ଭୂକମ୍ପରେ ଦୋହଲିଗଲା ଇଣ୍ଡୋନେସିଆ, ୪୪ ମୃତ ୩୦୦ରୁ ଅଧିକ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ । ଜାଭାରେ ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୪ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଭୂକମ୍ପରେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ଦଶମିକ ୬ ଥିବା ସୂଚନା ମିଳିଛି ।

ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସୁନାମି ଆଶଙ୍କା ନାହିଁ ବୋଲି କୁହାଯାଇଛି । ଜାକର୍ତ୍ତାରୁ ୭୫ କିଲୋମିଟର ଦୂର ସିଆଞ୍ଜୁରରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେତେକ ସ୍ଥାନରେ ଅନେକ କୋଠା ଧୂଳିସାତ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ପରେ ୨୫ ଥର ଆଫ୍ଟରସକ୍ ଘଟିଥିବା ସୂଚନା ମିଳିଛି ।