ପଦମପୁର ପାଇଁ ନାମାଙ୍କନ କରିଥିଲେ ୧୩, ଲଢିବେ ୧୦

ପଦମପୁର: ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି । ମଇଦାନରେ ଲଢିବେ ୧୦ ପ୍ରାର୍ଥୀ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ମୋଟ ୧୩ ଜଣ ନାମାଙ୍କନ କରିଥିବାବେଳେ ଯାଞ୍ଚ ବେଳେ ୨ ଜଣଙ୍କ ନାକଚ ହୋଇଥିଲା। ଆଜି ଜଣେ ପ୍ରାର୍ଥୀ ପ୍ରତ୍ୟାହାର କରିଛନ୍ତି । ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର।

୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ କରାଯାଇଛି । ପଦମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ ରହିଛି। ୩୧୯ ମତଦାନ କେନ୍ଦ୍ରରେ ଭୋଟ ଦେବେ ଭୋଟର । କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ତେଣୁ ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟ ଦେବେ ଭୋଟର ।

୨୮୪ ବାଲାଟ ପାଇଁ ଆବେଦନ କରିଛନ୍ତି। ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି । ବେଆଇନ ଭାବେ ଲାଗିଥିବା ୨୦୫୮ ପୋଷ୍ଟର ବ୍ୟାନର କଢ଼ାଯାଇଛି। ୧୦୪ ଜଣଙ୍କ ଏନବିଡବ୍ଲୟୁ ବାହାର କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୧୧୪ ମାମଲା ରୁଜୁ କରାଯାଇଛି। ୭୪ ଜଣଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ନିର୍ବାଚନ ଦିନକୁ ସବୈତନିକ ଛୁଟି ଘୋଷଣା କରାଯାଇଛି ।

୭୪ ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ରହିଛି । ୭୮ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ଆଇଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅବଜରଭର ମୁତୟନ ହେବେ । ନିର୍ବାଚନ ପରିଚାଳନା ପାଇଁ ୩ ଜଣ ଅବଜରଭର ରହିବେ।