spot_img
Home Blog Page 3713

ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ଯା ମାମଲା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର: ବହୁଚର୍ଚ୍ଚିତ ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ଯା ମାମଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୩ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଜାନୁଆରୀ ୩୦ତାରିଖରେ ଆତ୍ମହତ୍ୟା କରିଥିଲେ ସୌମ୍ୟରଞ୍ଜନ ।

ସୁଇସାଇଡ ନୋଟରେ ପ୍ରେମିକା ସୋନାଲିଙ୍କ ନାଁ ରହିଥିଲେ ବି ପୋଲିସ ଏ ଦିଗରେ ପଦକ୍ଷେପ ନେଇ ନଥିଲା । ଏ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୌମ୍ୟଙ୍କ ପରିବାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ସୋନାଲି ଓ ତାଙ୍କ ମାଆଙ୍କ ନାମରେ ମାମଲା ରୁଜୁ ହୋଇଥିଲା । 306 ଓ 34 ଆଇପିସିରେ ମାମଲା ରୁଜୁ କରିଥିଲା ପୋଲିସ ।

ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ପୂର୍ବରୁ ହଙ୍ଗାମା, ଆପ୍‌ର ଜୋରଦାର ବିରୋଧ

ନୂଆଦିଲ୍ଲୀ: ଏମସିଡି ମେୟର ନିର୍ବାଚନ ପୂର୍ବରୁ ଜୋରଦାର ହଙ୍ଗାମା। ଆପ୍ ଓ ବିଜେପି ମୁହାଁମୁହିଁ। ବିକ୍ଷୋଭ, ନାରାବାଜି ପରେ ଉଭୟ ଦଳର କାଉନସିଲରଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଦ୍ବାରା ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ଜୋରଦାର ବିକ୍ଷୋଭ କରିଛି ଆପ୍। ପ୍ରଥମେ ମନୋନୀତ ସଦସ୍ୟଙ୍କୁ ଶପଥ ପାଠ କରାଇବାକୁ ବିରୋଧ କରାଯାଇଛି।

ନିର୍ବାଚିତ ସଦସ୍ୟଙ୍କୁ ପ୍ରଥମେ ଶପଥ ପାଠ କରାଇବାକୁ ଦାବି କରିଛନ୍ତି ଆପ୍ କାଉନସିଲର। ମେୟର ନିର୍ବାଚନ ପରିଚାଳନା ପାଇଁ ବିଜେପି କର୍ପୋରେଟର୍ ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ୧୦ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ଦିଲ୍ଲୀ ସରକାରଙ୍କ ସହ ପରାମର୍ଶ ନକରି ସଦସ୍ୟଙ୍କୁ ଉପରାଜ୍ୟପାଳ ମନୋନୀତ କରିଥିବା ଆପ୍ ଅଭିଯୋଗ କରିଛି। ଏହାକୁ ନେଇ ଉପରାଜ୍ୟପାଳ ଓ ଆପ୍ ମୁହାଁମୁହିଁ ହୋଇଛନ୍ତି।

ତିନି ଥର କ୍ଷମତାରେ ରହିବା ପରେ ବିଜେପି ହାତରୁ ଏମସିଡି ଛଡ଼ାଇ ନେଇଥିଲା ଆପ୍‌। ତେବେ ମେୟର ନିର୍ବାଚନରେ ବିଜେପିକୁ ଉପରାଜ୍ୟପାଳ ଭିତିରି ସମର୍ଥନ ଦେଖାଉଥିବା ଆପ୍ ଅଭିଯୋଗ କରିଛି। ବିଜେପି ସମର୍ଥିତ ୧୦ଜଣ ସଦସ୍ୟଙ୍କୁ ଉପରାଜ୍ୟପାଳ ଜାଣିଶୁଣି ମନୋନୀତ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗତକାଲି ଅଭିଯୋଗ କରିଥିଲେ । ସେହିପରି ଅସ୍ଥାୟୀ ବାଚସ୍ପତି ପାଇଁ ସବୁଠୁ ବରିଷ୍ଠ କାଉନସିଲର ମୁକେଶ ଗୋଏଲଙ୍କ ନାଁ ସୁପାରିଶ କରିଥିଲେ ମଧ୍ୟ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ନିଯୁକ୍ତ କରିଛନ୍ତି ଉପରାଜ୍ୟପାଳ।

ଡେଲଏଟରେ ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମାତ୍ର ୫ ଘଣ୍ଟା କରିବେ କାମ

ଭୁବନେଶ୍ବର: ଓଡିଶାରେ ଯୁବପିଢ଼ିଙ୍କ ଲାଗି ଖୋଲିଲା ସୁବର୍ଣ୍ଣ ସୁଯୋଗ । ରାଜଧାନୀରେ ଉଦଘାଟିତ ହୋଇଛି ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟର ଓଡିଶା ଶାଖା କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ICOMC ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ୫ଟି ମହଲାରେ ଏହି କାର୍ଯ୍ୟାଳୟ ଖୋଲିବ।

ସ୍ମାର୍ଟସିଟି ଲିମିଟେଡ୍ ଅଫିସ୍ ମଧ୍ୟ ୨ଟି ବିଲଡିଂରେ କାର୍ଯ୍ୟାଳୟ ଖୋଲିବ । ଭବାନୀ ମଲରେ ଚାଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରିଚାଳନା ହେବ । ସେହିଭଳି ବଳକା ମହଲାରେ ଖୁବ୍ ଶୀଘ୍ର ବିଏମସି ଅଫିସ ଖୋଲିବ । ୨୦୧୮ମସିହାରେ ଆରମ୍ଭ ହୋଇଥିବା ଏହି ସୁଉଚ୍ଚ କୋଠା କାମ ୪ ବର୍ଷ ମଧ୍ୟରେ ସାରିଛି । ରାଜ୍ୟରେ ଡେଲଏଟର ଏହି କାର୍ଯ୍ୟାଳୟ ଖୋଲିବା ଫଳରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିପାରିବ।

ଏଠାରେ ପ୍ରତି ସିଫ୍ଟରେ ୫ଶହ ଲେଖାଏଁ ମୋଟ ୩ଟି ସିଫ୍ଟରେ ୧୫ଶହ କର୍ମଚାରୀ କାର୍ଯ୍ୟ କରିବେ। ଆଗକୁ ଏହି କୋଠାରେ ସ୍ମାର୍ଟସିଟି ଓ ବିଏମସି କାର୍ଯ୍ୟାଳୟ କାର୍ଯ୍ୟକରିବ। କାର୍ଯ୍ୟାଳୟ ଉଦଘାଟନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା ଉପସ୍ଥିତ ଥିଲେ ।

୨୦ କୋଟି ଟୁଇଟର ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍, ଇମେଲ୍‌ ଆଇଡି ହ୍ୟାକ୍‌

ନନ୍ଦିଘୋଷ ବ୍ୟୁରୋ: ସାବଧାନ ! ସ୍ମଲ ବ୍ଲଗିଂ ସାଇଟରେ ସୁରକ୍ଷିତ ନୁହେଁ ୟୁଜର୍ସଙ୍କ ତଥ୍ୟ । ସାଇବର ଅପରାଧୀଙ୍କ ଟାର୍ଗେଟରେ ସୋସିଆଲ ମିଡିଆ ୟୁଜର । ୨୦ କୋଟି ଟୁଇଟର ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍। ସ୍ମଲ ବ୍ଲଗିଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି ।

ଏତେସଂଖ୍ୟକ ଇ-ମେଲ ହ୍ୟାକିଂ ଯୋଗୁ ଫିସିଂ ଓ ଡକ୍ସିଂ ଭଳି ମାମଲା ବଢ଼ିବ ବୋଲି ଇସ୍ରାଏଲ ସାଇବର ସିକ୍ୟୁରିଟି ମନିଟରିଂ ଫାର୍ମ ହୁଡସନ ଲିଙ୍କଡ-ଇନ୍ ରେ ପୋଷ୍ଟ କରିଛନ୍ତି । ଡାଟା ଲିକର ଦୁଇ ସପ୍ତାହ ପରେ ବି ୟୁଜର୍ସଙ୍କ ଇ-ମେଲ ହ୍ୟାକକୁ ନେଇ ଟ୍ବିଟର ପକ୍ଷରୁ କିଛି ଟିପ୍ପଣୀ ରଖାଯାଇନାହିଁ । ଅନଲାଇନ ହ୍ୟାକିଂ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଇମେଲ  ଟ୍ବିଟରରୁ ହିଁ ଚୋରି ହୋଇଛି ବୋଲି ବ୍ରିଚ୍ ନୋଟିଫିକେସନ ସାଇଟ ହାବ ଆଇ ବିନ୍ ପନଡର ନିର୍ମାତା କହିଛନ୍ତି ।

ଏଲନ ମସ୍କଙ୍କ ହାତକୁ ଟ୍ବିଟରର ମାଲିକାନା ଯିବା ପୂର୍ବରୁ ହିଁ ଏହି ଡାଟା ଚୋରି ହୋଇଥିବା ଅନୁମାନ କରାଯାଉଛି ।

କାର୍ଯ୍ୟରେ ଅନୁପସ୍ଥିତ ରହି ବିଦା ହେଲେ ନବରଙ୍ଗପୁରର ୨୪ ଶିକ୍ଷକ

ନବରଙ୍ଗପୁର: କାର୍ଯ୍ୟରେ ଦୀର୍ଘବର୍ଷ ଧରି ଅନୁପସ୍ଥିତ ରହିବା ଯୋଗୁ ୨୪ ଶିକ୍ଷକଙ୍କୁ କାର୍ଯ୍ୟଚ୍ୟୁତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ କାର୍ଯ୍ୟଚ୍ୟୁତ କରିବା ପରେ ଜିଲ୍ଲା ଶିକ୍ଷାବିଭାଗ ଏହାକୁ କାର୍ଯ୍ୟକାରୀ କରିଛି । ଶିକ୍ଷକମାନେ ଦୀର୍ଘବର୍ଷ ଧରି ଛୁଟିରେ ରହିବା ଯୋଗୁ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ଜିଲ୍ଲାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ସମସ୍ତ ବିଇଓଙ୍କୁ ଚିଠି କରାଯାଇଥିଲା । ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ କାରଣଦର୍ଶାଅ ନୋଟସ ଜାରି କରାଯାଇଥିଲା । ମାତ୍ର ୬ ଜଣ ବିଭିନ୍ନ କରଣ ଦର୍ଶାଇ ଛୁଟିରେ ରହିଥିବା ଉତ୍ତର ରଖିଥିଲେ । ଅନ୍ୟ ୨୪ ଜଣ କୌଣସି ଉତ୍ତର ନଦେବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟଚ୍ୟୁତ କରିଛନ୍ତି ।

୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ଡିସେମ୍ୱର, ସର୍ବନିମ୍ନ ତାପମାତ୍ରା ୨୧.୪୯ ଡିଗ୍ରୀ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ । ଭାରତରେ ଅସ୍ବାଭାବିକ ଭାବରେ ବଢିଚାଲିଛି ତାପମାତ୍ରା । ୨୦୨୨ ଡିସେମ୍ବର ମାସ ଭାରତ ସବୁଠୁ ଉତ୍ତପ୍ତ ଭାବରେ ରେକର୍ଡ କରିଛି । ଫଳରେ ଗତ ୧୨୨ବର୍ଷର ରେକର୍ଡ ଭାଙ୍ଗିଛି ଡିସେମ୍ୱର । ପୁରା ମାସରେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୪୯ଡିଗ୍ରୀ ରେକର୍ଡ କରାଯାଇଛି । ରେକର୍ଡ ହୋଇଥିବା ତାପମାତ୍ରା ସ୍ୱାଭାବିକଠାରୁ ୧ଡିଗ୍ରୀ ଅଧିକ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

୧୨୨ ବର୍ଷ ମଧ୍ୟରେ ଅଧିକ ତାପମାତ୍ରା ଥିବା ଟପ୍ ୫ ଟି ବର୍ଷ ମଧ୍ୟରୁ ୨୦୨୨ ସର୍ବାଧିକ ୨୧.୪୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୨୦୦୮ ରେ ଦ୍ବିତୀୟ ସର୍ବାଧିକ ୨୧.୪୬ ଡିଗ୍ରୀ, ୨୦୧୬ ୨୧.୪୦ ଡିଗ୍ରୀ, ୨୦୧୫ରେ ୨୧.୧୩ ଡିଗ୍ରୀ ଏବଂ ୨୦୦୯ ରେ ହାରାହାରି ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଡିସେମ୍ବର ସରି ଜାନୁୟାରୀ ମାସର ୫ ଦିନ ବି ବିତିଲାଣି । କିନ୍ତୁ ଉତ୍ତରା ପବନ ସକ୍ରିୟ ନ ଥିବାରୁ ଜାଡ ପଡିନି ।

ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତରା ପବନ ସକ୍ରିୟ ହେବା ସହ ରାଜ୍ୟରେ ଥଣ୍ଡା ଶୁଷ୍କ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ରହିଛି । ତେବେ ଏହି ଜାଡ ବି ସ୍ବଳ୍ପ ସମୟ ପାଇଁ ବୋଲି ଆକଳନ କରାଯାଇଛି ।

ଆଜି ମହାପ୍ରଭୁଙ୍କ ଦେବାଭିଷେକ ନୀତି, ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ: ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଦେବାଭିଷେକ ନୀତି। ମହାପ୍ରଭୂଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା । ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ । ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ ।

ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, କୁଣ୍ଡଳ,ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ,ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇ ଭକ୍ତ ଜନଙ୍କୁ ଦର୍ଶନ ଦେବେ ।

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୨ଟି ଟିମ ସାମିଲ

ଅନୁଗୋଳ: ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯିବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣନାରେ ମୋଟ ୧୨ ଟି ଟିମ ସାମିଲ ହୋଇଛନ୍ତି । ସେହିପରି ମୟୂରଭଞ୍ଜ କରଞ୍ଜିଆରେ କୁମ୍ଭୀର ଗଣନା ଆରମ୍ଭ । ଜିଲ୍ଲାର ସମୁଦାୟ ୧୮ଟି ଜାଗାରେ ଗଣନା ଆରମ୍ଭ ହେବ । କୁମ୍ଭୀର ଗଣନା ପାଇଁ ମୋଟ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ଭିତରକନିକାରେ ପକ୍ଷୀ ଗଣୁଛନ୍ତି ୧୭ ଟିମ୍‌

ପଟ୍ଟାମୁଣ୍ଡାଇ: ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ। ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ। ରାଜନଗର, କନିକା, ଗହୀରମଥା , ମହାକାଳପଡ଼ା ଓ କୁଜଙ୍ଗର ୫ ଟି ରେଞ୍ଜରେ ହେବ ପକ୍ଷୀ ଗଣନା ।

ନୂଆ ରୂପରେ ଝଲସିବ ବେଦବ୍ୟାସ, ଆଜି ସମୀକ୍ଷା କରିବେ ଫାଇଭ ଟି ସଚିବ

ରାଉରକେଲା: ଆଜି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରିବେ  । ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ ଫାଇଭ ଟି ସଚିବ। ଗତକାଲି ରାତିରେ ନବୀକୃତ ରାଉରକେଲା ପାନ୍ଥନିବାସ ଗସ୍ତ କରି ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଏହା ସହ ସହରର ଟ୍ରାଫିକ ଛକରେ ଥିବା ସେନସୋରୀ ପାର୍କ ଗସ୍ତ କରିବା ସହ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରି ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ । ଶଙ୍ଖ ନଦୀ, କୋଏଲ ନଦୀ, ଓ ସରସ୍ବତୀ କୁଣ୍ଡର ମିଳନ ସ୍ଥଳରୁ ବ୍ରାହ୍ମଣୀର ଉତ୍ପନ୍ନ ହୋଇଥିବାବେଳେ ଏହା ତ୍ରିବେଣୀ ସଂଗମ ଭାବେ ପରଚିତି ଲାଭ କରିଛି ।