କୋରେଇ ରେଳ ଦୁର୍ଘଟଣା: ଆମରଣ ଅନଶନ ଚେତାବନୀ ଦେଲେ ଆନ୍ଦୋଳନକାରୀ

ଯାଜପୁର: କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ବିରୋଧରେ ତାତିଲେ ସ୍ଥାନୀୟଲୋକ । ରେଳଷ୍ଟେସନରେ ଧାରଣା ଦେଇ
ମୃତକଙ୍କ ପରିବାରରୁ ଜଣକୁ ଚାକିରି ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ୫୦ ଲକ୍ଷର ଆର୍ଥିକ ସହାୟତା ଆନ୍ଦୋଳନକାରୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆମରଣ ଅନଶନ ପାଇଁ ସେମାନେ ଚେତାବନୀ ଦେଇଛନ୍ତି । ମୃତ ମହିଳାଙ୍କ ସ୍ୱାମୀ ଭିନ୍ନକ୍ଷମ । ତାଙ୍କର ୨ ଜଣ ଅବିବାହିତ ଝିଅ ରହିଛନ୍ତି । ତେଣୁ ତାଙ୍କ ପରିବାରର ଜଣଙ୍କୁ ଚାକିରି ପାଇଁ ଦାବି ହୋଇଛି ।

ଆଜି ସକାଳେ ଲାଇନ୍‌ଚ୍ୟୁତ ହୋଇ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ି ଯାଇଥିଲା ମାଲବାହୀ ଟ୍ରେନ୍। ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ରେଳ ଦୁର୍ଘଟଣାରେ ମାଆ, ଝିଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ମାଆ ପାର୍ବତୀ ଓ ଝିଅ କଣ୍ଢେଇ ବିନ୍ଧାଣୀ । କଣ୍ଢେଇଙ୍କ ସ୍ବାମୀ ବଳରାମ ସ୍ତ୍ରୀ ଓ ଶାଶୂଙ୍କୁ ନେଇ କଟକ ଯିବାକୁ ଟିକେଟ୍ କାଟି ୱେଟିଂ ରୁମ୍‌ରେ ବସିଥିଲେ। ଏହି ସମୟରେ ଭୀଷଣ ଶବ୍ଦ କରି ମାଡ଼ି ଆସିଥିଲା ମାଲବାହୀ ଟ୍ରେନ୍‌। ଚାହୁଁ ଚାହୁଁ ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା ବଗି। ତା’ପରେ ଟିକେଟ୍ କାଉଣ୍ଟର ଓ ୱେଟିଂ ହଲକୁ ମାଡ଼ିଯାଇଥିଲା।

ୱେଟିଂ ରୁମରେ ଥିବା ମାଆ ପାର୍ବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଝିଅ କଣ୍ଢେଇଙ୍କର ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି।