spot_img
Home Blog Page 3888

ପନ୍ଦର ଦିନ ପରେ ବି ନିଖୋଜ ନନ୍ଦକିଶୋର, ଅଜଗର ବି ନାହିଁ…

କଟକ: କୁଆଡ଼େ ଗଲେ କଟକ ସାନମୁଣ୍ଡୁଳୀ ଗାଁର ନନ୍ଦକିଶୋର । ୧୫ ଦିନ ପରେ ବି ବୃଦ୍ଧଙ୍କ ପତ୍ତା ମିଳୁନି । ଚନ୍ଦକା-ଡମପଡ଼ା ରାସ୍ତାରୁ ମୋପେଡ ଓ ଚପଲ ମିଳିଥିବା ବେଳେ ଏପର୍ଯ୍ୟନ୍ତ ନନ୍ଦକିଶୋରଙ୍କ କୌଣସି ଖୋଜ୍‌ ଖବର ମିଳୁନାହିଁ । ଗତ ୨୮ ତାରିଖରେ ଡମପଡ଼ା ଅଭୟାରଣ୍ୟ ଭିତରେ ଥିବା ଯାରିଆ, ଢୋଲକାଠ ଗାଁକୁ ବ୍ୟବସାୟ କରିବାକୁ ଯାଇଥିଲେ । ହେଲେ ଘରକୁ ନଫେରିବାରୁ ପରିବାର ବହୁ ଖୋଜାଖୋଜି କରିବା ପରେ ବାଙ୍କୀ ଥାନା କଁଇମୁଣ୍ଡି ଫାଣ୍ଡିରେ ଅଭିଯୋଗ କରିଥିଲେ ।

ଆଜିକୁ ୧୫ ଦିନ ହୋଇଗଲାଣି ହେଲେ ଏଯାଏଁ ନନ୍ଦକିଶୋରଙ୍କ କୌଣସି ସନ୍ଧାନ ମିଳୁନାହିଁ । ସେପଟେ ନନ୍ଦକିଶୋରଙ୍କୁ ଅଜଗର ଗିଳି ଦେଇଥିବା ଆଶଙ୍କା ପ୍ରକାଶ କରିଛନ୍ତି ଲୋକ । ହେଲେ ଏହାକୁ ବିଶେଷଜ୍ଞ ଅସ୍ବୀକାର କରିଛନ୍ତି । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କହିଛନ୍ତି, ବୃଦ୍ଧଙ୍କୁ ଖୋଜିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଶୀଘ୍ର ବୃଦ୍ଧଙ୍କ ସମ୍ପର୍କରେ ତଥ୍ୟ ମିଳିବ ବୋଲି କହିଛନ୍ତି  ।

ସିବିଆଇ ଓ ଇଡି ନାଁରେ ଧମକାଉଛନ୍ତି କେନ୍ଦ୍ରମନ୍ତ୍ରୀ !

ନନ୍ଦିଘୋଷ ବ୍ୟୁରୋ: କହୁ କହୁ ସତ କହି ସିବିଆଇ ଓ ଇଡିର ମୁଖପାତ୍ର ଭାବେ ନିଜକୁ ସଜାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଆଉ ପଦାରେ ପଡ଼ିଲା କେନ୍ଦ୍ରର ହୀନ ଚକ୍ରାନ୍ତ । ଦେଶର ଅଣବିଜେପି ଶାସିତ ରାଜ୍ୟ ଓ ରାଜନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଅସଲ ମୁଖା ଖୋଲି ଦେଇଛନ୍ତି ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଓଡ଼ିଶା ଦଖଲ ପାଇଁ ସିବିଆଇ ଓ ଇଡିକୁ ବିଜେପି କିପରି ଅସ୍ତ୍ର କରିବ, ତାହା ସ୍ପଷ୍ଟ କରିଛନ୍ତି। ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ରାଜନୈତିକ ଅସ୍ତ୍ର କରି ସଂଘୀୟ ବ୍ୟବସ୍ଥାକୁ ତଳିତଳାନ୍ତ କରୁଥିବା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଭିନ୍ନ ରାଜନୈତିକ ଦଳ।

କିପରି ସିବିଆଇ ଓ ଇଡି ରେଡ୍ ନାଁରେ ଧମକାଇବା ଆରମ୍ଭ କଲେଣି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ଶାସନ କରିବାର ଶେଷ ଫଣ୍ଡାକୁ ଆପଣାଇବ ବିଜେପି । କେମିତି ସିବିଆଇ ଓ ଇଡିକୁ ବ୍ୟବହାର କରି ଓଡ଼ିଶା ଦଖଲ କରାଯିବ, ତାକୁ ସ୍ପଷ୍ଟ କରିଛନ୍ତି ବିଶ୍ବେଶ୍ବର । ଯେଉଁଥି ପାଇଁ ବିବାଦୀୟ ବିଶ୍ବେଶ୍ବର ପୁଣି ଚର୍ଚ୍ଚାରେ । ୨୦୧୯ ନିର୍ବାଚନ ପୂ୍ର୍ବରୁ ଘନ ଘନ ସିବିଆଇ ଓ ଇଡି ରେଡ୍ ହେଉଥିଲା ଓଡ଼ିଶାରେ । ହେଲେ ଜନମତ ପୁଣି ଯାଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାତାକୁ । ଆଉ ଏବେ ପୁଣି ସିବିଆଇ ଓ ଇଡି ରେଡ୍ ଆରମ୍ଭ ହେଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ।

କାରଣ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଖୋଦ୍ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଖୋଲାଖୋଲି କହୁଛନ୍ତି । କିଛି ବର୍ଷ ତଳେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ ବିଶ୍ବେଶ୍ବରଙ୍କ ପରି ସିବିଆଇ ଓ ଇଡିକୁ ବ୍ୟବହାର କଥା ସ୍ବୀକାର କରିଥିଲେ । ଅନ୍ୟପଟେ କେଉଁଠି ଆମ୍ ଆଦମି ପାର୍ଟି ତ ଆଉ କେଉଁଠି କଂଗ୍ରେସ ନେତା ଆସୁଛନ୍ତି ସିବିଆଇ ଓ ଇଡି ସ୍କାନରରେ । ହେଲେ ଓଡ଼ିଶାରେ ଶାସନ ପାଇଁ ଏପରି ହୀନ କାମ କରିବ ନାହିଁ ବୋଲି କଂଗ୍ରେସ ମତ ପ୍ରକାଶ କରିଛି ।

ଅଫିସରଙ୍କୁ ଧମକାଇବା ହେଉ ବା ଖରାପ୍ ବ୍ୟବହାର, ସବୁ ସମୟରେ ବିବାଦକୁ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏବେ ସିବିଆଇ ଓ ଇଡି ନାଁରେ ବି ଧମକାଇବାକୁ ପଛାଉ ନାହାନ୍ତି କେନ୍ଦ୍ରମନ୍ତ୍ରୀ । ଲୋକଶକ୍ତି ଆଗରେ ସିବିଆଇ ଓ ଇଡିର ଅପବ୍ୟବହାର ଯୋଗୁ ବିଜେପି ଜନ ଆକ୍ରୋଶର ଶୀକାର ହେବ ବୋଲି ବିଜେଡି ଅନୁଭବ କରିଛି । ରାଜ୍ୟର ଉନ୍ନତି କଥା ଚିନ୍ତା ନ କରି ସିବିଆଇ ଓ ଇଡିର ମୁଖପାତ୍ର ସାଜିଥିବାରୁ ବିଶ୍ବେଶ୍ବରଙ୍କୁ କଟାକ୍ଷ କରାଯାଇଛି ।

ଗତ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ସଂପୂର୍ଣ୍ଣ ଭାବେ ବିଜେପି ଓ କଂଗ୍ରେସ ବରୋଧରେ ଯାଇଛି । ଆଉ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ମୟୂରଭଞ୍ଜରେ ଭଲ ପ୍ରଦର୍ଶନ କରିଥିଲା ବିଜେପି, ସେହି ଗଡ଼ ଏବେ ଭୁଶୁଡ଼ିବାରେ ଲାଗିଲାଣି । ଏପରି ସ୍ଥିତିରେ ନିଜ ଆସନ କିପରି ସୁରକ୍ଷିତ ରହିବ, ସେଥି ପାଇଁ ରାଜନୀତିର ତଳସ୍ତରକୁ ଖସି ଯିବେ, ତାହା ବିଶ୍ବେଶ୍ବରଙ୍କ ଆଚରଣ ଓ ଉଚାରଣରୁ ବାରି ହେଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ।

ଲଜରେ ଝୁଲୁଛି ଯୁବତୀଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ?

 ପୁରୀ: ବଡ଼ଶଙ୍ଖ ସ୍ଥିତ ଏଚ୍ ଆର ଲଜରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀଜଣକ ନିଜ ହାତ କାଟି ଦେବା ସହ ବେକର ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡିଛନ୍ତି। ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି।‌ତେବେ ଲଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି।

ଗତକାଲି ପାୟଲ ପରିବାର ଲୋକଙ୍କୁ କିଛି ନକହି ପୁରୀ ଆସିଥିଲେ। ବଡ଼ଶଙ୍ଖ ପାଖରେ ଥିବା ଏଚ୍ ଆର୍ ଲଜରେ ୫୦୦ ଟଙ୍କା ଦେଇ ରୁମ୍ ନେଇଥିଲେ। ସେପଟେ ପାଏଲଙ୍କ ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିବା ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଖବର ପାଇ ପରିବାର ଲୋକେ ପୁରୀ ଆସିଥିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ପାୟଲ୍ ଏକ ଚିଠି ଲେଖିଥିଲେ।

ସେଥିରେ ତାଙ୍କ ପରିବାରର ବାପା, ମା, ଭାଇ, ଭଉଣୀ ସମସ୍ତେ ଭଲ ଲୋକ ଲେଖିଥିବା ବେଳେ ଆତ୍ମହତ୍ୟାର କାରଣ କିନ୍ତୁ କିଛି ଲେଖିନଥିଲେ। ପାୟଲ ଗତକାଲି ଏକୁଟିଆ ଆସି ଲଜରେ ରୁମ୍ ଭଡା ନେଇ ରହିଥିବା ବେଳେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛି ତାହା ଏବେ ସନ୍ଦେହ ସୃଷ୍ଟି କରିଛି।ଏ ନେଇ ପରିବାର ଲୋକେ ପାୟଲକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିବା ବେଳେ ପୋଲିସର ତଦନ୍ତ ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଏ।‌

କିନ୍ନରଙ୍କୁ ସିନ୍ଦୂର ପିନ୍ଧାଇଲେ ବିବାହିତ ପୁରୁଷ

କଳାହାଣ୍ଡି: ସ୍ତ୍ରୀ ଓ ପୁଅର ଅନୁମତି ପରେ କିନ୍ନରଙ୍କୁ ବାହା ହେଲେ ଜଣେ ବ୍ୟକ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଧ୍ରୁକୁଟି ଗାଁର ଏହି ଘଟଣା । ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦାଦପୂର ବାସିନ୍ଦା ସଙ୍ଗୀତା କିନ୍ନରଙ୍କୁ ଭଲ ପାଇଥିଲେ ଧ୍ରୁକୁଟି ଗାଁର ଫକିର ନିଆଲ । ଦୀର୍ଘ ଏକ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ପରେ ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ । ହେଲେ ପୂର୍ବରୁ ବିବାହିତ ଥିଲେ ଫିକର । ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ।

ତେବେ କିନ୍ନରଙ୍କୁ ବିବାହ ପାଇଁ ସ୍ତ୍ରୀଙ୍କ ପରାମର୍ଶ ନେଇଥିଲେ ଫକିର ।  ଫକିରଙ୍କ ସ୍ତ୍ରୀ ବିବାହକୁ ସହମତି ଜଣାଇଥିଲେ । ଫଳରେ ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନରଙ୍କ ସହଯୋଗରେ ଶନିବାର ଦିନ ନର୍ଲାରୋଡ ସ୍ଥିତ ମା’ ବହୁଚରା ମାତା ନିକଟରେ ବିବାହ କରିଥିଲେ ଫକିର ଓ ସଙ୍ଗୀତା । ଏହି ବିବାହ ଉତ୍ସବରେ ଫିକରଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଉପସ୍ଥିତ ରହିଥିଲେ ।

ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ, ସିହଂ ଓ ବାଘ ଶାବକର କଲେ ନାମକରଣ

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଓ ସିଂହ ଶାବକର ନାମକରଣ । ସିଂହୀ ବିଜୁଳି ଔରସରୁ ଜନ୍ମ ଶାବକର ନାମକରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ କୁମାର ଚୋବେ । ଶାବକଟିର ନାଁ ରଖାଯାଇଛି କାମିନୀ । ଏହା ସହିତ ଧଳା ବାଘ ଔରସରୁ ଜନ୍ମିତ ଶାବକର ନାଁ ରଖାଯାଇଛି ହିମାଂଶୀ । ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ଜାତୀୟ ଜୁ ସମ୍ମିଳନୀର ଶେଷ ଦିନରେ ଦୁଇ ଶାବକଙ୍କ ନାମକରଣ କରିବା ସହ ପ୍ରାଣୀ ଉଦ୍ୟାନ ବୁଲି ଦେଖିଛନ୍ତି ମନ୍ତ୍ରୀ ।

ନନ୍ଦନକାନନ ପରିଦର୍ଶନ ସମୟରେ  ମଣିଷ ଦ୍ୱାରା ପାଳିତ ହୋଇଥିବା ଏକ ବର୍ଷୀୟ ସିହୀଂକୁ ଦେଖି ଖୁସି ବ୍ୟକ୍ତ କରିଥିଲେ  କେନ୍ଦ୍ରମନ୍ତ୍ରୀ । ଦୁଇଦିନ ଧରି ଚାଲିଥିବା ସମ୍ମିଳନୀରେ ଦେଶର ୧୦୦ଟି ଚିଡ଼ିଆଖାନାର ନିର୍ଦ୍ଦେଶକ ଯୋଗଦେଇଥିଲେ । ଗତକାଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଭୂପିନ୍ଦର ଯାଦବ ନନ୍ଦନକାନନ ପରିଦର୍ଶନ କରିଥିଲେ ।

ଓଡ଼ିଶାରେ ଚାଲିଥିବା ଏହି ଚିଡ଼ିଆଖାନା ସମ୍ମିଳନୀରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି  । ଦେଶରୁ ବିଲୁପ୍ତ ସାଜିଥିବା ଚିତା ବାଘକୁ ପୁନର୍ବାର ଦେଶକୁ ଫେରାଇ ଆଣିବା  ନେଇ ମଧ୍ୟ ନିଷ୍ପତ୍ତି ହୋଇଛି   । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳନ ହେବାକୁ ଥିବାବେଳେ ସେହିଦିନ ଭାରତକୁ ଚିତାବାଘ ଅଣାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ  । ଏମିତିକି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ କରାଯିବା ନେଇ କାର୍ଯ୍ୟକରାଯିବ ବୋଲି ଆଲୋଚନା ହୋଇଛି  ।

ଦ୍ୱାରିକାପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ 

ଭୋପାଳ: ଦ୍ୱାରିକାପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କ ଦେହାନ୍ତ  ।  ୯୯ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ଶଙ୍କରାଚାର୍ଯ୍ୟ  ।  ଦେଶର ଚାରି ଧାମରୁ ଦ୍ୱାରିକାଧାମର ଶଙ୍କରାଚାର୍ଯ୍ୟ ରହିଥିଲେ ସ୍ୱାମୀ ସ୍ୱରୂପାନନ୍ଦ  । ସନାତନ ଧର୍ମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୃତ୍ୟୁରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକବ୍ୟକ୍ତ କରିଛନ୍ତି  । ଏଥିସହ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି  ।

୨ ସେପ୍ଟେମ୍ବର ୧୯୨୪ ମସିହାରେ ମଧ୍ୟପ୍ରଦେଶର ସିଓନି ସହରରେ ଜନ୍ମଗ୍ରହଣ କରିଥିଲେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ  । ପିଲାବେଳୁ ଧର୍ମଶାସ୍ତ୍ର ପ୍ରତି ଯଥେଷ୍ଟ ଜ୍ଞାନ ରଖୁଥିଲେ  । ପରବର୍ତ୍ତୀ ସମୟରେ ସେ ହିନ୍ଦୁ ଧର୍ମର ନେତା ଭାବେ ଆବିର୍ଭାବ ହୋଇଥିଲେ  । ୧୯୫୦ ମସିହାରେ ସେ ସନ୍ୟାସୀ ହୋଇଥିଲେ  । ଗୁରୁ ବ୍ରହ୍ମାନନ୍ଦଙ୍କ ଠାରୁ ସନ୍ୟାସୀ ବ୍ରତ ଗ୍ରହଣ କରିଥିଲେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ  ।

 

 

ଷ୍ଟିଲ୍ ସିଟିରେ ଚାଲିଥିଲା ଜାଲ୍ ନୋଟ୍ କାରବାର, ପର୍ଦ୍ଦାଫାସ କଲା ପୋଲିସ

ରାଉରକେଲା: ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାସ । ସେକ୍ଟର-୧୫ ଥାନା ଅଞ୍ଚଳରେ ଚାଲିଥିଲା ଜାଲ୍ ନୋଟ୍ କାରବାର । ରାଉରକେଲା ପୋଲିସ ସହାୟତାରେ ୧୬ଲକ୍ଷ ୧୧ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି STF । ଘଟଣାରେ ସଂପୃକ୍ତ ସେକ୍ ଅହମ୍ମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଘଟଣାସ୍ଥଳରୁ ଗୋଟିଏ ଲାପଟପ ଓ ପ୍ରିଣ୍ଟର ମଧ୍ୟ ଜବତ କରାଯାଇଛି । ଏହି ଜାଲ୍ ନୋଟ୍ କାରବାରର ଚେର କେତେ ଦୂର ଲମ୍ବିଛି, ସେନେଇ ଛାନବିନ୍ କରୁଛି STF । ଗତ ଜୁଲାଇ ମାସରେ ୨୯ଲକ୍ଷ ୪୧ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଥିଲା । ଏଥିରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା STF ।

‘ଟ୍ରେନିଂ ବେଳେ ଟ୍ରେନର ଥିଲେ, ପାଣିରେ ବୁଡ଼ି ମୃତ୍ୟୁ ହୋଇନି’

କଟକ: ଏନସିସି ନାଭାଲ ୱିଙ୍ଗ୍‌ ସନ୍ତରଣ ଟ୍ରେନିଂ ସମୟରେ କଟକ ରାଜାବଗିଚା ସିଟି କଲେଜର କ୍ୟାଡେଟ୍ ସ୍ୱପ୍ନେଶ୍ୱର ଦାସଙ୍କ ମୃତ୍ୟୁ ଘଟଣାରେ ଏନସିସି ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। କଟକ ଏନସିସି ମୁଖ୍ୟ କର୍ଣ୍ଣେଲ ପ୍ରଖର ସିହ୍ନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୂର୍ବରୁ ଥିବା କୌଣସି ଅସୁସ୍ଥତା କାରଣରୁ ସ୍ୱପ୍ନେଶ୍ୱର ଦାସଙ୍କ ମୃତ୍ୟୁ ହୋଇଥାଇପାରେ । ଟ୍ରେନିଂ ବେଳେ ସେ ପାଣିରେ ବୁଡ଼ିଯାଇ ନାହାନ୍ତି କି ପାଣି ପିଇବା ନେଇ ଲକ୍ଷଣ ନାହିଁ । ଟ୍ରେନିଂ ବେଳେ ଟ୍ରେନର, ସାଥୀ କ୍ୟାଡେଟ ଓ କ୍ଲବର ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ।

ସ୍ୱପ୍ନେଶ୍ୱର ପୁଲ ଭିତରକୁ ଯାଇଥିଲେ ଓ ଅସୁସ୍ଥତା ଅନୁଭବ କରି ବାହାରକୁ ପଳାଇ ଆସିଥିଲେ। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏନସିସିର ବ୍ୟବସ୍ଥା ଅନୁଯାୟୀ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କଟକ ଏନସିସି ମୁଖ୍ୟ କର୍ଣ୍ଣେଲ ପ୍ରଖର ସିହ୍ନା କହିବା ସହିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଭେଷଜ ଚିକିତ୍ସକ ଡାକ୍ତର ଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।

 

୫ ପୋଲିସ ଅଧିକାରୀଙ୍କୁ ୨ ଘଣ୍ଟା ହାଜତରେ ରଖିଦେଲେ SP

ପାଟନା: ପୋଲିସ ହାଜତରେ ପୋଲିସ । ବିହାରରେ ଘଟିଛି ଏପରି ଘଟଣା । ନଓ୍ବାଦା ଜିଲ୍ଲାରେ ୫ ପୋଲିସ ଅଧିକାରୀଙ୍କୁ ୨ ଘଣ୍ଟା ଧରି ହାଜତ ଭିତରେ ରଖିଦେଲେ ଏସପି । ଗତ ଗୁରୁବାର ରାତିରେ ନଓ୍ବାଦା ଏସପି ଗୌରବ ମଙ୍ଗଳା ୩ଜଣ ସହକାରୀ ସବଇନସ୍ପପେକ୍ଟର ଓ ୨ ଜଣ ସବଇନ୍ସପେକ୍ଟରଙ୍କୁ ଦୁଇ ଘଣ୍ଟା କାଳ ହାଜତ ଭିତରେ ପୂରାଇ ଦେଇଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସପି । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଛି ବିହାର ପୋଲିସ ଆସୋସିଏସନ । ସଂଗଠନର ସଭାପତି ମୃତ୍ୟୁଞ୍ଜୟ କୁମାର ସିଂ କହିଛନ୍ତି, ଏସପିଙ୍କ ଏହି କାର୍ଯ୍ୟାନୁଷ୍ଠାନ ଔପନିବେଶୀୟ ମାନସିକତାର ପ୍ରତିଫଳନ । ବିହାର ପୋଲିସର ଭାବମୂର୍ତ୍ତିକୁ ଏହା କଳଙ୍କିତ କରିଛି । ମାମଲାକୁ ଗୁରୁତର ସହ ନେଇ ବିହାର ମୁଖ୍ୟ ଶାସନ ସଚିବ ଅମିର ସୁଭାନି ଏହି ଧରଣର କାର୍ଯ୍ୟ ନକରିବାକୁ ଯତ୍ନବାନ ହେବା ଲାଗି ପରାମର୍ଶ ଦେଇଛନ୍ତି ।