ଶେଷଯାତ୍ରାରେ ନବ ଦାସ, ସରବାହାଲ ବାସଭବନରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା: ଅନ୍ତିମ ଯାତ୍ରାରେ ନବକିଶୋର ଦାସ । ଝାରସୁଗୁଡ଼ାରେ ପହଞ୍ଚିଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ମରଶରୀର ସରବାହାଲ ବାସଭବନକୁ ନିଆଯାଇଥିଲା । ତାଙ୍କ ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଲାଗିଛି । ନବ ଦାସ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ନବ ଦାସଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସ ଭବନରେ ବିଭିନ୍ନ ଦଳର ରାଜନେତା ମଧ୍ୟ ପହଞ୍ଚିଛନ୍ତି ।

ନବ ଦାସଙ୍କୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ପରେ ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ମନମୋହନ ଏମ୍ ଇ ସ୍କୁଲ ପଡ଼ିଆକୁ ନିଆଯିବ । ସେଠାରେ ତାଙ୍କ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ । ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଖେରୁଆଲ ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ହେବ ।