ପଦମପୁର ଆଶୀର୍ବାଦରେ ଭିଜିଲେ ବର୍ଷା, ସବୁଠି ଉତ୍ସାହର ମାହୋଲ

ଭୁବନେଶ୍ୱର: ବିଶାଳ ଜନସମର୍ଥନ, ରେକର୍ଡ ବିଜୟ । ମାଟିର ଝିଅ ମଥାରେ ପଦମପୁର ବିଜୟ ମୁକୁଟ ପିନ୍ଧାଇବା ପରେ ସବୁଠି ଉତ୍ସାହର ମାହୋଲ । କେବଳ ପଦମପୁର କି ବରଗଡ଼ ନୁହେଁ । ସାରା ରାଜ୍ୟରେ ଚାଲିଛି ସେଲିବ୍ରେସନ । ଭୁବନେଶ୍ବରୁ ବ୍ରହ୍ମପୁର । ଯାଜପୁରରରୁ ଜୟପୁର । ସବୁଠି ବାଜୁଛି ବାଜା, ଫୁଟୁଛି ବାଣ । ନାଚଗୀତ ସହିତ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି ନେତା ଓ କର୍ମୀ । ଏ ଦୃଶ୍ୟ ପଦମପୁରର ।

ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟ ଜୟକାର ଧ୍ବନିରେ ପରିବେଶ କମ୍ପିଥିଲା । ସାରା ପଦମପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଥିଲା ଅଦିନିଆ ଉତ୍ସବର ମାହୋଲ । ଏପଟେ ଭୁବନେଶ୍ବରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଉତ୍ସବମୁଖର । କିଏ ନାଚୁଛି ଆଉ କିଏ ମିଠା ଖୁଆଇ ଦେଉଛି । ବରିଷ୍ଠ ନେତାମାନଙ୍କ ସହିତ ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ଏକାଠି ହୋଇ ପାଳିଛନ୍ତି ବିଜୟ ଉତ୍ସବ ।

ଯାଜପୁରରେ ମଧ୍ୟ ବିଜୟ ଉତ୍ସବ ପାଳନ କରିଛି ବିଜେଡି । ବିଞ୍ଝାରପୁରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ ଓ କର୍ମୀମାନେ ଏକତ୍ରିତ ହୋଇ ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳିଛନ୍ତି । ଯାଜପୁର ଗାନ୍ଧିଛକଠାରେ ମଧ୍ୟ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଦମପୁରବାସୀଙ୍କୁ ଯାଜପୁରବାସୀ ଧନ୍ୟବାଦ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ମଧ୍ୟ ଉତ୍ସାହର ମାହୋଲ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ତାଙ୍କ କର୍ମୀମାନକୁ ନେଇ ବାଣ ଫୁଟାଇ ମିଠା ଖୁଆଇ ପାଳନ କରିଥିଲେ ବିଜୟ ଉତ୍ସବ । ସେହିପରି, ବ୍ରହ୍ମପୁର, ଆସିକା, ଜୟପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନେତା ଓ କର୍ମୀମାନେ ଉତ୍ସବ ମନାଇଛନ୍ତି ।