spot_img
Home Blog Page 3889

KCR ଗଢିବେ ଜାତୀୟ ଦଳ, ହାଇଦ୍ରାବାଦରେ ଭେଟିଲେ କୁମାରସ୍ୱାମୀ

ହାଇଦ୍ରାବାଦ: ୨୦୨୪ ପୂର୍ବରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିରୋଧି  । ହାଇଦ୍ରାବାଦ ଗସ୍ତରେ ଜନତା ଦଳ ଧର୍ମନିରପେକ୍ଷ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି କୁମାରସ୍ବାମୀ । ଏକ ଜାତୀୟ ଦଳ ପ୍ରତିଷ୍ଠା କରିବା ଲାଗି କେସିଆର ଅଭିଯାନ ଜାରି ରଖିଥିବାବେଳେ ତାଙ୍କ ସହ ଆଲୋଚନା କରିଛନ୍ତି କୁମାରସ୍ବାମୀ ।

କିଛିଦିନ ତଳେ କେସିଆର ବେଙ୍ଗାଳୁରୁ ଗସ୍ତରେ ଯାଇ କୁମାରସ୍ବାମୀ ଓ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କୁ ସାକ୍ଷାତ କରିଥିଲେ । ଦେଶରେ ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ ଲାଗି ଜାରି ରହିଥିବା ଅଭିଯାନରେ ବି ପାଦ ଥାପିଛନ୍ତି କୁମାରସ୍ବାମୀ । ଆସନ୍ତା ଦଶହରାରୁ ସମ୍ଭବତଃ ଲଞ୍ଚ ହୋଇପାରେ ନୂଆ ଦଳ ।

କିଛି ଦିନ ତଳେ ପାଟନା ଗସ୍ତ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିଥିଲେ କେସିଆର । ଏକ ଜାତୀୟ ଦଳ ଗଠନ କରିବା ଲାଗି ଟିଆରଏସ ଅଧିବେଶନରେ ସୂଚନା ଦେଇଥିଲେ କେସିଆର । ନୂଆ ଦଳର ପତାକାର ରଙ୍ଗ ଗୋଲାପୀ ହେବା ସହ ସେଥିରେ ଜାତୀୟ ପତାକା ରହିବା ସୂଚନା ମିଳିଛି । ସେପଟେ ନୀତୀଶ କୁମାର ମଧ୍ୟ ବିଭିନ୍ନ ଆଞ୍ଚଳିକ ରାଜନୈତିକ ମୁଖ୍ୟଙ୍କୁ ଭେଟୁଛନ୍ତି  । ତେବେ କିଏ ଜାତୀୟ ରାଜନୀତିରେ ଏଣ୍ଚ୍ରି କରୁଛି, ତାହା ସମୟ କହିବ  ।

ମହାରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ପଛରେ ଅଛି କି ‘ଆଞ୍ଜେଲ ନମ୍ବର ୨୨୨’ ?

ଲଣ୍ଡନ: ଦୀର୍ଘ ସମୟ ଧରି ବ୍ରିଟେନ୍‌ରେ ରାଜ୍‌ କରୁଥିବା ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ଘଟିଛି  । ୭୦ ବର୍ଷ ପର୍ଯ୍ୟନ୍ତ ବ୍ରିଟେନର ଶାସନ ଗାଦିରେ ରାଜ୍‌ କରିଛନ୍ତି ମହାରାଣୀ । ମହାରାଣୀଙ୍କ ମୃତ୍ୟୁ ପରେ ଅନେକ ରହସ୍ୟ ସାମନାକୁ ଆସିଛି  । ଆଞ୍ଜେଲ ନମ୍ବର ୨୨୨କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା  । ସୋସିଆଲ ମିଡିଆରେ ଜଣେ ୟୁଜର ଏକ ଭିଡିଓ ସେୟାର କରି ମହାରାଣୀଙ୍କ ମୃତ୍ୟୁ ପାଇଁ ଆଞ୍ଜେଲ ନମ୍ବର ୨୨୨କୁ ଦାୟୀ କରିଛନ୍ତି  । କେବଳ ମହାରଣୀ ନୁହେଁ ରାଜ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ସହ ଆଞ୍ଜେଲ ନମ୍ବର ୨ ଜଡିତ ବୋଲି ଦାବି କରନ୍ତି ୟୁଜର ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ ଏହି ଆଞ୍ଜେଲ ନମ୍ବରଟି କଣ ? ବାସ୍ତବରେ ଅଙ୍କ ଜ୍ୟୋତିଷରେ ଏହାର ମାନ୍ୟତା ରହିଛି । ସାଧାରଣତଃ ଏହି ନମ୍ବରର ବିଭିନ୍ନ ପାଟର୍ଣ୍ଣ ରହିଥାଏ । ୧୧୧୧ ହେଉ କି ୪୪୪୪..ପୁଣି କେବେ ୩୨୧ ତ ପୁଣି ୮୭୮୭  । ଅଙ୍କ ଜ୍ୟୋତିଷରେ ଏଭଳି ନମ୍ବର ଲୋକଙ୍କୁ ଆକର୍ଷିତ କରିଥାଏ । ଆଧ୍ୟାତ୍ମିକ ହେଉ ବା ଭୌତିକ… ଏହାକୁ କେହିକେହି ଲକି ବା ଅନଲକି ନମ୍ବର ମାନିଥାନ୍ତି  ।

 

ହେଲେ ମହାରାଣୀଙ୍କ ମୃତ୍ୟୁ ସହ ଏହି ନମ୍ବରର କିପରି ସମ୍ପର୍କ ରହିଛି  । ମହାରାଣୀଙ୍କ ମୃତ୍ୟୁ ସମ୍ପର୍କିତ ଏକ ଭିଡିଓ ଜଣେ ଟିକ୍‌ଟକ୍‌ ୟୁଜର କିଛିଦିନ ପୂର୍ବେ ସେୟାର କରିଥିଲେ  । ଏଲିଜାବେଥ୍‌ଙ୍କ ଭଉଣୀ ଓ ମା’ଙ୍କ ମୃତ୍ୟୁ ସହ ଯୋଡି ଏକ ଭିଡିଓ ପ୍ରସ୍ତୁତ କରାଯାଇଛି।

 

ଭିଡିଓରେ ଏକ ଫଟୋ ସେୟାର କରି ଲେଖାଯାଇଛି ଏଲିଜାବେଥ୍‌ଙ୍କ ବାପା କିଙ୍ଗ ଜର୍ଜ ଷଷ୍ଠଙ୍କ ମୃତ୍ୟୁ ୧୯୫୨ ରେ ହୋଇଥିଲା । ସେହିପରି ମହାରାଣୀଙ୍କ ମା ଓ ଭଉଣୀ ରାଜକୁମାରୀ ମାର୍ଗରେଟଙ୍କ ନିଧନ ୨୦୦୨ରେ ହୋଇଥିଲା  । ଏହାପରେ ଏଲିଜାବେଥ ଦ୍ବିତୀୟଙ୍କ ଫଟୋ ନଜର ଆସୁଛି  । ଯେଉଁଥିରେ ଲେଖାଯାଇଛି ୨୦୨୨ରେ କୁଇନଙ୍କ ପରଲୋକ ଘଟିବ  । ଭିଡିଓ ପ୍ରସ୍ତୁତ କରିଥିବା ଟିକ୍‌ଟକ୍‌ ୟୁଜର ୨ ନମ୍ବରକୁ ଲାଲ ରଙ୍ଗରେ ହାଇଲାଇଟ୍‌ କରି କ୍ୟାପସନ୍‌ରେ ଲେଖିଛନ୍ତି ଅଜବ ସଂଯୋଗ, ଶାନ୍ତିରେ ଆରାମ କରନ୍ତୁ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟ  ।

 

ଭିଡିଓରେ ଜଣେ ପ୍ରଶଂସକ ଉତ୍ତର ଦେଇଛନ୍ତି ଏଲିଜାବେଥ୍‌ ଦ୍ବିତୀୟଙ୍କ ମୃତ୍ୟୁ ବର୍ଷ ଅର୍ଥାତ୍‌ ୨୦୨୨ରେ ତିନୋଟି ୨ ରହିଛି  । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ୨୨୨ ଏକ ଆଞ୍ଜେଲ ନମ୍ବର ଯାହାର ଅର୍ଥ ଆଶା, ପ୍ରେମ ଓ ସକରାତ୍ମକ ଚିନ୍ତାଧାରାର ପ୍ରତୀକ  ।

 

ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ ପ୍ରକାଶିତ, ରାଙ୍କ୍ ୱାନ୍‌ରେ ଆରକେ ଶିଶିର

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ । ରାଙ୍କ ୱାନରେ ରହିଛନ୍ତି ଆଇଆଇଟି ବମ୍ବେ ଜୋନ୍‌ର ଆର.କେ ଶିଶିର । ମୋଟ ୩୬୦ ନମ୍ବରରୁ ଶିଶିର ୩୧୪ ନମ୍ବର ରଖିଛନ୍ତି  । ସେ କର୍ଣ୍ଣାଟକ କମନ ଏଣ୍ଟ୍ରାନ୍ସ ଟେଷ୍ଟରେ ଫାର୍ମାସି ଷ୍ଟ୍ରିମରେ ଟପ୍ କରିଥିଲେ ।

ରାଙ୍କ ୨ରେ ଅଛନ୍ତି ପି. ଲକ୍ଷ୍ମୀସାଇ ରୋହି ରେଡ୍ଡୀ । ତୃତୀୟରେ ଥୋମାସ ବିଜୁ ଚିରମଭେଲିଲ, ଚତୁର୍ଥରେ ଭି, ସାଇ ସିଦ୍ଧାର୍ଥ, ପଞ୍ଚମରେ ମୟଙ୍କ ମନଓ୍ବାନୀ ରହିଛନ୍ତି । ସେହିପରି ଷଷ୍ଠରେ ପି. କାର୍ତ୍ତିକେୟ, ସପ୍ତମରେ ପ୍ରତୀକ ସାହୁ, ଅଷ୍ଟମରେ ଧୀରଜ କୁରକୁଣ୍ଡା, ନବମରେ ମହିତ ଗାଧିଓ୍ବାଲା, ଦଶମରେ ଭି. ଜ୍ଞାନ ମହେଶ ରହିଛନ୍ତି ।

ସେହିପରି ଛାତ୍ରୀଙ୍କ ମଧ୍ୟରେ ଟପ୍ କରିଛନ୍ତି ଆଇଆଇଟି ଦିଲ୍ଲୀ ଜୋନ୍‌ର ତନିଷ୍କା କାବ୍ରା। ତନିଷ୍କାଙ୍କ ରାଙ୍କ ୧୬ ରହିଛି । ତନିଷ୍କା ଇଣ୍ଟରନ୍ୟାସନାଲ କେମିଷ୍ଟ୍ରି ଅଲିମ୍ପିଆଡ ୨୦୨୨ର ଟପ୍ପର ଥିଲେ । ମହିଳା ବର୍ଗରେ ଆଇଆଇଟି ବମ୍ବେର ଜଳଧୀ ଯୋଶୀ ଟପ୍ପର ହୋଇଥିବା ବେଳେ ଆଇଆଇଟି ଦିଲ୍ଲୀର ତନିସ୍କା କାବ୍ରା, ଆଇଆଇଟି ଗୌହାଟୀର ସ୍ନେହ ପରିକ, ଆଇଆଇଟି କାନପୁରର ପ୍ରଗତୀ ଅଗ୍ରଓ୍ବାଲ ଟପ୍ପର ହୋଇଛନ୍ତି ।

ସେହିପରି ଆଇଆଇଟି ଭୁବନେଶ୍ବରରେ ଜାହ୍ନବୀ ସା, ଆଇଆଇଟି ମାଡ୍ରାସର ପଲ୍ଲୀ ଜଳଜାଖୀ ଓ ଆଇଆଇଟି ରୁରକିର ବିଦୂଷୀ ଟପ୍ପର ହୋଇଛନ୍ତି । ମୋଟ ୧ଲକ୍ଷ ୫୫ହଜାର ୫୩୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦ହଜାର ୭୧୨ ପିଲାଙ୍କୁ ରାଙ୍କ ମିଳିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬ହଜାର ୫୧୬ ଛାତ୍ରୀ । jeeadv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି ।

ଆର୍କିଟେକ୍ଟର ଆପ୍ଟିଚ୍ୟୁଡ ଟେଷ୍ଟ ଲାଗି ଆଜିଠାରୁ ଆସନ୍ତାକାଲି ଅପରାହ୍ଣ ୫ଟା ଯାଏ ଅନଲାଇନ ରେଜିଷ୍ଟ୍ରେସନ ହେବ । ଆସନ୍ତା ୧୪ ତାରିଖ ସକାଳ ୯ରୁ ୧୨ଟା ମଧ୍ୟରେ ହେବ ଆପ୍ଟିଚ୍ୟୁ଼ଡ ଟେଷ୍ଟ । ସେପ୍ଟେମ୍ବର ୧୭ ଅପରା୍ଣ ୫ଟାରେ ବାହାରିବ ଫଳ । ସେହିପରି ଜଏଣ୍ଟ ସିଟ୍ ଆଲୋକେସନ ଆସନ୍ତାକାଲିଠାରୁ ଆରମ୍ଭ ହେବ ।

ଆରପାରିରେ ବାହୁବଲୀଙ୍କ ବଡବାପା କୃଷ୍ଣମ ରାଜୁ

ହାଇଦ୍ରାବାଦ: ଆରପାରିରେ ବାହୁବଲୀଙ୍କ ବଡବାପା କୃଷ୍ଣମ ରାଜୁ  । ୮୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ରାଜୁ  । ଦୀର୍ଘଦିନ ଧରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ଲଢେଇ କରି ହାରି ଯାଇଛନ୍ତି ତେଲୁଗୁ ଇଣ୍ଡଷ୍ଟ୍ରିର ରିବେଲ ଷ୍ଟାର  । ତାଙ୍କ ମୃତ୍ୟୁରେ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ବଡବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ରିବେଲ, ରାଧେଶ୍ୟାମ, ବିଲ୍ଲା ଦ ଡନ୍‌, ଦ ରିଟର୍ଣ୍ଣ ଅଫ ରିବେଲ ୨ ଆଦି ପ୍ରଭାସ ଓ ରାଜୁଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଥିଲେ  ।

ଶୁଣିବାକୁ ମିଳୁଛି ଯେ ପ୍ରଭାସ ତାଙ୍କ ବଡବାପା କୃଷ୍ଣ ରାଜୁଙ୍କ ଅତି ନିକଟତର ଥିଲେ  । ଗତକାଲି ରାତିରେ ରାଜୁ ଅସୁସ୍ଥ ଅନୁଭବ କରିଥିଲେ  । ବିଳମ୍ବିତ ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ଆଜି ସକାଳୁ ତାଙ୍କ ପରଲୋକ ଘଟିଛି । ଜୀବନ ଯୁଦ୍ଧରେ ହାରିଯିବା ସହ ପତ୍ନୀ ଓ ତିନି ଝିଅଙ୍କୁ ଏକାକୀ ଛାଡି ଚାଲିଗଲେ ରାଜୁ  ।

ପାଞ୍ଚ ଦଶକ ଧରି ଅଭିନୟ ଦୁନିଆରେ ସେ ଦମ୍‌ ଦଖାଇ ଆସିଛନ୍ତି  । ୧୮୩ରୁ ଊର୍ଦ୍ଧ୍ବ ଫିଲ୍ମରେ କାମ କରିଥିବା ରାଜୁଙ୍କୁ ଶେଷ ଥର ପାଇଁ ପ୍ରଭାସଙ୍କ ସହ ଫିଲ୍ମ ରାଧେଶ୍ୟାମରେ  ଦେଖିବାକୁ ମିଳିଥିଲା  । ଅଭିନୟ ବ୍ୟତୀତ ରାଜନୀତିରେ ବି ସକ୍ରିୟ ଥିଲେ କୃଷ୍ଣମ ରାଜୁ  । ତିନି ରାଜ୍ୟର ନନ୍ଦି ଆୱାର୍ଡ ଓ ଦକ୍ଷିଣ ଭାରତର ୫ ଫିଲ୍ମଫେୟାର ସେ ଆୱାର୍ଡ ଜିତିଛନ୍ତି  । ସେହିପରି ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ରହି ଆସିଛନ୍ତି କୃଷ୍ଣମ ରାଜୁ  ।

ଅର୍ଦ୍ଧନିମିତ ହେବ ତ୍ରିରଙ୍ଗା, ମହାରାଣୀଙ୍କ ବିୟୋଗରେ ଦିନିକିଆ ଶୋକ ପାଳୁଛି ଭାରତ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକରେ ସାରା ବିଶ୍ବ ଜଣାଉଛି ଶ୍ରଦ୍ଧାଞ୍ଜଳି । ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି  । ମହାରାଣୀଙ୍କ ବିୟୋଗରେ ଦିନିକିଆ ଶୋକ ପାଳନ କରୁଛି ଭାରତ  । ଆଜି ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଏହାସହ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ।

ଏଲିଜାବେଥଙ୍କ ମୃତ୍ୟୁ ପରେ ୧୦ ଦିନ ଧରି ପରମ୍ପରା ଅନୁସାରେ କାର୍ଯ୍ୟକ୍ରମ ଚାଲୁଛି  । ଅପରେସନ ୟୁନିକର୍ଣ୍ଣ ଅନୁସାରେ ତାଙ୍କ କଫିନକୁ ସୋମବାର ରୟାଲ ଟ୍ରେନରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନକୁ ଅଣାଯିବ । ଆସନ୍ତା 19 ତାରିଖରେ ରାଣୀଙ୍କ ଶେଷକୃତ୍ୟ କରାଯିବ  ।

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ପରବର୍ତ୍ତୀ ୧୦ ଦିନ ବ୍ରିଟେନ ପରମ୍ପରା ଅନୁସାରେ ଅପରେସନ ଲଣ୍ଡନ ବ୍ରିଜ ପ୍ରୋଟକଲ ଅନୁସାରେ ଚାଲିବ କାର୍ଯ୍ୟକ୍ରମ । ପରେ ଅନୁଷ୍ଠିତ ହେବ ଅପରେସନ ସ୍ପ୍ରିଂ ଟାଇଡ । ମହାରାଣୀଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ପ୍ରଥମ ସଦସ୍ୟ ଭାବେ ବିବୃତି ପ୍ରଦାନ କରିବେ । ପରେ ଦେଶ ଉଦ୍ଦେଶ୍ୟରେ ଏହି ଘୋଷଣା କରିବେ ପ୍ରିନସ ଚାର୍ଲସ।

ଏହି ଘୋଷଣା ପରେ ରୟାଲ ଫାମିଲି ୱେବସାଇଟ କଳା ରଙ୍ଗରେ ପରିବର୍ତ୍ତିତ ହେବ। ସେହିପରି ବ୍ରିଟେନ ସରକାରଙ୍କ ୱେବସାଇଟରେ କଳା ବ୍ୟାନର ପ୍ରଦର୍ଶିତ ହେବ। ମୃତ୍ୟର ଦଶ ଦିନ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଦୈନିକ ୨୩ ଘଣ୍ଟା ହିସାବରେ ସେଠାରେ ଲୋକେ ରାଣୀଙ୍କୁ ଶେଷଦର୍ଶନ କରିବେ । ଏଥିଲାଗି ଭିଆଇପିମାନଙ୍କୁ ଟିକେଟ ପ୍ରଦାନ କରାଯାଇଛି ।

ଆଜି ଏସିଆ କପ୍ ଗ୍ରାଣ୍ଡ ଫିନାଲେ, ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ

ଆବୁଧାବି: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଦଙ୍ଗଲ୍ । ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ ମ୍ୟାଚ୍  । ସୁପର ୪ରେ ସମସ୍ତ ୩ଟି ଯାକ ମ୍ୟାଚ୍ ଜିତି ଫାଇନାଲକୁ ଯାଇଛି ଶ୍ରୀଲଙ୍କା  । ମାତ୍ର ଗୋଟିଏ ମ୍ୟାଚରେ ପରାଜୟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟରେ ରହି ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ  ।

ଲିଗ ମ୍ୟାଚରେ ଗ୍ରୁପ ଏର ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଥିଲା ପାକ୍  । ପରେ ସୁପର ଫୋର ମ୍ୟାଚରେ ଭାରତ ଓ ଆଫଗାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ  । ତେବେ ଶେଷ ସୁପର ଫୋରରେ ଦଳ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଛି । ଆଜି ଉଭୟ ଦେଶ ମଧ୍ୟରେ ଫାଇନାଲ ଖେଳାଯିବ  । ସୁପର ଫୋରରେ ଶ୍ରୀଲଙ୍କା ପାକକୁ ହରାଇଥିବାରୁ ଦଳ ମନୋବଳ ଦୃଢ ରହିଛି  ।

ଏପଟେ ପରାଜୟର ବଦଲା ନେଇ ଟ୍ରଫି ହାତେଇବାକୁ ଉଦ୍ୟମ କରିବ ବାବର ବାହିନୀ  ।

ମଙ୍ଗଳବାର ଠୁ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ, ନିବେଶକଙ୍କୁ ଦେବେ ନିମନ୍ତ୍ରଣ

ଭୁବନେଶ୍ବର: ପ୍ରଥମେ ଦୁବାଇ, ଦିଲ୍ଲୀ ଏବେ ମାୟାନଗରୀ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୩ ତାରିଖରୁ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୪ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ଆସନ୍ତା ମଙ୍ଗଳବାର ଠୁ ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ନବୀନ । ୧୫ରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ହେବାକୁ ଯାଉଛି । ଏହି ସମ୍ମିଳନୀକୁ  ନିବେଶକଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାର ପ୍ରସାର ପାଇଁ ଏହି ଗସ୍ତ କରୁଛନ୍ତି ନବୀନ ।

ବୁଧବାର ସନ୍ଧ୍ୟା ସାଢେ଼ ୬ରେ ମୁମ୍ବାଇର ନରିମନ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ରହିବେ ।

ଲଦାଖରେ ଅପରେସନ ପର୍ବତ ପ୍ରହାର, ଚୀନ୍‌କୁ ଚେକ୍‌ ଦେବ ଭାରତ

ଲଦାଖ: ଚୀନକୁ ଟକ୍କର ଦେବାକୁ ଲଦାଖରେ ବଡ଼ ପ୍ଲାନ୍ । ଅପରେସନ ପର୍ବତ ପ୍ରହାର ଅଭ୍ୟାସ ଆରମ୍ଭ କରିଛନ୍ତି ଭାରତୀୟ ଯବାନ । ଲଦାଖ ଗସ୍ତରେ ଥିବା ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ ଏହି ଅଭ୍ୟାସକୁ ଦେଖିବା ସହ ଯବାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି  । ଲଦାଖରେ ୧୪ ହଜାର ଫୁଟ୍ ଉପରେ ୫୦ ହଜାର ସେନା ପର୍ବତ ପ୍ରହାର ଅଭ୍ୟାସ ଜାରି ରଖିଛନ୍ତି ।

ଏହାର ଲକ୍ଷ୍ୟ ହେଲା ସୀମାରେ ଚୀନ ସେନା ପ୍ରବେଶ କଲା ମାତ୍ରେ ଏହି ଟିମ୍ ତୁରନ୍ତ ସେମାନଙ୍କୁ ଜବାବ ଦେବ  ।  ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ଅଭ୍ୟାସ  । ଭାରତ ଚୀନ୍ ମଧ୍ୟରେ ସେନା ପ୍ରତ୍ୟାବର୍ତ୍ତନ ଚାଲିଥିବା ବେଳେ ଭାରତର ଯୋଜନା ବେଶ୍ ଗୁରୁତ୍ବବହନ କରୁଛି  । ଏହି ଅଭ୍ୟାସ କରୁଥିବା ସେନା କୌଣସି କ୍ଷେତ୍ରରେ ବି ହାର ମାନିବେ ନାହିଁ  ।

ଯେକୌଣସି ସ୍ଥିତିରେ ଶତ୍ରୁଙ୍କୁ ଉଚିତ୍ ଜବାବ ଦେବେ  । ପାହାଡ ହେଉ କି ପର୍ବତ ସବୁଠି ଭାରତୀୟ ଯବାନ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସକ୍ଷମ ହେବ  ।

୧୨ ଯାଏଁ ମତ୍ସ୍ୟଜୀବୀଙ୍କୁ ମନା ସମୁଦ୍ର, ଦକ୍ଷିଣରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗିରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ 12 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଆଜି ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି  । ପ୍ରଭାବରେ ଆଜି ଓ କାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ  । ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ  ।  ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର  ।

କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି  । ସେହିପରି ୧୬ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର  । ଲଘୁଚାପ ପ୍ରଭାବରେ ୧୪ତାରିଖ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ  । ୧୨ତାରିଖ ଯାଏ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି  ।

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ସାଙ୍ଗକୁ ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ  । ସେହିପରି ସହରାଞ୍ଚଳରେ ବର୍ଷା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିବା ସମ୍ଭାବନା ରହିଛି ।  ଏହାସହ ଧାନ ବିଲରେ ପାଣି ଜମା ହେବା ଯୋଗୁଁ ଫସଲ ନଷ୍ଟ ହୋଇପାରେ । ଏଥିପାଇଁ ପଦକ୍ଷେପ ନେବା ସହିତ ଆଲର୍ଟରେ ରହିବାକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

ଶବ ସକ୍ତାର ପାଇଁ ମିଳିଲାନି ଶ୍ମଶାନ, ଉତ୍ତେଜନାରୁ ଲାଗିଲା ୧୪୪

ନବରଙ୍ଗପୁର: ଶବ ସକ୍ତାର ପାଇଁ ଶ୍ମଶାନ ନମିଳିବା ଘଟଣାକୁ ନେଇ ପୁଣି ଉମରକୋଟରେ ଉତ୍ତେଜନା ଦେଖାଦେଇଛି । ଘଟଣାକୁ ୨୪ ଘଣ୍ଟା ପୁରିଥିଲେ ବି କୌଣସି ନିଷ୍କର୍ସ ନବାହାରିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଆନ୍ଦୋଳନକାରୀ ନିଜ ଜିଦ୍ଦିରେ ଅଡି ବସିଥିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି । ରାସ୍ତାକଡରେ ପୋତା ଯାଇଥିବା ଶବକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ଗତକାଲିଠୁ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି ।

ବର୍ତ୍ତମାନ ଯାଏ କୌଣସି ସମାଧାନ ବାହାରି ପାରିନାହିଁ । ପ୍ରଥମେ ରାସ୍ତା କଡ଼ରେ ପୋତା ଯାଇଥିବା ଶବକୁ ସେଠାରୁ ଖୋଳାଯାଇ ଅନ୍ୟ ସ୍ଥାନରେ ପୋତାଯାଉ ବୋଲି ଆନ୍ଦୋଳନ କାରୀ ଗୋଟିଏ ଜିଦରେ ଅଡି ବସିଛନ୍ତି । ପ୍ରଶାସନ ଏଥିପାଇଁ କିଛି ସମୟ ମାଗିବା ସହ ଅଲଗା ସ୍ଥାନରେ ଶ୍ମଶାନ ପାଇଁ ଜାଗା ଦେବାକୁ ପ୍ରତିଶ୍ରୁତି ଦେଇଛି ।

କିନ୍ତୁ ପ୍ରଶାସନର ଏହି ନିଷ୍ପତିକୁ ମାନିବାକୁ ରାଜି ନାହାନ୍ତି ଆନ୍ଦୋଳନକାରୀ । ସେପଟେ ୧୪୪ ଧାରା ଆଜି ରାତି ୯ ଟାରୁ ୧୨ ତାରିଖ ରାତି ୯ଟା ଯାଏ ବଳବତ୍ତର ରହିବ । ଶ୍ମଶାନ ପାଇଁ ରହିଥିବା ବିବାଦକୁ ଅତିଶୀଘ୍ର ସମାଧାନ କରାଯିବା ସହ ଉମରକୋଟ ସହର ରେ ଶାନ୍ତି ଫେରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ।