spot_img
Home Blog Page 3717

ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ଗର୍ଭଗୃହ ଦ୍ବାରବନ୍ଧରେ ବଡ଼ ଫାଟ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସଆଇର ଚରମ ଅବହେଳା । ମନ୍ଦିରର ମରାମତି ଠିକରେ କରାଯାଉନଥିବାରୁ ମନ୍ଦିର କାନ୍ଥ ଫାଟି ଆଁ କଲାଣି। ସିଂହଦ୍ବାର ଓ ଗର୍ଭଗୃହ ଦ୍ବାରବନ୍ଧରେ ବଡ଼ ଫାଟ ସୃଷ୍ଟି ହେଲାଣି। ଯାହାକୁ ନେଇ ସେବାୟତ, ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ସିଂହଦ୍ବାର କବାଟରେ ଫାଟ ଓ ଆର୍ଥିଂ ନଥିବା ସମସ୍ୟା ପରେ ଏ ନୂଆ ସମସ୍ୟା ନେଇ ଚିନ୍ତା ବଢ଼ିଛି । ସିଂହଦ୍ବାର ପୁରୁଣା କବାଟ କାଢ଼ି ଅସ୍ଥାୟୀ କବାଟ ଲଗାଇବା ବେଳେ ଏହି ଫାଟ ସୃଷ୍ଟି ହୋଇଛି । ପୁରୁଣା ପିତ୍ତଳ କବାଟ କିଳିଙ୍କି ଲାଗିଥିବା ସ୍ଥାନରୁ ମନ୍ଦିର ବେକି ଯାଏ ଏହି ଫାଟ ଲମ୍ବିଛି । ତୁରନ୍ତ ମରାମତି ନକଲେ ସିଂହଦ୍ବାର ଓ ଗର୍ଭଗୃହ ଦ୍ବାରବନ୍ଧ ପ୍ରତି ଭୟଙ୍କର ବିପଦ ରହିଛି ବୋଲି ଆଶଙ୍କା କରାଯାଉଛି ।

ଜେଇଇ ଢାଞ୍ଚାରେ ପିଜି ନାମଲେଖା, ଚିନ୍ତାରେ ଛାତ୍ରଛାତ୍ରୀ

0

ଭୁବନେଶ୍ୱର: ଜେଇଇ ଢାଞ୍ଚାରେ ହେବ ପିଜି ନାମଲେଖା । ଉଚ୍ଚଶିକ୍ଷା ବିଭାଗ ଅଧିନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ଆଡମିଶନ ଲାଗି ଆଉ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ ନାହିଁ । ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପଦ୍ଧତିରେ ପରିବର୍ତ୍ତନ  କରାଯିବ ।

ଜେଇଇ ଢାଞ୍ଚାରେ ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ସରକାରୀ ବିଶ୍ୱବିଦ୍ୟାଳୟର ୩ ଜଣ କୁଳପତିଙ୍କୁ ନେଇ ଏକ କମିଟି ଗଠନ କରାଯାଉଛି ।

ତେବେ ଅନେକ ବିଦ୍ୟାଳୟରେ ଆଡମିଶନ ସରିଥିବା ବେଳେ କିଛି କିଛି କଲେଜରେ ସିଟ୍ ପୂରଣ ହେଉନଥିବା ସୂଚନା ମିଳିଛି । ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଭଳି ସିଟ୍ ରହିଛି, ଯାହାର ଅଧାରୁ ଅଧିକ ସିଟ୍ ଖାଲି ପଡିଛି । ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡୁଛି । ଯେଉଁଥିପାଇଁ ପିଲାମାନେ ନିଜ ଆଗ୍ରହୀ କଲେଜରେ   ପାଠ ପଢିପାରୁ ନାହାଁନ୍ତି । ଖାସ୍ କରି ଏକକ ପିଜି ନାମଲେଖା ପ୍ରକ୍ରିୟାରେ ସାମିଲ ପ୍ରାୟ ୭୭ଟି ଶିକ୍ଷାନୁଷ୍ଠାନରେ ସିଟ୍ ଖାଲି ରହିଥିବା ସୂଚନା ମିଳିଛି ।

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ପିଜି ଆଡମିଶନ ପାଇଁ ୪ ମାସ ହେଲା ପ୍ରକ୍ରିୟା ଚାଲିଛି । ଯଦିଓ +୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇନଥିଲେ ମଧ୍ୟ ସିପିଇଟି ପାଇଁ ଆବେଦନ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୩୦ରୁ  ଅକ୍ଟୋବର ୭ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।  ୨୫ ଅକ୍ଟୋବରରେ ମେଧା ତାଲିକା ପ୍ରକାଶ ପାଇଥିଲା । ପରେ ନଭେମ୍ବର ୨୦ ସୁଦ୍ଧା ଆଡମିଶନ ଶେଷ ପାଇଁ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ ଧାର୍ଯ୍ୟ ସମୟରେ କୌଣସି କାମ ହେଉନଥିବାରୁ ବିଭାଗ ପକ୍ଷରୁ ବାରମ୍ବାର ସମୟ ପରିବର୍ତ୍ତନ କରିବାକୁ ପଡୁଛି । ତେବେ ଡିସେମ୍ବରରେ ପାଠପଢା ନେଇ ଧାର୍ଯ୍ୟ ହୋଇଥିବାରୁ କିଛି ଶିକ୍ଷାନୁଷ୍ଠାନରେ ପାଠପଢର ଆରମ୍ଭ ହୋଇଗଲାଣି । ଏଭଳି ସମୟରେ ଅନେକ ଛାତ୍ରଛାତ୍ରୀ ଆଡମିଶନ ଅପେକ୍ଷାରେ ରହିଛନ୍ତି।

ଜମୁଛି କଳିଙ୍ଗ ବାଲିଯାତ୍ରା; ଜଡ଼ିବୁଟିରେ ତିଆରି ସାମଗ୍ରୀ କିଣୁଛନ୍ତି ଲୋକେ

ପାରାଦୀପ: ପାରାଦୀପରେ ଜମୁଛି କଳିଙ୍ଗ ବାଲିଯାତ୍ରା । ବିଭିନ୍ନ ଚଟପଟା ଖାଦ୍ୟ ସାଙ୍ଗକୁ ଘରକରଣା ସାମଗ୍ରୀ ନିକଟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ବାଲିଯାତ୍ରାରେ ପାରାଦୀପର ମା’ ଶାରଳା ଗୋ ସେବା ଆଶ୍ରମ ପକ୍ଷରୁ ଗୋମୟ, ଗୋମୂତ୍ର ଓ ବିଭିନ୍ନ ଜଡ଼ିବୁଟି ଦ୍ବାରା ପ୍ରସ୍ତୁତ ଗୋ ଅର୍କ, ମଶା ଧୂପ, ଧୂପବତୀ , ସାମ୍ପୋ, ଫେସ୍ ଓ୍ବାସ, ଫିନାଇଲ ଷ୍ଟଲରେ ଭିଡ ଦେଖିବାକୁ ମିଳିଛି । ପ୍ରାକୃତିକ ଏବଂ ଶୁଦ୍ଧ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି ।

କାଲିଠୁ ଆରମ୍ଭ ଦୁଇ ଦିନିଆ G-20 ଶିଖର ସମ୍ମିଳନୀ, ଫୋକସରେ ଖାଦ୍ୟ ଓ ନିରାପତ୍ତା ପ୍ରସଙ୍ଗ

ବାଲି: ଆସନ୍ତାକାଲିଠୁ ଆରମ୍ଭ ହେବ ଦୁଇ ଦିନିଆ G-20 ଶିଖର ସମ୍ମିଳନୀ। ବାଲିଠାରେ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ସମେତ ବିଶ୍ବର ୨୦ ରାଷ୍ଟ୍ରର ପ୍ରତିନିଧି ସାମିଲ ହେବେ। ନଭେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ସମ୍ମିଳନୀ ଅନୁଷ୍ଠିତ ହେବ।

ଭାରତ ସହ ଆର୍ଜେଟିନା, ଅଷ୍ଟ୍ରେଲିୟା, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ ସମ୍ମିଳନୀରେ ଯୋଗଦେବେ । ସେହିପରି ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ସମେତ ୟୁରୋପିଓ ସଙ୍ଘ ଏଥିରେ ସାମିଲ ହେବେ । ସମ୍ମିଳନୀରେ ମୁଖ୍ୟତଃ ଖାଦ୍ୟ, ଶକ୍ତି, ନିରପତ୍ତା ପ୍ରସଙ୍ଗରେ ଆଲୋଚନା ହେବ।

ଏହି ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୧୬ରେ ପ୍ରଧାନମନ୍ତ୍ରୀ ଆୟୋଜକ ଦେଶ ଇଣ୍ଡୋନେସିଆ ସହିତ ଏକ ସଭାରେ ଯୋଗଦେବେ। ଏହାସହ ବ୍ରିଟିଶ ପ୍ରତିପକ୍ଷ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାବର୍ଷ ବୈଠକ ପାଇଁ ଭାରତ ଆୟୋଜକ ଥିବା ବେଳେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ। ୨୦୨୩ ସେପ୍ଟେମ୍ବରରେ ହେବାକୁ ଥିବା ସମ୍ମିଳନୀରେ ସାମିଲ ହେବାକୁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି ।

ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ ପାଇଁ ଗଠିତ ହେବ ଭାରତୀୟ ଉଚ୍ଚଶିକ୍ଷା କମିଶନ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ଜାଲ୍ ବିଶ୍ବବିଦ୍ୟାଳୟକୁ ରୋକିବା ଲାଗି ଗଠିତ ହେବ ଭାରତୀୟ ଉଚ୍ଚଶିକ୍ଷା କମିଶନ ବା HECI। ଏହା ଅଧୀନରେ ରହିବ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଓ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ।

ଆସନ୍ତା ଶୀତକାଳୀନ ଅଧିବେଶନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆଣିବ ଏଚଇସିଆଇ ବିଲ୍ । ପ୍ରସ୍ତାବିତ ଏଚଇସିଆଇ ନିକଟରେ ରହିବ ଅପର୍ଯ୍ୟାପ୍ତ କ୍ଷମତା । ଏପରିକି ନିୟମ ଉଲ୍ଲଂଘନ କ୍ଷେତ୍ରରେ ୫କୋଟି ଟଙ୍କା ଯାଏ ଜୋରିମାନା ଧାର୍ଯ୍ୟ କରିବାର କ୍ଷମତା ବି ରହିବ । ବର୍ତ୍ତମାନ ଜାଲ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ତଥା ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କ୍ଷେତ୍ରରେ ସର୍ବାଧିକ ୧ ହଜାର ଟଙ୍କା ଅର୍ଥଦଣ୍ଡ କ୍ଷମତା ୟୁଜିସି ନିକଟରେ ରହିଛି । ପ୍ରସ୍ତାବିତ ୧୫ ଜଣିଆ କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ରହିବେ।

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜଣେ କୁଳପତି, ଉଚ୍ଚଶିକ୍ଷା ପରିଷଦର ୨ ଜଣ ପ୍ରଫେସର, ଉଚ୍ଚଶିକ୍ଷା ସଚିବ, ଅର୍ଥ ସଚିବ ଓ ଜଣେ ଆଇନ ବିଶାରଦ ସଦସ୍ୟ ରହିବେ । ବିଲ୍‌ରେ ଥିବା ବ୍ୟବସ୍ଥାରେ ନିୟମ ଉଲ୍ଲଂଘନର ମାତ୍ରା ଅନୁସାରେ ଜୋରିମାନା ଧାର୍ଯ୍ୟ କରାଯିବ । ନୋଟିସ ଜାରି ପରେ ଯଦି କୌଣସି ପ୍ରତିଷ୍ଠାନ ଉପଯୁକ୍ତ ସ୍ପଷ୍ଟୀକରଣ ଦେବ ନାହିଁ, ତେବେ ତା ଉପରେ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବ ।

ଏପରିକି ସର୍ବାଧିକ ଉଲ୍ଲଂଘନ କ୍ଷେତ୍ରରେ ସର୍ବାଧିକ ୫ କୋଟି ଟଙ୍କା ଓ ଜେଲଦଣ୍ଡ ବ୍ୟବସ୍ଥା ବି ବିଲ୍‌ରେ ରହିଛି । ଦେଶରେ ବହୁ ଜାଲ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ୟୁଜିସି ବାରମ୍ବାର ବିଫଳ ହେଉଥିବାରୁ ଏଚଇସିଆଇ ଗଠନ କରିବା ଲାଗି ସରକାର ଚାହିଁଛନ୍ତି। କୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଦ୍ବାରା ଯଦି ନିୟମର ଉଲ୍ଲଂଘନ କରାଯାଏ ତେବେ ଏହାର କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କୁ ଦାୟୀ କରାଯିବା ବ୍ୟବସ୍ଥା ବି ପ୍ରସ୍ତାବିତ ବିଲ୍‌ରେ ରହିଛି ।

ତେବେ ଜାତୀୟ ଶିକ୍ଷା ନୀତି-2020 ଅନୁସାରେ ଗଠିତ ହେବାକୁ ଥିବା ଏଚଇସିଆଇ ଅଧୀନରେ କିନ୍ତୁ ମେଡିକାଲ ଓ ଆଇନ ଶିକ୍ଷା ରହିବ ନାହିଁ। କମିଶନରେ ୪ଟି ସ୍ବାଧୀନ ଶାଖା ରହିବ। ତାହା ହେଲା ଜାତୀୟ ଉଚ୍ଚଶିକ୍ଷା ନିୟାମକ ପରିଷଦ, ଜାତୀୟ ମାନ୍ୟତା ପରିଷଦ, ଉଚ୍ଚଶିକ୍ଷା ଅନୁଦାନ ପରିଷଦ ଓ ସାଧାରଣ ଶିକ୍ଷା ପରିଷଦ।

ଠିକାଦାରଙ୍କୁ ଗୁଳିମାରି ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ରାଉରକେଲା: ଝିରପାଣି ଅଞ୍ଚଳରେ ଯୁବ ଠିକାଦାରଙ୍କୁ ଗୁଳିମାରି ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ଅଜିତ ଓରାମକୁ ଏନକାଉଣ୍ଟର କରିଛି ପୋଲିସ । ଅଭିଯୁକ୍ତ ଅଜିତ ଓରାମ ହାତିଵନ୍ଧା ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ଆଜି ଭୋର ସମୟରେ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଜଙ୍ଗଲରେ ଚଢାଉ କରିଥିଲେ।

ଏହି ସମୟରେ ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ। ପୋଲିସର ପାଲଟା ଗୁଳି ମାଡ଼ରେ ଅଭିଯୁକ୍ତ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତେବେ ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି। ସରକାରୀ ଜମି ବିବାଦକୁ ନେଇ ଗତକାଲି ଠିକାଦାର ବାଞ୍ଛାନିଧି ତନ୍ତୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଗିରଫ ଦାବିରେ ଗତକାଲି ଝିରପାଣି ଥାନା ଆଗରେ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକ ।

ପଦମପୁର ଉପନିର୍ବାଚନ; ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ପଦମପୁର: ବଢୁଛି ପଦମପୁର ପାରା। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦମପୁର ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ବହୁତ ଖାସ୍। ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଛି ।

୨୦୧୯ରେ ପଦମପୁରରେ ବିଜେପି ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତକୁ ଦଳ ପୁଣି ଥରେ ଟିକେଟ୍ ଦେଇଛି । ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜେଡି କାହାକୁ କରିବ ଯୋଦ୍ଧା, ଆଜି ଘୋଷଣା କରାଯାଇପାରେ । ବଡ଼ ବ୍ୟବଧାନରେ ବିଜୟ ପାଇଁ ବିଜେଡି ସମରସଜ୍ଜା କରୁଛି ।

ଡିସେମ୍ବର ୫ ପଦମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପାଗ ଭିଡ଼ିଛନ୍ତି । ପଦମପୁର ନିର୍ବାଚନମଣ୍ଡଳୀରେ ୩ଟି ବ୍ଲକ ପଦମପୁର, ପାଇକମାଳ, ଝାରବନ୍ଧ ରହିଛି । ପଦମପୁର ଏନଏସି ସହ ନିର୍ବାଚନମଣ୍ଡଳୀରେ ମୋଟ୍ ୫୮ଟି ପଞ୍ଚାୟତ ରହିଛି । ୨ଲକ୍ଷ ୫୭ ହଜାର ୪୭୪ ଭୋଟର ପଦମପୁରର ନୂଆ ନେତା ବାଛିବେ।

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଉଦଳା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଉଦଳା ଆରଡବ୍ଲୁଏସଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବରର ୪ଟି, କେନ୍ଦ୍ରାପଡ଼ାର ୨ଟି ଓ ମୟୂରଭଞ୍ଜର ୨ଟି ସ୍ଥାନରେ ଚାଲିଛି ରେଡ୍।

ଆଇଗିଣିଆ ଖାରବେଳ କମ୍ପେ୍ଲକ୍ସରେ ଥିବା ୩ ମହଲା କୋଠା, ପାତ୍ରପଡ଼ା ବ୍ଲୁ ହିଲ୍‌ ଟାୱାରର ଡି-ବ୍ଲକରେ ଥିବା ୪ ମହଲାରେ 2BHK ଫ୍ଲାଟ୍‌, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଦୁଇଟି ଦୋକାନ, ନୟାପଲ୍ଲୀ ତ୍ରିବେଣୀ ଅଟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।

କେନ୍ଦ୍ରାପଡ଼ା ଦାନପୁରରେ ଥିବା ପୈତୃକ ଘର, ଓସ୍ତପୁର କଂଶରାରେ ଥିବା ସମ୍ପର୍କୀୟଙ୍କ ଘର, ଉଦଳାରେ ଥିବା ଅଫିସ ଚାମ୍ବର ଓ କ୍ବାର୍ଟର୍ସରେ ଭିଜିଲାନ୍ସ ଛାନବିନ୍ କରୁଥିବା ଜଣାପଡିଛି। ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ସବଇନସ୍ପେକ୍ଟର, ଜଣେ ଇନସ୍ପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ ଅଛନ୍ତି ।

ଆଜି ବିଶ୍ବ ମଧୁମେହ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ବ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଏହା ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୯୧ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ମଧୁମେହ ଟାଇପ ୨ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ ଚିକିତ୍ସାଯୋଗ୍ୟ ଅଣସଂକ୍ରାମକ ରୋଗ ଯାହା ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ମଧୁମେହ ଟାଇପ ୧କୁ ପ୍ରତିରୋଧ କରାଯାଇପାରିବ ନାହିଁ କିନ୍ତୁ  ଏହା ପରିଚାଳିତ ହୋଇପାରିବ ।  ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଦ୍ୱାରା ପ୍ରତ୍ୟେକ ବର୍ଷ ବିଶ୍ୱ ମଧୁମେହ ଦିବସରେ, ମଧୁମେହ ସମ୍ବନ୍ଧୀୟ ଏକ ନିର୍ଦ୍ଧିଷ୍ଟ ବିଷୟ ଉପରେ ଧ୍ୟାନ ଆକର୍ଷଣ କରାଯାଇଥାଏ ।

ବିଶ୍ୱ ମଧୁମେହ ଦିବସ ଇନସୁଲିନର ସହ-ଆବିଷ୍କାରକ ସାର ଫ୍ରେଡ୍ରିକ ବାଣ୍ଟିଂଙ୍କ ଜନ୍ମଦିନରେ ପାଳନ କରାଯାଏ । ଫ୍ରେଡ୍ରିକ ୧୮୯୧ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଚାର୍ଲସ ବେଷ୍ଟ ଓ ଜନ ଜେମ୍ସ ରିକାର୍ଡ଼ ମାକଲିଓଡ଼ଙ୍କ ସହ ମିଶି ୧୯୨୨ ମସିହାରେ ଇନସୁଲିନର ଆବିଷ୍କାର କରିଥିଲେ  । ସମଗ୍ର ବିଶ୍ୱର ମଧୁମେହର ବ୍ୟାପକ ପ୍ରସାରକୁ ଲକ୍ଷ୍ୟ କରି ୧୯୯୧ ମସିହାରେ ପ୍ରଥମେ ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ‘ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥିଲା ।

୨୦୧୬ ମସିହା ସୁଦ୍ଧା ବିଶ୍ୱର ୧୬୦ଟି ଦେଶରେ ଥିବା ୨୩୦ରୁ ଅଧିକ ଆଇଡିଏଫ ସଦସ୍ୟ ସଙ୍ଗଠନ ତଥା ଅନ୍ୟାନ୍ୟ ସଂଗଠନ, କମ୍ପାନୀ, ସ୍ୱାସ୍ଥ୍ୟ ସେବାରେ ଥିବା ବ୍ୟକ୍ତି, ରାଜନେତା, ସେଲିବ୍ରିଟି ଏବଂ ମଧୁମେହରେ ପୀଡ଼ିତ ଲୋକ ଏବଂ ସେମାନଙ୍କ ପରିବାର ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିଲା ।

ଆଜି ଶିଶୁଦିବସ

ଭୁବନେଶ୍ୱର: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି  । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଶିଶୁ ଦିବସ ପାଳନ କରାଯାଏ  ।

ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ। ପିଲାମାନଙ୍କୁ ଈଶ୍ବରଙ୍କ ରୂପ ମନେ କରୁଥିଲେ। ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ  । ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ରଖୁଥିଲେ ନେହେରୁ  । ଦେଶର ଆଗାମୀ ପିଢ଼ି ଶିଶୁ ହୋଇଥିବାରୁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ ସବୁବେଳେ ଧ୍ୟାନ ଦେଇଆସୁଥିଲେ  ।

୧୯୬୪ ମସିହା ମେ ୨୭ରେ ନେହରୁଙ୍କ ପରଲୋକ ହୋଇଥିଲା । ସେହି ବର୍ଷଠାରୁ ତାଙ୍କର ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁଦିବସ ରୂପେ ପାଳନ କରାଯାଉଛି। ଏଥିସହ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ମଧ୍ୟ ନବଭାରତ ନିର୍ମାତା ବୋଲି କୁହାଯାଉଛି । ଜବାହର ଲାଲ ନେହେରୁ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ନାମରେ ବେଶ୍ ପରିଚିତ ଥିଲେ