spot_img
Home Blog Page 3868

‘ବିଜେପି ନେତାଙ୍କ ମୁଖା ଖୋଲିବ, ସେତେବେଳେ ହୋସ୍ ଉଡିଯିବ’

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିରେ ତଦନ୍ତକୁ ନେଇ ବିଜେପିର ରାଜନୀତିକୁ ସମାଲୋଚନା କଲା ବିଜେଡି । ଏହି ବିବାଦରେ ମାଳମାଳ ବିଜେପି ନେତା ଛନ୍ଦି ହୋଇଛନ୍ତି । ଓଡ଼ିଶା ପୋଲିସ୍ ଅର୍ଚ୍ଚନାଙ୍କ ଅପରାଧିକ ମାମଲାର ତଦନ୍ତ କରୁଛି । ଅର୍ଥନୈତିକ ଦିଗର ଖୋଳତାଡ଼ ଆରମ୍ଭ କରିଛି ଇଡି । ପୂରା ତଦନ୍ତ ଶେଷ ହେବା ପରେ ବିଜେପି ନେତାଙ୍କ ଯେତେବେଳେ ମୁଖା ଖୋଲିବ, ସେତେବେଳେ ମିଡିଆ ଆଗରେ ମିଛ ଘୋଡ଼ାଇବାକୁ ନାଟକ କରୁଥିବା ବିଜେପି ନେତାଙ୍କ ହୋସ୍ ଉଡିଯିବ ।

ତେବେ ତଦନ୍ତକୁ ଅପେକ୍ଷା ନକରି ମିଡିଆରେ ମିଛ ଷ୍ଟେଟମେଣ୍ଟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜୁ ଜନତା ଦଳର ପ୍ୟାନେଲିଷ୍ଟ ଇପସିତା ସାହୁ । ଅର୍ଚ୍ଚନା ନାଗ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ  ଖଗେଶ୍ୱରଙ୍କୁ ଉଠାଇ ନେଇଥିବା ମଦ୍ୟ ସୂଚନା ମିଳୁଛି  । ତେବେ ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାବେଳେ ବିଜେପି ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ଏବଂ ବିଜେଡି  ।

‘ଓଡ଼ିଆ ଲୋକ ସର୍ବଦା ଦେଖାଇଛନ୍ତି ନିଜର ପରାକାଷ୍ଠା’

ନନ୍ଦିଘୋଷ ବ୍ୟୁରୋ: ଜୟ ଜଗନ୍ନାଥ..ଭାରତର ମାଟି ଖାଣ୍ଟି ସୁନା, ଭାରତର ଜଳ ଜୀବନ  । ଭାରତର ପବନ ପ୍ରାଣ ସ୍ପନ୍ଦନ  । ଭାରତର ଶିଳା ଶାଳଗ୍ରାମ  । ଭାରତର ପ୍ରତି ବୃକ୍ଷ କଳ୍ପବଟ  ।ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ମୋର ପ୍ରଥମ ଆଗମନ  । ଏଭଳି କିଛି ଶବ୍ଦରୁ ଭାଷଣ ଆରମ୍ଭ କରିଥିଲେ ମହାମହିମ ରାଷ୍ଟ୍ରପତି  । ରାଜଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କହିଥିଲେ- ଆପଣଙ୍କ ସ୍ନେହ , ଶ୍ରଦ୍ଧା ମୋତେ ଅଭିଭୁତ କରିଛି  । ଆଜି ପୁରୀ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛି  । ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି  । ଦାତା ପଣରେ ଜଗନ୍ନାଥଙ୍କ ସରି କେହି ନାହାଁନ୍ତି  । ପୁରୀର ଏଏସଆଇର ସର୍କଲ ଅଫିସ ଖୋଲା ଯାଇଥିବାରୁ ମୁଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି  । ଭାରତର ପ୍ରତି ପ୍ରଦେଶ ମୋତେ ଆଉଣାଇଛି  ।

ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି  । ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ଭିନ୍ନତା ରହିଛି  । ତଥାପି ନିଜ ଅଞ୍ଚଳର ଦିଗ ଦିଗନ୍ତ୍ରର ସୌନ୍ଦର୍ଯ୍ୟ ନିଆରା  । ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ  । ଭାରତ ବର୍ଷର ଭୂଗୋଳ ଓ ଇତିହାସଲେର ଓଡିଶା ନିଜର ସ୍ୱତନ୍ତ୍ର ସ୍ଥାନ ବତଜାୟ ରଖିଛି  । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବ ବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି  । ଓଡିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତକୁ ମହାନ କରିଛି  । ଓଡିଶା ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଛନ୍ତି  ।

ପରାକ୍ରମୀ ସମ୍ରାଟ ଖାରବେଳ ଅହିଂସାର ପୂଜାରୀ ଥିଲେ  । ଭାରତ ବର୍ଷର ନୌବାଣିଜ୍ୟରେ ଓଡିଶାର ଦାନ ଅପୂରଣୀୟ । ଓଡିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ   । ଇତିହାସକାର କୁହନ୍ତି ୧୮୧୭ ମସିହାରେ ପ୍ରଥମ ବ୍ରିଟିସ ବିରୋଧି ଆନ୍ଦୋଳନ ଓଡିଶାରୁ ସୃଷ୍ଟି ହୋଇଥିଲା  । ଭାରତର ସଂଗ୍ରାମୀ ଇତିହାସରେ ଓଡିଶାର ଅବଦାନ ବନ୍ଦନୀୟ  । ରମାଦେବୀ , ସାରଳାଦେବୀ, ମାଳତୀ ଦେବୀଙ୍କ ଭଳି ନାରୀ ନେତ୍ରୀ ଓଡିଶାରୁ ସୃଷ୍ଟି ହୋଇଥିଲେ  । ଓଡିଶାରେ ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା  । ଭଦ୍ରକର ଇରମରେ ଦ୍ୱିତୀୟ ଜାଲିୱାନାବାଗ ହତ୍ୟା କାଣ୍ଡ ଘଟିଥିଲା  । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡିଶାର ଅବଦାନ ସର୍ବାଗ୍ରେ  । ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଭୂମିକା ଯୋଗୁଁ ଓଡିଶାରେ ଦେଶୀୟ ରାଜ୍ୟ ମିଶ୍ରଣ ସମ୍ଭବ ପର ହୋଇପାରିଥିଲା  । ଓଡିଶାରୁ ଆରମ୍ଭ ହେଉ ଭାରତର ପ୍ରଗତୀ  ।

ବିକାଶର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଁଚିବା ଦରକାର  । ସମାଜର ଶେଷ ଧାଡିରେ ଠିଆ ହୋଇଥିବା ଲୋକ ପାଖରେ ଯୋଜନା ପହଁଚିବା ଦରକାର  । ରାଜ୍ୟ ଗୁଡିକରେ ବିକାଶରେ ଭାରତର ବିକାଶ  । ତେଣୁ ଏହି ବିକାଶ ପକ୍ରିୟା ଓଡିଶାରୁ ଆରମ୍ଭ ହଉ ବୋଲି କାମନା କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।

ରାଜଭବନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ଅଭିଭାଷଣ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରି ଭୁବନେଶ୍ୱର ଫେରିଛନ୍ତି ମହାମହିମ  । ରାଜଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି   । ଏହି ଅବସରରେ ରାଜଭବନରେ ଆୟୋଜିତ ହୋଇଛି ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବ  । ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ହେବାପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହାମହିମ ଆପଣଙ୍କ ସଫଳତା ଭିତରେ ପ୍ରତିଟି ଓଡ଼ିଆ ଦେଖୁଛି ନିଜ ସଫଳତା । ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି’ ।‘ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ’ । ଜୀବନରେ ବିଗ୍ ଡ୍ରିମ୍ ପାଇଁ ପ୍ରେରଣା ଦେଉଛନ୍ତି ରାଷ୍ଟ୍ରପତି । ଓଡ଼ିଶା ଆଜି ଆପଣଙ୍କ ଗର୍ବିତ  ବୋଲି ଅଭିବାଦନ ଦେଇ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ରାଜଭବନରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା, ଯୋଗଦେଲେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ

ଭୁବନେଶ୍ୱର: ରାଜଭବନରେ ରଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା  । ଏହି ଉତ୍ସବରେ ଯୋଗ ଦେଇଛନ୍ତି ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ  ।  ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପ୍ରଥମେ ଅଭିଭାଷଣ ଦେଇ କହିଥିଲେ, ଆପଣଙ୍କ ସଫଳତା ଭିତରେ ପ୍ରତିଟି ଓଡ଼ିଆ ଦେଖୁଛି ନିଜ ସଫଳତା । ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି’ ।‘ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ’ ।

ସଂଧ୍ୟାରେ ରାଜଭବନରେ ଆୟୋଜିତ ହୋଇଥିଲା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କାର୍ଯ୍ୟକ୍ରମରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍ଥପତି ସୁଦର୍ଶନ ସାହୁ ଏକ ପ୍ରସ୍ଥଳ କଳାକୃତି ମହାମହିମଙ୍କୁ ଉପହାର ଦେଇଥିଲେ । ସେହିଭଳି ପ୍ରଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଜର୍ସି, ବାନ୍ଧ ଶିଳ୍ପୀ ସୁରେନ୍ଦ୍ର ମେହେର ନିଜସ୍ବ ପ୍ରସ୍ତୁତ ଏକ ବାନ୍ଧକଳା ଉପହାର ଦେଇଥିଲେ । ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶୀ ଅରୁଣା ମହାନ୍ତି ତାଳପତ୍ରରେ ଏକ ଉପହାର ପ୍ରଦାନ କରିଥିଲେ  ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ, ବିଏମସି ମେୟର ସୁଲୋଚନା ଦାଶ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ଉପହାର ଦେଇଥିଲେ । ମୟୁରଭଞ୍ଜର ମିଲେଟ ଚାଷୀ ସୁବାଷୋ ମହାନ୍ତି ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ମିଲେଟ ଗିଫ୍ଟ ହ୍ୟାମ୍ପର ଉପହାର ଦେଇଥିଲେ । ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମଧ୍ୟ ହକି ଇଣ୍ଡିଆର ଟି ସାର୍ଟ ଦେଇ ରାଷ୍ଟ୍ରପତିଙ୍କୁ ସମ୍ବର୍ଧନା ଜଣାଇଥିଲେ । ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଉତରୀୟ ଦେଇ ସମ୍ବର୍ଧନା ଜଣାଇଥିଲେ ।

 

ମ୍ୟାଚ୍ ନୁହେଁ ଚର୍ଚ୍ଚାରେ ପାକ୍ ସୁନ୍ଦରୀ, ସୋସିଆଲ ମିଡିଆରେ ଖୋଜିଲେ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଫାଇନାଲରେ ଏଣ୍ଚ୍ରି କରିଛି ପାକିସ୍ତାନ । ନ୍ୟୁଜିଲ୍ୟାଣ୍ଡ ଠାରୁ ସେମି ଫାଇନାଲରେ ବିଜୟ ହୋଇଛି  । କିନ୍ତୁ ଦର୍ଶକଙ୍କ ଆଖି ଖେଳ ଉପରେ ଯେତିକି ଥିଲା, ତାହା ଠୁ ଅଧିକ ଥିଲା ଜଣେ ପାକିସ୍ତାନୀ ଯୁବତୀଙ୍କ ଉପରେ  । ଫାଇନାଲରେ ପାକିସ୍ତାନର ପ୍ରବେଶ ଯେତିକି ଖବର ନୁହେଁ, ସୋସିଆଲ ମିଡିଆରେ ଏହି ଯୁବତୀଙ୍କ ଚର୍ଚ୍ଚା ଢେର ଅଧିକ.. ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିଥିବା ଏ ଯୁବତୀ କିଏ  ? କାହିଁକି ତାଙ୍କ ନାଁରେ ଏତେ ଚର୍ଚ୍ଚା ?

ସୋସିଆଲ ମିଡିଆରେ ଲୋକେ ପଚାରୁଛନ୍ତି  ଯୁବତୀ ଜଣଙ୍କ କିଏ ? ଟି ୨୦ ୱାର୍ଲଡ କପର ସେମିଫାଇନାଲ ମ୍ୟାଚ ଚାଲୁଥିବାବେଳେ ପାକିସ୍ତାନ ଟିମକୁ ଚିୟର କରୁଥିଲେ ଏହି ଯୁବତୀ  । ପାକିସ୍ତାନର ପ୍ରଦର୍ଶନରେ କେତେବେଳେ ଯୁବତୀ ଜଣଙ୍କ ଫ୍ଲାଇଙ୍ଗ କିସ୍ ଦେଉଥିଲେ ତ, କେତେବେଳେ ହାତ ହଲାଇ ଡ୍ୟାନ୍ସ କରୁଥିଲେ  । ଆଉ ଏହି ଯୁବତୀଙ୍କ ଉପରେ ଷ୍ଟାଡିୟମରେ ଥିବା ଅନ୍ୟ ଦର୍ଶକଙ୍କ ଯେତିକି ଆଖି ପଡୁଥିଲା, ସେତେକି ଥର କ୍ୟାମେରାମ୍ୟାନ ମଧ୍ୟ  ଫୋକସ କରୁଥିଲେ  ।

ରିପୋର୍ଟ ମୁତାବକ ସୋସିଆଲ ମିଡିଆ ସେନସେସନ ପାଲଟିଥିବା ସୁନ୍ଦରୀ ପାକିସ୍ତାନୀ ପ୍ରଶଂସକଙ୍କ ନାମ ନତାଶା  । ଅଷ୍ଟ୍ରେଲିଆରେ ରହୁଥିବା ଏହି ଯୁବତୀଙ୍କ ଘର ପାକିସ୍ତାନରେ  । ସେ ଅଷ୍ଟ୍ରେଲିଆରେ ଜନ୍ମ ହୋଇଛନ୍ତି ଏବଂ ପଢିଛନ୍ତି ମଧ୍ୟ  । ନତାଶା ଏବେ ମେଲବର୍ଣ୍ଣରେ ରହୁଛନ୍ତି  । ନିଜର ଇନଷ୍ଟାଗ୍ରାମ ବାୟୋଡାଟାରେ ସେ ନିଜେ ଅଷ୍ଟ୍ରେଲିଆଇ ପଞ୍ଜାବନ ଲେଖିଛନ୍ତି  । ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ପାକ୍ ଟିମକୁ ଚିୟର କରୁଥିବା ଏହି ଯୁବତୀଙ୍କ କ୍ରେଜ ଏବେ ସୋସିଆଲ ମିଡିଆରେ ବଢିବାରେ ଲାଗିଛି  । ପୂର୍ବରୁ ଦେଢ ହଜାର ଫଲୋୟର୍ସ ଥିବାବେଳେ ଏବେ ୩୫ ହଜାରରୁ ଅଧିକ ଫଲୋୟର୍ସ ରହିଛନ୍ତି  । ସେପଟେ ଟ୍ୱିଟରରେ ମଧ୍ୟ ବେସ ଆକ୍ଟିଭ ରହୁଛନ୍ତି ପାକ୍ ସୁନ୍ଦରୀ ନତାଶା  । ପାକିସ୍ତାନ ସହ ଫାଇନାଲରେ ଇଣ୍ଡିଆ ଖେଳୁ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ନତାଶା  ।

 

ଫାଇନାଲରେ ଇଂଲଣ୍ଡ, ନିରାଶ କଲା ଭାରତ

ଆଡିଲେଡ: ସେମି ଫାଇନାଲରେ ଭାରତର ପରାଜୟ  । ପୁଣି ନିରାଶ ହେଲେ ଭାରତୀୟ କ୍ରେକଟପ୍ରେମୀ  ।  ଭାରତର ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ପୁଣିଥରେ ଅଧାରେ ରହି ଯାଇଛି। ୧୦ ୱିକେଟରେ ମ୍ୟାଚ କବ୍ଜା କରିନେଇଛି ଇଂଲଣ୍ଡ  । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୬୮ ରନ୍ ସଂଗ୍ରହ କରିଥିଲା  । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ୧୬ ଓଭରରେ ୧୭୦ ରନ୍ କରି ଫାଇନାଲରେ ପ୍ରବେଶ କରିଥିଲେ  ।

ଏବେ ଇଂଲଣ୍ଡ ରବିବାର ପାକିସ୍ତାନ ବିପକ୍ଷରେ ଟ୍ରଫି ପାଇଁ ଟକ୍କର କରିବ। ଉଭୟ ପାକିସ୍ତାନ ଓ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରୁ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ଥିଲେ। ପାକିସ୍ତାନ ପ୍ରତିପକ୍ଷ ଜିମ୍ବାୱେ ଓ ଇଂଲଣ୍ଡ ସୁପର ୧୨ରେ ଆୟର୍ଲ୍ୟାଣ୍ତ ଠାରୁ ହାରିଥିଲା। କିନ୍ତୁ ଏବେ ଦୁଇ ଦଳ ଫାଇନାଲରେ ପହଞ୍ଚିବା ସହ ଟ୍ରଫି ପାଇଁ ମୁହାଁମୁହିଁ ହେବେ। ପାକିସ୍ତାନ ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ବେଳେ ଇଂଲଣ୍ଡ ଆଜି ଭାରତକୁ ହରାଇଛି।

 

ଫସଲ ବୀମା ଯୋଜନାର ବିଫଳତାକୁ ବିଜେପି ରାଜ୍ୟ ମୁଣ୍ଡରେ ଲଦୁଛି: ବିଜେଡି

ଭୁବନେଶ୍ୱର: ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାମରେ ନାମିତ । ନିଜ ନାମରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଯୋଜନାଟି କେନ୍ଦ୍ରର ନା ରାଜ୍ୟର ବୋଲି କହିଛନ୍ତି ବରଗଡର ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ।  ଆଚାର୍ଯ୍ୟ କହିଛନ୍ତି ଯେ ଏହି ଯୋଜନାର ପ୍ରଥମ ଦୁଇଟି ଶବ୍ଦ ‘ରାଜ୍ୟ ସରକାର’ ନୁହେଁ ବରଂ ‘ପ୍ରଧାନମନ୍ତ୍ରୀ’ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବା ବେଳେ ବିଜେପି ଫସଲ ବୀମା ଯୋଜନାର ବିଫଳତାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦିବାକୁ ଚେଷ୍ଟା କରୁଛି ।

ଯେତେବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ବିଜେପି ଦାବି କରିଥିଲା ଯେ ସେମାନେ ଚାଷୀଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି । ବର୍ତ୍ତମାନ ଯେତେବେଳେ ଏହା ଏକ ବିଫଳତା, ସେମାନେ କାହିଁକି ଦୋଷ ଲୁଚାଇବା ସହିତ ରାଜ୍ୟ ସରକାରଙ୍କ ଉପରକୁ ଏହାକୁ ଠେଲିବାକୁ ଚେଷ୍ଟା କରୁଛନ୍ତି ବୋଲି
ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଦଳ ଦ୍ୱାରା ବୀମା କମ୍ପାନୀମାନଙ୍କୁ ହଜାର ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ଏବେ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ କୃଷକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବୀମା କମ୍ପାନୀଗୁଡ଼ିକୁ ସୁରକ୍ଷା ଦେବାକୁ ବିଜେପି ଚେଷ୍ଟା କରୁଛି ।

ବିଜେପିରେ କିଛି ଲଜ୍ଜା ରହିବା ଉଚିତ ଏବଂ ପଶ୍ଚିମ ଓଡିଶାର ନିରୀହ ଚାଷୀଙ୍କୁ ମିଛ କହିବା ବନ୍ଦ କରିବା ଉଚିତ୍‍ । ବିଜେପି ନିଶ୍ଚିତ କରିବା ଉଚିତ ଯେ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାର ପଶ୍ଚିମ ଓଡିଶାର କୃଷକମାନଙ୍କୁ ସେମାନଙ୍କର ପଡି ରହିଥିବା ବୀମା ଅର୍ଥ ରାଶି ଶୀଘ୍ର ପ୍ରଦାନ କରନ୍ତୁ ନଚେତ ଲକ୍ଷ ଲକ୍ଷ କୃଷକ ଏହି ମିଛ ତଥା
ଶୋଷଣ ପାଇଁ ବିଜେପିକୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ।

ବଡ଼ ଦାଣ୍ଡରେ ଚାଲିଲେ, କଦଳୀ ପତ୍ରରେ ମହାପ୍ରସାଦ ଖାଇଲେ

ପୁରୀ: ଭୁଲି ନାହାନ୍ତି ନିଜ ପରମ୍ପରାକୁ , ଭୁଲି ନାହାଁନ୍ତି ନିଜ ସଂସ୍କୃତିକୁ । ମହାପ୍ରଭୁଙ୍କ ମାଟିର ଝିଅ, ମହାପ୍ରଭୁଙ୍କ ପାଖକୁ ଆସିଛନ୍ତି  ।  ମହାମହିମ ହୋଇଛନ୍ତି କିନ୍ତୁ ନିଜ ମହାପ୍ରଭୁଙ୍କୁ ଜାବୁଡ଼ି ଧରିଛନ୍ତି । ପୁରୀ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତଳେ ବସି କଦଳୀ ପତ୍ରରେ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଛନ୍ତି  ।

ଗଜଡପତି ମହାରଜ ଦିବ୍ୟସିଂହ ଦେବଙ୍କ ରାଜ ଭବନରେ ଗଜପତିଙ୍କ ପରିବାର ସହ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଖାଣ୍ଟି ଓଡ଼ିଆଙ୍କ ନିଦର୍ଶନ ଦେଇଛନ୍ତି ମହାମହିମ  । ମହାପ୍ରଭୁଙ୍କ ବଡ଼ ଦାଣ୍ଡରେ ଚାଲିବା ସହ, ଅସଂଖ୍ୟ ଭକ୍ତଙ୍କ ମେଳରେ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ବଡ଼ ଦାଣ୍ଡ  । କାଳିଆର ସେଇ ବଡ଼ ଦାଣ୍ଡରେ ପାଦରେ ଚାଲି ଚାଲି ଯାଇଥିଲେ ମହାମହିମ  ।

 

ଭାରତ କଲା ୧୬୮, ଇଂଲଣ୍ଡ ପାଇଁ ଟାର୍ଗେଟ ୧୬୯ ରନ୍

ଆଡିଲେଡ: ଫାଇନାଲ ପାଇଁ ମହା ଲଢେଇ  । ପ୍ରଥମେ ବ୍ୟାଟିଂ କରି ଭାରତ ହାସଲ କରିଛି ୧୬୮ ରନ୍  । ଆଡିଲେଡରେ ଚାଲିଛି ମହା ଲଢେଇ  ।   ଆଜି ଟି-୨୦ ବିଶ୍ବକପର ଦ୍ବିତୀୟ ସେମି ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି ଲଢ଼େଇ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ତେବେ ଆରମ୍ଭରୁ ଭାରତ କେ.ଏଲ ରାହୁଲଙ୍କ ଓ୍ବିକେଟ ହରାଇଥିବାବେଳେ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ଖେଳିଥିଲେ  ।

ଟି -20 ବିଶ୍ୱକପ ଇତିହାସରେ ଉଭୟ ଭାରତ ଏବଂ ଇଂଲଣ୍ଡ 2007 ଏବଂ 2012ରେ ଦୁଇଥର ପରସ୍ପରକୁ ଭେଟିଥିବା ବେଳେ, ଦୁଇଟି ଯାକ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ବିଜୟୀ ହେବ, ଫାଇନାଲରେ ସେହି ଟିମର ଟକ୍କର ପାକିସ୍ତାନ ସହ ହେବ ।

ବ୍ୟାପକ ହେବ ମିଲେଟ୍‌ ମିଶନ, ପୁଷ୍ଟିକର ଖାଇ ସୁସ୍ଥ ରହିବ ଓଡ଼ିଶା

ଭୁବନେଶ୍ବର: ମାଣ୍ଡିଆ ପୁଷ୍ଟିର ଭଣ୍ଡାର। ଗରିବ ଲୋକଙ୍କ ଉନ୍ନତି, ଲୋକଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇଵା ମିଲେଟ ମିଶନର ଲକ୍ଷ୍ୟ। ଆଗରୁ ୧୯ଟି ଜିଲ୍ଲାରେ ମିଲେଟ୍ ମିଶନ୍ କାର୍ଯ୍ୟକାରୀ ହେଉଥିଲା। ଏବେ ରାଜ୍ୟର ସବୁ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମିଲେଟ ମିଶନ ସରକାରଙ୍କ ଯୋଜନା ନୁହେଁ ଲୋକଙ୍କ ଯୋଜନା। ଏଥିରେ ୨ଲକ୍ଷ ଚାଷୀ, ୧୨ଶହ ମିଶନ ଶକ୍ତି ଗ୍ରୁପ୍ ସାମିଲ ହୋଇଥିବା ମଣ୍ଡିଆ ଦିବସରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ମାଣବସା ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସାରା ରାଜ୍ୟରେ ପାଳନ କରାଯାଉଛି। ମଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟସରକାର ମିଲେଟ ମିଶନ ଆରମ୍ଭ କରିଥିଲେ। ଚଳିତ ବର୍ଷ ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ମାଣ୍ଡିଆ ସଂଗ୍ରହ କରାଯାଉଛି। ମିଲେଟ ମିଶନ ୨୦୩୬ ମସିହା ପର୍ଯ୍ୟନ୍ତ ୨୦୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ପୁଷ୍ଟିକର ଖାଦ୍ୟଶସ୍ୟର ପ୍ରଚାର ପ୍ରସାର ସହ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ମିଲେଟ ମିଶନ ଲକ୍ଷ୍ୟ।

୧୫ଟି ଜିଲ୍ଲାରେ ପିଡିଏସ ମାଧ୍ୟମରେ ସରକାର ମଣ୍ଡିଆ ଯୋଗାଉଛନ୍ତି। ରାଜ୍ୟ ସରକାରଙ୍କ ମିଲେଟ ମିଶନକୁ କେନ୍ଦ୍ର ସରକାର ଭୁରି ଭୁରି ପ୍ରଶଂସା କରିଥିବା ବେଳେ ଜାତିସଂଘର ମାନ୍ୟତା ମିଳିଛି। ଲୋକସେବା ଭବନରେ ମଣ୍ଡିଆ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ, ଉନ୍ନୟନ କମିଶନର ପ୍ରଦୀପ ଜେନା, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ  ।