spot_img
Home Blog Page 3714

ଡେଲଏଟରେ ସ୍ବତନ୍ତ୍ର ସୁବିଧା, ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଇସିଓଏମସି କୋଠାରେ ଆଜି ଉଦଘାଟନ ହେବ ଡେଲଏଟ କମ୍ପାନୀ ଶାଖା । କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହିତ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ୧୨ ମହଲା ବିଶିଷ୍ଟ ଏହି କୋଠାର ୬ ତାଲାରୁ ୧୦ ତାଲା ପର୍ଯ୍ୟନ୍ତ ୫ଟି ଫ୍ଲୋରକୁ ଡେଲଏଟ ବ୍ୟବହାର କରିବ ।

ରାଜ୍ୟର ଯୁବକ ଯୁବତୀଙ୍କ ଲାଗି ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୩ଟି ସିଫ୍ଟରେ ଏଥିରେ ୫ ଶହ ଲେଖାଏ ୧୫୦୦ କର୍ମଚାରୀ କାମ କରିବେ । ପ୍ରଥମ ଥର ପାଇଁ ଏଥିରେ ଗୃହିଣୀମାନଙ୍କ ଲାଗି ବିଶେଷ ସୁବିଧା ରହିବ । ଗୃହିଣୀଙ୍କ ଲାଗି ଏଥିରେ ସ୍ବତନ୍ତ୍ର ସିଫ୍ଟ ରହିବ । ସେମାନେ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ଯାଏ ୫ ଘଣ୍ଟା କାର୍ଯ୍ୟ କରିବେ ।

ଏଥିରୁ ଗୋଟିଏ ମହଲାକୁ ବ୍ୟବହାର କରିବ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ । ୨୦୧୮ ମସିହାରେ ଏହି କୋଠା ନିର୍ମାଣ ଆରମ୍ଭ ହୋଇଥିଲା ।

ଏଥର ଭୋଟ ଦେବେ ୫ ଲକ୍ଷରୁ ଅଧିକ ଭୋଟର, ତାଲିକାରୁ ବାଦ୍‌ ୩ ଲକ୍ଷରୁ ଊର୍ଦ୍ଧ୍ବ

ଭୁବନେଶ୍ବର: ୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ । ଚଳିତଥର ମୋଟ ୫.୯୪ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ୩ କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି । ଏଥିରେ ୧ କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଏବଂ ୩୨୨୨ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ଗତ ୨୦୨୨ ନଭେମ୍ବର ୯ ତାରିଖରେ ପ୍ରକାଶିତ ହୋଇଥିଲା । ଭୋଟର ତାଲିକାରେ ତ୍ରୁଟି ସଂଶୋଧନ, ନାମ ବାଦଦେବା ଓ ସାମିଲ କରିବା, ଆପତ୍ତି-ଅଭିଯୋଗ ସହ ସ୍ଥାନାନ୍ତର ଆଦି ଆବେଦନ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫ଲକ୍ଷ ୯୪ହଜାର ୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଥିଲା । ୩ ଲକ୍ଷ ୨୦ହଜାର ୫୦୬ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି ।

ଭୋଟର ତାଲିକାରେ ସଂଶୋଧନ ଓ ବାସସ୍ଥାନ ପରିବର୍ତ୍ତନ ନିମନ୍ତେ ଫର୍ମ ନଂ-୮ରେ ଗ୍ରହଣ କରାଯାଇଥିବା ୨ଲକ୍ଷ ୧୪ହଜାର ଦରଖାସ୍ତକୁ ଅନୁମୋଦନ କରାଯାଇଛି । କେବଳ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହୋଇଥିବାରୁ ସେଠାରେ ଏବେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଜାରି ରହିଛି । ୨୦୨୩ ଚିଠା ଭୋଟର ତାଲିକାରେ ରାଜ୍ୟରେ ଲିଙ୍ଗ ଅନୁପାତ ୯୫୯ରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଏହି ଅନୁପାତ ୯୬୧କୁ ବୃଦ୍ଧି ପାଇଛି ।

ସେହିପରି ୨୦୨୩ ମସିହା ଫଟୋ ଭୋଟର ତାଲିକାରେ ଅନୁସାରେ ୧୮-୧୯ବର୍ଷ ଭୋଟରଙ୍କ ସଂଖ୍ୟା ୨.୧୦ଲକ୍ଷରୁ ୪ଲକ୍ଷ ୪୬ହଜାର ୭୭୯କୁ ବୃଦ୍ଧି ପାଇଛି । ୨୦୨୩ ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋ ପରିଚୟପତ୍ରଧାରୀଙ୍କ ସଂଖ୍ୟା ଶତକଡ଼ା ୯୯.୯୯%କୁ ବୃଦ୍ଧି ପାଇଛି ।

ସୂର୍ଯ୍ୟକୁମାର ଓ ଅକ୍ଷରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପରାଜିତ; ୧୬ ରନରେ ଶ୍ରୀଲଙ୍କା ବିଜୟୀ

ପୁଣେ: ପୁଣେରେ ଚାଲିଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୧୬ରନରେ ପରାଜିତ କରିଛି । ଏହି ବଜୟ ସହ ସିରିଜରେ ଶ୍ରୀଲଙ୍କା ୧-୧ରେ ବରାବର କରି ନେଇଛି । ପ୍ରଥମ ମ୍ୟାଚ ଭାରତ ଦୁଇ ରନରେ ଜିତିଥିଲା । ଏବେ ଉଭୟ ଦଳର ନଜର ରାଜକୋଟ ମ୍ୟାଚ ଉପରେ ରହିଛି । ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଦାସୁନ ଶନାକା ଓ କୁଶଲ ମେଣ୍ଡିସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୦୬ ରନ କରିଥିଲା । ଅଧିନାୟକ ଶନାକା ୫୬ ରନ କରିଥିବା ବେଳେ କୁଶଳ ମେଣ୍ଡିସ ୫୨ ରନ କରିଥିଲେ ।

ସେହିପରି ଅଶାଲଙ୍କା ୩୭ ଓ ପାଥମ ନିଶାଙ୍କା ୩୩ ରନ କରିଥିଲେ । ଭାରତ ପକ୍ଷରୁ ଉମ୍ରାନ ମଲ୍ଲିକ ସର୍ବାଧିକ ୩ ଓ୍ବିକେଟ ଅକ୍ତିଆର କରିଥିଲେ । ଅକ୍ଷର ପଟେଲ ୨ ଟି ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ମଧ୍ୟ ଭାଗରେ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ଅକ୍ଷର ପଟେଲ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ ।

ଉଭୟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ୨୦ ଓଭରରେ ଦଳ ୮ ୱିକେଟ୍ ହରାଇ ୧୯୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ରହିଥିଲା । ତିନି ଓଭର ଭିତରେ ଦଳ ତିନୋଟି ୱିକେଟ୍ ହରାଇଥିଲା । ଇଶାନ କିଶନ (୨ରନ୍), ଶୁଭମନ ଗିଲ୍ (୫ ରନ୍) ଏବଂ ରାହୁଲ ତ୍ରିପାଠୀ (୫ରନ୍) ପାୱାରପ୍ଲେରେ ହିଁ ଆଉଟ୍ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ସେହିପରି ଦୀପକ ହୁଡ୍ଡା ୧୨ ଟି ବଲରେ ୯ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଏବଂ ଅକ୍ଷର ପଟଲେ ବିସ୍ଫୋରକ ବ୍ୟାଟିଂ କରି ଉଭୟ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ ଯେତବେଳେ ଲାଗିଥିଲା ଯେ ଭାରତ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଛି ସେହି ସମୟରେ ସୂର୍ଯ୍ୟକୁମାର ୩୬ଟି ବଲରେ ୫୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଶେଷ ଓଭରରେ ଭାରତକୁ ୨୧ ରନ୍ ଜିତିବା ପାଇଁ ଆବଶ୍ୟକ ଥିଲା । କିନ୍ତୁ ଦଳ ମାତ୍ର ୪ ରନ୍ ହିଁ କରିପାରିଥିଲେ । ଅକ୍ଷର ପଟେଲ ୧୯.୩ ଓଭରରେ ୩୧ ବଲରେ ୬୫ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ୧୫ ଟି ବଲରେ ୨୬ ରନ୍ କରିଥିବା ଶିଭମ ମାଭି ମଧ୍ୟ ଶେଷ ଓଭରର ଶେଷ ବଲରେ କ୍ୟାଚଆଉଟ୍ ହୋଇଯାଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା, କସୁନ ରଜିଥା ଏବଂ ଦସୁନ ଶନକା ୨ ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ କରୁଣାରତ୍ନେ ଏବଂ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । ୧-୧ରେ ସିରିଜ ବରାବର ହେବା ପରେ ଏବେ ଉଭୟ ଟିମ୍ ୩ୟ ତଥା ଶେଷ ଟି-୨୦ ମ୍ୟାଚ୍ ଉପରେ ଲକ୍ଷ୍ୟ ରଖିଛନ୍ତି । ସିରିଜ ଜିତିବା ପାଇଁ ଉଭୟ ଶେଷ ମ୍ୟାଚ ଜିତିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବେ । ଆସନ୍ତା ୭ ତାରିଖରେ ଗୁଜୁରାଟର ରାଜକୋଟରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ ।

ଓଡ଼ିଶାରେ ୩ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ବୟାନ ଜାରି କଲା ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜ୍ୟରେ ୩ ଜଣ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ରହସ୍ୟ ବଢ଼ିବାରେ ଲାଗିଛି । ରାୟଗଡ଼ାରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ପାରାଦୀପରେ ତଦନ୍ତ କରୁଛି ପୋଲିସ । ତେବେ ଏସବୁ ଭିତରେ ସମସ୍ତ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ପୃଥକ ପୃଥକ ହୋଇଥିବା ମୃତ୍ୟୁକୁ ଏକ ସାଙ୍ଗରେ ଯୋଡି ରଖା ଯାଇପାରିବନି ବୋଲି କହିଛନ୍ତି ।

୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ପାଇଁ ଯାହା କିଛି ବି ଆବଶ୍ୟକ ପଡ଼େ, ତାହା କରାଯିବ ବୋଲି କହିଛନ୍ତି ଅରିନ୍ଦମ ବାଗଚି । ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଓଡ଼ିଶା ପୋଲିସ କରୁଥିବା ବେଳେ, କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ଗତ ୩ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିବା ଋଷୀୟ ଜାହାଜର ଚିଫ ଇଞ୍ଜିନିୟର ମିଲ୍ୟାକୋଭ ସର୍ଜେଇଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ରାୟଗଡ଼ାରେ ୨ ଜଣ ଋଷୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ବେଳେ ପାଭେଲ ଆନ୍ଥୋଭ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

ଅର୍ଥୋଡକ୍ସ କ୍ରିସମାସକୁ ଦୃଷ୍ଟିରେ ରଖି ପୁଟିନଙ୍କ ଦୁଇଦିନିଆ ଅସ୍ତ୍ରବିରତି ଘୋଷଣା

ମସ୍କୋ: ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି । ରୁଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗୁରୁବାର ରାତିରେ ଘୋଷଣା କରିଛନ୍ତି ଯେ, ତାଙ୍କ ସେନା ୬ ଏବଂ ୭ ଜାନୁଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିବେନି । ଅର୍ଥାତ ୟୁକ୍ରେନରେ ରୁଷ୍ ପକ୍ଷରୁ ଅସ୍ତ୍ରବିରତି ରହିବ । ଜାନୁଆରୀ ୬ ତାରିଖ ରାତି ୧୨ଟାରୁ ୩୬ ଘଣ୍ଟା ଯାଏ ୟୁକ୍ରେନର ସମସ୍ତ ସୀମାରେ ଗୁଳିଗୋଳା ବନ୍ଦ ରହିବ । ପୁଟିନ ଏହି ନିଷ୍ପତ୍ତି ରୁଷର ଇସାଇ ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲଙ୍କ ଅପିଲ ପରେ ନେଇଛନ୍ତି ।

କିରିଲ ନିବେଦନ କରିଥିଲେ ଯେ, ୟୁକ୍ରେନରେ ଚଳିତ ସପ୍ତାହରେ ୩୬ ଘଣ୍ଟା ପାଇଁ ଯୁଦ୍ଧ ରୋକାଯାଉ । ତେବେ ଅସ୍ତ୍ରବିରତି ନେଇ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ କୌଣସି ପ୍ରତିକ୍ରିୟା ଦେଇନାହିଁ । ରୁଷର ଅର୍ଥୋଡକ୍ସ ଚର୍ଚ୍ଚ ପୂରୁଣା ଜୁଲିୟନ କ୍ୟାଲେଣ୍ଡରର ବ୍ୟବହାର କରିଥାଏ । ଏଥିପାଇଁ ଜାନୁଆରୀରେ କ୍ରିସମାସ ପର୍ବ ପାଳନ ହୋଇଥାଏ । ଯାହାକି ଗ୍ରିଗୋରିୟାନ କ୍ୟାଲେଣ୍ଡରଠାରୁ ୧୩ ଦିନ ପରେ ପଡ଼ିଥାଏ । ଏହା ୭ ଜାନୁଆରୀରେ ପାଳନ କରାଯାଇଥାଏ ।

ଅର୍ଥୋଡକ୍ସ କ୍ରିସମାସ ପୂର୍ବ ୟୁରୋପୀୟ ଦେଶ ଯେମିତି କି ରୁଷ୍, ଗ୍ରୀସ, ଇଥିୟୋପିୟା ଏବଂ ଇଜିପ୍ଟରେ ପାଳନ କରାଯାଇଥାଏ । ସୂଚନାଥାଉକି, ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ୧୧ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଚାଲିଛି । ଛୋଟିଆ ଦେଶ ହେଲେ ବି ୟୁକ୍ରେନ ନାଟୋଠୁ ସମର୍ଥନ ନେଇ ରୁଷ୍ କୁ କଡ଼ା ଜବାବ ଦେଉଛି । ସମସ୍ତେ ଭାବୁଥିଲେ ରୁଷ୍ ଭଳି ବିଶାଳ ଦେଶ ଆଗରେ ୟୁକ୍ରେନ ଅଧିକ ସମୟ ତିଷ୍ଟି ପାରିବନି । ହେଲେ ଆମେରିକା, ବ୍ରିଟେନ ଭଳି ଦେଶଗୁଡିକଠୁ ସମର୍ଥନ ପାଇ ୟୁକ୍ରେନ ଯୁଦ୍ଧରେ ବଳବତ୍ତର ରହିଛି ।

ସାଉଥ୍ କ୍ରେଜ; ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି ନନ୍ଦମୁରୀଙ୍କ ‘ଅଖଣ୍ଡ’ ଚଳଚ୍ଚିତ୍ର

ମୁମ୍ବାଇ: ବକ୍ସ ଅଫିସରେ କିଛି ବର୍ଷ ହେବ ସାଉଥ୍ ଫିଲ୍ମ ରେକର୍ଡ କରିଆସୁଛି । ତେଲୁଗୁ ଫିଲ୍ମ ଦେଶ ଏବଂ ଦେଶ ବାହାରେ ଲୋକପ୍ରିୟତା ହାସଲ କରିଛି । ତେବେ ତେଲୁଗ ଠାରୁ ଆରମ୍ଭ କରି ତାମିଲ, ମଲାୟାଲମ, କନ୍ନଡ ଅନେକ ଭାଷର ଫିଲ୍ମ ହିଟ୍ ହେବାରୁ ନିର୍ମାତା ଗୋଟିଏ ପରେ ଗୋଟିଏ ଫିଲ୍ମ ହିନ୍ଦିରେ ରିଲିଜ କରୁଛନ୍ତି । ବର୍ତ୍ତମାନ ନନ୍ଦମୁରୀ ବାଲକୃଷ୍ଣଙ୍କ ଅପକମିଙ୍ଗ ଫିଲ୍ମ ‘ଅଖଣ୍ଡ’ ହିନ୍ଦୀରେ ଆସିବାକୁ ଯାଉଛି । ଏହି ଫିଲ୍ମର ଦମଦାର୍ ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି । ଯେଉଁଥିରେ ଦର୍ଶକମାନେ ନନ୍ଦମୁରୀଙ୍କୁ ଏକ ନୂଆ ରୂପରେ ଦେଖିବାକୁ ପାଇବେ ।

ଫିଲ୍ମ ‘ଅଖଣ୍ଡ’ ୨୦୨୧ ମସିହାରେ ତେଲୁଗୁ ଭାଷାରେ ରିଲିଜ ହୋଇସାରିଛି । ଏକ ବର୍ଷରୁ ଅଧିକ ସମୟ ହେବ ଫିଲ୍ମ ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ପୁଣି ଥରେ ହିନ୍ଦିରେ ପରାଦା ଉପରକୁ ଆସିବାକୁ ଯାଉଛି । ଏହି ଫିଲ୍ମ ତେଲୁଗରେ ସୁପରହିଟ ହୋଇଥିବା ଯୋଗୁଁ ନିର୍ମାତା ଏହାକୁ ହିନ୍ଦିରେ ଡବିଂ କରିବାକୁ ଯାଉଛନ୍ତି । ନନ୍ଦମୁରୀଙ୍କ ପ୍ରଶଂସକମାନେ ଫିଲ୍ମଟି ହିନ୍ଦୀରେ ରିଲିଜକୁ ବେସ୍ ଉତ୍ସାହିତ ଅଛନ୍ତି ।

ଅଖଣ୍ଡ ଏକ ଆକ୍ସନ, ଡ୍ରାମା ଚଳଚ୍ଚିତ୍ର । ଏଥିରେ କାହାଣୀ ଏବଂ ନନ୍ଦମୁରୀଙ୍କ ଜବରଦସ୍ତ ଆକ୍ସନ ସହିତ ଦମଦାର ଡାଇଲଗ୍ ମଧ୍ୟ ରହିଛି । ଯହା ଦର୍ଶକମାନଙ୍କ ହୃଦୟକୁ ଜିଣି ପାରିଛି । ହିନ୍ଦୀ ଟ୍ରେଲର ଆସିବା ପରେ ଦର୍ଶକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଫିଲ୍ମ ‘ଅଖଣ୍ଡ’କୁ ନନ୍ଦମୁରୀଙ୍କ ସହିତ ବୋୟାପତି ଶ୍ରୀନୁ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମର ଟ୍ରେଲର କଲେକ୍ସନ ୧୩୦ କୋଟି ଟଙ୍କା ରହିଥିଲା । ହିନ୍ଦୀରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଦାୟିତ୍ବ ନେଇଛନ୍ତି  ଡ. ଜୟନ୍ତିଲାଲ ଏବଂ ସାଜିଦ କୁରେଶୀ । ଅଖଣ୍ଡ ଫିଲ୍ମର ମୁକାବିଲା ଶାହାରୁଖ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ପଠାନ’ ଏବଂ ଅର୍ଜୁନ କାପୁରଙ୍କ ‘କୁତେ’ ଫିଲ୍ମ ସହ ହେବାକୁ ଯାଉଛି । ସୂଚନା ମୁତାବକ, ଫିଲ୍ମ ଅଖଣ୍ଡ ଜାନୁଆରୀ ୨୦ରେ ପରଦାକୁ ଆସିବାକୁ ଯାଉଥିବା ବେଳେ ‘କୁତେ’ ଜାନୁଆରୀ ୧୩ ଏବଂ ‘ପଠାନ’ ଜାନୁଆରୀ ୨୫ରେ ପରଦାକୁ ଆସିବ ।

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ଭାରତ ଆଗରେ ୨୦୭ ରନର ବିଜୟ ଲକ୍ଷ୍ୟ

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି । ଭାରତ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିଥିଲା ସେହିପରି ଆହ୍ୱାନ କ୍ରମେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା । ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୦୬ ରନ୍ ସଂଗ୍ରହ କରିଛି । ଭାରତ ଆଗରେ ଏବେ ୨୦୭ ରନର ବିଜୟ ଲକ୍ଷ୍ୟ । ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ଯୋଡ଼ି ପଥୁମ ନିଶାଙ୍କ ଏବଂ କୁସଲ ମେଣ୍ଡିସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ନିଶାଙ୍କ ୩୫ ବଲରେ ୩୩ ରନ୍ କରିଥିଲେ ।

ସେହିପରି କୁସଲ ମେଣ୍ଡିସ ୩୧ ଟି ବଲରେ ୫୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚରିଥ ଅସଲଙ୍କା ୧୯ ବଲରେ ୩୭ ରନ୍ କରିଥିଲେ । ଇନିଂସ ଶେଷ ବେଳକୁ ଦସୁନ ଶନକା ଚମତ୍କାର ପ୍ରଦର୍ଶନ କରିଥିଲେ । ମାତ୍ର ୨୨ ଟି ବଲରେ ୫୬ ରନ୍ କରି ଅପରାଜିତ ରହିଥିଲେ । ଚମିକା କରୁଣାରତ୍ନେ ମଧ୍ୟ ୧୧ ରନ୍ କରି ଅପରାଜିତ ରହିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବୋଲର ସଫଳ ସାବ୍ୟସ୍ଥ ହୋଇନଥିଲେ ।

ଗତ ମ୍ୟାଚରେ ଡେବୁଟ କରି ୪ୱିକେଟ୍ ହାସଲ କରି ସଫଳତା ପାଇଥିବା ଶିଭମ ମାଭି ଆଜିର ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଶିଭମ ୪ ଓଭର ବୋଲି କରି ସର୍ବାଧିକ ୫୩ ରନ୍ ବ୍ୟୟ କରିଛନ୍ତି । ଭାରତୀୟ ଦଳ ପକ୍ଷରୁ ଉମ୍ରାନ ମଲିକ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ସର ପଟେଲ ଦୁଇଟି ଏବଂ ୟୁଜବେନ୍ଦ୍ର ଚହଲ ଗୋଟେ ୱିକେଟ୍ ହାସଲ କରିଛନ୍ତି । ପ୍ରଥମରୁ ଭାରତୀୟ ବୋଲର ମାନେ ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲେ ।

ଶ୍ରୀଲଙ୍କାର ଦଳୀୟ ସ୍କୋର ୮୦ ଥିବା ବେଳେ ପ୍ରଥମ ୱିକେଟ୍ କୁସଲ ମେଣ୍ଡିସଙ୍କ ରୂପରେ ଯାଇଥିଲା । ଭାରତକୁ ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜ୍ ଜିତିବାକୁ ହେଲେ ନିର୍ଦ୍ଧାରିତ ଓଭରରେ ୨୦୭ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ହେବ । ବର୍ତ୍ତମାନ ଭାରତ ୧-୦ରେ ସିରିଜରେ ଆଗୁଆ ଅଛି । ଅନ୍ୟପକ୍ଷରେ ଏକ ଭଲ ଟାର୍ଗେଟ ଦେଇଥିବା ଶ୍ରୀଲଙ୍କା ଭାରତକୁ ବିଜୟ ଲକ୍ଷ୍ୟଠୁ ଦୂରରେ ରଖି ସିରିଜରେ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରିବ ।

ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୯

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ କରାଯାଇଛି । ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଭୂମିକମ୍ପ ପ୍ରଭାବରେ ଥରିଛି । ଲୋକମାନେ ଝଟକା ଅନୁଭୂତ ହେବା କ୍ଷଣି ଘରୁ ବାହାରକୁ ଚାଲି ଯାଇଥିଲେ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୯ ଥିବା ଜଣାଯାଇଛି । ଏହାର କେନ୍ଦ୍ରସ୍ଥଳୀ ଆଫଗାନୀସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଥିଲା । ଏପର୍ଯ୍ୟନ୍ତ ସୁଦ୍ଧା ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

ହେଲେ ଲୋକମାନଙ୍କ ଭିତରେ ଭୟର ବାତାବରଣ ଦେଖା ଦେଇଛି । ନୂଆ ବର୍ଷରେ ଦ୍ୱିତୀୟଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଯାଇଛି । ଏହା ପୂର୍ବରୁ ଦିଲ୍ଲୀ-ଏନସିଆରର ଲୋକଙ୍କ ପାଇଁ ନୂଆ ବର୍ଷର ଆରମ୍ଭ ଭୂମିକମ୍ପର ଝଟକା ସହ ହୋଇଥିଲା । ନୂଆ ବର୍ଷର ମଧ୍ୟ ରାତ୍ରୀରେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ର ହରିୟାଣାର ଝାଝାର ଜିଲ୍ଲାରେ ରହିଥିଲା ।

ଏୟାର ଇଣ୍ଡିଆ ବିମାନରେ ମଦ୍ୟପଙ୍କ ଉତ୍ପାତ ଜାରି,ପୁଣି ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ

ଦିଲ୍ଲୀ : ଏୟାର ଇଣ୍ଡିଆ ପୁଣିଥରେ ଭୁଲ କାରଣରୁ ଚର୍ଚ୍ଚା ଭିତରକୁ ଆସିଛି । ନଭେମ୍ବର ୨୬ , ୨୦୨୨ରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ମଦ୍ୟପଙ୍କ ପରିସ୍ରା ଘଟଣା ମନରୁ ଲିଭି ନଥିବା ବେଳେ ପୁଣିଥରେ ସମାନ କାଣ୍ଡ ଘଟିଛି । ତା’ ପୁଣି ସେହି ଏୟାର ଇଣ୍ଡିଆର ଇଣ୍ଟରନ୍ୟାସନାଲ ଫ୍ଲାଇଟରେ । ଲାଗୁଛି ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ଉଡ଼ାଣରେ ମଦୁଆଙ୍କ ଉତ୍ପାତ ସହଜରେ ବନ୍ଦ ହେବ ନାହିଁ ।


ଏୟାର ଇଣ୍ଡିଆର ନ୍ୟୁୟର୍କ- ଦିଲ୍ଲୀ ଫ୍ଲାଇଟର ବିଜନେସ କ୍ଲାସରେ ଜଣେ ବୟସ୍କା ମହିଳା ଉପରେ ପରିସ୍ରା ଘଟଣା ପରେ ପ୍ୟାରିସ-ଦିଲ୍ଲୀ ଫ୍ଲାଇଟରେ ମଧ୍ୟ ସମାନ କାଣ୍ଡ ଘଟିଛି । ଗୁରୁବାର ଏୟାର ଇଣ୍ଡିଆର ଜଣେ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁସାରେ ଡିସେମ୍ବର ୬ ତାରିଖ ଦିନ ଏହି ଘଟଣା ଘଟିଥିଲା । ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ଯାତ୍ରା କରୁଥିବା ଜଣେ ପୁରୁଷ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଦେଇଥିଲେ । ପରେ ସେ ଲିଖିତ ଭାବେ କ୍ଷମା ମାଗିଥିଲେ । ସୂଚନା ଅନୁସାରେ ବିମାନ ଦିଲ୍ଲୀରେ ପହଂଚିବା ପରେ ଯାତ୍ରୀଙ୍କୁ ସିଆଇଏସଫ ନିଜ କବଜାକୁ ନେଇଥିଲା । ତେବେ ସେ କେଉଁ କ୍ଲାସରେ ଯାତ୍ରା କରୁଥିଲେ ସେନେଇ କୌଣସି ସୂଚନା ମିଳି ପାରିନାହିଁ । ଏଭଳି ଘଟଣା ଡିସେମ୍ବର ୬ରେ ଏୟାର ଇଣ୍ଡିଆର ୧୪୨ ନମ୍ବର ଫ୍ଲାଇଟରେ ହୋଇଥିଲା । ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଳୀ ଫ୍ଲାଇଟରେ ହୋଇଥିବା ଏଭଳି ଏକ ଲଜ୍ୟାଜନକ ଘଟଣାର ଠିକ ୧୦ ଦିନ ପରେ ପୁଣି ଏମିତି ଏକ ଘଟଣା ଘଟିଛି ।

ସମ୍ମେଦ ଶିଖର ପର୍ଯ୍ୟଟନ ସ୍ଥଳ ମାନ୍ୟତା ପ୍ରତ୍ୟାହାର, କମିଟି ଗଠନ କଲା କେନ୍ଦ୍ର

ରାଞ୍ଚି: ବ୍ୟାପକ ବିକ୍ଷୋଭ ଓ ବିରୋଧ ପରେ ଝାଡ଼ଖଣ୍ଡର ସମ୍ମେଦ ଶିଖରର ପର୍ଯ୍ୟଟନ ସ୍ଥଳ ମାନ୍ୟତାକୁ ପ୍ରତ୍ୟାହର କରିଛନ୍ତି କେନ୍ଦ୍ର ସରକାର। ଜୈନ ତୀର୍ଥାଙ୍କର ପାର୍ଶ୍ୱନାଥଙ୍କ ନାମରେ ନାମିତ ଗିରିଡିହର ପାର୍ଶ୍ୱନାଥ ପର୍ବତରେ ଥିବା ସମ୍ମେଦ ଶିଖର ଜୈନ ଧର୍ମାବଳମ୍ବୀଙ୍କର ପବିତ୍ର ତୀର୍ଥସ୍ଥଳ ଅଟେ। ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ଦ୍ୱାରା ତୀର୍ଥସ୍ଥଳର ପବିତ୍ରତା ହ୍ରାସ ପାଇବ ବୋଲି ଜୈନ ଧର୍ମାବଳମ୍ବୀ ବିରୋଧ କରି ଆସୁଥିଲେ। ଝାଡ଼଼ଖଣ୍ଡରୁ ରାଜସ୍ଥାନ ଓ ଦିଲ୍ଲୀରେ ମଧ୍ୟ ଏହା ବିରୋଧରେ ଆନ୍ଦୋଳନ ହେଉଥିଲା । ହିନ୍ଦୁ ସଂଗଠନ ମଧ୍ୟ ବିରୋଧରେ ସାମିଲ ଥିଲେ ।

ସମ୍ମେଦ ଶିଖରକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତାକୁ କେନ୍ଦ୍ର ସରକାର ତତ୍କାଳ ପ୍ରଭାବରେ ପ୍ରତ୍ୟାହାର କରିଛନ୍ତି। ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବେ ସାମିଲ କରାଯିବ ନାହିଁ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ପର୍ଯ୍ୟଟନ ଏବଂ ଇକୋ-ଟୁରିଜିମ୍ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ତିନି ବର୍ଷ ପୂର୍ବେ ଜାରି କରାଯାଇଥିବା ଆଦେଶକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଗୁରୁବାର କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। ଇକୋ ସେନ୍ସିଟିଭ୍ ଜୋନ୍ ବିଜ୍ଞପ୍ତିର ଧାରା -3 ଅନୁଯାୟୀ, ଏହି ସ୍ଥାନକୁ ନିଷେଧ କରାଯାଇଛି। ଏହି ସ୍ଥାନକୁ ଯେମିତି କେହି ପର୍ଯ୍ୟଟକ ନଯିବେ ସେଥିପାଇଁ ରାଜ୍ୟ ସରକାରଙ୍କୁ ତତ୍କାଳ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହତି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଯେଉଁଥିରେ ଜୈନ ସମ୍ପ୍ରଦାୟର ଦୁଇ ଜଣ ଓ ଜଣେ ଆଦିବାସୀ ସଦସ୍ୟ ରହିବ ।