ନବୀନ କହିଲେ କାହିଁକି ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ ପଦମପୁର

ପଦମପୁର: କାହିଁକି ପଦମପୁର ଉପନିର୍ବାଚନକୁ ପ୍ରଚାର ପାଇଁ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପଞ୍ଚାୟତ ଓ ଅନ୍ୟ ଉପନିର୍ବାଚନରେ କ୍ୟାମ୍ପେନକୁ ଯାଇନଥିବା ନବୀନ ପଦମପୁରକୁ କାହିଁକି ଗଲେ । ଏନେଇ ବିରୋଧୀ ପ୍ରଶ୍ନ କରୁଥିଲେ । ସେମାନଙ୍କୁ ଜବାବ ଦେଇଛନ୍ତି ନିଜେ ନବୀନ । କହିଛନ୍ତି ବର୍ଷା ସିଂ ବରିହାଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ।

ବାପାଙ୍କୁ ହରାଇ ସେ ଦୁଃଖରେ ଥିଲେ । ମାତ୍ର ଏହି ସମୟରେ ବର୍ଷାଙ୍କୁ ଅପମାନ କରିଥିଲା ବିଜେପି । ବାରମ୍ବାର ଆକ୍ଷେପ କରି ଅସମ୍ମାନ କରାଗଲା । ରାଜନୀତିରେ ହାରିବା ଓ ଜିତିବା, ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ । ଯାହାକି ନବୀନଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା । ଯେଉଁଥିପାଇଁ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ।

ଜଣେ ବାପା, ଭାଇ ଓ ବନ୍ଧୁ ହିସାବରେ ବର୍ଷାଙ୍କ ପାଖରେ ଠିଆହେଲି ବୋଲି ନବୀନ କହିଛନ୍ତି । ବିଜେପିକୁ ପରାମର୍ଶ ଦେଇ ନବୀନ କହିଛନ୍ତି, ମହିଳାଙ୍କୁ ଅସମ୍ମାନ କଲେ ଓଡିଶାବାସୀ କେବେ ବି ସମର୍ଥନ କରିବେ ନାହିଁ ।