ସ୍ବାସ୍ଥ୍ୟକର୍ମୀଙ୍କୁ ଅଶୋଭନୀୟ ଆଚରଣ ଓ ଭିଡ଼ିଓ ଭାଇରାଲ ପରେ ତେଜିଲା ଆନ୍ଦୋଳନ

ଭଦ୍ରକ: ସ୍ବାସ୍ଥ୍ୟକର୍ମୀଙ୍କୁ ଅଶୋଭନୀୟ ଆଚରଣ, ଗାଳିଗୁଲଜ ଓ ଭିଡ଼ିଓ ଭାଇରାଲକୁ ନେଇ ଆନ୍ଦୋଳନ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା ଠପ୍ । ନଭେମ୍ବର 28 ତାରିଖ ରାତିରେ ବହୁଦରଡା ଅଞ୍ଚଳର ଜଣେ ରୋଗୀ ମେଡିକାଲରେ ଆଡମିଶନ ହୋଇଥିଲେ । ରୋଗୀଙ୍କୁ ବେଡ ମିଳିନଥିଲା ।

ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିବା ସହ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ପରେ ମୋବାଇଲରେ ଭିଡ଼ିଓ ରେକର୍ଡ କରିଥିଲେ । ଏନେଇ ସ୍ବାସ୍ଥ୍ୟକର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ମେଡିକାଲ ତରଫରୁ ପୋଲିସରେ ଏତଲା ଦିଆଯାଇଥିଲା ।

କିନ୍ତୁ ପରେ ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରୁ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । ସ୍ବାସ୍ଥ୍ୟକର୍ମୀମାନେ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବାରୁ ରୋଗୀ ସେବା ଠପ ହୋଇଛି ।