spot_img
Home Blog Page 3797

ସିବିଆଇରେ ସିସୋଦିଆଙ୍କୁ ଜେରା, ଗର୍ଜିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନିତୀ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରୁଛି ସିବିଆଇ । ଦିନ ସାଢ଼େ ୧୧ଟାରୁ ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ନେଇ ସିବିଆଇ ଟିମ୍ ତାଙ୍କୁ ପଚରାଉଚରା କରୁଛି । ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପୂର୍ବରୁ ସିସୋଦିଆ ରାଜଘାଟରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ପଚରାଉଚରା ପରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଆମ ଆଦମୀ ପାର୍ଟି ଆଶଙ୍କା କରିଛି ।

ସେପଟେ ସିସୋଦିଆଙ୍କୁ ଜେରା ନେଇ ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ସେ ଟ୍ବିଟ କରିଛନ୍ତି ଯେ ଜେଲ୍‌ କେ ତାଲା ଟୁଟେଙ୍ଗେ, ମନୀଷ ସିସୋଦିଆ ଛୁଟେଙ୍ଗ (ଜେଲର ତାଲା ଭାଙ୍ଗିବ, ମନୀଷ ସିସୋଦିଆ ଖଲାସ ହେବେ ) । ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସିସୋଦିଆ ସାଧାରଣ ଜନତାଙ୍କୁ ସମ୍ବୋଧିତ କରୁଥିବାର ଏକ ଭିଡିଓ ଟ୍ବିଟ କରିଛନ୍ତି କେଜ୍ରିୱାଲ । ହେଲେ ମନୀଷ ସିସୋଦିଆ ଗିରଫ ନେଇ ଅଧିକାରିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଗୁଜୁରାଟରେ ଦିଲ୍ଲୀ ସ୍କୁଲ ଭଳି ସ୍କୁଲ ନିର୍ମାଣ ପାଇଁ ସିସୋଦିଆ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆଜି ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ପ୍ରସ୍ତୁତି ଚଳାଇଛି । ୮ ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଜେଲର ତାଲା ଭାଙ୍ଗିବ ଓ ସିସୋଦିଆ ବାହାରକୁ ବାହରିବେ ବୋଲି ଟ୍ବିଟ କରିଛନ୍ତି କେଜରିଓ୍ବାଲ ।

ଅନ୍ୟପଟେ ଜେରା ପୂର୍ବରୁ ଦିଲ୍ଲୀ ମଦ ନୀତିରେ ଗୋଟିଏ ଟଙ୍କାକର ବି ଦୁର୍ନୀତି ହୋଇ ନଥିବା ସିସୋଦିଆ କହିଥିଲେ । ପୂର୍ବରୁ ସିସୋଦିଆଙ୍କ ଘର ଓ ବ୍ୟାଙ୍କ ଲକର ଯାଞ୍ଚ ପରେ ବି ସିବିଆଇକୁ ଦୁର୍ନୀତି ନେଇ କିଛି ତଥ୍ୟ ପ୍ରମାଣ ହସ୍ତଗତ ହୋଇ ନଥିଲା । ସିସୋଦିଆଙ୍କୁ ଜେରାକୁ ବିରୋଧ କରି ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ ଆଦମୀ ପାର୍ଟି । ସିବିଆଇ କାର୍ଯ୍ୟାଳୟ ଆଗରେ ଆପ୍ ପକ୍ଷରୁ ବିକ୍ଷୋଭ ଜାରି ରହିଥିବା ବେଳେ ଅନେକ ନେତାଙ୍କୁ ପୋଲିସ ଉଠାଇ ନେଇଛି ।

ଚଳିତ ବର୍ଷରୁ ଦକ୍ଷତା ପାଠ ପଢିବେ ହାଇସ୍କୁଲ ଛାତ୍ରଛାତ୍ରୀ, ୧୦୦ ମାର୍କର ହେବ ପରୀକ୍ଷା

ଭୁବନେଶ୍ବର: ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମପାଯିବ ଦକ୍ଷତା । ଲାଗୁ ହେବ ନୂଆ କରିକ୍ୟୁଲମ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସ୍ପିରେସନାଲ କମ୍ପୋନେଣ୍ଟ କୋର୍ସର ବ୍ୟବସ୍ଥା କରାଯାଇଛି । ଏହା ଚଳିତ ବର୍ଷ ନବମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେଉଥିବା ବେଳେ ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ।

୪ଟି ବିଭାଗ ଉପରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବ । ପୁସ୍ତକ ସମୀକ୍ଷା, ପ୍ରୋଜେକ୍ଟ ଓ୍ବାର୍କ, କୋ-କରିକ୍ୟୁଲାର ଆକ୍ଟିଭିଟି ଓ ବେସିକ ଆଇଟି ସ୍କିଲ ଉପରେ ପରୀକ୍ଷା କରାଯିବ । ବର୍ଷକୁ ୪ ଥର ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବେ ଶିକ୍ଷକ । ପ୍ରତି କମ୍ପୋନେଣ୍ଟରେ ୨୫ନମ୍ବର ଥିବା ବେଳେ ମୋଟ୍ ୪ଟି ବିଭାଗରେ ୧୦୦ନମ୍ବର ରହିଛି । HSCସାର୍ଟିଫିକେଟରେ ଏହି ଗ୍ରେଡ୍ ଉଲ୍ଲେଖ ରହିବ ବୋଲି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

ଗାଡିର ବେଗ ୩୦୦ ଛୁଆଁଇଦିଅ…ଏତିକି କହୁ କହୁ ଗୁଣ୍ଡ ହେଇଗଲା ବିଏମ୍‌ଡବ୍ଲୁ

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ । କିଛି ସମୟର ମଜା ଯେ କେତେବେଳ ଜୀବନ ନେଇଯିବ ତାହା ସ୍ବପ୍ନରେ ବି କଳ୍ପନା କରି ନଥିବେ ୪ ସାଙ୍ଗ । ଘଣ୍ଟାକୁ ୨୩୦କିଲୋମିଟର ବେଗରେ ଚାଲିଥିବା ଦାମୀ ବିଏମ୍‌ଡବ୍ଲୁ କିଛି ସେକେଣ୍ଡରେ ହୋଇଗଲା ଚୁରମାର୍‌ । ଦୁର୍ଘଟଣାରେ ଡାକ୍ତର, ଇଂଜିନିୟରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଓ୍ବେରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା ।

କାର କ୍ରାସ୍ ହେବା ପୂର୍ବର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହା ଦେଖିଲେ ଯେ କେହି ବି ବିଚଳିତ ହୋଇଯିବେ । ୪ ବନ୍ଧୁ ଏକ ବିଏମଡବ୍ଲ୍ୟୁ କାରରେ ଯାଉଥିବା ବେଳେ ପରସ୍ପର ସହ କଥା ହେଉଥିବା ଶୁଣିବାକୁ ମିଳୁଛି । ଜଣେ ସାଙ୍ଗ ଗାଡ଼ିର ବେଗ ୩ଶହ କିଲୋମିଟର ପର୍ଯ୍ୟନ୍ତ ନେବାକୁ କହୁଛନ୍ତି। ଏହି ସମୟରେ ଆଉ ଜଣେ ୪ଜଣ ଯାକ ମରିବେ ବୋଲି କହୁଥିବା ଶୁଣିବାକୁ ମିଳିଛି। ଆଉ କିଛି ସମୟ ଭିତରେ ଏହା ସତ ବି ହେଉଛି।

ବିଏମ୍‌ଡବ୍ଲୁ ଗାଡ଼ିଟି ସୁଲତାନପୁରରୁ ଦିଲ୍ଲୀ ଯାଉଥିଲା। ଗାଡ଼ିର ସ୍ପିଡୋମିଟର ଦେଖାଇ ଫେସବୁକ୍ ଲାଇଭ୍ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା କଣ୍ଟେନର ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, କାରର ଇଞ୍ଜିନ୍ ସହ ୪ଯାତ୍ରୀଙ୍କ ମୃତଦେହ ଅନେକ ଦୂରରେ ଛିଟିକି ପଡିଥିଲା। ଡାକ୍ତର ଆନନ୍ଦ ପ୍ରକାଶ ଗାଡ଼ି ଚଳାଉଥିବା ବେଳେ ଅନ୍ୟ ୩ଜଣ ଗାଡ଼ିରେ ବସିଥିଲେ। ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି ।

ଧାମନଗର ବ୍ୟାଟେଲ୍‌: ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌, ୨ ଦିନ ମଦବିକ୍ରି ବନ୍ଦ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ । ୬ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୫ ଜଣଙ୍କ ନାମାଙ୍କନ କାଏମ ରହିଛି । ୧୦୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ କରାଯିବ । ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ୨୦ଟି ଟିମ୍ ଘରକୁ ଯାଇ ପୋଷ୍ଟାଲ ବାଲାଟ ସଂଗ୍ରହ କରିବେ ।

୧୨୦୫ ଜଣ ପୋଷ୍ଟାଲ ବାଲାଟ ପାଇଁ ଆବେଦନ କରିଛନ୍ତି । ୧୩୪ ବୁଥର ନାମ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ସୁଶୀଲ ଲୋହାନୀ  । ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ ବାଲାଟର ବ୍ୟବସ୍ଥା କରାଯାଇଛି  । ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ନୁତୟନ ହେବେ  ।

୨ଟି ଲେଖାଏଁ ସିଆରପିଏଫ ଓ ବିଏସଏଫ୍ ଟିମ୍ ନିୟୋଜିତ ହେବେ । ଉପନିର୍ବାଚନରେ ପ୍ରତି ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ମୋଟ ୨ ଲକ୍ଷ ୩୮ ହଜାର ୪୧୭ ଭୋଟର ଧାମନଗରରେ ଉପନିର୍ବାଚନରେ ମତଦାନ କରିବେ  । ଏଥିପାଇଁ ୨୫୨ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ  । ମତଦାନ ଦିନ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର  । ସେହିପରି ଭୋଟ ଗଣତି ଦିନ ମଧ୍ୟ ମଦବିକ୍ରିରେ କଟକଣା ଲାଗୁ ହୋଇଛି  । ସେହିପରି ଭୋଟରଙ୍କୁ ସବୈତନିକ ଛୁଟି ମିଳିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ  ।

ଆସନ୍ତା ନଭେମ୍ବର ୩ରେ ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ନିର୍ବାଚନ କମିଶନଙ୍କ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ପୋଷ୍ଟର ଓ ବ୍ୟାନର ଲଗାଇବାରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ୬୨୪ଟି ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୮୭ଟି ମାରଣାସ୍ତ୍ର ଓ ବନ୍ଧୁକ ଡିପୋଜିଟ ନିଆଯାଇଛି। ୧୧୬୭ଜଣ ଦାଗୀଙ୍କୁ CRPC ଆଇନ ଅନୁଯାୟୀ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି ।

୨ଥର ଟି-୨୦ ବିଶ୍ୱକପ୍ ଚମ୍ପିଆନ ୱେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲ୍ୟାଣ୍ଡ

ହୋବାର୍ଟ: ଗତକାଲି ଅର୍ଥାତ ୧୬ ତାରିଖରୁ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଯେଉଁ ସବୁ ଆକଳନ କରାଯାଉଥିଲା ତାର ବିପରୀତ ଘଟଣା ଦେଖିବାକୁ ମିଳିଛି । ଗତକାଲି ଏସିଆ କପ୍ ବିଜେତା ଶ୍ରୀଲଙ୍କାକୁ ନାମବିଆ ଶୋଚନୀୟ ଭାବେ ପରାଜିତ କରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡ ୟୁଏଇକୁ ହରାଇଥିଲା ।

ଆଜି ୩ୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ୨ଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଆଜିର ମ୍ୟାଚରେ ପରାଜିତ ହୋଇଛି । ସ୍କଟଲ୍ୟାଣ୍ଡ ୧୬୧ରନର ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜକୁ । ହେଲେ ଇଣ୍ଡିଜ ମାତ୍ର ୧୧୮ରନରେ ଅଲଆଉଟ୍ ହୋଇଯାଇଥିଲା । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସଂଖ୍ୟା ମଧ୍ୟ ଛୁଇଁପାରିନଥିଲେ ।

ସ୍କଟଲ୍ୟାଣ୍ଡର ସ୍ଲୋ ଲେଫ୍ଟ ଆର୍ମ ବୋଲର ମାର୍କ ୱାଟ ୩ୱିକେଟ୍ ଅକ୍ତିଆର କରିଛନ୍ତି । ସ୍କଟଲ୍ୟାଣ୍ଡ ଟିମ୍ ପକ୍ଷରୁ ସବୁଠୁ ବଡ଼ ଇନିଂସ ଜର୍ଜ ମୁନସି ଖେଳିଥିଲେ । ସେ ୬୬ ରନ୍ କରିଥିଲେ । ମାଇକେଲ ଜୋନସ ୨୦ ରନ୍, ବରିଙ୍ଗଟନ୍ ୧୬ ରନ୍ ଏବଂ ମାକଲିଅଡ ୨୩ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜୋସେଫ ଓ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଓଡିନ ସ୍ମିଥ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଛନ୍ତି ।

 ସେହିପରି ୱେଷ୍ଟଇଣ୍ଡିଜର କେଲ୍ ମେୟର୍ସ ୨୦ ରନ୍, ଇଭିନ ଲୁଇସ୍ ୧୪ ରନ୍, ବ୍ରାଣ୍ଡନ କିଙ୍ଗ ୧୭ ଏବଂ ଜେସନ ହୋଲ୍ଡର ୩୮ ରନ୍ କରିଥିଲେ । ୧୮.୩ ଓଭରରେ ୧୧୮ ରନ୍ ରେ ଦଳ ତାର ସମସ୍ତ ୱିକେଟ୍ ହରାଇଥିଲା । ସ୍କଟଲ୍ୟାଣ୍ଡ ପକ୍ଷରୁ ମାର୍କ ୱାଟ୍ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ରାଡ ହ୍ୱିଲ ଓ ମାଇକେଲ୍ ଲିସ୍କ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ ।

୪ ଦିନ ପରେ ହାତଗଣ୍ଠି ପଡ଼ିଥାନ୍ତା…କାହିଁକି ଆତ୍ମହତ୍ୟା କଲେ ବୈଶାଳୀ ? ସୁଇସାଇଡ ନୋଟରେ ଖୁଲାସା

ନନ୍ଦିଘୋଷ ବ୍ୟୁରୋ: ଟିଭି ଆକଟ୍ରେସ ବୈଶାଳୀ ଠକ୍କର ସୁଇସାଇଡ ସସପେନ୍ସ । ସଫ୍ଟଓ୍ବେର ଇଞ୍ଜିନିୟର ସହ ସ୍ଥିର ହୋଇଥିଲା ବାହାଘର । ୨୦ ଅକ୍ଟୋବରରେ ପଡ଼ିଥାନ୍ତା ହାତଗଣ୍ଠି । ବାହାଘରର ୪ ଦିନ ପୂର୍ବରୁ କାହିଁକି ଆତ୍ମହତ୍ୟା କଲେ ଲୋକପ୍ରିୟ ଅଭିନେତ୍ରୀ ବୈଶାଳୀ ଠକ୍କର ? ସୁଇସାଇଡ ନୋଟରେ ମାଆ, ବାପା ଓ ଭାବି ସ୍ବାମୀଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ବୈଶାଳୀ ।

ସୁଇସାଇଡ ନୋଟରେ ପୂର୍ବତନ ବୟଫ୍ରେଣ୍ଡକୁ ନେଇ ସାଂଘାତିକ ଖୁଲାସା କରିଛି ପୋଲିସ । ୮ପେଜର ସୁଇସାଇଡ ନୋଟରୁ ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ସୁରାକ । ଡାଏରୀରେ ପଡ଼ୋଶୀ ତଥା ପୂର୍ବତନ ବୟଫ୍ରେଣ୍ଡ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ବୈଶାଳୀ । ଶେଷରେ I QUIT ଲେଖିଛନ୍ତି । ପୂର୍ବତନ ପ୍ରେମିକ ରାହୁଲ, ବୈଶାଳୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ବୟଫ୍ରେଣ୍ଡ ରାହୁଲ ଓ ଦିଶା ନାମକ ଜଣେ ଝିଅର ନାଁ ମଧ୍ୟ ଡାଏରୀରେ ରହିଛି । କିଛି ଦିନ ଧରି ବୈଶାଳୀଙ୍କୁ କାମ ମିଳୁ ନଥିବାରୁ ମଧ୍ୟ ସେ ଡିପ୍ରେସନରେ ଥିଲେ ବୋଲି ପୋଲିସ ସନ୍ଦେହ କରୁଛି । ୟେ ରିସ୍ତା କ୍ୟା କେହଲାତା ହେ ଶୋ’ରୁ ସେ କ୍ୟାରିଅର ଆରମ୍ଭ କରଥିଲେ । ସୁପର ସିଷ୍ଟର, ସସୁରାଲ ସିମର କା ଭଳି ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ । ଗତକାଲି ଇନ୍ଦୋର ସ୍ଥିତ ଘରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଥିଲା ।

ରୁଷ୍-ୟୁକ୍ରେନ ଯୁଦ୍ଧର ସାଂଘାତିକ ପ୍ରଭାବ; ୪୦ଲକ୍ଷରୁ ଅଧିକ ଶିଶୁ ଦାରିଦ୍ର୍ୟ କଷାଘାତର ଶିକାର

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରନ ଯୁଦ୍ଧରେ ସାଂଘାତିକ ପ୍ରଭାବିତ ହୋଇଛନ୍ତି ଶିଶୁ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁ ଘୋର ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଏହାର ଗୁରୁତର ପ୍ରଭାବ ପିଲାମାନଙ୍କ ଉପରେ ପଡିଛି । ଯୁଦ୍ଧ ଆରମ୍ଭ ପରଠାରୁ ପୂର୍ବ ୟୁରୋପ ଓ ମଧ୍ୟ ଏସିଆର ୪୦ଲକ୍ଷରୁ ଊର୍ଦ୍ଧ୍ବ ଶିଶୁ ଦାରିଦ୍ର୍ୟ କଷାଘାତର ଶିକାର ହୋଇଛନ୍ତି ।

ଏ ନେଇ ରିପୋର୍ଟ ଦେଇଛି ୟୁନିସେଫ୍ । 2021 ପରଠାରୁ ଏହି ସଂଖ୍ୟର 19% ବୃଦ୍ଧି ହୋଇଛି ବୋଲି କୁହାଯାଇଛି । ପ୍ରଭାବିତ ଶିଶୁଙ୍କ ମଧ୍ୟରେ ଅଧିକ ଋଷ ଓ ୟୁକ୍ରେନର ପିଲାମାନେ ରହିଛନ୍ତି । ପ୍ରଭାବିତ ୪୦ଲକ୍ଷ ଶିଶୁଙ୍କ ମଧ୍ୟରୁ ୨୮ଲକ୍ଷ ପିଲା ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାରର । ପାଶ୍ଚାତ୍ୟ ଦେଶର ପ୍ରତିବନ୍ଧକ ଯୋଗୁ ଋଷ ଅର୍ଥନୀତିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଋଷର ସର୍ବାଧିକ ଶିଶୁ ଏହି ତାଲିକାରେ ଥିବା ବେଳେ ଦ୍ବିତୀୟରେ ରହିଛି ୟୁକ୍ରେନ । ସେହିପରି ତୃତୀୟରେ ରହିଛି ରୋମାନିଆ । ଦୁଇ ଦେଶ ମଧ୍ୟରେ ବିବାଦ ଯୋଗୁ ମୁଦ୍ରାସ୍ଫୀତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ୨୨ଟି ରାଷ୍ଟ୍ରରେ କରାଯାଇଥିବା ସର୍ଭେରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି ବୋଲି ୟୁରୋପ ଓ ସେଣ୍ଟ୍ରାଲ ଏସିଆର ୟୁନିସେଫ ରିଜିଓନାଲ ଡାଇରେକ୍ଟର ଅଫସାନ ଖାନ କହିଛନ୍ତି ।

ଚୋରାଚାଲାଣ ବେଳେ ୩୦ କୋଟି ମୂଲ୍ୟର ସାପ ବିଷ ଜବତ

କୋଲକାତା: ସାପ ବିଷ ତସ୍କରୀ । ପଶ୍ଚିମବଙ୍ଗ ସିଲିଗୁଡ଼ିର ଚୋପ୍ରା ବ୍ରିଜ୍ ନିକଟରୁ ୩୦ କୋଟିର ସାପ ବିଷ ଜବତ ହୋଇଛି । ଏକ ବାଇକରେ ସାପ ବିଷ ନେଉଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ଘୋଷପୁଖୁର ବନ ବିଭାଗ । ବିଷ ଫ୍ରାନ୍ସରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ବାଂଲାଦେଶରୁ ହେଉଥିଲା ଚାଲାଣ ।

ବର୍ତ୍ତମାନ ସୁଦ୍ଧା ସାପ ଗରଳ ତସ୍କରୀ କେଉଁଠାରେ ଚାଲିଛି ଏବଂ କେଉଁଠାରୁ କେଉଁଠିକୁ ହେଉଥିଲା ଚାଲାଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଗିରଫ ଯୁବକ ଜଣକ ଚୋପ୍ରା ଅଞ୍ଚଳର । ଏହି ବିଷ ଚୀନ ସହ ବିଭିନ୍ନ ଦେଶକୁ ଚାଲାଣ ହେଉଥିବା ଜଣାପଡିଛି । ତସ୍କରୀରେ କାହାର ହାତ ରହିଛି, କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ତାର ଯାଞ୍ଚ କରୁଛି ବନ ବିଭାଗ ।

ନିବେଶ ସମ୍ମିଳନୀ ପୂର୍ବରୁ ୩୭ ଉଦ୍ୟୋଗପତିଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ହାଇଦ୍ରାବାଦରେ ଆଜି ସଂଧ୍ୟାରେ ନିବେଶ ସମ୍ମିଳନୀ । ଏହା ପୂର୍ବରୁ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଆଇଟି ଓ ଆଇଟିଇଏସ୍, ହେଲଥ କେୟାର ଓ ଫାର୍ମାସ୍ୟୁଟିକାଲ, ଇଏସଡିଏମ୍ ଓ ଡାଟା ସେଣ୍ଟର, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ ।

ଏହାସହ ଟେକ୍ସଟାଇଲ ଓ ଆପାରେଲ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ଆଶା ରହିଛି। ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା, ଡେଲଏଟ ଏମ୍‌ଡି ଏନ୍.ଭେଙ୍କଟରମଣ, ପିଡବ୍ଲୁସିର ଆଡଭାଇଜର ଅର୍ଣ୍ଣବ ବସୁ, ମାଇକ୍ରୋସଫ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ବିଜୟନଗର ବାୟୋଟେକ୍ ଏମଡି ଡିଭି ରାଜୁଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓରାକଲ୍ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର, ମେଟାଲ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ପାଇଁ ନେପଚୁନସ୍‌ ବିଲ୍ଡରର ଏମଡି ଏମଭି ରମନା, ସୃଷ୍ଟି କନ୍‌ଟେକର ସିଇଓ ରାଜଶେଖର ରେଡ୍ଡିଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ସିମେଣ୍ଟ କାରଖାନା ପାଇଁ ତୋଷାଳୀ ସିମେଣ୍ଟ ସିଏମଡି MSRV ପ୍ରସାଦ, ମହାସିମେଣ୍ଟର ଅଧ୍ୟକ୍ଷ ରାମେଶ୍ବର ରାଓଙ୍କ ସହ ମଧ୍ୟ ନବୀନ ଆଲୋଚନା କରୁଛନ୍ତି ।  ଅପରାହ୍ନରେ ହେଲ୍‌ଥ କେୟାର ଓ ଫାର୍ମାସ୍ୟୁଟିକାଲ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ନଭେମ୍ବର ୩୦ରୁ ଡିସେମ୍ବର ୪ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର୍ସ ମିଟ୍‌ ଜରିଆରେ ପୁଞ୍ଜିପତିଙ୍କ ସହ ଆଲୋଚନା କରି ଶିଳ୍ପପତିଙ୍କୁ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ ଟିମ୍ ଓଡ଼ିଶା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଅହମଦାବାଦ, ଦୁବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇରେ ଇନଭେଷ୍ଟର୍ସ ମିଟରେ ରାଜ୍ୟ ସରକାରଙ୍କୁ ବଡ଼ ସଫଳତା ମିଳିଛି।

କ୍ଷମତାକୁ ଆସିବାର ମାସକ ପରେ ବିବାଦରେ ଲିଜ୍ ଟ୍ରସ୍, ଯାଇପାରେ ପିଏମ୍ ପଦ

ଲଣ୍ଡନ: ବ୍ରିଟିଶ ରାଜନୀତିରେ ଅଲ ଇଜ ନଟ୍‌ ଓ୍ବେଲ । ସଙ୍କଟରେ ନୂଆ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଆସନ । ଚଳିତ ସପ୍ତାହରେ ପିଏମ ପଦରୁ ବିଦା ହୋଇପାରନ୍ତି ଲିଜ ଟ୍ରସ୍ । ଲିଜଙ୍କ ବିରୋଧରେ ବ୍ରିଟେନ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରେ । ସରକାରୀ ଦଳର ପ୍ରାୟ ଶହେ ସାଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୋ କନଫିଡେନ୍ସ ଲେଟର ଦାଖଲ କରିପାରନ୍ତି ବୋଲି କୁହାଯାଉଛି ।

ଏହାସହ ତୁରନ୍ତ ଭୋଟିଂ କରି ଅନ୍ୟ ଜଣେ ନେତାଙ୍କୁ ଲିଜ ଟ୍ରସଙ୍କ ଜାଗାରେ ବସାଇବାକୁ କେତେଜଣ ସାଂସଦ ଗୁପ୍ତ ଆଲୋଚନା କରିଥିବା କୁହାଯାଉଛି । ଦେଶରେ ଦେଖାଦେଇଥିବା ଆର୍ଥିକ ଅସ୍ଥିରତା ଯୋଗୁ ଲିଜଙ୍କ ସରକାରଙ୍କୁ ଦାୟୀ କରାଯାଇଛି । ଟ୍ରସକୁ ନିଜ ଦଳରେ ହିଁ ବିରୋଧ କରାଯାଉଥିବା ବେଳେ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।

ନିକଟରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମିନି ବଜେଟ ପରେ ପାଉଣ୍ଡ ମୂଲ୍ୟ ହ୍ରାସ ହୋଇଛି । ଏହାସହ ସରକାରୀ ଋଣ ବାବଦ ସୁଧରେ ମଧ୍ୟ ବୃଦ୍ଧି ହୋଇଛି । ଯାହାକୁ ନେଇ ବିରୋଧୀଙ୍କ ସମେତ ନିଜ ଦଳରେ ବି ଘୋର ବିରୋଧର ସାମ୍ନା କରୁଛନ୍ତି ଲିଜ୍ ଟ୍ରସ୍ ।

ସେପଟେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନିଜ ଘନିଷ୍ଠ ବନ୍ଧୁ ତଥା ଅର୍ଥ ମନ୍ତ୍ରୀ କ୍ବାସି କ୍ବାରତେଙ୍ଗଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି ଲିଜ୍ । ଗତମାସରେ ହୋଇଥିବା ନିର୍ବାଚନରେ ଭାରତୀୟ ବଶୋଦ୍ଭବ ଋଷି ସୁନକଙ୍କୁ ହରାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଲିଜ୍ ଟ୍ରସ୍ । ଏବେ ଲିଜ୍ ବିବାଦରେ ପଡ଼ିବା ପରେ ସୁନକ ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।