spot_img
Home Blog Page 3913

ଛଟ୍‌ ପୂର୍ବରୁ ଦୂଷିତ ଯମୁନା, ଆଇସ୍‌ଲ୍ୟାଣ୍ଡର ଭ୍ରମ ସୃଷ୍ଟି କଲା ଦିଲ୍ଲୀ

ନୂଆଦିଲ୍ଲୀ: ଛଟ୍‌ ପୂଜା ପୂର୍ବରୁ ଦୂଷିତ ହୋଇଛି ଯମୁନା ଜଳ । ନଦୀ ପାଣିରେ ବରଫ ଭଳି ଆସ୍ତରଣ ଭାସୁଥିବା ଦେଖାଯାଇଛି । ଅପରିଷ୍କାର ଯମୁନା ପାଣିରେ ଆଜି ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ । ଛଟ୍ ପୂଜାରେ ନଦୀରେ ବୁଡ଼ ପକାଇଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ବାସ ରହିଛି । ଆଜି ସକାଳୁ ଦିଲ୍ଲୀର କାଳନ୍ଦୀ କୁଞ୍ଜ ଅଞ୍ଚଳରେ ଯମୁନା ନଦୀରେ ଏଭଳି ଧଳା ଧଳା ଫେଣ ଭାସୁଥିବା ବେଳେ ସେହି ପାଣିରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।

ଯମୁନା ପାଣିରେ ଆମୋନିଆର ମାତ୍ରା ବଢ଼ିଯିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ବଢ଼ିଥିବା ଯୋଗୁ ଯମୁନା ଜଳରେ ଆମୋନିଆର ମାତ୍ରା ବୃଦ୍ଧି ପାଇଛି । ବିହାରରେ ଛଟ ମହାପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଷଷ୍ଠୀ ପୂଜା, ୩୧ ଅକ୍ଟୋବରରେ ପୂଜା ସମାପନ ହେବ ।

ବିଶେଷକରି ପଶ୍ଚିମବଙ୍ଗ, ବିହାର ଝାଡଖଣ୍ଡରେ ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଛି । ଛଟ ପୂଜା ପାଇଁ ୧୨୪ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ପାଟନାରେ ଛଟ ପୂଜା ପାଇଁ ୨୧ ଫୁଟ ଲମ୍ବର ଏକ ସ୍ବତନ୍ତ୍ର ପେଣ୍ଟିଂ ମଧ୍ୟ ଲଗାଯାଇଛି ।

କମିଶନରେଟ ପୋଲିସ ସ୍କାନରରେ ଦୁର୍ଦ୍ଦାନ୍ତ ଅପରାଧୀ, ପୁଣି ଜଣେ ତଡିପାର

ଭୁବନେଶ୍ବର: ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ତଡ଼ିପାର କଲା କମିଶନରେଟ୍ ପୋଲିସ । ଅଭ୍ୟାସଗତ ଓ ପେଷାଦାର ଅପରାଧୀ କିଷନ ଓରଫ କ୍ରୀଷ୍ଣା ସିଂକୁ ତଡ଼ିପାର କରାଯାଇଛି । ତା ଘର ପାତ୍ରପଡ଼ା ଉଦୟଗିରି ବିହାରରେ । ଖଣ୍ଡଗିରି ଥାନା ଅଞ୍ଚଳ ଓ ଭୁବନେଶ୍ବର ସହରାଞ୍ଚଳ ପୋଲିସ ପାଇଁ ଏହି ତଡିପାର କଟକଣା ବଳବତ୍ତର ରହିବ ।

୨୦୧୪ରୁ ୨୦୨୨ ମଧ୍ୟରେ କିଷନ ନାଁରେ ଖଣ୍ଡଗିରି ଥାନାରେ ୮ଟି ମାମଲା ରହିଛି । ଭରତପୁର ଥାନାରେ ୨ଟି, ଏୟାରପୋର୍ଟ ଓ ଜଟଣୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି । ଲୋକଙ୍କୁ ଭୟଭୀତ କରିବା ସହ ମାରଣାସ୍ତ୍ର ଦେଖାଇ ଲୁଟ୍ ଓ ଚୋରିରେ ଲିପ୍ତ ଥିଲା କିଷନ । ସହରାଞ୍ଚଳ ପୋଲିସ ଅଧିନିୟମ ଅନୁସାରେ ତଡ଼ିପାର ଆଦେଶ ଜାରି ହୋଇଛି । ଗତକାଲି ବାବୁ ଓରଫ ସଂଗ୍ରାମକୁ ତଡ଼ିପାର କରାଯାଇଥିଲା ।

BCCIର ଐତିହାସିକ ଘୋଷଣା, ପୁରୁଷ ଓ ମହିଳା କ୍ରିକେଟରଙ୍କୁ ମିଳିବ ସମାନ ଦରମା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର  । ଏଣିକି ଆଉ ପୁରୁଷ ଓ ମହିଳାଙ୍କ ବେତନକୁ ନେଇ କୌଣସି ଭେଦଭାବ ରହିବ ନାହିଁ  । ସମସ୍ତ କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫିସ୍‌  । ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ଜୟ ଶାହ ସୋସିଆଲ ମିଡିଆରେ ଏହି ଐତିହାସିକ ନିଷ୍ପତ୍ତିର ସୂଚନା ଦେଇଛନ୍ତି  ।

ମହିଳା କ୍ରିକେଟରଙ୍କ ପାଇଁ ବେତନ ଇକ୍ୱିଟି ପଲିସି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ  । ଏବେ ଆମେ ଲିଙ୍ଗ ସମାନତାର ଏକ ନୂଆ ଯୁଗରେ ଏଣ୍ଟ୍ରି କରୁଛି  । ଏଣୁ ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ବିସିସିଆଇ ଦେବ  ।

ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ୍‌ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଟିମକୁ ୧୫ ଲକ୍ଷ ଟଙ୍କା ମିଳୁଥିବାବେଳେ ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ମିଳୁଛି  । ସେହିପରି ଟି ୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ତିନି ଲକ୍ଷ ଟଙ୍କା ମିଳୁଛି  । ଏବେ ଏହି ମ୍ୟାଚ୍‌ ଫିସ୍‌ ମହିଳା କ୍ରିକେଟରଙ୍କୁ ବି ମିଳିବ  ।

କ୍ରିକେଟରେ ପୁରୁଷ ମହିଳାଙ୍କୁ ସମାନ ବେତନ ଲାଗୁ କରିବା ପାଇଁ ଚଳିତ ବର୍ଷ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଷ୍ପତ୍ତି ନେଇଥିଲା  । ଏଥିଯୋଗୁଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଓ ୬ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା  । ୫ ବର୍ଷ ପାଇଁ ଅନ୍ତର୍ଜାତୀୟ ସମେତ ଘରୋଇ କ୍ରିକେଟରଙ୍କୁ ସମସ୍ତ ଟୁର୍ଣ୍ଣାମେଣ୍ଟରେ ସମାନ ଦରମା ମିଳିବ ବୋଲି ସ୍ଥିର କରାଯାଇଛି  ।

 

ଟି-୨୦ ବିଶ୍ବକପରେ ଭାରତ ନେଦରଲ୍ୟାଣ୍ଡସ୍ ମୁହାଁମୁହିଁ, ଭାରତର ବ୍ୟାଟିଂ ନିଷ୍ପତ୍ତି

ସିଡନୀ: ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ନେଦରଲ୍ୟାଣ୍ଡସ୍ । ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍କୁ ବଡ ବ୍ୟବଧାନରେ ଜିତିବାକୁ ଲକ୍ଷ୍ୟ ରଖିଛି । ମେଲବୋର୍ଣ୍ଣ ପରି ସିଡନୀରେ ବି ମ୍ୟାଚ୍ ଉପରେ ବର୍ଷା ସାଜିପାରେ ବାଧକ । ଅକ୍ଷର ପଟେଲ ପୁଣିଥରେ ଟିମ ଇଣ୍ଡିଆରେ ନିଜ ସ୍ଥାନ ବଜାୟ ରଖିଛନ୍ତି  ।

ପାକିସ୍ତାନ ବିପକ୍ଷରେ ବିଜୟ ପରେ ଭାରତର ମନୋବଳ ଦୃଢ ରହିଛି । ଭାରତ ବିପକ୍ଷରେ କୌଣସି ଟି-୨୦ ଖେଳିନଥିବାରୁ ପ୍ରଥମ ମ୍ୟାଚକୁ ହାତେଇବାକୁ ଚେଷ୍ଟା କରିବ ନେଦରଲ୍ୟାଣ୍ଡସ୍ । 2016ରେ ସିଡିନୀ ଗ୍ରାଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ସ୍କୋର୍ କରିଥିଲା । ପ୍ରଥମ ବ୍ୟାଟିଂ କରିଥିବା ଟିମକୁ ମିଳିପାରେ ସଫଳତା । ପ୍ରଥମ ବ୍ୟାଟିଂ କରିଥିବା ଟିମ୍ ସିଡନୀରେ 7 ଥର ବିଜୟ ନେଇ ରେକର୍ଡ ରହିଛି । ପ୍ରଥମ ବୋଲିଂ କରିବା ଟିମକୁ 5 ଥର ମିଳିଛି ସଫଳତା ।

ହାତରେ ବେସିନ ଧରି ଟ୍ବିଟର ଅଫିସରେ ପହଞ୍ଚିଲେ ଏଲନ ମସ୍କ, ସେୟାର କଲେ ଭିଡିଓ

ସାନ୍‌ଫ୍ରାନ୍ସିସ୍କୋ: ଆରବପତି ଏଲନ ମସ୍କ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀ ଟ୍ବିଟର ଇଙ୍କ୍‌ର ହେଡକ୍ୱାର୍ଟରରେ ପହଞ୍ଚିଥିଲେ  । କିନ୍ତୁ ମସ୍କ ଟ୍ବିଟର ଅଫିସରେ ଏଣ୍ଟ୍ରି କରିବା ମାତ୍ରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ମସ୍କ ଫ୍ରାନ୍ସିସ୍କୋସ୍ଥିତ ଟ୍ବିଟର ଇଙ୍କ୍‌ର ମୁଖ୍ୟାଳୟ ପହଞ୍ଚି ନିଜ ଭିଡିଓ ଟ୍ବିଟ କରିଛନ୍ତି  ।

ନିକଟରେ ସେ ହାତରେ ଏକ ବେସିନ୍‌ ଧରି ଟ୍ବିଟର ଅଫିସ ଭିତରେ ପ୍ରବେଶ କରିଥିଲେ  । ଯାହାର ଭିଡିଓ ମଧ୍ୟ ସେ ଟ୍ବିଟରରେ ସେୟାର କରିଥିଲେ  । ପୋଷ୍ଟ କରି ସେ ଲେଖିଥିଲେ ’ଟ୍ବିଟର ଅଫିସ୍‌ ଭିତରେ ପ୍ରବେଶ କରୁଛି, ଖୁବଶୀଘ୍ର ସବୁ ପ୍ରତୀକ୍ଷାର ଅନ୍ତ’ ।

 

ସେହିପରି ମସ୍କ ନିଜ ଟ୍ବିଟର ପ୍ରୋଫାଇଲର ବାୟୋରେ ଚିଫ୍‌ ଟ୍ବିଟ ଲେଖି ଏହା ସଙ୍କେତ ମଧ୍ୟ ଦେଇଛନ୍ତି ଯେ ସେ ହିଁ ଟ୍ବିଟରର ଆଗାମୀ ବସ୍‌  । ଏକ ମିଡିଆ ରିପୋର୍ଟ ଅନୁସାରେ ଟ୍ବିଟର ଅଧିଗ୍ରହଣ ପାଇଁ ମସ୍କଙ୍କ ଆକାଉଣ୍ଟକୁ ୧୩ ବିଲିଅନ ଡଲାର ବ୍ୟାଙ୍କ ପଠାଇବାର ବ୍ୟବସ୍ଥା କଲେଣି  ।

ଚଳିତ ବର୍ଷ ଏପ୍ରିଲ ୧୩ରେ ଟ୍ବିଟର କିଣିବା ପାଇଁ ଘୋଷଣା କରିଥିଲେ ମସ୍କ  । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୫୪.୨ ଡଲାର ପ୍ରତି ସେୟାର ରେଟ୍‌ରୁ ୪୪ ଆରବ ଡଲାରରେ କିଣିବା ପାଇଁ ଅଫର୍ ଦେଇଥିଲେ  । କିନ୍ତୁ ସେତେବେଳେ ସ୍ପାମ ଓ ଫେକ୍‌ ଆକାଉଣ୍ଟ ପାଇଁ ସେ ଏହି ଡିଲ୍‌କୁ ରଦ୍ଦ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଶୁଣିବାକୁ ମିଳୁଛି  ।

 

ଆହତ ଦନ୍ତାର ଚିକିତ୍ସା ଆରମ୍ଭ, ଆଘାତ କାରଣରୁ ଛୋଟେଇ ଚାଲୁଥିଲା

କେନ୍ଦୁଝର: ଆହତ ଦନ୍ତାର ଚିକିତ୍ସା ଆରମ୍ଭ । ଟ୍ରାଙ୍କୁଲାଇଜ୍ କରିବା ପରେ ଆହତ ହାତୀର ଚିକିତ୍ସା କରୁଛନ୍ତି ବିଶେଷଜ୍ଞ ଦଳ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ୍ ଚମକପୁର ଜଙ୍ଗଲରେ ଏକ ଦନ୍ତାହାତୀ ଗତ କଛି ଦିନ ହେବ ଆହତ ହୋଇଥିଲା ।

ଏହି ଗୋଠଛଡ଼ା ଦନ୍ତାର ସାମ୍ନାପଟ ଡାହାଣ ଗୋଡ଼ରେ କ୍ଷତ ହୋଇଥିବା କାରଣରୁ ସେ ଠିକ ଭାବେ ଚାଲିପାରୁନଥିଲା । ଦନ୍ତାଟି ଛୋଟେଇ ଚାଲୁଥିବା ବନ ବିଭାଗ ଜାଣିବା ପରେ ତାର ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ମଙ୍ଗଳବାର ଦିନ ସ୍ଵତନ୍ତ୍ର ବିଶେଷଜ୍ଞ ଦଳ ଜଙ୍ଗଲରେ ପହଞ୍ଚିଥିଲେ ।

ଡବ୍ଲୁ ଟି ଆଇ, ଓୟୁଏଟି ଓ ନନ୍ଦନକାନନରୁ ଏହି ବିଶେଷଜ୍ଞ ଦଳରେ ଟ୍ରାଙ୍କୁଲାଇଜ୍ ଟିମ୍ ସହ ୬ ଜଣିଆ ବନ୍ୟପ୍ରାଣୀ ଚିକିତ୍ସକ ସାମିଲ ଥିଲେ । କେନ୍ଦୁଝର ଡିଏଫଓଙ୍କ ତତ୍ତ୍ଵାବଧାନରେ ୨ଜଣ ଏସିଏଫ୍ , ରେଞ୍ଜର,  ବନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ  ।

ହାତୀକୁ ଅଚେତ୍ କରିବା ପରେ କ୍ଷତସ୍ଥାନକୁ ପରିଷ୍କାର କରି ସେଥିରେ ଔଷଧ ଲଗାଇବା ସହ ସାଲାଇନ୍ ଓ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା । ଚିକିତ୍ସା ପରେ ଦନ୍ତାହାତୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବ ବୋଲି ଆଶା କରିଛନ୍ତି ଚିକିତ୍ସକ ଦଳ ।

ସଜେଇ ହୋଇଛି ଶାନ୍ତିସ୍ତୁପ, ଭିଡ ଜମାଇଲେଣି ଶତାଧିକ ବୌଦ୍ଧ ସାଧୁସନ୍ଥ

ଭୁବନେଶ୍ବର: ଧୁମ୍‌ଧାମ୍‌ରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଦେଶ ବିଦେଶରୁ ଆସିଛନ୍ତି ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ। ଆଜି ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁ ସନ୍ଥ। ରାଜଭବନ ନିକଟ ସ୍ୱତନ୍ତ୍ର ସର୍କିଟ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ୟନ୍ତ ଯାଇଥିଲା।

ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ। ପରେ ଧଉଳି ଶାନ୍ତିସ୍ତୁପ ନିକଟରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତିସ୍ତୁପ ଧଉଳି।

ଆସନ୍ତାକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ନୂତନ ରୂପରେ ସଜେଇ ହୋଇଛି ଧଉଳି।

ମସଜିଦରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼, ୧୫ ମୃତ

ସିରାଜ: ଇରାନର ସିରାଜ ସହରରେ ଆତଙ୍କବାଦୀଙ୍କ ହମଲା । ମସଜିଦରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ସିରାଜ ସହରରେ ଥିବା ଶାହଚେରାଗ ମସଜିଦରେ ଗତକାଲି ସନ୍ଧ୍ୟାରେ ପ୍ରାର୍ଥନା ଚାଲିଥିବା ବେଳେ ୩ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ । ଗୁଳିକାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଆତଙ୍କବାଦୀଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ରହିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମସଜିଦରେ ଆତଙ୍କ ରଚିଥିବା ଆତତାତୀୟମାନେ ସୁନୀ ଉଗ୍ରବାଦୀ ବୋଲି ଜଣାପଡ଼ିଛି। ହିଜାବକୁ ନେଇ ଦେଶରେ ଅରାଜକତା ଓ ବିଦ୍ରୋହ ସୃଷ୍ଟି ହୋଇଥିବା ବେଳେ ଏହାର ଫାଇଦା ଉଠାଇ ସେମାନେ ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି।

ଇରାନରେ ସୁନ୍ନୀ ଚରମପନ୍ଥୀ ମାନେ ସିଆ ମୁସଲିମଙ୍କ ପବିତ୍ର ସ୍ଥଳକୁ ଟାର୍ଗେଟ କରିଆସୁଛନ୍ତି  । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ଅଶାନ୍ତି ପରିସ୍ଥିତିର ଫାଇଦା ନେଇ ଆତତାୟୀ ମାନେ ଗୁଳିମାଡ କରିଛନ୍ତି  । ପୋଲିସ ହେପାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଛନ୍ତି ଇରାନ ସରକାର ଓ ଆନ୍ଦୋଳନକାରୀ  । ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଆନ୍ଦୋଳନକାରୀ ପ୍ରାଣ ହରାଇ ସାରିଥିବାବେଳେ ହଜାରରୁ ଊର୍ଦ୍ଧ୍ବଙ୍କୁ ଗିରଫ କରାଯାଇଛି  ।

 

ଏଣିକି ୫ ବର୍ଷ ଯାଏଁ ମିଳିବ ମାଣ୍ଡିଆ ପ୍ରୋତ୍ସାହନ ରାଶି, ଦୁଇ ଗୁଣ ଅଧିକ ପାଇବେ ଚାଷୀ

ଭୁବନେଶ୍ବର: ମାଣ୍ଡିଆ ଚାଷ ନିମନ୍ତେ ଆଗରୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ୩ ବଦଳରେ ୫ ବର୍ଷକୁ ବୃଦ୍ଧି କରାଯାଇଛି  । ହେକ୍ଟର ପିଛା ୧୦ ହଜାର ବଦଳରେ ଚାଷୀଙ୍କୁ ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପ୍ରୟାସ କରାଯାଉଛି। ନଭେମ୍ବର ୧୦ ରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରି ଲୋକଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି ପାଇଁ ‘ମାଣ୍ଡିଆ ଦିବସ’ ପାଳନ ପରିପ୍ରେକ୍ଷୀରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଏହା ପାଳନ ହେବ । ଆସନ୍ତା ବର୍ଷକୁ ବିଶ୍ବ ମିଲେଟ ବର୍ଷ ଭାବେ ପାଳନ କରାଯିବ । ବର୍ଷ ଶେଷ ଯାଏଁ କଲେଜ, ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଜଳଖିଆରେ ମିଲେଟ୍ ସାମିଲ କରିବାଠୁ ମାରାଥନ୍, ସାଇକେଲ୍ ରାଲି, ପୋଷ୍ଟର ପ୍ରତିଯୋଗିତା, ୟୁଜିସି ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଜାତିସଂଘ ପାଖରେ ବିଶ୍ବ ମିଲେଟ୍ ବର୍ଷ ପ୍ରସ୍ତାବ ଭାରତ ରଖିଥିବାରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଉ ଏହା ପୂର୍ବରୁ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ ହୋଇଥିବାରୁ, ବିଶ୍ବ ମିଲେଟ ବର୍ଷ ପାଳନରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ପ୍ରେମ ଜାଲରେ ଫସାଇ ନାବାଳିକାକୁ ଅପହରଣ, ରାଜମିସ୍ତ୍ରୀ ଗିରଫ

ଦେବଗଡ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ମୁର୍ଷିଦାବାଦରୁ ଅଭିଯୁକ୍ତ ଗିରଫ  । ନାବାଳିକାକୁ ଉଦ୍ଧାର କରିଛି ଦେବଗଡ ପୋଲିସ  । ଦେବଗଡ଼ ପୌରାଞ୍ଚଳରୁ ଜଣେ 13 ବର୍ଷୀୟା ନାବାଳିକାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା  । ଘଟଣାର ତଦନ୍ତ କରି ପଶ୍ଚିମବଙ୍ଗର ମୁର୍ସିଦାବାଦରେ ପହଞ୍ଚିଥିଲା ଦେବଗଡ ପୋଲିସ  ।

ମୁର୍ସିଦାବାଦରୁ ଅଭିଯୁକ୍ତ ସାହିଦୁଲ୍ଲ ଶେଖକୁ ଗିରଫ କରାଯାଇଛି । ସାହିଦୁଲ୍ଲ ଦେବଗଡ଼ ପୌରାଞ୍ଚଳରେ ରାଜମିସ୍ତ୍ରୀ କାମ କରୁଥିବା ବେଳେ ପ୍ରଲୋଭିତ କରି ନାବାଳିକାକୁ ଅପହରଣ କରି ନେଇ ମୁର୍ଷିଦାବାଦ ଚାଲିଯାଇଥିଲା l

ଗତ 16 ତାରିଖରୁ ନାବାଳିକା ନିଖୋଜ ଥିବା ନେଇ 17 ତାରିଖରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।