ଗୋପାଳର ଭାଇ ସତ୍ୟନାରାୟଣକୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳକୃଷ୍ଣର ଭାଇ ସତ୍ୟନାରାୟଣକୁ ପଚରାଉଚରା । ପଚରାଉଚରା ପରେ ସତ୍ୟନାରାୟଣକୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ସତ୍ୟନାରାୟଣକୁ ଉଠାଇ ନେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର । ବ୍ରଜରାଜନଗରରେ ଗୋପାଳ ଭାଇଙ୍କର ଥିବା ଏକ ହୋଟେଲରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଛାନବିନ କରି ତାଙ୍କୁ ଉଠାଇନେଇଛି । ଗୋପାଳର ସ୍ତ୍ରୀ, ପୁଅ ଓ ଝିଅକୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଗତ ରବିବାର ୧୨ ଟା ବେଳେ ଏକ ସଭାକୁ ଯୋଗ ଦେବାକୁ ଯାଉଥିବା ସମୟରେ ଏଏସଆଇ ଗୋପାଳକୃଷ୍ଣ ନବ ଦାସଙ୍କୁ ଗୁଳି କରିଥିଲେ ।

ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଗୋପାଳକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ସନ୍ଧ୍ୟାରେ ତାକୁ କୋର୍ଟରେ ହାଜର ପରେ ଝାରସୁଗୁଡା ଉପକାରାଗାରକୁ ନିଆଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରଜରାଜନଗର ଗୁଳିମାଡ଼ ସ୍ଥାନରେ ତଦନ୍ତ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ ଏହି ମାମଲାକୁ ନୀରିକ୍ଷଣ କରୁଛନ୍ତି । ଗତକାଲି ଗୋପାଳ ନିଜର ଦୋଷ ମାନିଥିବା କହିଥିଲେ ଅରୁଣ ବୋଥ୍ରା ।