spot_img
Home Blog Page 3914

ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁର ହାତ

ଭୁବନେଶ୍ବର: ହତ୍ୟା ନୁହେଁ ଆତ୍ମହତ୍ୟା ! ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁର ହାତ। ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡଯନ୍ତ୍ର। ପରକୀୟା ପ୍ରୀତିରୁ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ପୁରୁଷ ବନ୍ଧୁ ଚିତ୍ତକୁ ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟାରୁ ୬ଟା ୪୯ ମଧ୍ୟରେ ୭ ଥର କଲ୍ କରିଥିଲେ । ଶେଷ ଥର ୨୭ ସେକେଣ୍ଡ କଥା ହେବା ପରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ଚିତ୍ତ ତାଙ୍କ ଘରେ ପହଞ୍ଚି ଏଭଳି ଅବସ୍ଥା ଦେଖିବା ପରେ ମୃତଦେହକୁ ଓହ୍ଲାଇଥିବା ସନ୍ଦେହ କରାଯାଉଛି । ମୃତ ଦେହ ଓହ୍ଲାଇବା ସହ ମୁହଁରେ ପାଣି ଛିଞ୍ଚିଥିଲା ଚିତ୍ତ । ତେବେ ଶୁଭଶ୍ରୀ ନଉଠିବାରୁ ଭୟରେ ଛାଡ଼ି ପଳାଇଥିଲା । ଆଜି ପୂରା ଘଟଣାର ଡେମୋ ଦେଖାଇଛି ଚିତ୍ତ । ଅଭିଯୁକ୍ତକୁ ସାଙ୍ଗରେ ଧରି ବରୁଣେଇ ପାହାଡ଼ ବାଇପାସରୁ ଏକ ଜରିରେ ଦିଆସିଲି ଖୋଳ ସହ ଓଢ଼ଣୀ ଜବତ କରିଛି ପୋଲିସ ।

୩୦୨ ଦଫାରେ ଚାଲିଥିବା ହତ୍ୟାକାଣ୍ଡ ମାମଲା ୩୦୬ ବା ଆତ୍ମହତ୍ୟାକୁ ପରିବର୍ତ୍ତନ ହୋଇଛି । ଏହାସହ ପ୍ରମାଣ ନଷ୍ଟ ପାଇଁ ଚିତ୍ତ ବିରୋଧରେ ଲାଗିଛି ଦଫା ୨୦୧ । ଉଭୟ ଶୁଭଶ୍ରୀ ଓ ଚିତ୍ତ ନୟାଗଡ଼ ଅଞ୍ଚଳର । ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ବିବାହ ପରେ ବି ଶୁଭଶ୍ରୀଙ୍କ ସହ ଚିତ୍ତ ଯୋଗାଯୋଗରେ ଥିଲେ । ପରକୀୟା ସଂପର୍କକୁ ନେଇ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବେକରେ ଚୁନି ଭଳି ନରମ କପଡ଼ାରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ସେ ମୃତ୍ୟୁ ପୂର୍ବରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ, ସେନେଇ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ନମୁନା ପଠାଯାଇଛି ।

ପ୍ରଶ୍ନ ଉଠୁଛି, ପ୍ରେମ ବିବାହ କରିଥିବା ଶୁଭଶ୍ରୀ ଆଉ ଜଣେ ପୁରୁଷକୁ କାହିଁକି ଭଲ ପାଉଥିଲେ ? ସ୍ବାମୀଙ୍କ ସହ ତାଙ୍କର ପୂର୍ବରୁ ଝଗଡା ଲାଗି ରହୁଥିଲା କି ? ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେଉଥିଲା କି ?  ଫୋରେନସିକ ରିପୋର୍ଟ ପୂରା ଘଟଣାରୁ ପର୍ଦ୍ଦା ହଟାଇ ପାରିବ ବୋଲି ଆଶା କରାଯାଉଛି । ସେପଟେ କେବଳ ଚିତ୍ତରଞ୍ଜନ ନା ଆଉ କେହି ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । କିଛିଦିନ ତଳେ ଚିତ୍ତ ଓ ଶୁଭଶ୍ରୀ ଯାଇଥିବା ଏକ ହୋଟେଲରେ ମଧ୍ୟ ଯାଞ୍ଚ କରିବ କମିଶନରେଟ ପୋଲିସ ।

ସ୍ତ୍ରୀ ଶୁଦ୍ଧିକ୍ରିୟାରେ ସ୍ବାମୀର ମୃତ୍ୟୁ, ଅନାଥ ହୋଇଗଲେ ଦୁଇ ପିଲା

ଭଦ୍ରକ: ପ୍ରଥମେ ମାଆ ଚାଲିଗଲା, ତା’ପରେ ହାତ ଛାଡ଼ି ଦେଲେ ବାପା । ଜୀବନ କ’ଣ ଜାଣିବା ପୂର୍ବରୁ ଗୋଟିଏ ଦିନରେ ଅନାଥ ହୋଇଗଲେ ଦୁଇ କୁନି ପିଲା । ସ୍ତ୍ରୀର ଶୁଦ୍ଧି ପାଇଁ ଯାଇ ଘାଟରେ ଚାଲିଗଲା ସ୍ବାମୀର ଜୀବନ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳଛି ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତ ଅଧିନ ପେଡ଼ାସାହି ଗ୍ରାମରେ । ସ୍ତ୍ରୀଙ୍କ ମୃତ୍ୟୁର ୧୦ ଦିନ ଭିତରେ ଚାଲିଯାଇଛି ସ୍ବାମୀର ଜୀବନ ।

ଗାଁ ମୁଣ୍ଡରେ ଚାଲିଥିଲା ଶୁଦ୍ଧିକ୍ରିୟା । ଅନେକ ଲଣ୍ଡା ହୋଇଥିଲେ । ଆଉ କିଛି ବାକିଥିଲେ । କିନ୍ତୁ ଘାଟକୁ ଆସିଲା ଅଶୁଭ ଖବର । ସ୍ତ୍ରୀର ଦଶାହ କର୍ମରେ ଚାଲିଗଲା ସ୍ବାମୀ ନରହରି ପେଡାଙ୍କ ଜୀବନ । କିଏ କିଛି ବୁଝିବା ପୂର୍ବରୁ ଅନାଥ ହୋଇଗଲେ ଦୁଇ କୁନି ପିଲା । ଅଟୋ ଚଳାଇ ରୋଗୀଣା ସ୍ତ୍ରୀ ଓ ଦୁଇ ପୁଅଝିଅଙ୍କ ପେଟ ପାଳୁଥିଲେ । ଦୁଇବର୍ଷ ତଳେ ସ୍ତ୍ରୀ ଇତିଶ୍ରୀ ଟିବି ରୋଗରେ ଆକ୍ରାନ୍ତ ହେଲେ । ନିଜର ସ୍ବଳ୍ପ ରୋଜଗାରରେ ଯଥାସାଧ୍ୟ ଚିକିତ୍ସା କରିଥିଲେ ନରହରି । ଅଟୋରୁ ଯାହା ରୋଜଗାର ହୁଏ ଔଷଧ ସହ ଯେନତେନ ଘର ଚଳାଇ ନେଉଥିଲେ । ହେଲେ ଗତ ୨୪ରେ ଇତିଶ୍ରୀ ତାଙ୍କ ହାତ ଛାଡ଼ିଦେଲେ । ପୋଖରୀରେ ଦଶାହ କର୍ମ ଚାଲିଥିବାବେଳେ ନରହରି ମଧ୍ୟ ମୃତ୍ୟୁ ହେଲା ।

ଅଭାବ ଭିତରେ ଚାଲିଥିଲା ନରହରିଙ୍କ ସଂସାର । ଏବେ ସେ ଚାଲିଯିବା ପରେ ଶୁଦ୍ଧିକ୍ରିୟା ପାଇଁ ଗ୍ରାମବାସୀ ଚାନ୍ଦା କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୁଦ୍ଧିକ୍ରିୟା ପାଇଁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଆଶ୍ରମ ସ୍କୁଲରେ ଦୁଇ ପିଲାଙ୍କ ଥଇଥାନ ସହ ପାଠ ପଢ଼ାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ଗାଁକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ଦୁନୀଆ କ’ଣ ଜାଣିବା ପୂର୍ବରୁ ଅନାଥ ହୋଇଯାଇଛନ୍ତି ୬ ବର୍ଷର ଝିଅ ଓ ୨ ବର୍ଷର ପୁଅ । ଏବେ ପ୍ରଶାନର ସହାୟତା ଉପରେ ହିଁ ନିର୍ଭର କରୁଛି ତାଙ୍କ ଭବିଷ୍ୟତ ।

କଲେଜ ସ୍ତରରୁ ସୃଷ୍ଟି ହେବେ ହକି ଖେଳାଳି

ରାଉରକେଲା: ହକିକୁ ମିଳିବ ପ୍ରୋତ୍ସାହନ । କଲେଜ୍ ସ୍ତରରୁ ସୃଷ୍ଟି ହେବେ ଖେଳାଳି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ରାଉରକେଲା ଗସ୍ତ ଅବସରରେ ଏପରି ସୂଚନା ଦେଇଛନ୍ତି । ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବା ସହ ମୋ କଲେଜ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି । କଲେଜର ବିକାଶ ପାଇଁ କଲେଜର ପୁରାତନ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସହଯୋଗ ନିଆଯାଉଛି । ଏହି ଅବସରର କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି ।

ସହରର ନୀଳଶୈଳ କଲେଜ, ବନ୍ଧମୁଣ୍ଡା କଲେଜ, ମ୍ୟୁନିସିପାଲ କଲେଜ ଓ ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । କ୍ରୀଡା ସହିତ ଶିକ୍ଷାର ସୁବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଛାତ୍ରଛାତ୍ରୀ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଉରକେଲା ସହରରେ ପୁରୁଷ ହକି ବିଶ୍ବକପ ଆରମ୍ଭ ହେଵା ପୁର୍ବରୁ ହକି ଖେଳକୁ ପ୍ରୋତ୍ସାହନ ଯୋଗାଇ ଦେଵା ପାଇଁ କଲେଜ ସ୍ତରୀୟ ହକି ପ୍ରତିଯୋଗିତା ଆୟୋଜନ କରାଯିଵ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସ୍ମାର୍ଟସିଟିରେ ହେବ ରିଂ ରୋଡ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଖୁବଶୀଘ୍ର ନିର୍ମାଣ ହେବ ରିଂ ରୋଡ୍ । ଜମି ଅଧିଗ୍ରହଣ ଜନିତ ସମସ୍ୟା ପ୍ରକଳ୍ପ ପାଇଁ ସାଜିଥିଲା ବାଧକ । ସମସ୍ୟାର ସମାଧାନ ସହ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଣ୍ଟା ଭିଡ଼ିଛି ବିଡିଏ । ୬୫ କିମି ଦୂରତା ବିଶିଷ୍ଟ ଏହି ରିଂ ରୋଡ ନିର୍ମାଣ ହେଲେ ରାଜଧାନୀର ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

କାର୍ଯ୍ୟକ୍ଷମ ହେବ ବିଡିଏର ଡ୍ରିମ୍ ପ୍ରୋଜେକ୍ଟ । କମିବ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା । ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜଧାନୀ ଭୁବନେଶ୍ବରର କଳେବର । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବଢୁଛି ଯାନବାହନ ସଂଖ୍ୟା । ଫଳରେ ଟ୍ରାଫିକ୍ ସହିତ ସଡକ ଦୁର୍ଘଟଣା ଜନିତ ସମସ୍ୟା ବୃଦ୍ଧି ପାଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ବିଡିଏ କର୍ତ୍ତୃପକ୍ଷ ପକ୍ଷରୁ ରିଂ ରୋଡ ଭଳି ଏକ ଡ୍ରିମ୍ ପ୍ରୋଜେକ୍ଟ ହାତକୁ ନେଇଛି । ସହର ବାହାରେ ୬୪.୯ କିମି ଦୈର୍ଘ୍ୟର ରିଂ ରୋଡ ନିର୍ମାଣ ହେବ । ୮ଟି ସ୍ଥାନରେ ଟାଉନ୍ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହା ହେଲେ ରିଂ ରୋଡ ନିର୍ମାଣ ପାଇଁ ସହଜ ହେବ । ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସହ ଜମି ଅଧିଗ୍ରହଣକୁ ନେଇ ପୂର୍ବରୁ ଥିବା ପ୍ରତିବନ୍ଧକ ଦୂର ହୋଇଛି । ରିଂ ରୋଡ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରି ଶେଷ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ କହିଛନ୍ତି

କଟକ-ପୁରୀ ବାଇପାସ ପରେ ଏବେ ରିଂ ରୋଡ ନିର୍ମାଣ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ସହର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ସମସ୍ୟା ହେଉଛି । ଏଥିପାଇଁ ଯଦିଓ ଏକାଧିକ ଫ୍ଲାଇ ଓଭର କରାଯାଇଛି ତଥାପି ରିଂ ରୋଡ ନିର୍ମାଣ ଜରୁରୀ ବୋଲି କହିଛନ୍ତି ଟାଉନ ପ୍ଲାନର ମନୋଞ୍ଜୟ ରଥ । ସେପଟେ ଭୁବନେଶ୍ବର ବାହାରେ ରିଂ ରୋଡ ନିର୍ମାଣ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ।

୨୦୨୨ ଗୁଜରାଟ ଦଙ୍ଗ ମାମଲା, ତିସ୍ତା ସେତଲଭାଡଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ମାମଲା । ସମାଜସେବୀ ତିସ୍ତା ସେତଲଭାଡଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ସାକ୍ଷୀମାନଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରସ୍ତୁତି ଓ ସେସବୁକୁ ନାନାବତୀ କମିଶନ ନିକଟରେ ଦାଖଲ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ପ୍ରକ୍ରିୟାରେ ସମସ୍ତ ସହଯୋଗ କରିବା ସହ ନିଜର ପାସପୋର୍ଟ ଦାଖଲ କରିବାକୁ ମଧ୍ୟ ତିସ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଅନ୍ତରୀଣ ଜାମିନ ଆବେଦନକୁ ଏକ ଦୌରାଜଜ ଓ ହାଇକୋର୍ଟ ଅଗ୍ରାହ୍ୟ କରିବା ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତିସ୍ତା । ତିସ୍ତାଙ୍କ ଲାଗି ଲଢୁଥିଲେ ବରିଷ୍ଠ ଆଇନଜୀବୀ କପିଲ ସିବଲ । ଗୁଜରାଟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଫସାଇବା ଲାଗି ମିଥ୍ୟା ପ୍ରମାଣ ଯୋଗାଡ଼ କରୁଥିବା ନେଇ ତିସ୍ତାଙ୍କ ବିରୋଧରେ ଅଭିଯୋଗ ହେବା ସହ ପୂର୍ବତନ ଆଇପିଏସ ଆର.ବି. ଶ୍ରୀକୁମାର ଓ ସଞ୍ଜୀବ ଭଟ୍ଟଙ୍କୁ ଗିରଫ କରାଯାଇଥିଲା ।

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍ ଟ୍ରସ, ଆସନ୍ତା ସୋମବାର ଫଳାଫଳ ଘୋଷଣା

ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍ ଟ୍ରସ । କଞ୍ଜରଭେଟିଭ ପାର୍ଟିର ନେତ୍ରୀ ବର୍ତ୍ତମାନ ସୁଦ୍ଧା ଆଗରେ ଥିବା ସୂଚନା ମିଳିଛି । ଶୁକ୍ରବାର ସୁଦ୍ଧା ସରିଥିବା ପୋଲିଂରେ ଲିଜ୍ ସୁବିଧାଜନକ ସ୍ଥିତିରେ ଅଛନ୍ତି । ପୂର୍ବତନ ଚାନସେଲର ରିଷି ସୁନାକଙ୍କଠାରୁ ବୈଦେଶିକ ମନ୍ତ୍ରୀ ଲିଜ୍ ଯଥେଷ୍ଟ ଆଗରେ ରହିଛନ୍ତି । ଆସନ୍ତା ସୋମବାର ଫଳାଫଳ ଘୋଷଣା ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମ ରାଣୀ ଏଲିଜେବେଥ ଘୋଷଣା କରିବେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଇସ୍ତଫା ପତ୍ର ବିଧିବଦ୍ଧ ଭାବେ ରାଣୀଙ୍କୁ ପ୍ରଦାନ କରିବେ ।

ଗତ ଅଗଷ୍ଟରୁ ଆରମ୍ଭ ହୋଇଥିବା ଭୋଟରେ ସଦସ୍ୟମାନେ ଭାଗ ନେଇଥିବାବେଳେ ପୋଷ୍ଟାଲ ଓ ଅନଲାଇନ ଭୋଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ କ୍ଷେତ୍ରରେ ଶୁଳ୍କ ହ୍ରାସ ଓ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଲିଜ୍ ।

ଦେଶରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ବିଦ୍ୟୁତ ଦର ବୃଦ୍ଧି କାରଣରୁ ବୋରିସ ଜନସନଙ୍କ ବିରୋଧର ଜନମତ ତୀବ୍ର ହୋଇଥିଲା । କୋଭିଡ କାଳରେ ପାର୍ଟି ଆୟୋଜନ କରି ବେଶ୍ ନିନ୍ଦାର ପାତ୍ର ହୋଇ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ ଜନସନ । ଆସନ୍ତା ୨୦୨୫ ଜାନୁଆରୀରେ ହେବ ବ୍ରିଟେନ ସାଧାରଣ ନିର୍ବାଚନ ।

ସାବଧାନ ଅମାନିଆ: ସେପ୍ଟେମ୍ବରରେ ବିନା ହେଲମେଟରେ ଘରୁ ବାହାରିଲେ…

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ । ବିନା ହେଲମେଟରେ ଗାଡି ଚଲାଇଲେ କରାଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗାମୀ ପୂଜା ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଟ୍ରାଫିକ ଏନଫୋର୍ସମେଣ୍ଟ ଡ୍ରାଇଭକୁ ଆହୁରି ଅଧିକ କଠୋର କରାଯାଇଛି । ଏନେଇ ଏନଫୋର୍ସମେଣ୍ଟ ଓ ସଡ଼କ ସୁରକ୍ଷା ଅତିରିକ୍ତ କମିଶନର ପରିବହନ ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଚଳିତମାସ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ମୋଟରଯାନ ନିୟମ ଭଙ୍ଗୁଥିବା ଅମାନିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଦେଖାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହାସହ ଏନଫୋର୍ସମେଣ୍ଟ ଡ୍ରାଇଭରେ ମଦ୍ୟପାନ କରି ଗାଡ଼ି ଚଲାଇବା, ହେଲମେଟ ଯାଞ୍ଚ, ସ୍କୁଲ ବସ୍, ଓଭର ଲୋଡିଂ ଓ ଫିଟନେସ୍ ଯାଞ୍ଚ କରାଯିବ ।

ସୂଚନାଯୋଗ୍ୟ, ଅଗଷ୍ଟ ୧୬ରୁ ୩୦ ତାରିଖ ଦୁଇ ସପ୍ତାହ ଧରି ବାଇକ୍ ଆରୋହୀଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା । ଜାତୀୟ ଓ ରାଜ୍ୟ ରାଜପଥରେ କଡ଼ା ଚେକିଂ କରାଯିବା ସହ ବିନା ହେଲମେଟରେ ଡ୍ରାଇଭିଂ ପାଇଁ ୨୪ ହଜାର ୪୭୪ ଇ-ଚାଲାଣ ଜାରି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ପାଇଁ ମୋଟ ୮୮୮ଟି ଗାଡ଼ି ଜବତ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନଫୋର୍ସମେଣ୍ଟ ଟିମ୍ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ବାବଦକୁ ଆଦାୟ କରିଥିବା ବେଳେ ବିନା ହେଲମେଟରେ ଗାଡ଼ି ଚଲାଇବା କାରଣରୁ ୧୨ ହଜାର ୫୪୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୧ରେ ସଡ଼କ ଦୁର୍ଘଟଣାରେ ୮୬୮ ଜଣ ବାଇକ ଚାଳକ ଓ ୪୪୦ ଜଣ ବାଇକ ଆରୋହୀଙ୍କୁ ମିଶାଇ ମୋଟ ୧୩୦୮ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ ।

ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଲାଲମୋହନ ସେଠୀ କହିଛନ୍ତି, ‘ବାଇକ ଚାଳକଙ୍କ ବିରୋଧରେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ରୋକିବା ପାଇଁ ଚାଳକଙ୍କ ମଧ୍ୟରେ ଦାୟିତ୍ବବୋଧ ସୃଷ୍ଟି କରିବା । ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଥିଲେ ମଧ୍ୟ ରାଜପଥରେ ହେଲମେଟ ନପିନ୍ଧି ଗାଡ଼ି ଚଲାଇବା କାରଣରୁ ଦୁର୍ଘଟଣା ଘଟୁଛି ।’

ଆଘାତ କାରଣରୁ ଚଳିତ ଏସିଆ କପରୁ ବାଦ ପଡ଼ିଲେ ରବୀନ୍ଦ୍ର ଜାଡେଜା

ଦୁବାଇ: ୟୁଏଇରେ ଚାଲିଥିବା ଚଳିତ ଏସିଆ କପରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆହତ କାରଣରୁ ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପରୁ ବାଦ୍ ପଡ଼ିଛନ୍ତି । ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି ଯାହା ଫଳରେ ସେ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଆହତ ପରେ ଜାଡେଜା ଏବେ ବିସିସିଆଇ ମେଡିକାଲ ଟିମର ତତ୍ତ୍ୱାବଧାନରେ ଅଛନ୍ତି । ତେବେ ଚଳିତ ଏସିଆ କପରେ ଜାଡେଜାଙ୍କ ସ୍ଥାନରେ ଅକ୍ସର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି ।

ଜାଡେଜା ଚଳିତ ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୨୯ ବଲରେ ୩୫ ରନ କରି ଭାରତକୁ ବିଜୟ ଭେଟି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ହଂକଂ ବିପକ୍ଷରେ ୪ ଓଭରରେ ୧୫ ରନ ଦେଇ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।

 

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ପରେ ମେଡିକାଲରେ ଭର୍ତ୍ତି ହେଲେ ଶିବମୂର୍ତ୍ତି

ବେଙ୍ଗାଲୁରୁ: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । ମୁରଗା ରାଜେନ୍ଦ୍ର ବିଦ୍ୟାପୀଠ ମଠର ଲିଙ୍ଗାୟତ ମଠାଧୀଶ ଶିବମୂର୍ତ୍ତି ମୁରୁଗା ସାରାନାରୁ  ଗିରଫ ପରେ ମେଡିକାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ଚିତ୍ରଦୁର୍ଗା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICU ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲେ କୋର୍ଟ ଚାଲାଣ କରାଯିବ । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ରଶ୍ମୀଙ୍କୁ ଗିରଫ କରାଯାଇଛି ବୋଲି ଚିତ୍ରଦୁର୍ଗା ଏସପି ସୂଚନା ଦେଇଛନ୍ତି । ଲିଙ୍ଗାୟତ ମଠର ମଠାଧୀଶ ଶିବମୂର୍ତ୍ତି ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ମହୀଶୂର ସିଟି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏସସି ଓ ଏସଟି ଆଇନ ଏବଂ ପୋକସୋ ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି ।

ଏହି ମାମଲାରେ ଶିବମୂର୍ତ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଫ୍ରିଡମ୍ ପାର୍କଠାରେ ଦଳିତ ମହିଳା ଓ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶିବମୂର୍ତ୍ତି ଦୁଇ ନାବାଳିକାଙ୍କୁ ମଠ ଦ୍ବାରା ପରିଚାଳିତ ଆଶ୍ରମରେ ସାଢ଼େ ୩ ବର୍ଷ ଧରି ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ ରହିଛି । ଗତ ଜୁଲାଇ ୨୪ରେ ଦୁଇ ନାବାଳିକା ଛାତ୍ରୀ ନିବାସ ପରିତ୍ୟାଗ କରିଥିଲେ ଏବଂ ପରଦିନ ସେମାନେ କଟୋନପେଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ୨୬ତାରିଖରେ ନଜରାବାଦ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଥିଲା ।

କୃତି ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର:  କେନ୍ଦୁଝର ଜିଲ୍ଲାରେ ଡିଏମଏଫ ତରଫରୁ ମାଟ୍ରିକ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ଛାତ୍ରବୃତ୍ତି । ୩ୟ ବର୍ଷ ପାଇଁ ଚଳିତଥର ୧୧ ହଜାର ୬୦୫ ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ ।

ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସରକାରୀ ତଥା ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରବୃତ୍ତି ଗ୍ରହନ କରିବା ସହ, ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗଦେଇ ଆନନ୍ଦ ଅନୁଭବ କରୁଥିବା ଛାତ୍ରଛାତ୍ରୀ କହିଛନ୍ତି ।

ପିଲାମାନଙ୍କ ସହ ଭାବ ବିନିମୟ କରିବା ସମୟରେ ଭାବୁକ ହୋଇ ଯାଇଥିଲେ ବାଗଚୀ । ସେ କେନ୍ଦୁଝର ଡିଏନ ହାଇସ୍କୁଲର ଛାତ୍ର ଥିବା କହିବା ସହ ନିଜର ପିଲା ଦିନେ ସେ ବିତାଇଥିବା କଠିନ ସମୟ କିଭଳି ତାଙ୍କୁ ବଡ ଦେଖାଇଥିଲା କହିଥିଲେ । ଏହାସହ ଉଚ୍ଚ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ କିଭଳି ପ୍ରୟାସ କରିବାକୁ ହେବ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ ।

୩ୟ ବର୍ଷ ପାଇଁ ଡିଏମଏଫ୍ ଛାତ୍ରବୃ୍ତ୍ତି ପ୍ରଦାନ କରାଯାଇଛି । ୪୦ହଜାର ଟଙ୍କାରୁ ଆରମ୍ଭ କରି ପିଲାଙ୍କୁ ୨୫ ହଜାର, 1୫ ହଜାର ଓ ସର୍ବନିମ୍ନ ୧୦ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯାଇଥିବା ଦିଆଯାଉଥିବା ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ।  ଚଳିତବର୍ଷ ଜିଲ୍ଲାର ୧୧ ହଜାର ୬୦୫ ଜଣ କୃତି ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ କହିଛନ୍ତି ।