ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପଟନମ: ଜଗନମୋହନ ରେଡ୍ଡୀ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପଟନମ । ଏନେଇ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନମୋହନ ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ ବିଶାଖାପଟନମ ଆମନ୍ତ୍ରଣ କରିବାକୁ ଆସିଛି । ଯେଉଁ ସହର ଆଗାମୀ ଦିନରେ ଆମର ରାଜଧାନୀ ହେବାକୁ ଯାଉଛି । ମୁଁ ବି ଆଗାମୀ କିଛି ମାସ ମଧ୍ୟରେ ବିଶାଖାପଟନମ ସ୍ଥାନାନ୍ତର ହୋଇଯିବି । ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ, ଆମେ ୩ ଏବଂ ୪ ମାର୍ଚ୍ଚରେ ବିଶାଖାପଟନମରେ ଏକ ବୈଶ୍ୱିକ ଶିଖର ସମ୍ମେଳନର ଆୟୋଜନ କରିବାକୁ ଯାଉଛୁ ।

ମୁଁ ଆପଣ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଶିଖର ସମ୍ମେଳନକୁ ଆମନ୍ତ୍ରଣ କରିବା ପାଇଁ ଆସିଛି । ରେଡ୍ଡୀ ବିଦେଶୀ ଏବଂ ଘରୋଇ ନିବେଶକଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ରାଜ୍ୟକୁ ଆସି ଦେଖନ୍ତୁ ଯେ ରାଜ୍ୟରେ ବ୍ୟବସାୟ କରିବା କେତେ ସହଜ ଅଟେ । ଏହା ପୂର୍ବରୁ ରେଡ୍ଡୀ ବିଶାଖାପଟନମକୁ ରାଜ୍ୟ ପ୍ରଶାସନର ସିଟ୍ ଭାବରେ ପ୍ରସ୍ତାବିତ କରି ଏହା ସ୍ପଷ୍ଟ କରି ଦେଇଥିଲେ ଯେ ରାଜ୍ୟର ଭବିଷ୍ୟତ ଡିସେଣ୍ଟ୍ରାଲାଇଜ୍ଡ ଡେଭେଲପମେଣ୍ଟରେ ରହିଛି । ମୁଖ୍ୟାଳୟ ରୂପରେ ଏହା ରାଜ୍ୟର ରାଜ୍ୟପାଳଙ୍କ ଆଧାର ମଧ୍ୟ ହେବ, ଯେତବେଳେ କି ବିଧାନସଭା ଅମରାବତୀରୁ କାର୍ଯ୍ୟ କରିବ ।