ପଦମପୁର ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା, ହାତ ଛାଡିଲେ ଶତାଧିକ କର୍ମୀ

ବରଗଡ: ପଦମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହୋଇଥିବା ବେଳେ କଂଗ୍ରେସକୁ ଲାଗିଛି ଶକ୍ତ ଧକ୍କା । ହାତରୁ ଆସ୍ଥା ହରେଇ ବିକାଶ ସହ ଯୋଡି ହୋଇଛନ୍ତି କଂଗ୍ରେସର ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ପୂର୍ବତନ ସରପଞ୍ଚ, ପଂଚାୟତ ସଭାପତି ଓ ଏସଏଚଜି ସଭାପତି । ସେମାନେ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି ।

ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ପଦମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ ବହିଦାର, ଭେଉଁରିଆ ପଂଚାୟତର ସରପଞ୍ଚ ଚୈତନ୍ୟ ଲୁହାର, ଲୁହାରପାଲି ପଂଚାୟତର ପୂର୍ବତନ ସରପଞ୍ଚ ଦିଲ୍ଲୀପ ସାହୁ, କଡଲିମୁଣ୍ଡା ପଂଚାୟତର କଂଗ୍ରେସ ସଭାପତି ବିଷ୍ଣୁ ବେହେରା, ଭେଉଁରିଆ ପଂଚାୟତର କଂଗ୍ରେସ ସଭାପତି ରୁଷଭ ସାହୁ, ଲୁହାରପାଲ୍ଲୀ ପଂଚାୟତର କଂଗ୍ରେସ ସଭାପତି ଧବଳେଶ୍ବର ସାହୁ ଓ କଂଗ୍ରେସ ଏସଏଚଜି ସଭାନେତ୍ରୀ ଝରଣା ସାହୁ ନିଜର ପ୍ରାୟ ହଜାରରୁ ଅଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅର୍ଥମନ୍ତ୍ରୀ ନରଂଜନ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ଏହି କଂଗ୍ରେସ ନେତାମାନେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ବିକାଶ ଅଭିମୁଖୀ ଶାସନରେ ଆକୃଷ୍ଟ ହୋଇ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଏଥିସହିତ ଆଗାମୀ ଦିନରେ ସେମାନେ ପଦମପୁରରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ସହ ବର୍ଷା ସିଂହ ବରିହାଙ୍କୁ ଜିତାଇବାରେ ସହଯୋଗ କରିବେ ବୋଲି କହିଛନ୍ତି ।