ନବ ଦାସଙ୍କ ମୃତ୍ୟୁ ଭଳି ସ୍ପର୍ଶକାତର ଘଟଣାରେ ବିଜେପି ନିମ୍ନ ମାନର ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏହା ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ମର୍ମାହତ କରିଛି । ମାତ୍ର ଏଭଳି ଏକ ସ୍ପର୍ଶକାତର ଘଟଣାରେ ଚିରାଚରିତ ଭାବେ ଭାରତୀୟ ଜନତା ପାର୍ଟି ନିମ୍ନ ମାନର ରାଜନୀତି କରିବା ଆରମ୍ଭ କରିଦେଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନାର ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରି ନବ ବାବୁଙ୍କ ହତ୍ୟା ଉପରେ ରାଜନୀତି କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି, ତାହା ନିନ୍ଦନୀୟ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଉଛି । ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ଜଣେ ବିଜେଡି କର୍ମୀଙ୍କୁ ହତ୍ୟା ମାମଲାରେ ସେ ଜେଲ୍ ଯାଇ ଜାମିନରେ ଆସିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ତାଙ୍କ ମନରେ ଭୟ ସୃଷ୍ଟି କରିଛି । ଏଥିପାଇଁ ସେ ବାଉଳାଇ ହେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ବିଜେଡି ଜଣେ ହତ୍ୟା ଅଭିଯୁକ୍ତଙ୍କର ମନ୍ତବ୍ୟକୁ ଗୁରୁତ୍ବ ଦେଉନାହିଁ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ଏହି ସ୍ପର୍ଶକାତର ମାମଲାର ତଦନ୍ତରେ ସ୍ୱଚ୍ଛତା ରକ୍ଷା ଲାଗି ଜଣେ କାର୍ଯ୍ୟରତ ବା ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଏହାର ତଦନ୍ତ କରିବାକୁ ରାଜ୍ୟ ସରକାର ନିଜ ଆଡ଼ୁ ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି । ମାତ୍ର ଏହାକୁ ଗ୍ରହଣ ନ କରି ରାଜ୍ୟ ବିଜେପି ମାନ୍ୟବର ହାଇକୋର୍ଟଙ୍କ ନିରପେକ୍ଷତାକୁ ପ୍ରଶ୍ନ କରୁଛି କି? ଭାରତର ନ୍ୟାୟପାଳିକା ନିଜର ନିରପେକ୍ଷତା ପାଇଁ ସାରା ବିଶ୍ୱରେ ପରିଚିତ । ତେଣୁ ରାଜ୍ୟ ବିଜେପି ନ୍ୟାୟପାଳିକା ଉପରେ ଭରସା ରଖୁ । ଯେହେତୁ ନ୍ୟାୟପାଳିକାର ତଦାରଖରେ ଏହି ମାମଲାର ତଦନ୍ତ ହେବାକୁ ଯାଉଛି, ତେଣୁ ଏହା ଉପରେ ରାଜନୀତି କରିବାରୁ ରାଜ୍ୟ ବିଜେପି କ୍ଷାନ୍ତ ରହୁ ବୋଲି ବିଜେଡି କହିଛି ।