ଘନଉଛି ଜାପୋରିଜିୟା ଆଣବିକ ପ୍ଲାଣ୍ଟ ପ୍ରତି ବିପଦ, କୌଣସି ମୁହୂର୍ତ୍ତରେ ଘଟିପାରେ ଭୟଙ୍କର ଅଘଟଣ

କିଭ୍: ଘନଉଛି ଜାପୋରିଜିୟା ଆଣବିକ ପ୍ଲାଣ୍ଟ ପ୍ରତି ବିପଦ । କୌଣସି ମୁହୂର୍ତ୍ତରେ ଭୟଙ୍କର ବିପଦ ଘଟିପାରେ ବୋଲି ସତର୍କ କରାଇଛି ଋଷ । ଆଣବିକ ପ୍ଲାଣ୍ଟ ନିକଟରେ ୟୁକ୍ରେନ ସୈନ୍ୟ ବାରମ୍ବାର ଆକ୍ରମଣ କରୁଥିବାରୁ ପ୍ଲାଣ୍ଟ ପ୍ରତି ବିପଦ ସୃଷ୍ଟି ହେଲାଣି ବୋଲି କହିଛି ଋଷ । ବିଶ୍ୱର ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏଥିରୁ ନିବୃତ୍ତ କରିବା ଦିଗରେ ଆଗେଇ ଆସିବା ଲାଗି ଆହ୍ବାନ ଦେଇଛି ଋଷ । ସେପଟେ ଋଷର ଏହି ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ । ଋଷ ହିଁ ଆକ୍ରମଣ ଜାରି ରଖିଛି ବୋଲି ୟୁକ୍ରେନ ଅଭିଯୋଗ କରିଛି ।

୧୯୮୬ରେ ଚେର୍ଣ୍ଣୋବିଲ ଆଣବିକ ତେଜଷ୍କ୍ରିୟ ଲିକ୍ ଘଟଣାର କରାଳ ଦୃଶ୍ୟ ମନରୁ ନ ଲିଭି ଥିବାବେଳେ ଏବେ ଜାପୋରିଜିୟାରେ କୌଣସି ମୁହୂର୍ତ୍ତରେ ବିପଦ ଉଭା ହେବ ବୋଲି ଆଶଙ୍କା ସୃଷ୍ଟିହୋଇଛି । ଚେର୍ଣ୍ଣୋବିଲଠାରୁ ଜାପୋରିଜିୟାର ଦୂରତା ୫୦୦ କିଲୋମିଟର । ଜାପୋରିଜିୟାର ସୁରକ୍ଷା ଲାଗି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏ ସହ ଆଲୋଚନା କରିଛନ୍ତି ଋଷ ରସାତୋମ ଆଣବିକ ସହଯୋଗ ସଂସ୍ଥାର ମହାନିର୍ଦ୍ଦେଶକ ଆଲେକ୍ସି ଲିଖାଚେଭ ।