spot_img
Home Blog Page 3869

ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ, ବଢିଲା ଗିରଫ ଭୟ

0

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଘଟଣା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଜାମିନ ମାମଲାର ଶୁଣାଣି । ଜ୍ୟାକଲିନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜୋରଦାର ବିରୋଧ । ଜାମିନ ମିଳିଲେ ଜ୍ୟାକଲିନ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଦର୍ଶାଇଛି ଇଡି । ଯୁକ୍ତି ବେଳେ କାହିଁକି ଜ୍ୟାକଲିନଙ୍କୁ ଗିରଫ କରାଯାଇନାହିଁ ବୋଲି କୋର୍ଟ କହିଥିବା ସୂଚନା ମିଳିଛି ।

ଆମେ ସାରା ଜୀବନରେ ନଗଦ ୫୦ ଲକ୍ଷ ଟଙ୍କା କେବେ ଦେଖିନାହୁଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦର୍ଶାଇଥିଲା । ମାତ୍ର କେବଳ ଉପଭୋଗ ଲାଗି ଜ୍ୟାକଲିନ ୭ କୋଟି ୧୪ ଲକ୍ଷ ଟଙ୍କା ଉଡାଇଦେଲେ । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଲାଗି ସେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିଛନ୍ତି । ସେପଟେ ବିଦେଶକୁ ଖସିଯିବା ଆଶଙ୍କା ଥିବାରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି ଇଡି । ଉଭୟ ପକ୍ଷର ଯୁକ୍ତି ପରେ ଆସନ୍ତାକାଲି ଯାଏ ରାୟ ସ୍ଥଗିତ ରଖିଛନ୍ତି କୋର୍ଟ ।

୨୦୦ କୋଟି ଟଙ୍କାର ଠକେଇ ଘଟଣାରେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ ହାଜର ହୋଇଥିଲେ । ମାମଲାରେ ଜ୍ୟାକଲିନଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ମତ ରଖିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନିଜର ଯୁକ୍ତି ଉପସ୍ଥାପିତ କରାଯାଇଥିଲା । ପୂର୍ବରୁ ନଭେମ୍ବର ୧୦ ତାରିଖ ଯାଏ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଦିଲ୍ଲୀ କୋର୍ଟ । ଜ୍ୟାକଲିନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଥିଲା । ପୂର୍ବରୁ ମଧ୍ୟ ଜ୍ୟାକଲିନଙ୍କ ନିୟମିତ ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା । ତଦନ୍ତ ଚାଲିଥିବାବେଳେ ଜ୍ୟାକଲିନ ବିଦେଶକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଦର୍ଶାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଗୁଜୁରାଟ ବ୍ୟାଟେଲ: ବିଜେପି ଟିକେଟ ନେଇ ନିର୍ବାଚନ ମଇଦାନରେ କ୍ରିକେଟରଙ୍କ ପତ୍ନୀ

0

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୮୨ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେପି ୧୬୦ଜଣଙ୍କ ନାଁ ଘୋଷଣା କରିଛି । ଘାଟଲୋଡିଆରୁ ନିର୍ବାଚନ ଲଢ଼ିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଗୃହମନ୍ତ୍ରୀ ହର୍ଷ ସାଂଘଭୀଙ୍କୁ ମଜୁରା ସିଟରୁ ପ୍ରାର୍ଥୀ କରିଛି ବିଜେପି । ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ବିରାମଗମ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଜାମନଗର ନର୍ଥ ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ।

ମୋରବିରୁ ସିଟିଂ ବିଧାୟକଙ୍କ ଟିକେଟ୍‌ କାଟି ପୂର୍ବତନ ବିଧାୟକ କାନ୍ତିଲାଲ ଶିବଲାଲ ଅମୃତିଆଙ୍କୁ ଟିକେଟ ଦେଇଛି ବିଜେପି । ଚଳିତଥର ୬୯ସିଟିଂ ବିଧାୟକଙ୍କୁ ବିଜେପି ଟିକେଟ ଦେଇଛି । ୨୦୧୭ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ୭ଜଣଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦିଲ୍ଲୀରେ ବିଜେପି ନିର୍ବାଚନ କମିଟି ପକ୍ଷରୁ ହୋଇଥିବା ବୈଠକରେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ବିଜେପି ପ୍ରାର୍ଥୀ ତାଲିକା ଘୋଷଣାର ଦିନକ ପୂର୍ବରୁ ନିର୍ବଚନ ନଲଢ଼ିବା ନେଇ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ରୂପାଣୀ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ । ଗତ ୨୭ ବର୍ଷ ଧରି ଗୁଜୁରାଟରେ ବିଜେପି ସରକାର ରହିଛି । ହେଲେ ଏଥର ଗୁଜୁରାଟରେ ବିଜେପି-କଂଗ୍ରସ ଓ ଆପ୍‌ ମଧ୍ୟରେ ଲଢ଼େଇ ହେବ । ବିଜେପି ଗଡ଼ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିବ । ସେପଟେ ବିଜେପିକୁ ଗାଦିରୁ ହଟାଇବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ସହ ଘନ ଘନ ଜନସମାବେଶ ଓ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି ଆମ ଆଦମୀ ପାର୍ଟି । ସେପଟେ ଗ୍ରାମାଞ୍ଚଳ ଉପରେ ଫୋକସ କରୁଛି କଂଗ୍ରେସ ।

ଛୁଟି କାଟିବାକୁ ଯାଇଥିଲେ ମାଲଦ୍ବୀପ, ନିଆଁ ନେଇଗଲା ୯ ଭାରତୀୟଙ୍କ ଜୀବନ

ମାଲେ: ମାଳଦ୍ବୀପ ରାଜଧାନୀ ମାଲେର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଛୁଟି କଟାଇବାକୁ ଯାଇଥିବା ବେଳେ ୯ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ମୃତକ ବାଂଲାଦେଶର ବୋଲି ଜଣାପଡ଼ିଛି । ୨୦ରୁ ଊର୍ଦ୍ଧ୍ବ ଆହତଙ୍କୁ ଉଦ୍ଧାର କରାଯାଇଛି ।

ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିବା ବେଳେ ତଳ ମହଲାରେ ଥିବା ଗ୍ୟାରେଜରୁ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ଯାଇଥିବା ବେଳେ ଅଗ୍ନିଶମବାହିନୀ ୧୦ ମୃତଦେହ ଉଦ୍ଧାର କରିଥିଲା । ନିଆଁ ଲିଭାଇବାକୁ ପ୍ରାୟ ୪ଘଣ୍ଟା ସମୟ ଲାଗିଥିଲା । ୯ ଭାରତୀୟଙ୍କ ମୃତ୍ୟୁରେ ମାଳଦ୍ବୀପରେ ଅବସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମାଲଦ୍ବୀପ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ  । ଖୁବଶୀଘ୍ର ମୃତଦେହ ଭାରତ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଭାରତୀୟ ଉଚ୍ଚାୟୁକ୍ତ  ।

 

ବଳଗଣ୍ଡି ଛକରୁ ବଡ଼ଦେଉଳକୁ ଚାଲିଚାଲି ଗଲେ ରାଷ୍ଟ୍ରପତି, ବଡ଼ଦାଣ୍ଡରୁ ହାତ ଟେକି ପ୍ରଣାମ

ପୁରୀ: ବଡ଼ଦାଣ୍ଡରେ ମଥା ନୋଇଁଲେ ମହାମହିମ । କାରକେଡ ନୁହେଁ ଶ୍ରୀକ୍ଷେତ୍ରରେ ପହଞ୍ଚି ବଳଗଣ୍ଡି ଛକରୁ ବଡ଼ଦେଉଳକୁ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଡ଼ଦାଣ୍ଡରେ ସାଧାରଣ ଲୋକଟିଏ ପରି ହାତ ଟେକି ମହାବାହୁଙ୍କୁ ପ୍ରଣାମ କରି ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲେ । ଦ୍ରୌପଦୀଙ୍କୁ ଦେଖିବାକୁ ଦୁଇ କଡ଼ରେ ଜମିଥିଲା ଖଚାଖଚ ଭିଡ଼ ।

ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ହତ ହଲେଇ ଅଭିବାଦନ ଗ୍ରହଣ କରିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ । ଏହାପରେ ଅରୁଣ ସ୍ତମ୍ଭ ଛୁଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ମନ୍ଦିରକୁ ପାଛୋଟି ନେଇଥିଲେ କୌଳିକ ସେବାୟତ । ଶ୍ରୀଜିଉଙ୍କୁ ଦର୍ଶନ କରି ଫେରିବା ପରେ ସେବାୟତଙ୍କ ପକ୍ଷରୁ ଶ୍ରୀଜିଉଙ୍କ ପଟ୍ଟଚିତ୍ର ମହାମହିମଙ୍କୁ ପ୍ରଦାନ କରାଯାଇଥିଲା ।

ଚତୁର୍ଦ୍ଧାମୂରତୀଙ୍କୁ ଦର୍ଶନ କରି ସେ ଖୁବ ଖୁସି ବୋଲି କହିଥିଲେ । ଏହାପରେ ସିଂହଦ୍ବାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସିଧାସଳଖ ରାଜଭବନ ଯାଇ ମହାପ୍ରସାଦ ସେବନ କରିବା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଗଜପତି ମହାରାଜ ଉପସ୍ଥିତ ଥିଲେ । ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ । ସକାଳୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବିମାନ ବନ୍ଦର ପରିସରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ଥିଲେ ।

ଲାଲୁ ଯାଦବଙ୍କୁ କିଡ଼ନୀ ଦାନ କରିବେ ଝିଅ, ସିଙ୍ଗାପୁରରେ ପ୍ରତ୍ୟାରୋପଣ

ପାଟନା: ଦୀର୍ଘଦିନରୁ କିଡନୀ ରୋଗରେ ପୀଡିତ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ହେବ ଅସ୍ତ୍ରୋପଚାର  । ଖୁବଶୀଘ୍ର କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ସିଙ୍ଗାପୁର ଯିବେ ଲାଲୁ  । ସେଠାରେ ରହୁଥିବା ଝିଅ ରୋହିଣୀ ଲାଲୁଙ୍କୁ କିଡନୀ ଦାନ କରିବେ  । ବହୁଦିନରୁ ଚିକିତ୍ସିତ ହେଉଥିବା ଲାଲୁଙ୍କୁ କିଡନୀ ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ  । ଯାହାପରେ ଝିଅ ରୋହିଣି ବାପାଙ୍କୁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି  ।

ପରିବାରର ଚାପ ପରେ ଝିଅ ଠୁ କିଡନୀ ନେଇ ପ୍ରତ୍ୟାରୋପଣ ପାଇଁ ରାଜି ହୋଇଛନ୍ତି ଲାଲୁ  । ଆସନ୍ତା ନଭେମ୍ବର ୨୦ରୁ ୨୪ ମଧ୍ୟରେ ସିଙ୍ଗାପୁର ଯାଇ ପାରନ୍ତି ଲାଲୁ  । ତାଙ୍କ ଦ୍ବିତୀୟ ଝିଅ ରୋହିଣୀ ସିଙ୍ଗାପୁରରେ ରୁହନ୍ତି । ଲାଲୁଙ୍କ ଚିକିତ୍ସାରେ ଝିଅ ରୋହିଣୀ ମୁଖ୍ୟ ଭୂମିକା ନେଇଛନ୍ତି   । ଗତ କିଛି ବର୍ଷରୁ ଦିଲ୍ଲୀ ଏମ୍ସରେ କିଡନୀ ସମସ୍ୟା ନେଇ ଲାଲୁ ଚିକିତ୍ସିତ ହେଉଛନ୍ତି  । ହେଲେ ସିଙ୍ଗାପୁର ଗସ୍ତ ସମୟରେ ସେଠାକାର ଡାକ୍ତର ତାଙ୍କୁ କିଡନୀ ପ୍ରତ୍ୟାରୋପଣର ପରାମର୍ଶ ଦେଇଛନ୍ତି  ।

ସିଙ୍ଗାପୁରରେ ରହୁଥିବା ଦ୍ବିତୀୟ ଝିଅ ରୋହିଣୀ ବିହାର ରାଜନୀତିରେ ପରୋକ୍ଷ ଭାବେ ସକ୍ରିୟ ରହିଥାନ୍ତି  । ରାଜନୈତିକ ବିଚାରଧାରା ସହ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ଭୁଲନ୍ତି ନାହିଁ ରୋହିଣୀ  ।

ଟି ୨୦ବିଶ୍ବକପ: ଟସ୍‌ ଜିତି ଇଂଲଣ୍ଡର ଫିଲ୍ଡିଂ ନିଷ୍ପତ୍ତି, ଫାଇନାଲ ଟିକେଟ ପାଇଁ ଲଢେଇ

0

ସିଡନୀ: ଆଡିଲେଡରେ ଆଜି ମହା ମୁକାବିଲା । ଟି-୨୦ ବିଶ୍ବକପର ଦ୍ବିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଭାରତୀୟ ସମୟ ୧ଟା୩୦ରେ ଖେଳାଯିବ ମ୍ୟାଚ । ୧୯୮୭ କ୍ରିକେଟ୍ ପର ଠାରୁ ଉଭୟ ଦଳ ପ୍ରଥମ ଥର ପାଇଁ ପରସ୍ପର ବିରୁଦ୍ଧରେ ବିଶ୍ବକପ ସେମିଫାଇନାଲରେ ମୁହାଁମୁହିଁ ହେବେ । ତେବେ ଟି -20 ବିଶ୍ୱକପ ଇତିହାସରେ ଉଭୟ ଭାରତ ଏବଂ ଇଂଲଣ୍ଡ 2007 ଏବଂ 2012ରେ ଦୁଇଥର ପରସ୍ପରକୁ ଭେଟିଥିବା ବେଳେ ଦୁଇଟିଯାକ ମ୍ୟାଚରେ ଭାରତ ବିଜୟୀ ହୋଇଛି ।

2007ରେ ଭାରତ ଟ୍ରଫି ଜିତିଥିବା ବେଳେ, 2010 ରେ ଇଂଲଣ୍ଡ ବିଜୟୀ ହୋଇଥିବାରୁ ଉଭୟ ଦଳ ଇତିହାସରେ ଦ୍ବିତୀୟ ଟାଇଟଲ୍ ଜିତିବାକୁ ଚେଷ୍ଟା କରିବେ । ଏହି ଦୁହିଁଙ୍କ ଭିତରେ ଯିଏ ବିଜୟୀ ହେବ ପାକିସ୍ତାନ ସହ ହେବ ଫାଇନାଲ ଟକ୍କର । ଭାରତ ଦୁଇଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଗୋଟିଏରେ ବିଜୟ, ଅନ୍ୟଟିରେ ପରାସ୍ତ ହୋଇଛି । ଇଂଲଣ୍ଡ ମଧ୍ୟ ଥରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ ହୋଇଛି ।

2014 ରେ ଶ୍ରୀଲଙ୍କା ଫାଇନାଲରେ ଭାରତକୁ ପରାସ୍ତ କରିଥିବାବେଳେ 2016 ରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜ ଠାରୁ ହାରିଥିଲା । ତେଣୁ ଏହି ମ୍ୟାଚ ଜିତି ଉଭୟ ଦଳ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ।

ଡିମ୍ପଲଙ୍କ ହାତରେ ମୁଲାୟମଙ୍କ ମୈନପୁରୀ, ଉପନିର୍ବାଚନ ପାଇଁ ପ୍ରାର୍ଥୀ ସଜାଇଲା ସପା

ଲକ୍ଷ୍ନୌ: ମୈନପୁରୀ ଲୋକସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଡିମ୍ପଲ ଯାଦବ ଲଢିବେ ନିର୍ବାଚନ  । ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ଥିଲା  । ଏବେ ବୋହୂ ଏଠାରୁ ନିର୍ବାଚନ ଲଢି ପୁଣିଥରେ ମୈନପୁରୀକୁ ନିଜ କବଜାରେ ରଖିବାକୁ ପ୍ରୟାସ କରିବ ଯାଦବ ପରିବାର  । ମୁଲାୟମଙ୍କ ରାଜନୈତିକ ଗଡକୁ ବଞ୍ଚାଇ ରଖିବା ପାଇଁ ସପା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି  ।

ଅଖିଳେଶ ଯାଦବ ୨୦୦୯ରେ ଯେତେବେଳେ ଫିରୋଜାବାଦ ସିଟ ଛାଡିଥିଲେ ସେତେବେଳେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ପତ୍ନୀ ଡିମ୍ପଲ । ଏହି ଉପନିର୍ବାଚନରେ ଲୋକପ୍ରିୟ ଅଭିନେତା ରାଜ ବବରଙ୍କୁ ହରାଇଥିଲେ ଡିମ୍ପଲ  । ଏହାପରେ ୨୦୧୨ରେ ଲୋକସଭା ଉପ ନିର୍ବାଚନରେ ବିଜୟ ହାସଲ କରିଥିଲେ  । ସେହିପରି ୨୦୧୪ରେ ମଧ୍ୟ କନୌଜ ଆସନ ଜିତି ନିଜ ଗଡକୁ ବଞ୍ଚାଇଥିଲେ ଡିମ୍ପଲ  । କିନ୍ତୁ ୨୦୧୯ରେ ବିଜେପିର ସୁବ୍ରତ ପାଠକଙ୍କ ଠୁ ୧୦ ହଜାର ଭୋଟରେ ହାରି ଯାଇଥିଲେ ଡିମ୍ପଲ  ।

ଏବେ ମୌନପୁରୀ ଆସନରୁ ଉପନିର୍ବାଚନ ଲଢିବେ ଡିମ୍ପଲ  । ୧୯୯୬ରୁ ଏହି ସିଟ୍‌ ନିଜ ପାଖରେ ରଖି ଆସୁଛି ସପା  ।

ସର୍ବାଧିକ ଶତକ, ୧୪ ଅର୍ଦ୍ଧଶତକ: ଇଂଲଣ୍ଡ ବିପକ୍ଷରେ ରନବର୍ଷା କରେ ମେନ ଇନ୍‌ ବ୍ଲୁ

ସିଡନୀ: ଟି ୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ  । ୯ ବର୍ଷ ପରେ ଆଇସିସିର ନକଆଉଟରେ ମୁହାଁମୁହିଁ ହେବେ ଦୁଇ ଟିମ  । ୨୦୧୩ରେ ଚାମ୍ପିଅନ ଟ୍ରଫି ଫାଇନାଲରେ ଇଂଲଣ୍ଡକୁ ଚକମା ଦେଖାଇଥିଲା ମେନ୍‌ ଇନ ବ୍ଲୁ  । ସେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଚାମ୍ପିଅନ ହୋଇଥିଲା ଭାରତୀୟ ଟିମ  । ଏବେ ପୁଣି ଥରେ ଟି ୨୦ ବିଶ୍ବକପରେ ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ  । ଫାଇନାଲ ଟିକେଟ ହାତେଇବାକୁ ଦୁଇ ଟିମ କରିବେ କଡା ପ୍ରୟାସ  । ପୂର୍ବରୁ ବି ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ ଦମଦାର ପ୍ରଦର୍ଶନ ଦେଖାଇ ସାରିଛି  । ଭାରତୀୟ ବ୍ୟାଟରଙ୍କ ଧୂଆଁଧାର ପ୍ରର୍ଦଶନରେ ଘାଇଲା ହୋଇଛନ୍ତି ଇଂଲିଶ ଟିମ  ।

ଟି ୨୦ରେ ଭାରତୀୟ ବ୍ୟାଟର ୧୦ଟି ଶତକ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି  । କେବଳ ଇଂଲଣ୍ଡ ବିପକ୍ଷରେ ୩ଟି ଶତକ ରହିଛି  । ଟି ୨୦ରେ ଭାରତୀୟ ବ୍ୟାଟରଙ୍କ କୌଣସି ଟିମ ବିରୋଧରେ ଏହା ସର୍ବାଧିକ ଶତକ  । ଇଂଲଣ୍ଡ ବିରୋଧରେ ଟି୨୦ ରେ ଶତକ କରିଥିବା ବ୍ୟାଟରଙ୍କ ମଧ୍ୟରେ ରହିଛନ୍ତି ରୋହିତ ଶର୍ମା, କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ  । ଚଳିତ ସିଜିନରେ ଟି୨୦ରେ ଶତକ କରି ଇଂଲଣ୍ଡ ବିପକ୍ଷ ସେଞ୍ଚୁରୀ କ୍ଲବରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର  ।

ସେହିପରି ଇଂଲଣ୍ଡ ବିପକ୍ଷରେ ଟି ୨୦ରେ ଭାରତୀୟ ବ୍ୟାଟର ୧୪ଟି ଅର୍ଦ୍ଧଶତକ କରିଛନ୍ତି  । ଇଂଲିଶ ଟିମ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ବିରାଟ କୋହଲି  । ତାଙ୍କ ବ୍ୟତୀତ ରୋହିତ ଶର୍ମା ମଧ୍ୟ ଇଂଲଣ୍ଡ ବିରୋଧରେ ଦୁଇଟି ଅର୍ଦ୍ଧଶତକ ଖେଳିଛନ୍ତି  । ମହେନ୍ଦ୍ର ସିଂ ଧୋନି, କେ ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସୁରେଶ ରୈନା, ଗୌତମ ଗମ୍ଭୀର, ଶ୍ରେୟସ ଆୟାର ଓ ଯୁବରାଜ ସିଂ ମଧ୍ୟ ଏଭଳି ଖେଳାଳୀ ଯେଉଁମାନେ ଟି ୨୦ରେ ଇଂଲଣ୍ଡକୁ ଧୂଳି ଚଟାଇବାରେ ସମର୍ଥ ହୋଇଛନ୍ତି  ।

ଇଂଲଣ୍ଡ ବିରୋଧରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳୀଙ୍କ ତାଲିକାରେ ଭାରତୀୟ ବ୍ୟାଟର୍‌ଙ୍କ ଦବଦବା ରହିଛି  । ଏଶନ ଫିଞ୍ଚ୍‌ଙ୍କ ପରେ ଟି ୨୦ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ କରି ରେକର୍ଡ କରିଛନ୍ତି କିଙ୍ଗ କୋହଲି  । ଇଂଲିଶ ଟିମ ବିରୋଧରେ ୧୯ଟି ମ୍ୟାଚ୍‌ରେ ୪ଟି ଅର୍ଦ୍ଧଶତକ ଖେଳି ୫୮୯ ରନ  ଯୋଡିଛନ୍ତି  । ୫୭ ଚଉକା ଓ ୧୭ ଛକା ମାରି  ଇଂଲଣ୍ଡ ବୋଲରଙ୍କୁ ଧରାଶାୟୀ କରିଥିଲେ ବିରାଟ  । ସେହିପରି ରୋହିତ ଶର୍ମା ମଧ୍ୟ ୧୩ଟି ମ୍ୟାଚରେ ୩୮୩ ରନ ଖେଳି ଇଂଲିଶ ଟିମର ବଡ ପ୍ରତିବନ୍ଧକ ସାଜିଥିଲେ  । ଯେଉଁଥିରେ କେବଳ ଟି ୨୦ରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି  । ତୃତୀୟ ସ୍ଥାନରେ ମହେନ୍ଦ୍ର ସିଂ ଧୋନି ଇଂଲଣ୍ଡ ବିପକ୍ଷରେ ଟି ୨୦ର ୧୨ଚି ମ୍ୟାଚ ଖେଳି ୨୯୬ ରନ ଯୋଡିଛନ୍ତି  ।

ଟି ୨୦ ବିଶ୍ବକପରେ ଇଂଲଣ୍ଡ ବିରୋଧରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ବର୍ଷୁଛି ଧୂଆଁଧାର ରନ ବର୍ଷା  । ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚରେ ୨୬୦ ରନ କରିଛନ୍ତି ସୂର୍ଯ୍ୟ  । ଟି ୨୦ରେ ପ୍ରଥମ ଅର୍ଦ୍ଧଶତକ ଓ ଶତକ କ୍ଲବରେ ସାମିଲ ହେବାକୁ ସୂର୍ଯ୍ୟ କୁମାରଙ୍କୁ ସହାୟକ ହୋଇଛନ୍ତି ଇଂଲିଶ ବୋଲର  । ସେହିପରି ହାର୍ଦ୍ଦିର ପାଣ୍ଡ୍ୟା ୧୧ଟି ମ୍ୟାଚରେ ୨୧୬ ରନ କରିଥିବାବେଳେ କେଏଲ ରାହୁଲ ୨୧୦ ରନ ସଂଗ୍ରହ କରିଛନ୍ତି  । ଯଦି ଏହି ବ୍ୟାଟରଙ୍କ ମଧ୍ୟରୁ କାହାର ବ୍ୟାଟ କମାଲ କରେ ଫାଇନାଲ ଟିକେଟ ନିଶ୍ଚିତ ହାତେଇବ ଭାରତୀୟ ଟିମ୍‌  ।

୫ଟି ମହାନଗର ନିଗମରେ ଆଜିଠୁ ବସ୍ତି ବାସିନ୍ଦାଙ୍କ ସର୍ଭେ, ଉପକୃତ ହେବେ ଅଢ଼େଇ ଲକ୍ଷ ପରିବାର

ଭୁବନେଶ୍ବର: ସହରରେ ନିଜ ଜମିର ମାଲିକ ହେବେ ବସ୍ତିବାସିନ୍ଦା । ଆଜିଠୁ ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ସର୍ଭେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଜାଗା ମିଶନ ଜରିଆରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରରେ ସର୍ଭେ କରାଯିବ । ଟାଟା ଟ୍ରଷ୍ଟ ଫାଉଣ୍ଡେସନ ଓ ସୂତ୍ର ଏଜେନ୍ସି ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ଏରିଏଲ ଡ୍ରୋନ ସର୍ଭେ ସହ ଡୋର ଟୁ ଡୋର ସର୍ଭେ କରାଯିବ । ଭୁବନେଶ୍ବରରେ 436ଟି ପଞ୍ଜିକୃତ ବସ୍ତିର 91ହଜାର 842 ପରିବାରଙ୍କୁ ଏହି ଜାଗା ମିଶନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସର୍ଭେ ତଥ୍ୟ ସଂଗ୍ରହ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବନିମ୍ନ 30ବର୍ଗ ମିଟରରୁ ସର୍ବାଧିକ 45 ବର୍ଗ ମିଟର ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଯିବ । ପୂର୍ବରୁ ରାଜ୍ୟର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକାରେ ସର୍ଭେ ଶେଷ ହୋଇଥିବା ବେଳେ ଏବେ 5ଟି ମହାନଗର ନିଗମରେ ସର୍ଭେ ଆରମ୍ଭ ହେବ ।

୫ଟି ମହାନଗର ନିଗମରେ ଉପକୃତ ହେବେ ଅଢ଼େଇ ଲକ୍ଷ ପରିବାର । ରାସ୍ତା ସାଙ୍ଗକୁ ଘରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ୭୦୭ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ଭାବେ ରୂପାନ୍ତରିତ କରାଯିବ ।

ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ବିମାନ ବନ୍ଦରରେ ଗାର୍ଡ ଅଫ ଅନର ପରେ ପୁରୀ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି  । ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିଛନ୍ତି ।

ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ । ୪୫ ମିନଟର ଦର୍ଶନ କାର୍ଯ୍ୟକ୍ରମ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ରାଜଭବନରେ ରହିଛି ମହାପ୍ରସାଦ ସେବନ ବ୍ୟବସ୍ଥା । ସୁରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୮ ଡିଏସପି, ୩୦ ଇନ୍ସପେକ୍ଟର, ୧୧୦ ଏଏସଆଇ ଓ ଏସଆଇ ମୁତୟନ ହୋଇଛନ୍ତି ।

ସକାଳ ୧୦ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସେ ପୁରୀ ଅଭିମୁଖେ ବାହାରିଥିଲେ । ସୁରକ୍ଷା ବ୍ୟବସ୍ଥା ପାଇଁ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ମୁତୟନ ହୋଇଛନ୍ତି ୩୪ ପ୍ଲାଟୁନ ପୋଲିସ । ଦାୟିତ୍ବରେ ରହିଛନ୍ତି ୨୦୦ ବରିଷ୍ଠ ଅଧିକାରୀ, ୪ ଡିସିପି, ୨୨ ଅତିରିକ୍ତ ଡିସିପି, ୬୨ ଡିଏସପି, ୨୦୦ ଏସଆଇ-ଏଏସଆଇ ଓ ଡଗ ସ୍କ୍ବାଡ ନିୟୋଜିତ ହୋଇଛନ୍ତି ।

ପୁରୀରୁ ଫେରିବା ପରେ ମହାମହିମ ଭୁବନେଶ୍ବରର ଏକାଧିକ ଛକରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗଦେବେ । ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।