ଗୁଜରାଟରେ ବିଜେପିକୁ ଏକପାଖିଆ ବହୁମତ, ଆପ୍ କଲା ବିରୋଧୀ ଭୋଟକୁ ଦୁଇଫାଳ

ଗାନ୍ଧିନଗର: ଗୁଜରାଟରେ ବିଜେପିକୁ ଏକପାଖିଆ ବହୁମତ । ବୃହତ୍ତ ବିଜୟ ସହ ଗୁଜରାଟରେ ଲଗାତର ସପ୍ତମ ଥର ପାଇଁ ସରକାର ଗଢ଼ିବ ବିଜେପି । ୧୮୨ ଆସନରୁ ୧୫୦ରୁ ଅଧିକ ସିଟ୍ ହାତେଇଛି ବିଜେପି । ବିଜୟ ସହ ରେକର୍ଡ ଭାଙ୍ଗିଛି ବିଜେପି । ଏପଟେ କଂଗ୍ରେସ ଅମାନତ ହାରିଛି । ଗତ ନିର୍ବାଚନରେ ଯେଉଁଠି ୭୭ ଆସନ ଜିତିଥିଲା ଏଥର କିନ୍ତୁ ୧୭ରେ ସୀମିତ ରହିଛି । ବିଜୟ ବ୍ୟବଧାନରେ ରେକର୍ଡ ସୃଷ୍ଟି କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ । ଘାଟଲୋଡିଆ ଆସନରୁ ଲଢି ଏହି ରେକର୍ଡ କରିଛନ୍ତି ଭୂପେନ୍ଦ୍ର ପଟେଲ ।

ନିକଟତମ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀଙ୍କୁ ୧ ଲକ୍ଷ ୯୧ ହଜାର ୩୬୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ଭୂପେନ୍ଦ୍ର । ଗୁଜରାଟରେ ଐତିହାସିକ ବିଜୟ ପରେ ଭୂପେନ୍ଦ୍ର ପଟେଲ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଜେପି ଭୂପେନ୍ଦ୍ରଙ୍କ ଶପଥ ଉତ୍ସବକୁ ମଧ୍ୟ ଐତିହାସିକ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଅନ୍ୟପଟେ କଂଗ୍ରେସ ୧୭ଟି ଆସନ ଦଖଲ କରିଛି । ବିଜେପି ଏତେ ବଡ଼ ବିଜୟର ଆଉ ଏକ କାରଣ କଂଗ୍ରେସ ଭୋଟ୍ ଭାଗ ବୋଲି କୁହାଯାଉଛି । ଗତଥର କଂଗ୍ରେସ ଯେଉଁଠି ୪୧ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଚଳିତ ଥର ତାହା ୨୭ ପ୍ରତିଶତକୁ ଖସିଆସିଛି । ଆପ୍ ପ୍ରାୟ ୧୩ ପ୍ରତିଶତ ଭୋଟ୍ ସେୟାର କଂଗ୍ରେସଠୁ କାଟି ନିଜର ଭୋଟ ପ୍ରତିଶତ ବଢାଇଛି ।

ଦଳର ଶୋଚନୀୟ ପରାଜୟ ପରେ କଂଗ୍ରେସ ନେତା ରଘୁ ଶର୍ମା ଗୁଜରାଟ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ପରାଜୟକୁ ସ୍ବୀକାର କରିବା ସହ ସେ ଇସ୍ତଫା ଦେଇଛନ୍ତି କହିଛନ୍ତି । ସେପଟେ ଏଥର ନିର୍ବାଚନରେ ଚର୍ଚ୍ଚାରେ ଥିବା ଆମ୍ ଆଦମୀ ପାର୍ଟି ଖାତରେ ପଡିଛି ମାତ୍ର ୫ଟି ଆସନ । ଗୁଜରାଟରେ ନୂଆ କରି ଖାତା ଖୋଲିବାକୁ ଆପ୍ ସକ୍ଷମ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅରବିନ୍ଦ କେଜରିଓ୍ବାଲ । ଏଥିସହ ସେ ଆପ୍କୁ ଏକ ଜାତୀୟ ଦଳ ଭାବେ ଘୋଷଣା କରିଛନ୍ତି ।

ସବୁଠୁ ବଡ଼ କଥା ହେଲା ଗୁଜୁରାଟରେ ପ୍ରଥମଥର କରି ଆପ୍ ଏଣ୍ଟ୍ରି କରିଥିଲା । ପ୍ରଥମ ଥରରେ ହିଁ ତାକୁ ବଡ଼ ସଫଳତା ମିଳିଛି । ଅନେକ ଆସନରେ କଂଗ୍ରେସର ଭୋଟକୁ ଆପ୍ କାଟିଥିବା ଦେଖାଯାଇଛି । ବର୍ତ୍ତମାନ ଆପ୍ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟିଏ ପଟେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ବିଭିନ୍ନ ରାଜ୍ୟରେ ଥିବା ବେଳେ ଏବେ ଆପ୍ କଂଗ୍ରେସର ଏହି ସ୍ଥାନକୁ ଛଡ଼ାଇ ନେବାକୁ ବସିଛି । ଅନ୍ୟପକ୍ଷରେ ବିଜେପିକୁ ଟକ୍କର ଦେବା ପାଇଁ ସମାନ ରଣନୀତି ଆପଣାଉଛି କେଜ୍ରୀଙ୍କ ଆପ୍ ।