ପାକିସ୍ତାନର ଏକ ମସଜିଦରେ ଆତ୍ମଘାତୀ ଆକ୍ରମଣ, ୪୬ ଜଣଙ୍କ ମୃତ୍ୟୁ

1 min read

ଇସଲାମାବାଦ: ପାକିସ୍ତାନର ପେଶାୱାର ସହରରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି । ପ୍ରାରମ୍ଭିକ ସୂଚନା ମୁତାବିକ, ପୋଲିସ ଲାଇନ୍ସରେ ଅବସ୍ଥିତ ମସଜିଦ ଭିତରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୪୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକ ହୋଇଛନ୍ତି ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ପୋଲିସ ଅଧିକାରୀ । ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଛି ।

ଏହି ମସଜିଦ୍ ପାଖରେ ହିଁ ସେନାର ଏକ ୟୁନିଟର ଅଫିସ୍ ମଧ୍ୟ ରହିଛି । ବିସ୍ପୋରଣ ଏତେ ଭୟାବହ ଥିଲା ଯେ ଏହାର ଶବ୍ଦ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ତେବେ ବିସ୍ଫୋରଣ ପରେ ଫାୟାରିଙ୍ଗ ହୋଇଥିବାର ମଧ୍ୟ ଶୁଣାଯାଇଛି । ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆକ୍ରମଣରେ ନିଜୟକୁ ଦାୟୀ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନମାଜ ସମୟରେ ମସଜିଦରେ ୫୦୦ରୁ ୫୫୦ ଜଣ ଉପସ୍ଥିତ ଥିଲେ ।

ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ଭାଗର ଏକ ଧାଡ଼ିରେ ଉପସ୍ଥିତ ଥିଲା । ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ ପୋଲିସ ଲାଇନ୍ସରେ କେମିତି ପହଞ୍ଚିଲା, କାରଣ ଏହା ଭିତରକୁ ଆସିବାକୁ ହେଲେ ଗେଟ୍ ପାସ୍ ଦେଖାଇବାକୁ ପଡ଼ିଥାଏ । ମସଜିଦ୍ ଟି ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । କୁହାଯାଉଛି ଯେ ଏହାର ଭଗ୍ନାଂଶ ତଳେ ଅନେକ ଲୋକ ଫଶି ରହିଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ପେଶୱାରର ଲେଡି ହୋର୍ଡିଂ ହସ୍ପିଟାଲରେ ଚାଲିଛି ।

ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି କହିଛନ୍ତି ପେଶଓ୍ବାର ଡେପୁଟୀ କମିଶନର ସାଫି ଉଲ୍ଲା ଖାଁ । ଏହି ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତୀବ୍ର ନିନ୍ଦା କରିଛନ୍ତି । ତେବେ ଧାର୍ମିକ କାରଣରୁ ଏହି ଅମାନୁଷିକ କାଣ୍ଡ ଘଟିନାହିଁ ବୋଲି ସେ କହିଛନ୍ତି । ଖେବର ପାଖତୁନଖାଓ୍ବା ପ୍ରଜାତନ୍ତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ବି ବିସ୍ଫୋରଣକୁ ନିନ୍ଦା କରିଛନ୍ତି । ହାଇସିକ୍ୟୁରିଟି ଜୋନରେ ପ୍ରାର୍ଥନା ଚାଲିଥିବାବେଳେ ଆତ୍ମଘାତୀ କରିଥିବା ଭୟାନକ ବିସ୍ଫୋରଣ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ମସଜିଦର କେତେକ ଛାତ ଉଡିଯାଇଥିଲା ।