନେଇ ବ୍ରାହ୍ମଣ ମାନଙ୍କ ପ୍ରତି ମାନହାନି କରିବା ଭଳି ମନ୍ତବ୍ୟ ଦେଇଥିବାରୁ ସଂଗଠନର ସଭାପତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଆତ୍ମହତ୍ୟା କଲେ ପତ୍ନୀ, ବଞ୍ଚାଇବା ବଦଳରେ ଭିଡିଓ କରି ପରିବାରକୁ ପଠାଇଲେ ପତି

କାନପୁର: ଉତ୍ତର ପ୍ରଦେଶରୁ ଆସିଛି ଏକ ଛାତିଥରା ଦୃଶ୍ୟ  । ସ୍ବାମୀଙ୍କ ସାମ୍ନାରେ ଝୁଲି ପଡିଲେ ସ୍ତ୍ରୀ  । ଯାହାର ଭିଡିଓ ଖୋଦ୍‌ ସ୍ବାମୀ କରୁଥିବା ଜଣାପଡିଛି  । ଭିଡିଓ ପ୍ରସ୍ତୁତ କରି ସ୍ତ୍ରୀଙ୍କ ପରିବାରକୁ ବି ପଠାଇ ଥିଲେ ସ୍ବାମୀ  । ସ୍ତ୍ରୀ ଆତ୍ମହତ୍ୟା କରିବା ସମୟରେ ସ୍ବାମୀ ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ମରଣ ମୁହଁକୁ ଠେଲିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି  ।

ଭିଡିଓ ଦେଖିବା ପରେ ଝିଅ ଘରେ ତୁରନ୍ତ ପହଞ୍ଚିଥିଲେ ପରିବାର ଲୋକ  । ସେଠାରେ ମହିଳା ଜଣଙ୍କ ବେହୋସ ଅବସ୍ଥାରେ ପଡିଥିଲେ  । ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ ପରିବାର  । ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ  । ପୋଲିସର ପଚରାଉଚୁରା ସମୟରେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ ଅଭିଯୁକ୍ତ ସ୍ବାମୀ  ।

ସେ କହିଥିଲେ ଦୁହିଁଙ୍କ ମଧ୍ୟରେ ଅକ୍ଟୋବର ୨୫ରେ ଜୋରଦାର ପାଟିତୁଣ୍ଡ ହୋଇଥିଲା  । ଏହାପରେ ପତ୍ନୀ ଆତ୍ମହତ୍ୟା ଧମକ ଦେଇ ଫ୍ୟାନରେ ଦଉଡି ଦେବାର ଅଭିନୟ କରିଥିଲେ  । ଯାହାର ଭିଡିଓ ସ୍ବାମୀ ପ୍ରସ୍ତୁତ କରିଥିଲେ  । କିଛି ସମୟରେ ପତ୍ନୀ ସେଭଳି କିଛି ନକରି ଚେୟାରରୁ ଓହ୍ଲାଇ ଆସିଥିଲେ  । ଝିଅର ଏଭଳି କାରନାମା ପରିବାରକୁ ଦେଖାଇବା ପାଇଁ ସେ ଭିଡିଓ କରିଥିବା କହିଛନ୍ତି ସ୍ବାମୀ  । ଏହାର କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ପୁଣିଥରେ ଝଗଡା ହୋଇଥିଲା  । ଏଥର କିନ୍ତୁ ପତ୍ନୀ ସତରେ ଆତ୍ମହତ୍ୟା କରିବେ ବୋଲି ଭାବିନଥିଲେ ସ୍ବାମୀ  ।

ଗତ ୨୦୧୭ରେ ବିହାର ନିବାସୀ ସଞ୍ଜୀବ ଗୁପ୍ତାଙ୍କୁ ବିବାହ କରିଥିଲେ ଉତ୍ତର ପ୍ରଦେଶର ଶୋଭିତା  । କିନ୍ତୁ ବିବାହ ପରେ ଅଧିକ ଯୌତୁକ ଦାବି କରି ଶୋଭିତାଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ପରିବାର ଅଭିଯୋଗ କରିଛନ୍ତି  ।