କୋରାଇରେ ସ୍ୱାଭାବିକ୍ ହେଳା ରେଳ ଚଳାଚଳ, ଉଭୟ ଅପ୍ ଓ ଡାଉନ୍ ଲାଇନରେ ଚାଲିଛି ଟ୍ରେନ୍

କୋରାଇ: ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଯାଜପୁର କୋରାଇ ରେଳ ଷ୍ଟେସନର ଉଭୟ ଲାଇନରେ ସ୍ୱାଭାବିକ୍ ହୋଇଛି ରେଳ ଚଳାଚଳ । ରେଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ଟ୍ରେନ୍ ଲାଇନ୍ ସଫେଇ ଓ ମରାମତି କାର୍ଯ୍ୟ । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟ୍ରେନ୍ ଲାଇନରୁ ମାଲବାହୀ ଟ୍ରେନର ବଗିକୁ କଢ଼ାଯାଇଛି । ସେହିପରି ଟ୍ରେନ୍ ଲାଇନ୍ ମରାମତି ହୋଇଛି । ଗତକାଲି ରାତିରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିଥିବା ବେଳେ, ଆଜି ଉଭୟ ଅପ୍ ଓ ଡାଉନ୍ ଲାଇନରେ ସ୍ୱାଭାବିକ୍ ହୋଇଛି ଟ୍ରେନ୍ ଚଳାଚଳ ।

ଅନ୍ୟପଟେ ମାଲବାହୀ ଟ୍ରେନ କିପରି ଦୁର୍ଘଟଣା ହେଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । କାହିଁକି ଲାଇନଚ୍ୟୁତ ହେଲା ମାଲଗାଡ଼ି ଟ୍ରେନର ବଗି । ଗୋଟିଏ ବଗିର ଚକ କୁଆଡ଼େ ଗଲା ? ଟ୍ରାକରେ ନା ଟ୍ରେନରେ ଥିଲା ସମସ୍ୟା । ଏଭଳି ଅନେକ ଦିଗକୁ ନେଇ ତଦନ୍ତ କରାଯିବ । ଗତକାଲି ସକାଳ ୬ଟା ୪୪ ମିନିଟରେ କୋରାଇ ରେଳ ଷ୍ଟେସନର ପ୍ଲାଟଫର୍ମରେ ଲୋକ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଦେଖୁ ଦେଖୁ ଟ୍ରେନର ୮ଟି ବଗି ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ସେହିପରି କିଛି ବଗି ଟିକେଟ୍ କାଉଣ୍ଟରକୁ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ ।

ଖବର ପ୍ରଘଟ ହେବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ଅଗ୍ନିଶମ ବାହିନୀ, ଆରପିଏଫ୍ ଓ ସ୍ଥାନୀୟ ବାସିନ୍ଦା । ଏହାସହ ଭଦ୍ରକ ଓ ଖୋର୍ଦ୍ଧାରୁ ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ । ଦୁର୍ଘଟଣା ଯୋଗୁ ଉଭୟ ଅପ୍ ଓ ଡାଉନ ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଘଟଣାର କେଉଁ ସ୍ତରୀୟ ତଦନ୍ତ ହେବ ସେନେଇ ରେଳବାଇ ସୁରକ୍ଷା ମୁଖ୍ୟ ସୁପାରିଶ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ।