‘୨୨ ବର୍ଷରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ, ସ୍ୱପ୍ନ ପୁରା କରିବାର ସ୍ଥାନ ଓଡ଼ିଶା’

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଯୋଗ ଦେଇ ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ ବୋଲି କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ ।

ଅନିଲ ଅଗ୍ରୱାଲ ନିଜ ଭାଷଣରେ କହିଥିଲେ ଯେ, ଦୁନିଆ ଚାହୁଁନି ଭାରତ ପ୍ରଗତି କରୁ । ଦୁନିଆ ଚାହୁଁଛି ଭାରତ କେବଳ ଆମଦାନୀ କରୁ । ଫଳରେ ଭାରତ ଶିଳ୍ପବିକଶିତ ରାଷ୍ଟ୍ରରେ ପରିଣତ ହେବ ନାହିଁ । କିନ୍ତୁ ଓଡ଼ିଶା ଏହାକୁ ବଦଳାଇ ଦେଇଛି । ଓଡ଼ିଶା ରପ୍ତାନୀ ଭିତ୍ତିକ ଅର୍ଥନୀତିର ଭିତ୍ତି ସ୍ଥାପନ କରିଛି । ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତିପଥରେ ଅଗ୍ରସର ଅଛି । ଏଠାରେ ଉପସ୍ଥିତ ଥିବା ସମସ୍ତ ଶିଳ୍ପପତି ଜାଣନ୍ତି ଯେ, ସବୁ ରାଜ୍ୟ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି କିନ୍ତୁ ଓଡ଼ିଶାରେ ଯେଉଁଭଳି ଉତ୍ସାହ ଅଛି ତାହା ଅନ୍ୟତ୍ର ନାହିଁ ।