ନବ ଦାସଙ୍କ ହତ୍ୟା ଘଟଣାରେ ଏତଲା ଦେଲେ IIC, ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ASI

1 min read

ଝାରସୁଗୁଡ଼ା: ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ଏତଲା ଦେଲେ IIC । ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଦେଲେ ଏତଲା । ହତ୍ୟା ଉଦ୍ଦେଶ୍ୟରେ ନବ ଦାସଙ୍କୁ ଫାୟାରିଂ କରିଥିଲେ ASI । ଅତି ନିକଟରୁ ASI ଗୋପାଳକୃଷ୍ଣ ଫାୟାରିଂ କରିଥିଲେ । ଏତଲା ଅନୁସାରେ ASI ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଚାଲି ଯାଇଥିଲେ । ସେ ତାଙ୍କ ସର୍ଭିସ ରିଭଲଭରରୁ ଅତି ନିକଟରୁ ନବ ଦାସଙ୍କୁ ଫାୟାରିଂ କରିଥିଲେ । ଗତକାଲି ଦିନ ୧୨ଟା ୧୫ରେ ନବକିଶୋରଙ୍କୁ ସର୍ଭିସ ପିସ୍ତଲରୁ ଅତି ନିକଟରୁ ଗୁଳିମାଡ଼ କରିଥିଲା । ଗୁଳି ନବକିଶୋର ଦାସଙ୍କ ଛାତିରେ ବାଜିବା ପରେ ସେ ପଡ଼ି ଯାଇଥିଲେ । ଗୁଳିମାଡ଼ ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ଗୋପାଳକୃଷ୍ଣକୁ କାବୁ କରିଥିଲେ ପୋଲିସ ଅଧିକାରୀ। ସେହି ସମୟରେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲା ଗୋପାଳ। ଦ୍ବିତୀୟ ଥର ଗୁଳିମାଡ଼ ବେଳେ ଆଇଆଇସି ପ୍ରମୋଦ ସ୍ବାଇଁଙ୍କ ଆଙ୍ଗୁଳିରେ ଗୁଳି ବାଜିଥିଲା । ସେହିପରି କଳିଙ୍ଗନଗରର ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇଥିବା FIRରେ ଉଲ୍ଲେଖ ରହିଛି । ଘଟଣା ପରେ ଅଭିଯୁକ୍ତ ଗୋପାଳକୃଷ୍ଣ ହାତରୁ ପିସ୍ତଲ ଛଡ଼ାଇଥିଲେ ପୋଲିସ ଅଧିକାରୀ । ଗୁରୁତର ଅବସ୍ଥାରେ ମନ୍ତ୍ରୀ ନବକିଶୋର ଦାସ ଓ ଅନ୍ୟ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା । ତେବେ ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ଚାଲିଛି ଜେରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।