କନ୍ନଡ଼ ଗୀତ ନଗାଇବାରୁ କର୍ଣ୍ଣାଟକରେ କୈଳାଶ ଖେରଙ୍କ ଉପରକୁ ବୋତଲ ମାଡ଼

କର୍ଣ୍ଣାଟକ: କର୍ଣ୍ଣାଟକରେ ଏବେ ଚାଲିଛି ହମ୍ପି ଉତ୍ସବ । ୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଶୋ’ କରିଛନ୍ତି ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ କୈଳାଶ ଖେର । କନସର୍ଟରେ କୈଳାଶଙ୍କ ଉପରେ ଆକ୍ରମଣ ହୋଇଛି । ସେ ଗୀତ ଗାଉଥିବା ସମୟରେ ତାଙ୍କ ଉପରକୁ ପାଣି ବୋତଲ ଫିଙ୍ଗାଯାଇଛି। ଏହି ଉତ୍ସବରେ କୈଳାଶ ଯୋଗ ଦେଇ ଷ୍ଟେଜରେ ଗୀତ ଗାଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ହମ୍ପି ଉତ୍ସବରେ ଯୋଗ ଦେଇଥିଲେ । କନସର୍ଟରେ ସମସ୍ତ ଦର୍ଶକ ଝୁମିଥିଲେ । କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ଷ୍ଟେଜ୍ ତଳେ ଥାଇ ଅତର୍କିତ ଆକ୍ରମଣ କରିଥିଲେ । କୈଳାଶଙ୍କ ଉପରେ କାଚ ବୋତଲ ଫୋପାଡି ଥିଲେ । କୌଣସି ଉପାୟରେ କୈଳାଶଙ୍କ ଟିମ୍ ତାଙ୍କୁ ସେଠାରୁ ରକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ପୋଲିସ ଅଭିଯୁକ୍ତଙ୍କୁ ଷ୍ଟେଜ୍ ନିକଟରୁ ଗିରଫ କରିଛି ।

ହମ୍ପି ଉତ୍ସବରେ କୈଳାଶଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁଯାୟୀ, କୈଳାଶ ହମ୍ପି ଉତ୍ସବରେ କନ୍ନଡ ଗୀତ ଗାଇ ନଥିବା ଯୋଗୁଁ ତାଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି । କନସର୍ଟ ସମୟରେ ଜଣେ ବ୍ୟକ୍ତି କନ୍ନଡ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ । ଯେତେବେଳେ କୈଳାସ କନ୍ନଡ ଗୀତ ଗାଇ ନଥିଲେ ବ୍ୟକ୍ତି ଜଣଙ୍କ ରାଗି ଯାଇ ତାଙ୍କ ଉପରକୁ କାଚ ବୋତଲ ଫିଙ୍ଗିଥିଲେ । ଏନେଇ ଆକ୍ରମଣକାରୀଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି ।

କୈଳାସ ଖେର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହମ୍ପି ମହୋତ୍ସବରେ ସାମିଲ ହେବା ନେଇ ସୂଚନା ଦେଇଥିଲେ ।