ପଦମପୁର ମଇଦାନରେ ଜମୁଛି ପ୍ରଚାର, ଭୋଟରଙ୍କୁ ଭେଟି ମନ ଜିଣୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦମପୁର: ଉଠୁଛି ପଡ଼ୁଛି ପଦମପୁର । ଶୀତରେ ବି ଜମୁଛି ପ୍ରଚାର । ମଇଦାନରେ ଦମଦାର କ୍ୟାମ୍ପେନିଂ କରୁଛନ୍ତି ଷ୍ଟାର ପ୍ରଚାରକ । ରୋଡ୍ ସୋ’ ସାଙ୍ଗକୁ ସଭା, ଶୋଭାଯାତ୍ରାରେ କମ୍ପୁଛି ପଦମପୁର । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଦଳର ପ୍ରମୁଖ ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି । ଗାଁ ଗାଁ ଓ ଘର ଘର ବୁଲି ଭୋଟରଙ୍କୁ ମନାଉଛିନ୍ତି । ପଦମପୁରରେ ବିକାଶକୁ ନଜରରେ ରଖି ସବୁଠି ବର୍ଷାଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ସହ ସମର୍ଥନ ଜଣାଉଛନ୍ତି ଲୋକେ । ସେହପିରି ବିଜେପି ଓ କଂଗ୍ରେସ ମଧ୍ୟ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ।

ପଦମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ । ୩୧୯ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । କିଛି ମତଦାନ କେନ୍ଦ୍ରର ନାଁ ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି । ତେଣୁ ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ, ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୨୮୪ ଜଣ ବାଲଟ ପାଇଁ ଆବେଦନ କରିଛନ୍ତି । ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ସହ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି । ମାଓ ପ୍ରଭାବିତ ଅଞ୍ଚଳରେ ରହିଛି ୭୪ ବୁଥ୍ । ସେହିପରି ୭୮ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି ।